ହେଡଲାଇନସ୍:

ସମ୍ପୂର୍ଣ୍ଣ ରୀତିନୀତିରେ ସମ୍ପନ୍ନ ହେଲା ମହାପ୍ରଭୁ ନୃସିଂହନାଥଙ୍କର ଜନ୍ମୋତ୍ସଵ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ /ଶାସକ ପ୍ରଶାସକ :- କୋବିଡ଼ 19 ର ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ବିଶ୍ୱର ପ୍ରାୟ ସବୁ ଦେଶ ଲକଡାଉନ ଅବସ୍ଥାରେ । ବିଶେଷ କରି ଆମ ଦେଶ ଓ ରାଜ୍ୟ ଏହି ଲକଡାଉନ ନିୟମ କୁ କଡାକଡି ଭାବରେ ପାଳନ କରି ଦେଶ ତଥା ରାଜ୍ୟ ବାସୀଙ୍କୁ ସଂକ୍ରମଣ ରୁ ରକ୍ଷା କରିବା ପାଇଁ ଦୀର୍ଘ ଦେଢ଼ ମାସରୁ ଉର୍ଦ୍ଧ୍ବ ସମୟ ଧରି ପ୍ରୟାସ ରତ । ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଲକଡାଉନ ଘୋଷଣା ହେବା ପୂର୍ବରୁ ସାମାଜିକ ଦୂରତା କୁ ପ୍ରାଧାନ୍ୟ ଦେଇ ସମସ୍ତ ସ୍କୁଲ ଛୁଟି କରିବା ସହିତ ବିଭିନ୍ନ ପ୍ରକାର ସାମୁହିକ ଆୟୋଜନ ବନ୍ଦ କରିବା ସହିତ ଧାର୍ମିକ ଅନୁଷ୍ଠାନ ସବୁକୁ ଲୋକଙ୍କ ପ୍ରବେଶ ପ୍ରତି କଟକଣା ଲଗାଇ ଦେଇଥିଲେ । ଏହିକ୍ରମରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ବିଶ୍ୱ ବିଖ୍ୟାତ ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ବିରାଜମାନ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ପରିସରକୁ ଗତ ମାର୍ଚ୍ଚ ମାସ 17 ତାରିଖରୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗେଇ ଦିଆ ଯାଇଥିଲା । ଏହା ପରଠାରୁ ସଦାସର୍ବଦା ତୀର୍ଥଯାତ୍ରୀ ଓ ପର୍ଯଟକ ମାନଙ୍କ ଭିଡରେ ଭରପୁର ରହୁଥିବା ନୃସିଂହନାଥ ପରିସର ଜନ ଶୂନ୍ୟ ହେଇପଡିଛି । 

          ନୃସିଂହ ଚତୁର୍ଦସି ମହାପ୍ରଭୁଙ୍କ ଜନ୍ମ ଦିନ। ବୈଶାଖ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରୁ ମହାପ୍ରଭୁଙ୍କ ଙ୍କର ପବିତ୍ର ଜନ୍ମୋତ୍ସଵ ପାଇଁ ଶ୍ରୀ ଶ୍ରୀ ନୃସିଂହନାଥ ଙ୍କର ମନ୍ଦିର ପରିସରରେ ଆୟୋଜନ ହେଇଥାଏ ବିରାଟ ବୈଶାଖ ମେଳା । ମନ୍ଦିର ନିର୍ମାଣ ପରଠାରୁ ଏହି ମେଳା ହେଇ ଆସୁଛି । ପ୍ରତ୍ୟେକ ବର୍ଷ ଏକ ସପ୍ତାହ ବ୍ୟାପି ହେଉଥିବା ଏହି ମେଳାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତଥା ପର୍ଯଟକ ମାନଙ୍କର ଭିଡ ଜମିଥାଏ। ହେଲେ ଚଳିତ ବର୍ଷ କୋରୋନ ମହାମାରୀ ସବୁ ଉଜାଡ଼ି ଦେଇଛି । କେବଳ ମନ୍ଦିରର ସୀମିତ କେତେଜଣ ପୁକକ ଓ ସେବାୟତ ମାନେ ସମ୍ପାଦନ କରିଛନ୍ତି ମହାପ୍ରଭୁଙ୍କ ପରମ୍ପରା ଅନୁସାରେ ସମସ୍ତ ନୀତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧ ସମାଜ ତରଫରୁ ମହାପ୍ରଭୁଙ୍କ ମନ୍ଦିରରେ ନୂତନ ବାନା ବନ୍ଧା ଯିବା ସହିତ କନ୍ଧ ସମାଜ ତରଫରୁ ମହାପ୍ରଭୁ ପିଟ କନ୍ଦା ଭୋଗ ଅର୍ପଣ କରାଯାଇଛି । କୋବିଡ଼ 19 ବାବଦରେ ରହିଥିବା ସମସ୍ତ ନୀୟମ କୁ ପାଳନ କରାଯାଇ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପାଦନ କରାଯାଇଥିବା ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ଦେଇଛନ୍ତି । ମହାପ୍ରଭୁଙ୍କ ଜନ୍ମୋତ୍ସଵ ହେଇଥିବାରୁ କୋଣସି ଲୋକ ଯେମିତି ମନ୍ଦିର କିମ୍ବା ମନ୍ଦିର ପରିସରକୁ ପ୍ରବେଶ ନ କରିବେ ସେଥିପାଇଁ ପ୍ରଶାସନ ସତର୍କତା ଅବଲମ୍ବନ କରିଥିଲା । ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ , ପାଇକମାଲ ତହସିଲଦାର ଶ୍ରୀ ମନୋଜ ମେହେର , ଅତିରିକ୍ତ ତହସିଲଦାର ସୁଶାନ୍ତ କୁମାର ରଣା , DSP ଶ୍ରୀ ଦିନେଶ ନାଏକ ଓ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଏଥି ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିବା ସହିତ ପୋଲିସ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିଲେ ।

0
0
0
s2sdefault