ହେଡଲାଇନସ୍:

ଅନ୍ଧାରରୁ ଆଲୁଅକୁ ହାତଧରି ବାଟ କାଢିନେଇଥିଲେ ପ୍ରଭାକର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • କାଲି ହୋଟେଲ ଢାବାରେ କାଟୁଥିଲେ ପରିବା, ପୋଛୁଥିଲେ ଟେବୁଲ ଆଉ ମାଜୁଥିଲେ ବାସନ

  • ଆଜି ସେମାନେ ପାଠପଢି ସଫଳତାର ସହ ମାଟ୍ରିକ ପରୀକ୍ଷାରେ ହେଲେ ଉତ୍ତୀର୍ଣ 

  • କାଲିର ଶିଶୁ ଶ୍ରମିକ ଆଜି ୬୦%ରୁ ଅଧିକ ମାର୍କ ରଖି ଡେଇଁଲେ ଦଶମ ଶ୍ରେଣୀ 

  • ହେଲେ ସଫଳତାର ରାସ୍ତାରେ ପାଦ ଥାପିଥିବା ଏହି ଗରିବ ପିଲାଙ୍କ ହାତ ପ୍ରଶାସନ ଧରିବା କି ଛାଡିବ ଜଣାପଡ଼ୁନି 

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୀବନ ଠେଲି ହୋଇଯାଇଥିଲା ଅନ୍ଧାରି ମୂଲକ ଆଡକୁ | ଭବିଷ୍ୟତରେ ଲାଗି ଯାଇଥଲା ପରାଗ | ସେମାନେ କଳ୍ପନା ବି କରିନଥିଲେ,ପରାଗର ଅନ୍ଧାରକୁ କାଟି ସେମାନଙ୍କ ଜୀବନ ଆକାଶରେ ପୁଣି ଦିଶିବ ଆଶା  ଆଉ ସମ୍ଭାବନାର ଆଲୋକ | ସେମାନଙ୍କ ଜୀବନକୁ ଆଲୋକିତ କରିବେ ପ୍ରଭାକର ! ହଁ ଠିକ ସେଇଆ ହିଁ ହୋଇଥିଲା | ପ୍ରଭାକରଙ୍କ ଦ୍ୱାରା ବିଛୁରିତ ଆଲୋକ ଟିକକ ସେମାନଙ୍କୁ ଆଜି କାଢି ନେଇଛି ବାଟ ଆଗକୁ ଆଗକୁ | ଦୀର୍ଘ ୬ ବର୍ଷ ଧରି ସେଇ ଆଲୁଅ ଟିକକ ସେମାବେବିକୁ ଦିଗବାରେଣୀ ପରି ବାଟ କାଢି ବେଈଛି ଆଗକୁ ଆଗକୁ, ଆଉ ପର ଦୋକାନରେ ବାସନ ମାଜି ଚକଚକ କରୁଥିବା ଆଜି ଇଠା କଲା ଲାଗିଯାଇଥିବା ସେମାନଙ୍କ ଜୀବନକୁ ମାଜି ଚକମକ କରି ଦେଇଛନ୍ତି | ହଁ ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା  ବିଶୋଇର ସେଇ ୯ ଜଣ ପିଲାଙ୍କ କଥା ଯେଉଁମାନେ ଦିନେ ଥିଲେ ବାଳ ମଜଦୁର ବା ଶିଶୁ ଶ୍ରମିକ, ଆଉ ଆଜି ମାଟ୍ରିକ ପାସ କରିଛନ୍ତି ୬୦ ପ୍ରତିଶତରୁ ଅଧିକ ମାର୍କ ରଖି | ଆଉ ସେମାନଙ୍କ ଜୀବନରେ ଆଶାର ଆଲୋକ ହୋଇ ଆବିର୍ଭାବ ହୋଇଥିବା ସେଇ ପ୍ରଭାକର ଆଉ କେହି ନୁହନ୍ତି, ମୟୁରଭଞ୍ଜ ଜିଲ୍ଲାର ତତ୍କାଳୀନ ଲୋକପ୍ରିୟ ଜିଲ୍ଲାପାଳ ତଥା ବର୍ତ୍ତମାନ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗରେ ନିର୍ଦ୍ଦେଶକ(ସ୍ୱତନ୍ତ୍ର ପ୍ରକଳ୍ପ) ଭାବେ କାର୍ଯ୍ୟରତ ରାଜେଶ ପ୍ରଭାକର ପାଟିଲ |   

  ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା-୨୦୨୦ର ଫଳ ଜୁଲାଇ ୨୯ ବୁଧବାର ପ୍ରକାଶ ପାଇଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶତପ୍ରତିଶତ ସଫଳତା ଅର୍ଜନ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ବିଦ୍ୟାଳୟରୁ ପରୀକ୍ଷା ଦେଇ ୬୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାଶ ହୋଇଥିବା ଅଜୟ କୁମାର ପାତ୍ର, ଜିତେନ୍ଦ୍ର କୁମାର ନାୟକ, ହେମନ୍ତ କୁମାର ମୁର୍ମୁ, ପାଣ୍ଡୁ ସିଂ, ଗୁଜା ମୁର୍ମୁ, ଦିପୁ ମହାକୁଡ଼, କାର୍ତ୍ତିକ ମହାକୁଡ଼, ଦୁର୍ଗା ମାର୍ଣ୍ଡି ଓ ରାଜେଶ ପାତ୍ର  ( ୯ ଜଣ) ଛାତ୍ର ଅତୀତରେ  ଜିଲ୍ଲାର ବିଭିନ୍ନ ଢ଼ାବା, ହୋଟେଲ, ଦୋକାନ ଆଦିରୁ ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକ ଅଟନ୍ତି । ଆଉ ଏଇ ବିରଳ ସଫଳତା ପାଇଁ ସମସ୍ତ ଶ୍ରେୟ ଦେଇଛନ୍ତି ସର୍ବ ପ୍ରଥମେ ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କୁ ଓ  ସର୍ବ ଶିକ୍ଷା ଅଭିଯାନର ପୂର୍ବତନ ପ୍ରକଳ୍ପ ସଂଯୋଜକ ଦିଗନ୍ତ କୁମାର ରାଉତରାୟଙ୍କୁ | ଏହା ସହ ବିଶୋଇ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉଦ୍ୟମ ଓ ଆଶୀର୍ବାଦଙ୍କୁ ସେମାନେ ବି ଦେଇଛନ୍ତି ଶ୍ରେୟ । ତେବେ ଏହା ପୂର୍ବତନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କର ମୟୂରଭଞ୍ଜରେ ଅନ୍ୟ ଏକ ସଫଳତାର ମାଇଲଖୁଣ୍ଟ ପାଲଟିଯାଇଛି ଏହି ୯ ଜଣ ବାଳ ଶ୍ରମିକ ଉଦ୍ଧାର ହୋଇ ସଫଳତାର ସହ ମାଟ୍ରିକ ପାସ କରିବା  । ସୂଚନା ଯୋଗ୍ୟ ଯେ, ପୂର୍ବତନ ଜିଲ୍ଲାପାଳ ଶ୍ରୀ ପାଟିଲ ମୟୂରଭଞ୍ଜ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ନିମନ୍ତେ ୨୦୧୩-୧୪ରେ ପ୍ରୟାସ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ହୋଟେଲ , ଢ଼ାବା, ଜଳଖିଆ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ  ଆଦି ଉପରେ ଚଢ଼ାଉ କରିଥିଲେ । ଅନେକ ଚଢ଼ାଉରେ ସେ ନିଜେ ବି ସାମିଲ ହୋଇଥିଲେ | ତାଙ୍କର ଏହି ମହତ୍ କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିଲେ ତତ୍କାଳୀନ  ମୟୂରଭଞ୍ଜ ସର୍ବ ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଦିଗନ୍ତ କୁମାର ରାଉତରାୟ । ଉଦ୍ଧାର କରାଯାଉଥିବା ଶିଶୁଶ୍ରମିକର ବାପା ଓ ମା ଆଦିଙ୍କୁ ଡ଼କାଇ ସେମାନଙ୍କ ଆର୍ଥିକ ଅବସ୍ଥା ଅବଗତ ହେବା ପରେ ଭତ୍ତା ପ୍ରଦାନ ,  ଖାଦ୍ୟ ସୁରକ୍ଷାରେ ସାମିଲ କରାଇବା ସାଙ୍ଗକୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ଧନ୍ଦା ମୂଳକ ତାଲିମ ପ୍ରଦାନ ପରେ ଋଣ ପ୍ରଦାନର ବ୍ୟବସ୍ଥା କରାଇଥିଲେ । ବିଶୋଇ  ବିଦ୍ୟାଳୟରେ ପିଲାମାନଙ୍କ ରହିବା , ଖାଇବା, ପିନ୍ଧିବା ଓ ପଢ଼ାପଢ଼ି ସମସ୍ତ ପାଠ୍ୟ ଉପକରଣ ଆଦି ଯୋଗାଇ ଦେବା ସହ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ, ଧନ୍ଦା ମୂଳକ ଶିକ୍ଷା ଆଦିର ବ୍ୟବସ୍ଥା କରାଇଥିଲେ । ଏଥି ସହିତ ସେମାନଙ୍କର ମନୋବଳକୁ ବଢ଼ାଇବା ନିମନ୍ତେ  ପ୍ରତ୍ୟେକ ମାସ ଥରେ ନିଜର ସପରିବାର ପହଁଞ୍ଚି ସେମାନଙ୍କ ସହିତ କିଛି ସମୟ କଟାଇ  ଫେରି ଆସୁଥିଲେ ଓ ପ୍ରତ୍ୟେକ ପିଲାମାନଙ୍କ ନିକଟରେ ଜଣେ ଜଣେ ରାଜେଶ ପ୍ରଭାକର ପାଟିଲକୁ ଦେଖିବାକୁ ଚାହାନ୍ତି ବୋଲି ଉପଦେଶ, ପରାମର୍ଶ ଆଦି ଯୋଗାଇ ଦେଇ ଆସୁଥିଲେ । ଛାତ୍ରମାନେ ମଧ୍ୟ ଶ୍ରେଣୀ କୋଠରୀ ଭିତରେ ସୀମିତ  ରହିଯାଇ ନ ଥିଲେ, ଜିଲ୍ଲାପାଳ ଶ୍ରୀ ପାଟିଲଙ୍କ ପ୍ରେରଣା ଓ ସାହାହୋଗ ବଳରେ  ବିଭିନ୍ନ ଖେଳକୁଦ ଆଦି ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଜିଲ୍ଲା ଓ ରାଜ୍ୟସ୍ତରରେ ସଫଳତା ଅର୍ଜନ କରିପାରିଥିଲେ । ଏମାନଙ୍କ ମଧ୍ୟରୁ କେତେକ ପାଶ ଆଉଟ ହୋଇ ପ୍ରଶାସନର ସହ ଯୋଗରେ ଟାଟା କମ୍ପାନୀରେ ତାଲିମ ନେଇ ଚାକିରୀରେ ଯୋଗ ଦେଇଥିବା ବେଳେ ଅନ୍ୟ କେତେକ ହାତଗଣତି ଛାତ୍ର ମହାବିଦ୍ୟାଳୟରେ ଓ ପ୍ରାୟ ୩ ଜଣ ବାରିପଦା ପୂର୍ଣ୍ଣଚନ୍ଦ୍ର ଆଇଟିସିରେ ଅଧ୍ୟୟନ କରୁଥିବାର ଜଣାପଡେ଼ ।

