ହେଡଲାଇନସ୍:

ଭଦ୍ରକରୁ ଆସି କାହାକୁ ନକହି ବହି ବାଣ୍ଟିଲେ ଶିକ୍ଷାଧିକାରୀ : କୋକୁଆ ଭୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ବିଡିଓଙ୍କ ନିର୍ଦ୍ଦେଶ 

ବଲାଙ୍ଗୀର (ନିରୋଜ ମିଶ୍ର) :  କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୫ରୁ ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଅଧିକାଂଶ ଅଧିକାରୀ ଛୁଟି ଭାବି ନିଜ ନିଜ ଗାଁକୁ ଚାଲିଯାଇଥିବା ବେଳେ ଏପ୍ରିଲ ୨୦ରୁ କିଛି କାର୍ଯ୍ୟାଳୟ ଖୋଳିଥିଲା। ଏପରିକି ଆସନ୍ତା ୨୫ ତାରିଖ ମଧ୍ୟରେ ବିଭିନ୍ନ ବିଦ୍ୟାଳୟର ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ବହି ବଣ୍ଟନ ପାଇଁ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେବାରୁ ଭଦ୍ରକ ଜିଲା ସହର ମହକୁମାରେ ରହିଥିବା ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକର ଅତିରିକ୍ତ ଶିକ୍ଷାଧିକାରୀ ରମେଶ ସାମର୍ଥ ଗୁଡଭେଲା କାର୍ଯ୍ୟାଳୟକୁ ୧୯ ତାରିଖରେ ବାଇକ୍‌ ଯୋଗେ ଫେରିଥିଲେ। ଏହି ନେଇ କୌଣସି ଅଧିକାରୀ ଜାଣି ପାରି ନ ଥିବା ବେଳେ ୨୨ ତାରିଖରେ ଗୁଡଭେଲା ଶିକ୍ଷା କାର୍ଯ୍ୟାଳୟରୁ ବହିଗୁଡ଼ିକ ପଠାଇଥିବା ଜଣାପଡ଼ିବାରୁ ଏ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଉକ୍ତ କର୍ମଚାରୀଙ୍କୁ ୧୪ଦିନ ପାଇଁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବା ପାଇଁ ବିଡିଓ ସୂର୍ଯ୍ୟକୁମାର ନାୟକ ପରାମର୍ଶ ଦେଇଛନ୍ତି। ଏନେଇ ଅତିରିକ୍ତ ଶିକ୍ଷାଧିକାରୀ ରମେଶ ସାମର୍ଥଙ୍କୁ ପଚାରିବାରୁ ସେ କହିଥିଲେ, ମୁଁ ଆସିବା ପରେ ନିୟମ ଅନୁଯାୟୀ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ଅବଲମ୍ବନ କରିଛି। କାହା ସମ୍ପର୍କରେ ଆସି ନାହିଁ। ବହିଗୁଡ଼ିକ ଗାଡ଼ିରେ ଦେବା ସମୟରେ ସାମାଜିକ ଦୂରତା ରକ୍ଷାକରି ଦେବା ପାଇଁ କହିଥିଲି।

ସୂଚନାଯୋଗ୍ୟ, ବଲାଙ୍ଗୀର ଜିଲାରେ ଏପର୍ଯ୍ୟନ୍ତ ଜଣେ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ନ ଥିବା ବେଳେ ଗ୍ରୀନ୍‌ ଜୋନ୍‌ରେ ରହିଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ଲିଙ୍କ୍‌ ଯୋଗୁ ବର୍ତ୍ତମାନ ଭଦ୍ରକ ଉପରେ ସରକାରଙ୍କ ନଜର ରହିଥିବା ସହ ଭଦ୍ରକରେ ପ୍ରାୟ ୧୧ଟି କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।   ଏପରି ସ୍ଥିତିରେ ଉକ୍ତ ଜିଲାରୁ ଅଧିକାରୀ ଜଣକ ଆସିବା ପରେ ଏ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

0
0
0
s2sdefault