ହେଡଲାଇନସ୍:

"ଗାନ୍ଧିଜୀ ଯେଉଁଥିରେ ବିଫଳ ଥିଲେ, ସ୍ବର୍ଗତ ରାଜକିଶୋର ନାୟକ ସେଥିରେ ଥିଲେ ସଫଳ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜକିଶୋର ନାୟକ ଜାତୀୟ ନ୍ୟାସ ପକ୍ଷରୁ ସ୍ମାରକୀ ଗାନ୍ଧୀ ବକ୍ତୃତାମାଳା

"ଫୋଟୋ ଫ୍ରେମ ଭିତରୁ ଗାନ୍ଧୀଙ୍କୁ ବାହାରକୁ ଆଣିବାକୁ ପଡିବ "

 "ସ୍ଥାନୀୟ/ପ୍ରାନ୍ତୀୟ ଗାନ୍ଧୀଙ୍କ ଯୋଗୁଁ ଜଣେ "ଜାତୀୟ ଗାନ୍ଧୀ" ଭାବନା ବା ଅସ୍ତିତ୍ବ ବଳିଷ୍ଠ ହୋଇ ପାରିଥିଲା"

ଭୁବନେଶ୍ୱର: "ସମ୍ପ୍ରତି ଆମ ସମାଜରେ ନୈତିକ ସ୍ଖଳନ ଘଟାଇଛି | ମୂଲ୍ୟବୋଧ ଓ ବିଚାର ଧାରା ମୂଲ୍ୟବୋଧ  ଗୁଟର ଭାବେ ପ୍ରଭାବିତ ହୋଇଛି |  ସାମାଜିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପ୍ରତି ଏକ ସଂକଟମୟ ସଂଦିକ୍ଷଣ ଦେଇ ଗତିଶୀଳ । ସମାଜରେ ସର୍ବୋପରି ରାଜନୀତିରେ  ଅନେକାଂଶରେ ହିଂସା, ଇର୍ଷା, ଦ୍ୱେସ, ପରଶ୍ରୀକାତରତାର ପ୍ରାବଲ୍ୟ ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି । ଲୋକଙ୍କ ଭିତରେ ସତ୍ୟ, ଅହିଂସା, ସ୍ନେହ,ପ୍ରେମ, ସହନଶୀଳତା, ଭାଇଚାରା ସମାଜରେ ଆସ୍ତେ ଆସ୍ତେ ହଜି ଯାଉଛି | ହେଲା ଏ ସବୁ ଗୁଣ ହିଁ ଜଣେ ଭଲ ମଣିଷ, ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ପାଇଁ ଅବଶ୍ୟମ୍ଭାବୀ | ହେଲେ ଏ ସମସ୍ତ ବିଲକ୍ଷଣକୁ ଦୂର କରିବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରଦର୍ଶିତ  ଆଦର୍ଶର ମାର୍ଗ ହିଁ ସବୁ ଏକମାତ୍ର ସହଜ ଓ ସରଳ ବାଟ " ବୋଲି ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ତଥା ପାଟକୁରା ଗାନ୍ଧୀ ଭାବେ ପରିଚିତ ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମାରକୀ ଗାନ୍ଧୀ ବକ୍ତୃତାମାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଜଣାଶୁଣା ସମାଜସେବୀ ତଥା ସୁସାହିତ୍ୟିକ ମନୀଷା ଚୌଧୁରୀ ।

