"ଅନୁସୂଚିତ ଜାତି ଓ ଜନଜାତି ଉପରେ ଦିନକୁ ଦିନ ଅନ୍ୟାୟ ଅତ୍ୟାଚାର"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅନୁସୂଚିତ ଜାତି ଓ ଜନଜାତି ମିଳିତ ମଞ୍ଚର ଆନ୍ଦୋଳନ ସଜବାଜ

ନୂଆପଡ଼ା(ଅମିତ ପୁରୋହିତ) ନୂଆପଡ଼ା ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଉପରେ ଦିନକୁ ଦିନ ଅନ୍ୟାୟ ଅତ୍ୟାଚାର  ବଢିବାରେ ଲାଗିଛି । ଏହାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ କୋମନା ବ୍ଲକ କୁରେଶ୍ୱର ଉଦ୍ୟାନବନ୍ଧ କଲ୍ୟାଣ ମଣ୍ଡପ ଠାରେ ଦଳ ମତ ନିର୍ବିଶେଷରେ ସମସ୍ତ ଅନୁସୂଚିତ ଜାତି ଓ ଜନଜାତି ନେତୃବୃନ୍ଦ ଏକତ୍ରିତ ହୋଇ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଓ ମୌଳିକ ସୁବିଧା ନ ମିଳିଲେ ଭୟାବହ ଆନ୍ଦୋଳନ ପାଇଁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ଆଦିବାସୀ ନେତା ସୋମନାଥ ଖମାରୀ ଓ ହରିକେଶ ଜାଲଙ୍କ ଆହ୍ୱାନ କ୍ରମେ ଜିଲ୍ଲା ସମସ୍ତ ଅନୁସୂଚିତ ଜାତି ଓ ଜନଜାତିର ନେତୃବୃନ୍ଦ ମାନେ ଏକତ୍ରିତ ହୋଇଥିଲେ । ଆଦିବାସୀ ନେତା ବିହାରିଲାଲ ବିଶ୍ୱାଲ, ଘାସିରାମ ମାଝି, ଇଂ ହୋମସିଂ ମାଝି, ଚିତ୍ତ ରଂଜନ ବନଗୋଲା, ଇଶ୍ୱର ନାଏକ, ଚିତ୍ତରଂଜନ ସୁନାନୀ, କପିଲେନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ ।  ଦଳମତ ନିର୍ବିଶେଷରେ ଏକତ୍ରିତ ହୋଇ ନିଜର ଅଧିକାରୀ ଓ ନ୍ୟାୟ ପାଇଁ ଆଗକୁ ଆସିବା ପାଇଁ ଆହ୍ୱାନ କରିଥିଲେ । ସିନାପାଲି ବ୍ଲକର ଏକ ଛାତ୍ରୀ ନିବାସରେ ଜଣେ ଆଦିବାସୀ ଛାତ୍ରୀଙ୍କ ଗର୍ଭବତୀ ହେବା ଜିଲ୍ଲା ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଛାତ୍ରୀ ନିବାସରେ ଛାତ୍ରୀ ଜଣ ଗର୍ଭବତୀ ହେବାର ୬ ମାସ ବିତି ଯାଇଥିଲେ ବି ବିଭାଗୀୟ ଅଧିକାରୀ,ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ  କେମିତି ଜାଣି ପାରିନଥିଲେ । ଏହି ଘଟଣା ଲୋକ ଲୋଚନାକୁ ଆସିବାର ଦେଢ ମାସ ବିତି ଯାଇଥିଲେ ବି ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇ ନାହିଁ । ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ, ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ବଦଳ ରେ ପ୍ରଶ୍ରୟ  ଦେଉଥିବା ଆଦିବାସୀ ସମାଜକୁ ମର୍ମାହତ କରିଛି । ଗତ ୨୪ ତାରିଖରେ କୋମନା ଥାନା ଦର୍ଲିପଡା ସରକାରୀ ସେବାଶ୍ରମର ନବମ ଶ୍ରେଣୀ ଛାତ୍ର ସୁମନ୍ତ ଶବରଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପାଇଁ ଏକ ଛୋଟ ଗଛରେ ଝୁଲାଇ ଦିଆଯାଇଥିଲା । ଏହା ଏକ ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ଭଳି ଲାଗୁଥିଲେ ବି ପୁଲିସ ପ୍ରଶାସନ ଅପମୃତ୍ୟୁ  ମାମଲା ରୁଜୁ କରି ଚୁପ ହୋଇ ବସିଛି । ଗତ ୧ ତାରିଖରେ ଧରମବନ୍ଧା ଥାନା କୁକୁରିମୁଣ୍ଡି ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଚୁନେଶ୍ୱରୀ ହରିଜନ ଓ ନାବାଳକ ଜୀବନଲାଲ ମାଝିଙ୍କ ଝୁଲନ୍ତା  ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା । ଏହାକୁ ପୁଲିସ ପ୍ରଶାସନ ଆତ୍ମହତ୍ୟା ଆଖ୍ୟା ଦେଇ  ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହା ଆତ୍ମହତ୍ୟା ନୁହେଁ ଦଳିତ ଛାତ୍ରୀ ଓ ଆଦିବାସୀ ନାବାଳକଙ୍କୁ ଯୋଜନା ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଛନ୍ତି । ଏହି ସବୁ ଘଟଣାର ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ କଲେ, ପ୍ରକୃତ ରହସ୍ୟ ଲୋକ ଲୋଚନାକୁ ଆସି ପାରିବ ବୋଲି ମିଳିତ ସଂଘ ଦାବୀ କରିଥିଲା । ଅନୁସୂଚିତ ଜାତି ଓ ଜନଜାତିକୁ ନେଇ ଏକ ମିଳିତ ମଞ୍ଚ ଗଠନ ହୋଇଥିଲା । ଏଥିରେ ସୋମନାଥ ଖମାରୀ, ଫକୀର ଜଗତ, ନିମାଇଁ ଚରଣ ତାଣ୍ଡି, ବାଳକୃଷ୍ଣ ଶବର, ମୁରଲି ସୁନା, ଜ୍ୟୋତିଲାଲ ବଂଜାରା, ଜେମାମଣୀ ଧରୁଆ, ପୁଷ୍ପାଂଜଳୀ ପାଣ୍ଡେ, ବେଲମତି ମାଝି, ପ୍ରେମଶୀଲା ନାଗ, ତପସ୍ୱିନୀ ମାଝି, ଦିବ୍ୟାସିଂ ମାଝିଙ୍କୁ ନେଇ ଉପଦେଷ୍ଟା ମଣ୍ଡଳୀ ଗଠନ ହୋଇଥିଲା । ସେହିପରି ବ୍ଲକ ସ୍ତରରେ ୩ ଜଣିଆ କମିଟି ଗଠନ ହୋଇଥିଲା । ସିନାପାଲି ବ୍ଲକରେ ପ୍ରଶନ୍ନ ମାଝି, ଜୟପାଲ ନାଗ, ଗିରୀରାଜ ମାଝି, ବୋଡେନ ବ୍ଲକରେ ତୋପିସିଂ ମାଝି, କିର୍ତ୍ତନ ବାଗ, ବିରେନ୍ଦ୍ର ପ୍ରସାଦସିଂ ମାଝି, ଖଡ଼ିଆଳ ବ୍ଲକରେ କରୁଣାକର ମାଝି, କମଲ ଚରଣ ତାଣ୍ଡି, ବିଦୁର ଶବର, ବିହାରୀ ମାଝି, କୋମନା ବ୍ଲକରେ ହରିକେଶ ଜାଲ, କନସନ ଧରୁଆ, କିର୍ତ୍ତନ ବାଗ, ଫୁଲେଶ୍ୱର ଭୋଇ, ନୂଆପଡ଼ା ବ୍ଲକ ଭାନୁପ୍ରତାପସିଂ ମାଝୀ, ରବି ମଙ୍ଗରାଜ, ଗୁନଧର ସତନାମୀ ରଖିଥିଲେ । ଏହି କମିଟି ଆଗାମୀ ଆନେ୍ଦାଳନରେ ନେତୃତ୍ୱ ନେବ ବୋଲି ସ୍ଥିର ହୋଇଥିଲା । ଏସଟି ଏସସି ଉପରେ ଅନ୍ୟାୟ ଅତ୍ୟାଚାର ବଢି ଚାଲିଛି । ଜିଲ୍ଲାପାଳ ଓ ଏସପି ଘଟଣା ବିଷୟରେ ଅବଗତ ଥିଲେ ବି ସବୁଜାଣି ଅଜଣା ହୋଇ ଚୁପ୍ ବସିଛନ୍ତି । ଜିଲ୍ଲା ପ୍ରଶାସନର ଖାମଖିଆଲି ନିତି ବିରୁଦ୍ଧରେ ଭାୟବହ ସ୍ୱର ଉତ୍ତୋଳନ  କରାଯିବ । ସେବାଶ୍ରମରେ ଅନୁସୂଚିତ ଜାତି ଓ ଜନଜାତି  ପିଲାଙ୍କୁ ଗୁଣାତ୍ମକ ଶିକ୍ଷା, ଛାତ୍ରଛାତ୍ରୀଙ୍କ ଶୌଚ ପାଇଁ ପାଇଖାନର ସୁବ୍ୟବସ୍ଥା, ପାନୀୟ ଜଳର ସୁବ୍ୟବସ୍ଥା, ସେବାଶ୍ରମ  ଓ ହଷ୍ଟେଲର ଉଚ୍ଚ ପାଚେରୀ ବ୍ୟବସ୍ଥା କରି ସିସି ଟିଭି ଲଗାଇ ସୁରକ୍ଷା ଯୋଗାଇ ଦେବା ସୁବିଧା କରିବା, ପିଡିତଙ୍କୁ ନ୍ୟାୟ, ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ କରିଥିଲେ । ନଚେତ ଆଗାମୀ ଦିନରେ ଅନୁସୂଚିତ ଜାତି ଓ ଜନଜାତିର ୫୦ ହଜାରରୁ ଉର୍ଦ୍ଧ ପୁରୁଷ ମହିଳାଙ୍କୁ ନେଇ ଭୟାବହ ଆନ୍ଦୋଳନ  କରାଯିବ ବୋଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । 

 

0
0
0
s2sdefault