ଜିଲ୍ଲାସ୍ତରୀୟ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :   ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସ୍ତରୀୟ ୩୧ ତମ ଜାତୀୟ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଶନିବାର ଦିନ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥ ଓ ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ସାହା ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

    ଏହି ଅବସରରେ ଜିଲ୍ଲାପାଳ ସୂଚନା ଦେଇ କହିଥିଲେ ଯେ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ଏହି ଜାନୁଆରୀ ୧୧ ତାରିଖରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପାଳନ କରାଯାଉଛି । ସମସ୍ତେ ଜାଣିଛନ୍ତି ଯେ ବେପାରୁଆ ଯାନବାହନ ଚାଳନା , ସଡକ ସୁରକ୍ଷା ନିୟମ ଉଲଂଘନ ଏବଂ ସଡକରେ ଗଲାବେଳେ ଅସାବଧାନତା ଯୋଗୁଁ ସଡକ ଦୁର୍ଘଟଣା ସବୁ ଘଟୁଛି । ଯାହାକି ଏହାକୁ ହ୍ରାସ ଓ ନିୟନ୍ତ୍ରଣ କରିବା  ସରକାର ତଥା ପ୍ରଶାସନ ପକ୍ଷେ ଏକ ବଡ଼ ସମସ୍ୟା ଓ ଚେଲେଞ୍ଜ ହୋଇପଡିଛି । 

  ତେଣୁ ସଡକ ଦୁର୍ଘଟଣା ହ୍ରାସ କରିବା ଦିଗରେ ଜନସଚେତନତାର ବିଶେଷ ଭୂମିକା ରହିଛି । ଜୀବନ ଅମୂଲ୍ୟ ଓ ଏହା ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ।ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ ଯେ , ସମସ୍ତେ ସଡକ ସୁରକ୍ଷାର ନୀତିନିୟମ ପାଳନ କରନ୍ତୁ ଏବଂ ନିଜର ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚନ୍ତୁ ଏବଂ ଦୁର୍ଘଟଣା-ମୁକ୍ତ ସମାଜ ପାଇଁ ସମସ୍ତେ ସଂକଳ୍ପ-ବଦ୍ଧ ହେବାକୁ କହିଥିଲେ ।

   ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରଜନୀ କାନ୍ତ ସ୍ବାଇଁ , ଏମ୍ ଭି ଆଇ ବସନ୍ତ କୁମାର ମହାପାତ୍ର , ବିଭାଗୀୟ ଏସଆଇ- ଜିତେନ୍ଦ୍ର କୁମାର ମୁର୍ମୁ , ପାରଳାଖେମୁଣ୍ଡି ଥାନାଧିକାରୀ ବିବେକା ନନ୍ଦ ସ୍ବାଇଁ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ଏବଂ ଡିସିପିୟୁ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।

   ସଚେତନତା ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏବଂ ବିଭିନ୍ନ ଯାନବାହାନର ଚାଳକ ମାନେ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ନୀତିନିୟମ ସମ୍ପର୍କରେ ପ୍ଲାକାର୍ଡ ଓ ବ୍ୟାନର ଧରି ସହର ପରିକ୍ରମା କରି ଜନସଚେତନ କରାଇଥିଲେ । ଏଥି ସହିତ ସଚେତନତା ମୂଳକ ପ୍ରଚାରପତ୍ର ପାମ୍ପ୍ଲେଟ ରାସ୍ତାରେ ଯିବା ଆସୁଥିବା ଜନସାଧାରଣ ଓ ଯାନବାହାନ ଚାଳକ ମାନଙ୍କୁ ବଣ୍ଟନ କରିଥିଲେ ।    ଏହି ଅବସରରେ  ହସ୍ପିଟାଲ-ପାଥପାଟନମ୍ ରାସ୍ତାରେ ଯାନବାହାନ ଚଳାଚଳ କରୁଥିବା ସମସ୍ତଙ୍କୁ କାଗଜ ପତ୍ର , ହେଲମେଟ ପ୍ରଭୃତି ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।

 

0
0
0
s2sdefault