ହେଡଲାଇନସ୍:

ପାରଳାରେ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାର ପ୍ରବାଦ ତଥା କିମ୍ବଦନ୍ତୀ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଓ ପଞ୍ଚାୟତ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି ।

ଏହି ଅବସରରେ ସ୍ଥାନୀୟ ହାଇସ୍କୁଲ ଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସମେତ ଶତାଧିକ ଦଳୀୟ ପଦାଧିକାରୀ କର୍ମକର୍ତ୍ତା ପୁଷ୍ପ ଓ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହାପରେ  ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ସଭାପତିତ୍ୱରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟତଃ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ କର୍ମମୟ ତଥା ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡିଶାକୁ ଉନ୍ନତି ପଥରେ ଆଗେଇ ନେବାପାଇଁ ଏବଂ ଓଡ଼ିଶାର ଅର୍ଥନୈତିକ ସ୍ଥିତିକୁ ଆଗେଇ ନେବାପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସ୍ମୃତି ଚାରଣ କରାଯାଇଥିଲା । 

ଅନ୍ୟପକ୍ଷରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ତାଙ୍କର ସମୟପଯୋଗୀ ଦୃଢ଼ ନିଷ୍ପତ୍ତି ନେବା , ପଞ୍ଚାୟତରାଜ ତ୍ରିସ୍ତରୀୟ ବ୍ୟବସ୍ଥାରେ ମହିଳା ମାନଙ୍କୁ ସଶକ୍ତ କରାଇ ଆଗକୁ ନେବା ଏବଂ ତାଙ୍କ ସାହସିକ ଓ ବଳିଷ୍ଠ ନେତୃତ୍ୱ ସହ ସେବା ମନୋଭାବ ମୂଳକ କାର୍ଯ୍ୟ ପ୍ରଭୃତି କ୍ଷେତ୍ରରେ ତାଙ୍କ ଅବଦାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତାଙ୍କର ଏଭଳି ଆଦର୍ଶକୁ ପାଥେୟ କରି ତୃଣମୂଳ ସ୍ତରରୁ ଲୋକଙ୍କ ସେବାମୂଳକ କାର୍ଯ୍ୟ କରି ନିକଟତର ହେବାକୁ ଆହ୍ବାନ କରାଯାଇଥିଲା ।

ଏଥି ସହିତ ତାଙ୍କ ସୁପୁତ୍ର ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଶାସନ କାଳରେ ଓଡିଶାରେ ବିଭିନ୍ନ କ୍ଷେତ୍ରରେ ଓ ବିଭିନ୍ନ ସ୍ତରର ଲୋକଙ୍କ ପାଇଁ ହୋଇଥିବା ଏବଂ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କଲ୍ୟାଣକାରୀ ଓ ଲୋକପ୍ରିୟ ଯୋଜନାରେ ସବୁ ବର୍ଗର ଲୋକେ ବେଶ ଉପକୃତ ହୋଇ ପାରୁଛନ୍ତି , ସେହି ସବୁକୁ ନେଇ ଦଳୀୟ ନେତା ଓ କର୍ମୀ ମାନେ ତୃଣମୂଳ ସ୍ତରର ଲୋକଙ୍କୁ ଅବଗତ କରାଇ ସେମାନଙ୍କ ନିକଟତର ହେବାପାଇଁ ପରାମର୍ଶ ଦିଆଯାଇଥିଲା ।

ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ଓ କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ବିଭିନ୍ନ ପ୍ରକାରର ଫଳ ବଣ୍ଟନ କରାଯାଇଥିଲା । ସେହିପରି ନବଜୀବନ ଟ୍ରଷ୍ଟର ଅନ୍ତେବାସୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପାଠ୍ୟ ଉପକରଣ ସବୁ ବଣ୍ଟନ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମରେ ପାରଳା ମହାରାଣୀ  କଲ୍ୟାଣୀ ଗଜପତି , ବରିଷ୍ଠ ବିଜେଡି ନେତା ବସନ୍ତ ଦାସ , ରାମନାଥ ମିଶ୍ର , ଲକ୍ଷ୍ମୀକାନ୍ତ ପରିଛା , ଅନ୍ତର୍ଯ୍ୟାମୀ ଗମାଙ୍ଗ , ଆର .ବିଜୟ କୁମାର , ମହିଳା ନେତ୍ରୀ ସଂଯୁକ୍ତା ବେହେରା , ଜିଲ୍ଲା ବିଜେଡିର ନଗର ସଭାପତି ବାବୁଲି ରାଜଗୁରୁଙ୍କ ସମେତ ବହୁ ସଂଖ୍ୟାରେ ବିଜେଡି ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।

 

 

0
0
0
s2sdefault