ହେଡଲାଇନସ୍:

ଚଇତିର ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା : ଲୋକ ନୃତ୍ୟରେ ଝୁମିଲେ ଦର୍ଶକ, ଶୃଙ୍ଗାର ଓ ବୀର ରସରେ ଭିଜିଲା ଚଇତି ମଣ୍ଡପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ) ରାୟଗଡ ଜିଲ୍ଲା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଚଇତି ର ଦ୍ୱିତୀୟ ସନ୍ଧ୍ୟାରେ ମନ୍ତ୍ରୀ, ଇସ୍ପାତ ଓ ଖଣି ତଥା ପୂର୍ତ ବିଭାଗ, ଓଡିଶା ସରକାରଙ୍କ ପ୍ରଫୁଲ କୁମାର ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣରେ କହିଥିଲେ ଯେ, ଆଦିବାସୀ ସଂସ୍କୃତି ଓ ପରମ୍ପରାର ବିକାଶ ଦିଗରେ ଏହି ଭଳି ମହୋତ୍ସବର ଆବଶ୍ୟକତା ରହିଛି । ଆଦିବାସୀଙ୍କ ବିକାଶ ନିମନ୍ତେ ଓଡିଶା ସରକାର ନିଜର ପ୍ରଚେଷ୍ଟା ଜାରିରଖିଛନ୍ତି । ୫-ଟି ମାଧ୍ୟମରେ ସରକାର ବିକାଶ ନିମନ୍ତେ ବିଭିନ୍ନ ଯୋଜନା ମାନ କାର୍ଯ୍ୟକାରୀ କରି ସାଧାରଣ ଲୋକଙ୍କ ପାଖରେ ପହଂଚାଇ ପାରିଛନ୍ତି । ରାୟଗଡରେ ଯେଉଁ ପ୍ରସ୍ତାବିତ ମେଡିକାଲ କଲେଜ ଓ ହସପିଟାଲ କରିବା ନିମନ୍ତେ ଉଦ୍ୟମ ଜାରି ରହିଛି ଏବଂ ଏହି ପ୍ରସ୍ତାବକୁ ଯଥା ଶିଘ୍ର ସଫଳ କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ରାୟଗଡରେ ଏକ ବାଇପାସ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ ଓ ଏହି ଲୋକ ମହୋତ୍ସବ ଚଇତିର ଆୟୋଜକ ମାନଙ୍କୁ ସଫଳ ଆୟୋଜନ ନିମନ୍ତେ ପ୍ରଶଂସା କରିବା ସହ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ରାୟଗଡ ଆରକ୍ଷୀ ଅଧିକ୍ଷକ ଡଃ. ସର୍ବଣା ବିବେକ ଏମ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅମ୍ରିତ ଋତୁରାଜ, ଉପ-ଜିଲ୍ଲାପାଳ ଗୁଣୁପୁର ଡଃ. ବି. ସିଦ୍ଧେଶ୍ୱର ବଳିରାମ, ରାୟଗଡ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ  ଯୋଗ ଦେଇ ଆଦିବାସୀ କଳା ଓ ସଂସ୍କୃତିକୁ ଜିବୀତ ରଖିବା ପାଇଁ ଏହି ଚଇତି ମଂଚର ଆବଶ୍ୟକତା ରହିଛି ଏହି ମଂଚ ମାଧ୍ୟମରେ ଆମ ଜିଲ୍ଲାର ଲୋକ କଳା ବିଶ୍ୱ ଦରବାରରେ ପହଂଚାଇବାର ଏକ ମାଧ୍ୟମ ବୋଲି କହିବା ସହ ଚଳିକ ବର୍ଷର ପାଳିତ ହେଉଥିବା ଲୋକ ମହୋତ୍ସବ  ଓ ପଲ୍ଲିଶ୍ରୀ ମେଳାକୁ ଭରପୁର ଉପଭୋଗ କରିବା ସହ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବାକୁ ସମବେତ ଜନସାଧାରଣଙ୍କୁ କହିଥିଲେ । ପ୍ରଥମେ ଜିଲ୍ଲା ସଂସ୍କୃତି ପରିଷଦ ସଂଯୋଜକ ଦୁଷ୍ମନ୍ତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସେଂଚୁରିଆନ ବିଶ୍ୱ ବିଦ୍ୟାଳୟ ଆଂଚଳିକ ନିର୍ଦେଶକ ରାଜେଶ ପାଢୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଲୋକ ମହୋତ୍ସବ ଚଇତିର କାର୍ଯ୍ୟକ୍ରମକୁ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ । ଏହି ଅବସରରେ ଚଇତି ସମ୍ମାନରେ ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରୀକେଟ ପ୍ରଶିକ୍ଷକ ଚନ୍ଦ୍ରଶେଖର ପଟନାୟକ, ଖମ୍ବେସୁ ଗ୍ରାମର ସମାଜସେବୀ ଶାନ୍ତନୁ ମହାପାତ୍ର ଓ କାଶୀପୁରର ପରିବେଶବିତ ମୁରଲି ଗୌଡଙ୍କୁ ଉପଢୌକନ, ମାନପତ୍ର ଓ ସ୍ମାରକ ଚିହ୍ନ ଦେଇ ସମ୍ମାନିତ  କରାଯାଇଥିଲା । ଚଇତିର ଦ୍ୱିତୀୟ ସନ୍ଧ୍ୟାରେ ଉଦଘୋଷକ ଅଭିନେତା ପୁପିନ୍ଦର, ଉଦଘୋଷିକା ବେବୀରାଣୀ ନନ୍ଦ ଓ ଦମୟନ୍ତି ବହିଦାରଙ୍କ ସଂଯୋଜନାରେ ଆୟୋଜିକ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ | ଆଉ ବେଶ କିଛି ସମୟ ପାଇଁ ଚଇତି ମଣ୍ଡପ ଭିଜେଇଥିଲା ଶୃଙ୍ଗାର ଓ ବୀର ରସରେ ଆଉ ପାରମ୍ପରିକ ଲୋକନୃତ୍ୟର ଲାଳିତ୍ୟ ଓ ଛନ୍ଦରେ |  ପ୍ରଥମରେ ଗଜପତି ଜିଲ୍ଲାରୁ ଆସିଥିବା ପ୍ରିୟଙ୍କା ଗ୍ରୁପର ମାହାରୀ ନୃତ୍ୟ, ଚାଟିକଣାରୁ ଆସିଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ପାରମ୍ପାରିକ ଡଙ୍ଗରିଆ ନୃତ୍ୟ, କୋଲନରାର ସୁରଭୀ-୨ ଦ୍ୱାରା ଆଦିବାସୀ ନୃତ୍ୟ, ଭାକୁରଗୁଡା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ସରଗି ଫୁଲ -୨ ର ଆଦିବାସୀ ନୃତ୍ୟ, ସୁଦୁର ଶ୍ରୀଲଙ୍କାରୁ ଆସିଥିବା କଳାକାର ମାନଙ୍କର ଦ୍ୱାରା ପ୍ରସ୍ତୁତ ଲୋକନୃତ୍ୟ, ସୁଦୁର ନେପାଳରୁ ଆସିଥିବା କଳାକାରଙ୍କ ଦ୍ୱାରା ପରିବେଷିତ  ନେପାଳି ଲୋକନୃତ୍ୟ,  କୋଲକାତା କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ବଙ୍ଗାଳୀ ଫୁ୍ୟଜନ ଓ ଖୋର୍ଦ୍ଧାର ପାଇକ ଆଖାଡା ଦ୍ୱାରା ପରିବେଶିତ ମାର୍ଶାଲ କଳା ଇତ୍ୟାଦି ଲୋକନୃତ୍ୟ ଉପସ୍ଥିତ କଳାପ୍ରେମୀଙ୍କୁ ବହୁ ସମୟ ଧରି ବନ୍ଧି ରଖିପାରିଥିଲା ।  

 

0
0
0
s2sdefault