ବର୍ଷିୟାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ  ଭବାନୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜକିଶୋର ନାୟକ ଜାତୀୟ ନ୍ୟାସ ପକ୍ଷରୁ ଆୟୋଜିତ "ମହିଳା ଓ ପିଲାମାନଙ୍କ ମନରେ ଗାନ୍ଧୀ ଚେତନାର ଉଦ୍ରେକ " (Inculcating Gandhi spirit into minds of women and children)  ଶୀର୍ଷକ ‘ମହିଳା ଓ କିଶୋରମାନଙ୍କ ମନରେ ଗାନ୍ଧୀ ଭାବନାର ଜାଗରଣ’ ଉପରେ ନିଜ ଆଭିମୁଖ୍ୟ ଉପସ୍ଥାପନ କରି ଶ୍ରୀମତୀ ଚୌଧୁରୀ କହିଥିଲେ ଯେ,ଗାନ୍ଧୀଜୀ ରକ୍ତ, ହାଡ଼, ମାଂସରେ ଗଢ଼ା ମଣିଷ ଥିଲେ। ସାଧାରଣ ମଣିଷ ଭଳି ସେ ବି ଜୀବନରେ ଅନେକ ପରୀକ୍ଷା ନିରୀକ୍ଷା କରୁଥିଲେ | ତାଙ୍କର ଭୁଲ ବି ହେଉଥିଲା | ହେଲେ ତାଙ୍କ ମହାନତା ଥିଲେ ସେ ନିଜ ଭୁଲକୁ ସ୍ଵୀକାର କରୁଥିଲେ ପରବର୍ତ୍ତୀ ସମୟରେ | ତେଣୁ ଏଇ କଥାଟା ଆମ ପିଲାମାନଙ୍କ ଭିତରେ ପ୍ରବେଶ କରାଇବାକୁ ପଡିବ ଯେ ଗାନ୍ଧୀ ତୁମ ଆମ ଭଳି ସାଧାରଣ ମଣିଷ ଥିଲେ | କେବଳ ଜାତିର ପିତା କହି ଫୋଟୋରେ ପୂଜା କଲେ ତାଙ୍କ ବ୍ୟକ୍ତିତ୍ୱର ମହାନ ଦିଗ ପିଲାଙ୍କ ଭିତରେ ପୁରାଇ ହେବ ନାହିଁ |  ସମ୍ପ୍ରତି ଗାନ୍ଧିଜୀଙ୍କୁ ଆମକୁ ଫୋଟୋରୁ ବାହାର କରି ଗାନ୍ଧୀ ସାଧାରଣ ମଣିଷ ଥିଲେ ବୋଲି ବିଶ୍ୱାସ ନ ଜନ୍ମାଇଲେ ଗାନ୍ଧୀ ଆଦର୍ଶ ସେମାନଙ୍କ ଗୁଣରେ ସାମିଲ ହୋଇ ପାରିବ ନାହିଁ | ଗାନ୍ଧୀ ଜଣେ ସାଧାରଣ ମଣିଷ ହୋଇ ସତ୍ୟ,ଅହିଂସା ନିଜ ଜୀବନରେ ପାଳନ କରୁଥୁଲେ ବୋଲି ସେମାନଙ୍କ ମନରେ ବିଶ୍ୱାସ ଜନମିଲେ ଯାଇ  ଗାନ୍ଧୀବାଦ ଆଗକୁ ଯାଇପାରିବ | ତ୍ରୁଟିପୂର୍ଣ୍ଣ ଯୋଜନା ଓ ବିଭ୍ରାନ୍ତିକର ରୂପାୟନ ଯୋଗୁଁ ସ୍ୱାଧୀନତାର ୭୨ ବର୍ଷ ପରେ ବି ଦେଶର ଅର୍ଦ୍ଧାଧିକ ମହିଳା ପାରିବାରିକ ଓ ସାମାଜିକ ହିଂସାର ଶିକାର ହେଉଥିବା ବେଳେ ବହୁ ମା ଓ ଶିଶୁ ଅପପୁଷ୍ଟିର କବଳରେ । ଯୁବସମାଜ ଆଜି ପଥଭ୍ରଷ୍ଟ ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା କାରଣରୁ | ଗାନ୍ଧିଜୀଙ୍କ ଆଦର୍ଶରୁ ଏ ସମାଜ ଦୁରେଇ ଯାଉଥିବା ଯୋଗୁ ସବୁ ପ୍ରକାର ବିଲକ୍ଷଣ ଦେଖାଦେଇଛି। ଆଉ ସେ ବିଲକ୍ଷଣ ଜନିତ ସମସ୍ୟାରେ ଗୁରୁତର ଭାବେ ମହିଳା ଓ ଶିଶୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ଶ୍ରୀମତୀ ଚୌଧୁରୀ କହିଥିଲେ ।

