ଓଡ଼ିଶା ପୋଲିସ ଡିଜି  ତଥା  କେନ୍ଦ୍ର ରାଜପଥ ଏବଂ ପରିବହନ ସଚିବଙ୍କୁ ଆୟୋଗଙ୍କ ନୋଟିସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାତୀୟ ମାନବାଧିକାର ଆୟୋଗରେ  ଭଦ୍ରକ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ପ୍ରସଙ୍ଗ

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ଜିଲ୍ଲାରେ ଜାତୀୟ ରାଜପଥ ୧୬ ନଂ ପାଶ୍ୱର୍ରେ ଏକାଧିକବାର ଦୁର୍ଘଟଣା ଘଟି ଧନଜୀବନ ହାନୀ ବିଶେଷତଃ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ  ଏବଂ ଆହତହେବା ଘଟଣା ଉପରେ ଜାତୀୟ ମାନବାଧିକାର ଆୟୋଗ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ  ତଥା ଭାରତ ସରକାରଙ୍କ ରାଜପଥ ଏବଂ ପରିବହନ ସଚିବଙ୍କୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି । ସୁପ୍ରିମକୋର୍ଟ ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଆବେଦନକୁ ବିଚାର କରି ଜାତୀୟ ମାନବାଧିକାର ଆୟୋଗ ଏହି ନୋଟିସ ଜାରି କରିଛନ୍ତି । ଗତ ସେପ୍ଟେମ୍ବର ୧୦ ତାରିଖରେ ୧୬ ନଂ ଜାତୀୟ ରାଜପଥର ମୋଟେଲ ଛକ ଠାରେ ୨ଜଣ ଛାତ୍ରଙ୍କ ଦୁର୍ଘଟଣାରେ ମୃତୁ୍ୟ ତଥା ଗତ ୨୦୧୮ ଜୁଲାଇ ୧୯ ତାରିଖରେ ରାଣୀତାଲ ନିକଟରେ ୫ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ  ଓ ୪ଜଣ ଆହତ ଘଟଣାକୁ ରାଜ୍ୟ ସରକାର ତଥା କେନ୍ଦ୍ର ରାଜପଥ ମନ୍ତ୍ରଣାଳୟ ଗୁରୁତ୍ୱର ସହ ଗ୍ରହଣ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରୁ ନଥିବା ଶ୍ରୀ ତ୍ରିପାଠୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି । ଗତବର୍ଷ ରାଣୀତାଲ ଛାତ୍ରଛାତ୍ରୀଙ୍କ ମୃତାହତ ଘଟଣାରେ ଶ୍ରୀ ତ୍ରିପାଠୀଙ୍କ ଆବେଦନ ମୂଳେ ରାଜ୍ୟ ସରକାର ନିଜ ରିପୋର୍ଟରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଉଲ୍ଲେଖ କରି ଜାତୀୟ ମାନବାଧିକାର ଆୟୋଗଙ୍କୁ ଜଣାଇଥିଲେ । ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ରିପୋର୍ଟ ଆଧାରରେ ପୂର୍ବ କେଶ୍ ଟି  ବନ୍ଦ କରାଯାଇଥିଲା । ମାତ୍ର ୨୦୧୯ ସେପ୍ଟେମ୍ବର ଦୁର୍ଘଟଣା ପରେ ଶ୍ରୀ ତ୍ରିପାଠୀ ଜାତୀୟ ରାଜପଥ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ଘଟଣା ପ୍ରବଣ ସ୍ଥାନରେ ସାଇନ୍ବୋର୍ଡ, ସ୍ପୀଡ ବ୍ରେକର ନଥିବା, ବ୍ଲାକ ସ୍ପଟ ଚିହ୍ନଟ କରିବାରେ ଅହେତୁକ ବିଳମ୍ବ, ସ୍ଥାନେ ସ୍ଥାନେ ଫ୍ଲାଇ ଓଭର ତଥା ବ୍ରିଜ ନିର୍ମାଣ, ଭଦ୍ରକ ଜିଲ୍ଲାରେ ଆନୁପାତିକ ଭାବେ ଟ୍ରାଫିକ ପୁଲିସଙ୍କ ଘୋର ଅଭାବ ଆଦି ସଙ୍ଗୀନ ବିଷୟ ଉପରେ ଗୁରୁତ୍ୱ ଦେଉ ନଥିବା ଅଭିଯୋଗ କରିଥିଲେ । ସାଇକେଲ ପରିବେଶର ପରମବନ୍ଧୁ । ଓଡ଼ିଶା ସରକାର ମାଗଣାରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସାଇକେଲ ଯୋଗାଉଛନ୍ତି । ସାଇକେଲ ଆରୋହୀଙ୍କ ସୁରକ୍ଷା, ସେମାନଙ୍କ ଇନ୍ସୁ୍ୟରାନ୍ସ ଏବଂ ସ୍ୱତନ୍ତ୍ର ବିଧିବିଧାନ ଇତ୍ୟାଦି ବିଷୟରେ ମଧ୍ୟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅଦ୍ୟାବଧି କୌଣସି ପଦକ୍ଷେପ ନେଇ ନାହାନ୍ତି । ଏକାଧିକବାର ଭଦ୍ରକ ଜିଲ୍ଲାରେ ଥିବା ରାଜପଥରେ ଦୁର୍ଘଟଣା ରୋକିବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୃତ ବ୍ୟକ୍ତିଙ୍କୁ ୫୦ଲକ୍ଷ  ଟଙ୍କା କ୍ଷତିପୂରଣ ତଥା ଆହତମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ ଶ୍ରୀ ତ୍ରିପାଠୀ ମାନ୍ୟବର ଆୟୋଗଙ୍କୁ ଅନୁରୋଧ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୬ ତାରିଖ ଧାର୍ଯ୍ୟ କରାଯାଇଛି । ୨୦୨୦ ମସିହା ଆରମ୍ଭରୁ ଭଦ୍ରକ ସହର ରାଜପଥରେ ଦୁର୍ଘଟଣାରେ ପୁଣି ୨ ଜଣଙ୍କ ମୃତୁ୍ୟ ଘଟଣାକୁ ଅତି ସ୍ପର୍ଶକାତର କରିଦେଇଛି ।

 

0
0
0
s2sdefault