ହେଡଲାଇନସ୍:

ସନ୍ଧ୍ୟା ୭ରୁ ସକାଳ ୫ ପର୍ୟ୍ୟନ୍ତ ନାଇଟ୍ କର୍ଫ୍ୟୁ ; ଅନଲକ୍-୨ ନେଇ ଜାରି ହେଲା ନୂତନ ମାର୍ଗଦର୍ଶୀକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମୟୂରଭଞ୍ଜରେ ହେବ ସାପ୍ତାହିକ ସଟ୍ଡାଉନ, ଜୁଲାଇ ମାସରେ ଶନିବାର ରବିବାର ସଟ୍ଡାଉନ

  • ସକାଳ ୭ରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଖୋଲିପାରିବ ବ୍ୟାବସାୟିକ ପ୍ରତିଷ୍ଠାନ

  • ଜୁଲାଇ ୩୧ ପର୍ୟ୍ୟନ୍ତ ଖୋଲିବନି ଧାର୍ମିକ ସ୍ଥଳ, 

  • ଅଗଷ୍ଟ ୩୧ ପର୍ୟ୍ୟନ୍ତ ଜିଲ୍ଲାରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ପରୀକ୍ଷା ଓ ମୂଲ୍ୟାୟନକୁ ଅନୁମତି

