କିଟ୍ ଓ କିସ୍ ପାଲଟିଛି କ୍ରୀଡା ପ୍ରତିଭା ତିଆରି କାରଖାନା, ସୃଷ୍ଟି କଲାଣି ୫ ହଜାର କ୍ରୀଡା ପ୍ରତିଭା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରକୁ କିଟ୍‍ ଓ କିସ୍‍ର ଅବଦାନ ଅତୁଳନୀୟ । ଏହି ଦୁଇଟି ଶିକ୍ଷାନୁଷ୍ଠାନ  ଗତ ୧୦ବର୍ଷ ମଧ୍ୟରେ ୫ହଜାରରୁ ଉର୍ଦ୍ଧ୍ବ  କ୍ରୀଡ଼ା ପ୍ରତିଭା ସୃଷ୍ଟି କରିପାରିଛନ୍ତି ବୋଲି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି । ରବିବାର କିଟ୍‍ ଓ କିସ୍‍ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତ କହିଲେ, କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ ବିଶ୍ୱବିଦ୍ୟାଳୟର ୪ ଛାତ୍ରୀ ଏସିଆନ୍ ଗେମ୍‍ସ-୨୦୧୮ରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ କିଟ୍ ବିଶ୍ୱବିଦ୍ୟାଳୟର ଦୂତୀ ଚାନ୍ଦ୍ ଓ ଋତୁପର୍ଣ୍ଣା ପଣ୍ଡା ଏବଂ କିସ୍ ବିଶ୍ୱବିଦ୍ୟାଳୟର ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ  । ଏସିଆନ୍ ଗେମ୍‍ସ ଆଥଲେଟସରେ  ଦୂତୀ, ପୂର୍ଣ୍ଣିମା ଓ ଜଉନା ମନୋନୀତ ହୋଇଥିବାବେଳେ ବ୍ୟାଡମିଣ୍ଟନରେ   ଋତୁପର୍ଣ୍ଣା ମନୋନୀତ ହୋଇଛନ୍ତି । ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଦେଶରେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡାବିତ୍ ସୃଷ୍ଟି କରିବାରେ କିଟ୍ ଓ କିସ୍ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆଜି ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶା ଯେଉଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ସେଥିରେ କିଟ୍ ଓ କିସର  ଯୋଗଦାନ ରହିଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ଶିକ୍ଷା କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ଦେଶ ଓ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ କିସ୍ ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଶିକ୍ଷାନୁଷ୍ଠାନ  ଭାବେ ପ୍ରସିଦ୍ଧି ଲାଭ କରିଛି । କିଟ୍ ଓ କିସ୍ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ କ୍ରୀଡାକୁ ମଧ୍ୟ ସମାନ ଗୁରୁତ୍ୱ ପ୍ରଦାନ କରିଆସୁଛି । ଏହି ଦୁଇଟି ସ୍ଜିକ୍ଷାନୁଷ୍ଠାନ  ପ୍ରତିଷ୍ଠା  ହେବା ଦିନଠାରୁ ସର୍ବଦା କ୍ରୀଡା ଓ କ୍ରୀଡାବିତଙ୍କୁ ସର୍ବାଧିକ ପ୍ରୋତ୍ସାହନ ଦେଇଆସୁଛି । କ୍ରୀଡା କ୍ଷେତ୍ରରେ କିଟ୍ ଓ କିସ୍ର ସବୁଠାରୁ ବଡ ସଫଳତା ହେଉଛି ୫ହଜାର କ୍ରୀଡା ପ୍ରତିଭା ସୃଷ୍ଟି କରିବା । ସେମାନଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି ବାଳିକା । ଏମାନଙ୍କ ମଧ୍ୟରେ ୧୪ଟି କ୍ରୀଡାରେ ୭୦ରୁ ଉର୍ଦ୍ଧ୍ବ  ଆନ୍ତର୍ଜାତିକ କ୍ରୀଡାବିତ୍ ରହିଛନ୍ତି ଯେଉଁମାନେ ଅଲିମ୍ପିକ୍‍ସ, ଏସିଆଡ୍ ଏବଂ ରାଜ୍ୟଗୋଷ୍ଠୀ  କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ସେହିପରି ୨୬ଟି କ୍ରୀଡାରେ ୮୦୦ରୁ ଉର୍ଦ୍ଧ୍ବ  ଜାତୀୟସ୍ତରର କ୍ରୀଡାବିତ୍ ସୃଷ୍ଟି ହୋଇପାରିଥିବା ବେଳେ ୨୦୦୦ରୁ ଉର୍ଦ୍ଧ୍ବ  ରାଜ୍ୟସ୍ତରୀୟ କ୍ରୀଡାବିତ୍ ତିଆରି ହୋଇପାରିଛନ୍ତି । ଏହା ବ୍ୟତୀତ ୨୦୦୦ରୁ ଉର୍ଦ୍ଧ୍ବ  କ୍ରୀଡାବିତ୍ ଜାତୀୟସ୍ତରୀୟ ବିଶ୍ୱବିଦ୍ୟାଳୟ ଓ ବିଦ୍ୟାଳୟ କ୍ରୀଡାରେ ଭାଗ ନେବାର ଗୌରବ ଅର୍ଜ୍ଜନ କରିଛନ୍ତି । ଗୋଟିଏ ଅନୁଷ୍ଠାନରୁ ଏତେ ସଂଖ୍ୟକ କ୍ରୀଡା ପ୍ରତିଭା ବାହାରିବା ସମଗ୍ର ଦେଶରେ ବିରଳ । କିଟ୍ ଓ କିସ୍ର ବିଶ୍ୱସ୍ତରୀୟ ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି, ବିଭିନ୍ନ କ୍ରୀଡାରେ ଅଭିଜ୍ଞ ଓ ଖ୍ୟାତି ସମ୍ପନ୍ନ ତାଲିମଦାତାଙ୍କ ଦ୍ୱାରା ତାଲିମ ପ୍ରଦାନ ଯୋଗୁଁ ଏତେ ସଂଖ୍ୟକ କ୍ରୀଡାବିତ୍ ସୃଷ୍ଟି ହୋଇ ପାରିଛନ୍ତି ବୋଲି ଶ୍ରୀ ସାମନ୍ତ କହିଥିଲେ । କିଟ୍ ଓ କିସ୍ରେ ୧୫ଟି ଆନ୍ତର୍ଜାତିକ ମାନର ସ୍ପୋର୍ଟସ୍ କପ୍ଲେକ୍ସ ରହିଛି । ପ୍ରତ୍ୟେକ ସ୍ପୋର୍ଟସ୍ କପ୍ଲେକ୍ସରେ ଜିମ୍, ସୁଇମିଂ ପୁଲ୍, ଭଲିବଲ୍, ବାସ୍କେଟବଲ  ଓ ଟେନିସ୍ର ସିନ୍ଥେଟିକ୍ସ କୋର୍ଟ ରହିଥିବା ବେଳେ ଇନ୍ଡୋର୍ ବ୍ୟାଡମିଣ୍ଟନ, ବିଲିୟାର୍ଡସ୍, ଟେବୁଲ୍ ଟେନିସ ସ୍କୁୱାକ୍ସ କୋର୍ଟ ଏବଂ ସ୍ୱତନ୍ତ୍ର ଯୋଗ ହଲ ରହିଛି । ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍ପୋର୍ଟସ୍ କମ୍ଲେକ୍ସ ରହିଛି । ଏହା ବ୍ୟତୀତ  ବିସିସିଆଇ ସ୍ୱୀକୃତିପ୍ରାପ୍ତ କ୍ରିକେଟ୍ ଷ୍ଟାଡିୟମ୍, ଏଫଆଇଏଚ୍ ସାର୍ଟିଫିକେଟ୍ ପ୍ରାପ୍ତ ହକି ଷ୍ଟାଡିଅମ୍ ନିର୍ମାଣ କରାଯାଇଛି । ସେହିପରି ଫୁଟ୍ବଲ୍ ଷ୍ଟାଡିଅମ୍, ଅଲିମ୍ପିକ୍ ସାଇଜ ସୁଇମିଂ ପୁଲ୍, ଆନ୍ତର୍ଜାତିକ ତୀରନ୍ଦାଜୀ ଷ୍ଟାଡିୟମ୍, ଆନ୍ତର୍ଜାତିକ ଚେସ୍ ହଲ୍, ଆଉଟ୍ଡୋର୍ ଫ୍ଲଡ୍ ଲାଇଟ୍ ଟେନିସ୍, ବାସ୍କେଟ୍ବଲ୍, ଭଲିବଲ୍ ପାଇଁ ସିନ୍ଥେଟିକ୍ କୋର୍ଟ ସହ ୪୦୦ ମିଟରର ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍, ଜୁଡୋ ହଲ୍ ଓ ବକ୍ସିଂ ରିଙ୍ଗ୍ ମଧ୍ୟ ଉପଲବ୍ଧ । ଅତ୍ୟାଧୁନିକ କ୍ରୀଡା ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହୋଇପାରୁଥିବାରୁ ଗତ ୧୦ ବର୍ଷ ମଧ୍ୟରେ କିଟ୍ ଓ କିସରେ  ଶତାଧିକ ଜାତୀୟ, ଅନ୍ତର୍ଜାତୀୟ ଓ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ  ହୋଇସାରିଛି । ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି, ପ୍ରାକ୍ତନ ରାଜ୍ୟସଭା ସାଂସଦ ଦିଲିପ ତିର୍କୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମହାନଗର ନିଗମ ମେୟର ଅନନ୍ତ ନାରାୟଣ ଜେନା, ଭାରତରେ ଅବସ୍ଥାପିତ ବଲଭିଆର ରାଷ୍ଟ୍ରଦୂତ ଡାରିଓ ଆରିସ୍ପେ ବାରିଏଣ୍ଟୋସ, ବଲଭିଆ ଏମ୍ବାସୀର କାଉନ୍‍ସିଲର୍‍ ଜୁଆନ୍‍ ଜୋସ୍‍ କୋର୍‍ତେଜ ରୋଜାସ୍‍ ଏବଂ ଭାରତସ୍ଥିତ ଏଲ୍‍ ସାଲ୍‍ଭେଡର ଗଣରାଜ୍ୟର ରାଷ୍ଟ୍ରଦୂତ ଏରିଏଲ୍‍ ଅଣ୍ଡେ୍ରଡ୍‍ ଗାଲିନେ୍ଦା, କ୍ରୀଡ଼ାବିତ୍‍ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅନୁରାଧା ବିଶ୍ୱାଳ, ପ୍ରଣତୀ ମିଶ୍ର, ଦେବାଶିଷ ମହାନ୍ତି, ରଶ୍ମିତା ଜେନା, ଜୟଶ୍ରୀ ସ୍ୱାଇଁ, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘର ସଭାପତି କେ ରବି,  ସିନେ ତାରକା ବର୍ଷା ପି୍ରୟଦର୍ଶିନୀ, ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗଦେଇ ଏସିଆନ୍‍ ଗେମ୍‍ସ ୨୦୧୮କୁ ମନୋନୀତ ହୋଇଥିବା କିଟ୍‍ ଓ କିସ୍‍ ଛାତ୍ରୀ ଦୂତୀ ଚାନ୍ଦ ଓ ଋତୁପର୍ଣ୍ଣା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

0
0
0
s2sdefault