ହେଡଲାଇନସ୍:

ନିଜ ପିଠି ଥାପୁଡାଇବା ବନ୍ଦ କରି ଦୈନିକ ୧୫ ହଜାର ଟେଷ୍ଟ କରାନ୍ତୁ ରାଜ୍ୟସରକାର :ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କରୋନା ରୋଗୀମାନଙ୍କ ପାଖକୁ ଯାଉଥିବା ଆଶା ଓ ଏଏନଏମ ଦିଦିଙ୍କୁ ପିପିଇ କିଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉ

 ରାଜ୍ୟ ସରକାର କ୍ୱାରେଂଟାଇନ ସେଂଟରେ ଥିବା ଲୋକମାନଙ୍କର ନିୟମିତ ଟେଷ୍ଟ କରନ୍ତୁ

 କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କର ମଧ୍ୟ ଟେଷ୍ଟ କରି ନେଗେଟିଭ ଆସିବା ପରେ ଘରକୁ ପଠାନ୍ତୁ

 ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କର କରୋନା ପରୀକ୍ଷା କରାଯାଉ 

ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟରେ କରୋନାର ସ୍ଥିତି ଜଟିଳ ହେବାରେ ଲାଗିଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ସତ୍ୱେ ବି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କେହି ବି ସରକାରୀ ଅଧିକାରୀ ପାଳନ କରୁନାହାଁନ୍ତି । ପ୍ରତ୍ୟେକ ଦିନ ୧୫ ହଜାର ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ହୋଇ ପାରିଲା ନାହିଁ । ସରକାରୀ ଅଧିକାରୀ ମାନେ ଏ ଦିଗରେ ଧ୍ୟାନ ନଦେଇ କେବଳ ପ୍ରେସ କନଫରେନ୍ସ କରି ନିଜ ପିଠି ନିଜେ ଥାପୁଡାଉଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି । 

ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ପ୍ରତିଦିନ ୧୫ ହଜାରରୁ ଉଦ୍ଧ୍ୱର୍ ଟେଷ୍ଟ କରୁଛି । ଆଜି ସୁଦ୍ଧା ଆନ୍ଧ୍ର ପ୍ରଦେଶ ୫ ଲକ୍ଷ ୬୭ ହଜାର ଟେଷ୍ଟ କରିଥିବାବେଳେ ଓଡିଶାରେ ୨ ଲକ୍ଷ ୫ ହଜାର ୫୦୧ ଟେଷ୍ଟ ହୋଇଛି । ଏହା ମଧ୍ୟରୁ ୪୧୬୩ ପଜିଟିଭ ବାହାରିଥିବାବେଳେ ୧୨୯୫ଟି ଆକ୍ଟିଭ କେସ ରହିଛି । ରାଜ୍ୟରେ ଦୈନିକ ହାରାହାରି ପରୀକ୍ଷା ହାର ଆଦୌ ଉତ୍ସାହଜନକ ନୁହେଁ । ଜୁନ୍ ୭ ରେ ୩୪୭୭, ଜୁନ୍ ୮ ରେ ୩୩୧୭, ଜୁନ୍ ୯ ରେ ୨୯୬୯, ଜୁନ୍ ୧୦ରେ ୩୦୨୬, ଜୁନ୍ ୧୧ରେ ୩୩୩୩, ଜୁନ୍ ୧୨ରେ ୩୮୩୩, ଜୁନ୍ ୧୩ରେ ୩୮୮୦, ଜୁନ୍ ୧୪ରେ ୩୫୫୮, ଜୁନ୍ ୧୫ରେ ୨୪୯୯, ଜୁନ୍ ୧୬ ରେ ୨୯୮୮ ଜଣଙ୍କର କରୋନା ଟେଷ୍ଟ କରାଯାଇଛି । ଗତ ୧୦ ଦିନରେ ଜୁନ୍ ୧୩ ରେ ସର୍ବାଧିକ ୩୮୮୦ ଜଣଙ୍କର ଟେଷ୍ଟ କରାଯାଇଛି । ଗଂଜାମ ଜିଲ୍ଲାରେ ସବୁଠୁ ଅଧିକ କରୋନା ରୋଗୀ ବାହାରି ଥିବାରୁ ସେଠାରେ ଭୟାଭୟ ସ୍ଥିତି ରହିଛି । ବ୍ୟବସାୟୀ ମାନେ ନିୟମିତ ଭାବେ ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା କାରଣରୁ ସେମାନଙ୍କୁ କରୋନା ହେବାର ଆଶଙ୍କା ଅଧିକା ରହିଛି । ଏଣୁ ଅତ୍ୟାବଶକୀୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଉ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । 

ରାଜ୍ୟସରକାର ପ୍ରବାସୀ ଶ୍ରମିକମାନଙ୍କୁ କ୍ୱାରେଂଟାଇନ ସେଂଟରରେ ୭ ଦିନ ରଖି ବିନା ଟେଷ୍ଟରେ ଘରକୁ ପଠାଇ ଦେଉଛନ୍ତି । ଏହା ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ଅଧିକ ରହିଛି । ରାଜ୍ୟ ସରକାର କ୍ୱାରେଂଟାଇନ ସେଂଟରେ ଥିବା ଲୋକମାନଙ୍କର ନିୟମିତ ଟେଷ୍ଟ କରିବା ସହ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନଙ୍କର ମଧ୍ୟ ଟେଷ୍ଟ କରି ନେଗେଟିଭ ଆସିବା ପରେ ଘରକୁ ପଠାନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । 

ଏବେ ରାଜ୍ୟସରକାର ଆଶା କର୍ମୀ ଏବଂ ଏଏନଏମ ଦିଦି ଘର ଘର ବୁଲି ଅଧିକ ପରୀକ୍ଷା କରିବା ଘୋଷଣାକୁ ଆମେ ସ୍ୱାଗତ କରୁଛୁ । କରୋନା ରୋଗୀମାନଙ୍କ ପାଖକୁ ଯାଉଥିବା ଆଶା ଓ ଏଏନଏମ ଦିଦିଙ୍କୁ ପିପିଇ କିଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉ । ରାଜ୍ୟରେ ଦୈନିକ ପରୀକ୍ଷା ପାଇଁ ଲାବଟୋରୀ ସଂଖ୍ୟା ଓ ପରୀକ୍ଷା କାପାସିଟ ବଢାଇବା ଅତ୍ୟନ୍ତ ଜରୁରୀ । ଏ ସଂପର୍କରେ ରାଜ୍ୟ ସରକାର ତୁରନ୍ତ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି । 

ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।

0
0
0
s2sdefault