ବନ୍ୟା ପରିସ୍ଥିତିରେ ଉନ୍ନତି ହୋଇଛି , ସ୍ଥିତି ନିୟନ୍ତ୍ରଣାଧିନ: ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜଳ ସଂପଦ ବିଭାଗରେ ବନ୍ୟା ସ୍ଥିତି ସଂପର୍କରେ ସ୍ୱତନ୍ତ୍ର ରିିଲିଫ୍ କମିଶନର ଏବଂ ଜଳ ସଂପଦ ବିଭାଗ  ପ୍ରମୁଖ ଶାସନ ସବିବଙ୍କ ପ୍ରେସ୍ ବିବୃତି 

ଭୁବନେଶ୍ୱର (ଶାସକ ପ୍ରଶାସକ) :   ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଫଳରେ କେତେକ ନଦୀରେ  ଯେଉଁ ବନ୍ୟା ପରିସ୍ଥିତି  ସୃଷ୍ଟି  ହୋଇଥିଲା, ସେଥିରୁ ଆଜି ମଧ୍ୟାନ୍ନ ସୁଦ୍ଧା ସ୍ଥିତି  ସୁଧୁରିଛି ।  ସୁବର୍ଣ୍ଣରେଖା, ବୁଢା ବଳଙ୍ଗ ଓ ବୈତରଣୀ  ନଦୀରେ ବନ୍ୟା ପରିସ୍ଥିତିରେ ଉନ୍ନତି ପରିଲକ୍ଷିତ ହୋଇଛି  ଓ ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ସୁବର୍ଣ୍ଣରେଖା ନଦୀରେ  ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ବୁଢାବଳଙ୍ଗ ନଦୀରେ ୧୦ଟି ଗ୍ରାମ ଜଳ ଘେରିରେ ଥିଲା । ସେଠାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ବୈତରଣୀ  ନଦୀର ଆଖୁଆ ପଦା ଠାରେ ବିପଦ ସଙ୍କେତ ସ୍ତର ୧୭.୮୩ ମିଟର ଥିବା ବେଳେ ଏବେ  ସେଥିରେ ୧୭.୪୩ ଅର୍ଥାତ୍ ୦.୪ ମିଟର ତଳେ ଜଳ ପ୍ରବାହିତ ହେଉଛି । ବନ୍ୟା ପ୍ରଭାବିତ ଯାଜପୁର ଓ ବିଂଝାରପୁର ଅଂଚଳରେ ବନ୍ୟାସ୍ଥିତିରେ ପ୍ରଭୂତ ଉନ୍ନତି ଘଟିଛି । ସେହିପରି ଭଣ୍ଡାରୀପୋଖରୀ ଓ ଧାମ ନଗର ଅଂଚଳରେ ମଧ୍ୟ ପରିସ୍ଥିତି ଧିରେ ଧିରେ ସୁଧୁରୁଛି । ଆଶା କରାଯାଉଛି ଆଜି ସଂଧ୍ୟା ସୁଦ୍ଧା ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସୁଧୁରିବ ।  ବ୍ରାହ୍ମଣୀ ନଦୀ ଯୋଗୁଁ  ଯାଜପୁର ଜିଲ୍ଲାର ବରୀ ଅଂଚଳରେ ବହୁ କ୍ଷୟକ୍ଷତି ହୋଇଛି । ଯାଜପୁର ଜିଲ୍ଲାରେ ୨୬ଟି ଘାଇ ହୋଇଥିବା ବେଳେ ୨୧ଟି ଘାଇ  ବ୍ରାହ୍ମଣୀ ନଦୀ ସିଷ୍ଟମରେ ହୋଇଛି । ଜିଲ୍ଲାର ବରୀ ଓ ଦଶରଥପୁର ବ୍ଲକରେ କାଲି ଅଧିକ ଜଳ ପ୍ରବାହିତ ହେବା ଯୋଗୁଁ ବନ୍ୟା ପ୍ରଭାବିତ ଅଂଚଳକୁ ଯାଇ ହେଉନଥିଲା । ଆଜି ପାଣି କମିବା ପରେ  ଜଳଘେରୀରେ ରହିଥିବା ଲୋକମାନଙ୍କ ପାଖକୁ ପ୍ରଶାସନ ତରଫରୁ ଆଜିଠାରୁ ରିଲିଫ୍ ସାମଗ୍ରୀ ବଣ୍ଟନ,  ପାନୀୟ ଜଳ, ଆସ୍କା ଲାଇଟ୍  ଓ ଆନଷଙ୍ଗିକ ସହାୟତା ପ୍ରଦାନ ବ୍ୟବସ୍ଥା କରାଯାଇଛି  ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି । ଯେଉଁମାନଙ୍କ ଘର ଭାଙ୍ଗିଛି, ସେମାନଙ୍କୁ ପଲିଥିନ୍ ଦିଆଯିବା ସହିତ ଆବଶ୍ୟକ ସ୍ଥାନରେ ରନ୍ଧାଖାଦ୍ୟ ଓ ସୁଖିଲା ଖାଦ୍ୟ ବ୍ୟବସ୍ଥା କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଛନ୍ତି  | 

ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ  ମୁଖ୍ୟ  ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଏବଂ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରି   ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଏସ୍.ଆର୍.ସିଙ୍କ କାର୍ଯ୍ୟାଳୟରେ  ସୂଚନା ଦେଇଥିଲେ | ଶ୍ରୀ ଜେନା କହିଛନ୍ତି  ବ୍ରାହ୍ମଣୀ ସିଷ୍ଟମରେ କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଜିଲ୍ଲାରେ କେବଳ ଗୋଟିଏ ସ୍ଥାନରେ ବେଣୀପୁରଠାରେ ଘାଇ ହୋଇଛି । ଅନ୍ୟ ଏକ ସ୍ଥାନରେ ଏକ ବଡ ଘାଇ ହେବା ପୂର୍ବରୁ ଏହାକୁ ରୋକା ଯାଇପାରିଛି । ଆଜି ସମୁଦ୍ର ଜୁଆରିଆ ଥିବାରୁ ସମୁଦ୍ର ମଧ୍ୟକୁ ପାଣି ପ୍ରବେଶରେ ବାଧା ରହୁଥିଲା । ଆସନ୍ତା କାଲି ସୁଦ୍ଧା ବ୍ରାହ୍ଣଣୀ ସିଷ୍ଟମ  ଯୋଗୁଁ ସୃଷ୍ଟ ବନ୍ୟା ସ୍ଥିତିରେ ସୁଧାର ଆସିବ ବୋଲି ଶ୍ରୀ ଜେନା କହିଛନ୍ତି |

  ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ରେଙ୍ଗାଳୀ ଜଳ ଭଣ୍ଡାରର ୪ଟି ଗେଟ୍ ଖୋଲା ଥିବା ବେେଳେ  ଗତକାଲି ୩ଟି ଗେଟ୍ ବନ୍ଦ କରାଯାଇଥିଲା ଓ ଆଜି ଅପରାହ୍ଣରେ  ସମସ୍ତ ଗେଟ୍ ବନ୍ଦ ରହିଛି । ହୀରାକୁଦ ଜଳ ଭଣ୍ଡାରର ଜଳ ପତନ ଆଜି ଦ୍ୱିପ୍ରହର ସୁଦ୍ଧା ୧୨୭.୯୫ ରହିଛି । ଯେଉଁ ଅନୁସାରେ ଆଗରୁ ଜଳ ଜଳଭଣ୍ଡାରକୁ ଆସୁଥିଲା, ତାହା କମୁଛି । ତେବେ ବିଭିନ୍ନ ନଦୀରେ ଅଧିକ ଜଳ ପ୍ରବାହ ଯୋଗୁଁ  ଯେତେ ସବୁ ଘାଇ ସୃଷ୍ଟି ହୋଇଛି, ସେଥିପ୍ରତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  ନିରନ୍ତର ତଦାରଖ କରୁଛନ୍ତି ।  ବହୁ ଘାଇ ଛୋଟ ଛୋଟ ହୋଇଥିବା ବେଳେ  ମରାମତି ପାଇଁ କର୍ମଚାରୀ, ଲୋକବଳ, ବାଲି, ବଲ୍ଲା,ବାଉଁଶ ସବୁ ସ୍ଥାନରେ ମହଜୁଦ ରହିଛି ।   ପାଣି କମିବା ପରେ ତୁରନ୍ତ ସେସବୁକୁ ମରାମତି କରାଯିବ  ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି । ବୈଠକରୁ ଜଣାଯାଇଛି ଯେ,  ଛତିଶଗଡ ଅଂଚଳରୁ ହୀରାକୁଦ ଜଳ ଭଣ୍ଡାରକୁ ଶନିବାର ସକାଳେ ୯.୫୦ ଲକ୍ଷ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଏବେ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି ।  ଆଜି ସକାଳେ ୪୬ଟି ଗେଟ୍ରେ ୭.୬୦ ଲକ୍ଷ ଘନଫୁଟ ଜଳ ନିଷ୍କାସିତ  ହେଉଥିଲା ।  ଶନିବାର ସକାଳ ୬ଟାରେ ଖଇରମାଳଠାରେ ୧୦.୧୧ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେଉଥିବା ବେଳେ ଆଜି ସକାଳ ରବିବାର ୫ଟା ସୁଦ୍ଧା  ମୁଣ୍ଡୁଳୀଠାରେ ପାଖାପାଖି ୧୦ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେଉଛି । ଏହାଠାରୁ ଆଉ ଅଧିକ ଘନଫୁଟର ଜଳ ଏଠାରେ ଅତିକ୍ରମ  କରିବାର ଆଶା ନାହିଁ ।  ଆସନ୍ତା କାଲି ସକାଳ ସୁଦ୍ଧା ଏହା କମିବାର ଆଶା କରାଯାଉଛି । କିନ୍ତୁ ଏହାର ପ୍ରଭାବରେ କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା  ଜିଲ୍ଲାର କିଛି ଅଂଚଳରେ ବନ୍ୟାଜଳର ପ୍ରଭାବ ରହିବ । ପରିସ୍ଥିତି ପ୍ରତି ଦୃଷ୍ଟି ରଖି  ଜଳ ସଂପଦ ବିଭାଗ ଓ ଜିଲ୍ଲାପ୍ରଶାସନ ତରଫରୁ ଆବଶ୍ୟକ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି ।

            ତେବେ ଏବେ ହୀରାକୁଦର ୪୬ ଟି ଗେଟ୍ ଖୋଲାଯାଇଥିବାରୁ ଏହା ଫଳରେ ଆଜି ମୁଣ୍ଡୁଳୀ ଠାରେ ମହାନଦୀରେ ୧୦ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେଉଛି ଓ ଆସନ୍ତା କାଲି ସକାଳ ସୁଦ୍ଧା ଏହା କମିବାର ଆଶା କରାଯାଉଛି । କିନ୍ତୁ ଏହାର ପ୍ରଭାବରେ   ଲୁଣା. ଚିତ୍ରୋତ୍ପଳା , ମାର୍ଶାଘାଇ, ଗରଦପୁର, ପାଟକୁରା  ସମେତ  ଜଗତସିଂହପୁର , କେନ୍ଦ୍ରାପଡା ଓ  ପୁରୀ ଜିଲ୍ଲାର କିଛି ଅଂଚଳରେ ବନ୍ୟାଜଳର ପ୍ରଭାବ ରହିବ । ସେହିସବୁ ଅଂଚଳରେ ଜିଲ୍ଲା ପ୍ରଶାସନ ଓ ଜଳ ସଂପଦ ବିଭାଗର ଅଧିକାରୀ ଦିନରାତି ସଜାଗ ରହି ପାଟ୍ରୋଲିଂ କରୁଛନ୍ତି । ଏସ୍ ଆର୍,ସି ଓ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ପରିସ୍ଥିତି ପ୍ରତି ସଜାଗ ରହିଛନ୍ତି । ମହାନଦୀ ସିଷ୍ଟମ ପାଇଁ ୨ଟି ଏନ୍.ଡି.ଆର୍.ଏଫ୍ ସମେତ ଅଗ୍ନିଶମ ସେବା ଦଳ ରହିଛନ୍ତି ।  କେନ୍ଦ୍ରାପଡା ଜିଲ୍ଲାପାଇଁ  ଜିଲ୍ଲା ଅଗ୍ନିଶମ ସେବା ଦଳ ରହିଥିବା ବେଳେ ଆଉ ୮ଟି ଓଡ୍ରାଫ୍/ଏନ୍.ଡି.ଆର୍.ଏଫ୍ ଟିମ୍ ଓ ୫ଟି  ଅଗ୍ନିଶମ ଦଳଙ୍କୁ  ପଠାଯାଇଛି  । ପରିସ୍ଥିତି ପ୍ରତି ଦୃଷ୍ଟି ରଖି  ଜଳ ସଂପଦ ବିଭାଗ ଓ ଜିଲ୍ଲାପ୍ରଶାସନ ତରଫରୁ ଆବଶ୍ୟକ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ  ବିଭିନ୍ନ ଜିଲ୍ଲାପାଇଁ ଦାୟିତ୍ୱରେ ରହିଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ନିୟମିତ ବନ୍ୟାସ୍ଥିତିର ଅନୁଧ୍ୟାନ କରି ଆବଶ୍ୟକ ପରାମର୍ଶ  ଓ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁଛନ୍ତି ।   ସେହିପରି  ପୁରୀ ଜିଲ୍ଲା ଦୟା ନଦୀରେ ୨ଟି ଘାଇ ହୋଇଥିବା ବେଳେ ଏଥର କଣାସ, ଡେଲାଙ୍ଗ ଅଂଚଳର ବହୁ ଗାଁ ଜଳ ମଗ୍ନ ହୋଇଛି । ଦୟାନଦୀରେ ୨ଟି ଘାଇ ପାଖାପାଖି ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜିଲ୍ଲାପ୍ରଶାସନ, ଜଳ ସଂପଦ ବିଭାଗର କର୍ମଚାରୀମାନେ ପୂର୍ଣ୍ଣପ୍ରାଣରେ ଚେଷ୍ଟା କରି କାମ ତଦାରଖ କରୁଛନ୍ତି । ଗତ କାଲି କଣାସ ଠାରେ ଏକ ବଡ ଧରଣର ଘାଇ ସମ୍ଭାବନାକୁ ଏଡାଇ ଦିଆଯାଇପାରିଛି ।  ପ୍ରକାଶ ଥାଉକି ଆଜି ସଂଧ୍ୟା ସୁଦ୍ଧା ହୀରାକୁଦର ୪୩ଟି ଗେଟ୍ ଖୋଲା ରହିଛି ।   

 

0
0
0
s2sdefault