 ମୟୂରଭଞ୍ଜ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା ନିମନ୍ତେ ଜିଲ୍ଲାବାସୀଙ୍କର ସହାୟତା ଲୋଡ଼ି କୌଣସିଠାରେ ଶିଶୁ ଶ୍ରମିକ କାର୍ଯ୍ୟକରିଥିବାର ଦେଖିଲେ ଫୋନ ମାଧ୍ୟମରେ ସୂଚନା ଦେବାକୁ ନିବେଦନ କରିଥିଲେ । ଶେଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳଗୁଡ଼ିକରୁ  ପ୍ରାୟ ୫ ହଜାରରୁ ଅଧିକ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ବିଭିନ୍ନ ବିଦ୍ୟାଳୟରେ ଥିବା ଛାତ୍ରାବାସରେ ରଖି ପାଠ ପଢ଼ିବାର ସୁବିଧା ଯୋଗାଇ ଦିଆଗଲା ।  ଏହାପରେ ମୟୂରଭଞ୍ଜ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ବୋଲି ଘୋଷଣା କରି ଜାତିସଙ୍ଘର ୟୁନେସ୍କୋ ଦୃଷ୍ଟିକୁ ଆସି ପାରିଥିଲେ । ସେହିପରି ପୂର୍ବତନ ଜିଲ୍ଲାପାଳ ଶ୍ରୀପାଟିଲଙ୍କର ନିଜସ୍ୱ ପ୍ରୋଜେକ୍ଟ “ମୁଁ ବି ପଢ଼ିବି” ମୟୂରଭଞ୍ଜ ଜିଲାରେ ସଫଳତା ହାସଲ କରିଥିଲା; ଯାହାଫଳରେ ଜିଲାରେ ୬ ବର୍ଷରୁ ୧୪ ବର୍ଷର ସମସ୍ତ ପିଲାମାନେ ବିଦ୍ୟାଳୟର ଶ୍ରେଣୀ ଗୃହରେ ଦେଖିବାକୁ ମିଳିବା ସମ୍ଭବ ହୋଇଥିଲା । ଏହି “ମୁଁ ବି ପଢ଼ିବି” ପ୍ରୋଜେକ୍ଟ ରାଜ୍ୟର ବିଭିନ୍ନ ମହଳରେ ଉଚ୍ଛସିତ ପ୍ରଶଂସିତ ହେବା ସଂଗେ ସଂଗେ କେନ୍ଦ୍ର ସରକାର ସମଗ୍ର ଭାରତ ବର୍ଷରେ “ମୁଁ ବି ପଢ଼ିବି” କାର୍ଯ୍ୟକ୍ରମର ପ୍ରଚଳନ କରିବା ନିମନ୍ତେ ଯୋଜନା ହାତକୁ ନେଇଥିଲେ । ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ଜିଲାରେ ଆର୍ଥିକ ଅନଗ୍ରସର ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ଯାପନ କ୍ଷେତ୍ରରେ ପରିବର୍ତ୍ତନ ସହିତ ସେମାନଙ୍କୁ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରିବାର ଲକ୍ଷ ନେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହୀତକର ଯୋଜନାକୁ ଜିଲାରେ ସଫଳ ରୂପାୟନ କରାଇବାରେ ଗୁରୁତ୍ୱାରୋପ କରିଆସିଥିଲେ । ଯାହାଫଳରେ ଗରୀବ ଆଦିବାସୀ ତଥା ଅନ୍ୟାନ ବର୍ଗର ଜନସାଧାରଣଙ୍କ ମୁହଁରେ ହସ ଫୁଟି ପାରିଥଲା । ସେମାନଙ୍କ ପରିବାରର ପିଲାମାନଙ୍କୁ ଡ଼ାକ୍ତର ଇଞ୍ଜିନିୟର କରାଇବାର ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । କିନ୍ତୁ , ଶ୍ରୀ ପାଟିଲଙ୍କ ବଦଳି ପରେ ଜିଲ୍ଲାରେ ବିଭିନ୍ନ ପ୍ରକାରର ଇନୋଭେସନ ୱାର୍କ ଠପ୍ ହୋଇଯାଇଛି । ତେଣୁ କୁହନ୍ତି ପ୍ରଶାସକ କେମିତି ହେବ ତାହା ପଦବୀ ବା ଚେୟାର ନୁହେ ବ୍ୟକ୍ତିର ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ | 

                       ବିଶୋଇ ସ୍କୁଲର ଶିକ୍ଷକ ମନୋରଞ୍ଜନ ଗିରି ନିଜ ପ୍ରତିକ୍ରିୟାରେ କହିଛନ୍ତି "ଚଳିତ ବର୍ଷ ପାଶ କରିଥିବା ଛାତ୍ରମାନଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ନୁହନ୍ତି । ପିଲାମାନଙ୍କୁ ଯଦି ସରକାରୀ ସହାୟତା ଯୋଗାଇ ଦିଆ ନ ଯାଏ , ତେବେ ସେମାନଙ୍କ ପାଠପଢ଼ାରେ ଡୋରୀ ବନ୍ଧା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେମାନଙ୍କ ମଧ୍ୟରେ ଲୁକ୍କାୟିତ  ପ୍ରତିଭା ଅସମୟରେ ମଉଳି ଯିବାର ସମ୍ଭାବନା ଦେଖାଦେଇଛି । ତେବେ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିବାର ଅନେକ ନଜିର ରହିଛି । ତେବେ ବିଶୋଇ ବିଦ୍ୟାଳୟରେ ଉଦ୍ଧାର ଶିଶୁ ଶ୍ରମିକମାନଙ୍କ ସଂଖ୍ୟା କମି ଗଲାଣି ।  ସେମାନଙ୍କୁ  ଶିକ୍ଷାଦାନ କରାଇବା ଆମ ପକ୍ଷେ ଏକ ଚ୍ୟାଲେଞ୍ଜ ରହିଥିଲା । ଆମେ ମଧ୍ୟ ତାହା ଗ୍ରହଣ କରି ନେଇଥିଲୁ । ବିଦ୍ୟାଳୟରେ ୨୦୧୬ରୁ ଶିଶୁ ଶ୍ରମିକମାନେ ପରୀକ୍ଷା ଦେବା ଆରମ୍ଭ କରିଥିଲେ । ଚଳିତ ବର୍ଷ ଶତପ୍ରତିଶତ ସଫଳତା ଆମ ପାଇଁ ଏକ ଗର୍ବର ବିଷୟ ପାଲଟି ଯାଇଛି " ବୋଲି କହିଥିଲେ ଶ୍ରୀ ଗିରି | ପ୍ରଶାସନ ନିଶ୍ଚିତ ଭାବେ ଏହି ବାଲାକମାନଙ୍କ ଭବିଷ୍ୟତ ଓ ଆର୍ଥିକ ସ୍ଥିତି ପ୍ରତି ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି | 

 

 

 

0
0
0
s2sdefault