ବାରିପଦା,(ଦିଲ୍ଲୀପ ମହାନ୍ତି): କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଡାଉନ-୪ ପରେ ଅନଲକ୍-୨ ନିମନ୍ତେ ମାର୍ଗଦର୍ଶୀକା ଜାରି କରିବା ପରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଜିଲ୍ଲାପାଇଁ ବିଭିନ୍ନ ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ନିୟମ ଅନୁସାରେ ଜିଲ୍ଲାରେ ସାପ୍ତାହିକ ସଟ୍ଡାଉନ ଆରମ୍ଭ ହେବ। ଚଳିତ ମାସ ସପ୍ତାହର ପ୍ରତି ଶନିବାର ଏବଂ ରବିବାର ସମ୍ପୂର୍ଣ୍ଣ ଜିଲ୍ଲାରେ ସଟ୍ଡାଉନ ନିୟମ ଲାଗୁହେବ। ଯାହାକି ପୂର୍ବରୁ ଜିଲ୍ଲାରେ ବଳବତ୍ତର ନଥିଲା। ଜୁଲାଇ ୩୧ ପର୍ୟ୍ୟନ୍ତ କୌଣସି ଧାର୍ମିକ ସ୍ଥଳ କିମ୍ବା ଉପାସନା ପୀଠ ଖୋଲିପାରିବ ନାହିଁ। ଜିଲ୍ଲାରେ ଅଗଷ୍ଟ ୩୧ ପର୍ୟ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର୍  ବନ୍ଦ ରହିବ। ତେବେ ପରୀକ୍ଷା ଓ ମୂଲ୍ୟାୟନକୁ କିନ୍ତୁ ଅନୁମତି ପ୍ରଦାନ କରାଯାଇଛି। ସନ୍ଧ୍ୟା ୭ରୁ ସକାଳ ୫ ପର୍ୟ୍ୟନ୍ତ ବାହାରେ ବୁଲିବା ଉପରେ କଟକଣା ବଳବତ୍ତର ରହିବ। ଔଷଧ ଦୋକାନ ୨୪ଘଣ୍ଟା ଖୋଲା ରହିପାରିବ। କିନ୍ତୁ ଜିଲ୍ଲାରେ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ହିଁ ଖୋଲା ରହିପାରିବ। ରାଜ୍ୟ ସରକାର କିନ୍ତୁ ରାତି ୯ଟା ପର୍ୟ୍ୟନ୍ତ ଖୋଲା ରହିବାକୁ ଅନୁମତି ଦେଇଛନ୍ତି। ମାତ୍ର ଜିଲ୍ଲାରେ ସଂକ୍ରମଣ କ୍ରମଶଃ ବଢ଼ୁଥିବାରୁ ଜିଲ୍ଲାପାଳ ଏପରି ନିଷ୍ପତି ନେଇଛନ୍ତି। ଜିଲ୍ଲା ମଧ୍ୟରେ ବସ୍, ଟ୍ୟାକ୍ସି, ଅଟୋ ଚଳାଚଳକୁ ଅନୁମତି ପ୍ରଦାନ କରାଯାଇଛି। ଜିଲ୍ଲାକୁ ରାଜ୍ୟ ଭିତରୁ କିମ୍ବା ବାହାରୁ ଆସିବା ଉପରେ ଆଉ କୌଣସି କଟକଣା ରହିନାହିଁ। ଏଥିନିମନ୍ତେ ଆଉ କୌଣସି ପାସ୍ର ମଧ୍ୟ ଆବଶ୍ୟକତା ନଥିବା ଜିଲ୍ଲାପାଳ ମାର୍ଗଦର୍ଶିକାରେ ସ୍ପଷ୍ଟ କରିଛନ୍ତି। ସେହିପରି ବିବାହ ନିମନ୍ତେ ମାତ୍ର ୫୦ଜଣ, ଶବ ସତ୍କାର କ୍ଷେତ୍ରରେ ୨୦ଜଣ ଉପସ୍ଥିତ ରହିବାକୁ ନିୟମ କରାଯାଇଛି। ସନ୍ଧ୍ୟା ୭ରୁ ସକାଳ ୫ ପର୍ୟ୍ୟନ୍ତ ଲାଗୁହୋଇଥିବା ବ୍ୟାନ୍ ସମୟ ମଧ୍ୟରେ ଜରୁରୀ କାର୍ୟ୍ୟରେ ନିୟୋଜିତ ବ୍ୟକ୍ତିଙ୍କୁ ଛାଡି ଅନ୍ୟକେହି ବାହାରେ ବୁଲିପାରିବେ ନାହିଁ। ସେହିପରି ୧୦ବର୍ଷରୁ କମ୍ ଶିଶୁ, ପ୍ରସୂତୀ ମହିଳା ଏବଂ ୬୫ବର୍ଷରୁ ଅଧିକ ବୟସ୍କମାନେ ମଧ୍ୟ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଦୋକାନରେ ଗ୍ରାହକମାନେ ଯେପରି ଦୂରତା ଅବଲମ୍ବନ କରନ୍ତି ତାହା ଦେଖିବା ମାଲିକଙ୍କର ଦାୟିତ୍ବ। ସେହିପରି ସର୍ବସାଧାରଣସ୍ଥାନ ଓ ସାଧାରଣ ପରିବହନ କ୍ଷେତ୍ରରେ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି। ସର୍ବସାଧାରଣ ସ୍ଥାନରେ ପାନ, ଗୁଟ୍ଖା, ତମ୍ବାକୁ ଖାଇବା ଏବଂ ମଦ ପିଇବାକୁ ବାରଣ କରାଯାଇଛି। ଏହାସହିତ ପୂର୍ବ ଲକ୍ଡାଉନରେ ଥିବା ବିଭିନ୍ନ ପ୍ରତିବନ୍ଧକ ଯେପରି ଶିକ୍ଷାନୁଷ୍ଠାନ, ସିନେମା ହଲ୍, ଜିମ୍, ସପିଂ ମଲ୍, ସମସ୍ତ ରାଜନୈତିକ କାର୍ୟ୍ୟକ୍ରମ, ଧାର୍ମିକ ଅନୁଷ୍ଠାନ ଆଦି ବନ୍ଦ ରହିବ। ହୋଟେଲ୍ଗୁଡ଼ିକ ନିଜର ୩୦ ପ୍ରତିଶତ କ୍ଷମତା ପର୍ୟ୍ୟନ୍ତ କାର୍ୟ୍ୟ କରିପାରିବେ। ସଟ୍ଡାଉନ ସମୟରେ ଜିଲ୍ଲାରେ ବିଭିନ୍ନ ଜରୁରୀ ଆବଶ୍ୟକତା ପୂରଣ କରୁଥିବା କାର୍ୟ୍ୟ ଏବଂ ଏହି କ୍ଷେତ୍ରରେ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ଛାଡ଼ କରାଯାଇଛି। 

 

0
0
0
s2sdefault