ହେଡଲାଇନସ୍:

ବିବାହ ବାର୍ଷିକୀ ଓ ଜନ୍ମଦିନ ପାଳନ କରି ସଂକ୍ରମିତ ହେଲା କରୋନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁଇ ପରିବାରର ମୁଖ୍ୟଙ୍କ ନାମରେ ମାମଲା ରୁଜୁ କଲା ଜିଲ୍ଲା ପ୍ରଶାସନ

ଝାରସୁଗୁଡା /ସୁବାଷ ସାହାରେ : : ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥାଇ ପୁଅର ଜନ୍ମଦିନ ପାଳନ କରିବା ଏବଂ ଆଉ ଏକ ବିବାହ ବାର୍ଷିକୀ ଉତ୍ସବରେ ପଡ଼ୋଶୀ ମାନେ ଅଂଶଗ୍ରହଣ କରିବା ଯୋଗୁଁ କରୋନା ପୋଜିଟିଭି ରିପୋର୍ଟ ଆସିବା ପରେ ଦୁଇ ପରିବାରର ମୁଖ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓପିଏମ୍‌ କଲୋନିରେ ଗତ ୧୫ ତାରିଖରେ ଜଣେ ମହିଳାଙ୍କ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ଏହି ମହିଳା ହରିଆନାର ଗୁଡ଼ଗାଓଁରୁ ଆସି ଓପିଏମ୍‌ରେ ତାଙ୍କ ମାମୁଁ ଘରେ ଥିଲେ । ତାଙ୍କ ସହିତ ତାଙ୍କ ସ୍ୱାମୀ ଓ ଛୋଟ ଶିଶୁପୁତ୍ର ମଧ୍ୟ ରହୁଥିଲେ । ମହିଳା ଜଣକ ୬ ତାରିଖରେ ଆସି ପହଞ୍ଚିବା ପରେ ଘରେ ତାଙ୍କ ପୁଅର ଜନ୍ମଦିନ ଉତ୍ସବ ପାଳନ କରିଥିଲେ । ସେହି ଉତ୍ସବକୁ ତାଙ୍କ ପାଖ ପଡ଼ୋଶୀ ଘରର ସଦସ୍ୟମାନେ ଆସିଥିଲେ । ପରେ ସେହି କଲୋନିର ଆଉ ଜଣେ ପରିବାର ତାଙ୍କର ୨୫ ତମ ବିବାହ ଉତ୍ସବ ପାଳନ କରିଥିଲେ । ଜନ୍ମଦିନ ଉତ୍ସବକୁ ଆସିଥିବା ପରିବାର ସେହି ବିବାହ ଉତ୍ସବକୁ ମଧ୍ୟ ଯାଇଥିଲେ । ୧୫ ତାରିଖ ଗୁଡ଼ଗାଓଁରୁ ଆସିଥିବା ମହିଳାଙ୍କ କରୋନା ପଜିଟିଭ୍‌ ବାହାରିବା ପରେ ସେହି ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଥିଲା ଓ ତାଙ୍କ ସହିତ ସଂସ୍ପର୍ଶରେ ଆସି ଥିବା ୧୭ ଜଣଙ୍କ ସ୍ୱାବ୍‌ ପରୀକ୍ଷା କରାଯାଇଥିଲା । ଏଥିରେ ସମସ୍ତ ୧୭ ଜଣଙ୍କ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଥିଲା ।

ଏହି ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି । ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ଯେ, ସଂଗରୋଧରେ ଥିବା ବେଳେ ଜନ୍ମଦିନ ପାଳନ କରିବା କଥା ନଥିଲା । ଏହି ଉତ୍ସବକୁ ପଡ଼ୋଶୀମାନଙ୍କୁ ନିମନ୍ତ୍ରଣ କରିବା ମଧ୍ୟ ଉଚିତ ନଥିଲା । ଏଭଳି ଅସାବଧାନତା ଯୋଗୁଁ ଏତେ ଦିନ ଧରି ଠିକ୍‌ଠାକ୍‌ ଥିବା ଝାରସୁଗୁଡ଼ା ଜିଲ୍ଲାର ଅବସ୍ଥା ବିଗିଡ଼ି ଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍‌ ହୋଇଥିବାରୁ ଏଥିରେ ଆତଙ୍କିତ ହେବାର କିଛି ନାହିଁ ବୋଲି ଜିଲ୍ଲାପାଳ କହିଥିବା ବେଳେ ଜନ୍ମଦିନ ଓ ବିବାହ ଉତ୍ସବ କରିଥିବା ଉଭୟ ପରିବାରର ମୁଖ୍ୟଙ୍କ ନାମରେ ଡିଜାଷ୍ଟର ମେନେଜମେଣ୍ଟ ଆକ୍ଟର ଧାରା ୫୧ ଓ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୯୬, ୨୭୧, ୧୮୮ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାମଲା ଦାୟାର କରାଯାଇ କଡ଼ା ପଦକ୍ଷେପ ନିଆଯାଇଛି । ଆଗକୁ ଯଦି ଏଭଳି ଘଟଣାର ପୁନରାବୃତ୍ତି କେହି କରନ୍ତି ତାହା ହେଲେ ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିବା ସହ ନିୟମକୁ ପାଳନ କରି ସହଯୋଗ କାମନା କରିଛନ୍ତି ।

 

0
0
0
s2sdefault