 ଏହି ବକ୍ତ୍ରୁତାମାଳା କାର୍ଯ୍ୟକ୍ରମରେ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍  ତଥା ଗାନ୍ଧୀ ଚିନ୍ତନର ଅନ୍ୟତମ ବିଶିଷ୍ଟ ବକ୍ତା ପ୍ରଫେସର ଦାଶ ବେନହୁର ଭାରତବର୍ଷ ଓ ଗାନ୍ଧୀଜୀଙ୍କ ବିଚାରାଧାରା ଉପରେ ଏକସନ୍ଦର୍ଭ ରଖିଥିଲେ । ପ୍ରଫେସର ଦାଶ ବେନହୁର କହିଥିଲେ ଯେ, ଗାନ୍ଧୀ ବିଚାର ଏପରି ଏକ ଚିନ୍ତାଧାରା ବା ସୂତ୍ର , ଯାହାର ଆଧାରରେ  ପୃଥିବୀର ଅଧା ସମସ୍ୟାର ସମାଧାନ ହୋଇପାରିବ। ତାଙ୍କର କୌଣସି ଚିନ୍ତାଧାରା ବ୍ୟକ୍ତି ଆଧାରିତ ନଥିଲା, ଥିଲା ବ୍ୟାପକ |  ଭାରତରେ ଶାସନ କରୁଥିବା ନେତୃତ୍ୱ ଗାନ୍ଧୀଜୀଙ୍କ ନାମରେ ଦେଶ ବିଦେଶରେ ପରିଚିତି ପାଉଛନ୍ତି । ମାତ୍ର ଦୁର୍ଭାଗ୍ୟର କଥା, ସେହିମାନେ ଗାନ୍ଧୀଜୀଙ୍କ ବିଚାରଧାରାର ବିପରୀତ କାର୍ଯ୍ୟ କରୁଛନ୍ତି । ଆଉ ଏହି କାରଣରୁ ଭାରତୀୟ ସାମାଜିକ ବ୍ୟବସ୍ଥା ସଂକଟମୟ ପରିସ୍ଥିତି ଆଡକୁ ଠେଲି ହୋଇ ଯାଇଛି । ସମାଜରେ ଅବିଶ୍ୱାସ ଓ ସନ୍ଦେହର ବାତାବରଣ ସୃଷ୍ଟି ହୋଇଛି  । କେହି କାହାକୁ ବିଶ୍ୱାସ କରିବାକୁ ନାରାଜ, ଯାହାକି ଭବିଷ୍ୟତ ପାଇଁ ଶୁଭ ଲକ୍ଷଣ ନୁହେଁ ବୋଲି ପ୍ରଫେସର ଦାଶ କହିଥିଲେ  |  ସ୍ୱର୍ଗତ ରାଜକିଶୋର ନାୟକଙ୍କ ସ୍ମୃତିଚାରଣ କରି ତାଙ୍କୁ ଗାନ୍ଧୀ  ବିଚାରଧାରା ଓ ଜୀବନାଦର୍ଶର ପ୍ରକୃତ ମଣିଷ ବୋଲି ଅଭିହିତ କରିଥିଲେ |  ପ୍ରଫେସର ବେନହୁର କହିଥିଲେ ଯେ  ଗାନ୍ଧୀ ଓ ସ୍ବର୍ଗତ ରାଜକିଶୋର ନାୟକଙ୍କ ଭିତରେ ଗୋଟାଏ ବଡ ଫରକ ଥିଲେ , ଯାହା ହେଲା ଗାନ୍ଧୀ ଯେଉଁଥିରେ ବିଫଳ ହୋଇଥିଲେ, ସ୍ବର୍ଗତ ନାୟକ କିନ୍ତୁ ସେଥିରେ ସଫଳ ହୋଇଥିଲେ। ଗାନ୍ଧୀ କସ୍ତୁରବାଙ୍କୁ ଶିକ୍ଷିତ କରିବାରେ ବିଫଳ ହୋଇଥିଲେ ମାତ୍ର ସ୍ବର୍ଗତ ରାଜକିଶୋର ନାୟକ କିନ୍ତୁ ଏ କ୍ଷେତ୍ରରେ ସଫଳ ହୋଇଥିଲେ। ଗାନ୍ଧୀଜୀ ପାରିବାରିକ ଜୀବନରେ ସେତେଟା ସଫଳ ହୋଇ ନ ଥିଲେ ହେଁ ଗାନ୍ଧିଜୀଙ୍କ ବିଚାରଧାରାରେ ଜଡ଼ା ମଣିଷ ସ୍ବର୍ଗତ ରାଜକିଶୋର ନାୟକ ନିଜ ଜିବନସାଥିଙ୍କ ଶିକ୍ଷ୍ୟାଅଭିଳାଷକୁ ସମ୍ମାନ ଦେବା ସହ ପାରିବାରିକ ଦିଗରେ ସଫଳ ହୋଇଥିଲେ । ତେଣୁ  ସ୍ବର୍ଗତ ନାୟକ ହେଉଛନ୍ତି ଗାନ୍ଧୀ ପ୍ଲସ୍ ବୋଲି କହିଥିଲେ ପ୍ରଫେସର ବେନହୁର | 

ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଅଭିରାମ ବିଶ୍ୱାଳ ସ୍ୱର୍ଗତ ରାଜକିଶୋର ନାୟକଙ୍କୁ ପାଟକୁରାର ପ୍ରକୃତ ଗାନ୍ଧୀ ବୋଲି କହିବା ସହ ଭୟମୁକ୍ତ ସମାଜ ଗଠନ ସ୍ୱାଧୀନତାର ମୂଳ ଆଧାର ଓ ଉଦ୍ଦେଶ୍ୟ ବୋଲି ଗାନ୍ଧିଜୀ ବିଶ୍ୱାସ କରୁଥିଲେ ବୋଲି ମତବ୍ୟକ୍ତ କରିଥିଲେ  | ଗାନ୍ଧିଜୀ  ତାଙ୍କ ଓଡିଶା ଗସ୍ତ ବେଳେ ଏକଥା ସେ ପ୍ରକାଶ କରିଥିଲେ | କେବଳ ସେତିକି ନୁହେଁ, ମହିଳାମାନେ ହେଉଛନ୍ତି  ସାମାଜିକ ଓ ରାଜନୈତିକ ବ୍ୟବସ୍ଥାର ଗୁରୁତ୍ୱପୂର୍ଣ ଅଙ୍ଗ, ସେମାନଙ୍କ ବିନା ରାଜନୀତି ସୁଦୃଢ଼ ହୋଇପାରିବ ନାହିଁ ବୋଲି ଗାନ୍ଧିଜୀଙ୍କ ବିଶ୍ୱାସ ଥିଲା | ତେଣୁ ସବୁ ବେଳେ ମହିଳାମାନଙ୍କୁ ସାମାଜିକ ତଥା ତାଜନୈତିକ ଆନ୍ଦୋଳନର ଅଂଶୀଦାର ହେବା ପାଇଁ ଗୁରୁତ୍ୱ ଆରୋପ କରି ଆସିଥିଲେ | ତାଙ୍କରି ଜୀବନାଦର୍ଶରେ ବିଶ୍ୱାସ କରୁଥିବା  ସ୍ବର୍ଗତ ରାଜକିଶୋର ନାୟକ ପାଟକୁରା ଗାନ୍ଧୀ ଭାବେ ଲୋକପ୍ରିୟ ଥିବା ବେଳେ ଦେଶର କୋଣ ଅନୁକୋଣ ବା ବିଭିନ୍ନ ପ୍ରାନ୍ତ/କ୍ଷେତ୍ରରେ ସ୍ଥାନୀୟ ଗାନ୍ଧୀ ରହିଥିଲେ। ସ୍ବର୍ଗତ ରାଜକିଶୋର ନାୟକଙ୍କ ଭଳି  ସ୍ଥାନୀୟ/ପ୍ରାନ୍ତୀୟ ଗାନ୍ଧୀଙ୍କ ଯୋଗୁଁ ଜଣେ "ଜାତୀୟ ଗାନ୍ଧୀ" ଭାବନା ବା ଅସ୍ତିତ୍ବ ବଳିଷ୍ଠ ହୋଇ ପାରିଥିଲା ହୋଇପାରିଥିଲା ବୋଲି ପ୍ରଫେସର୍‌ ବିଶ୍ବାଳ କହିଥିଲେ | 

ରାଜକିଶୋର ନାୟକ ଜାତୀୟ ନ୍ୟାସର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault