ହେଡଲାଇନସ୍:

ଓଡ଼ିଶାର ହକି ଖେଳାଳିଙ୍କୁ ଓଡ଼ିଶାରେ ଚାକିରି ସୁଯୋଗ ନମିଳିବା କ୍ଷୋଭର ବିଷୟ :  ଶ୍ରୀ ବାର୍ଲା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ

 

02-07-18-HAKI.jpg - 58.42 kB

"ଓଡ଼ିଶାରେ ହକି ଖେଳାଳି ଝିଅ ଭଳି ବିବେଚନା ହେଉଛନ୍ତି । ଯେମିତି ଝିଅକୁ ବଡ଼ କରି ପର ଘରକୁ ବିବାହ କରିଦିଆଯାଏ ସେହିଭଳି ହକି ଖେଳାଳି ଓଡ଼ିଶାରେ ବଢ଼ି ଓଡ଼ିଶାରେ ଖେଳି ଚାକିରି ପାଇଁ ଅନ୍ୟ ରାଜ୍ୟକୁ ଚାଲି ଯାଉଛନ୍ତି ।" 

ରାଉରକେଲା/ ଶୁଶାନ୍ତ ବେହେରା  : କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତରେ ସୁନ୍ଦରଗଡ଼ ହକିର ଗଡ଼ ହୋଇପାରିଛି । ତେବେ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କରେ ଏହି ଖେଳର ବିକାଶ ହୋଇପାରି ନାହିଁ । ଏଥିପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ଏ ଦିଗରେ କ୍ରୀଡ଼ା ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏମାନେ ନିଜ ଲେଖନୀରେ ହକିର ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ଉଦ୍ୟମ କରିବା ଆବଶ୍ୟକ । ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ ସରକାରୀ ତଥା ବେସରକାରୀସ୍ତରରେ ଉଦ୍ୟମ ହେଉଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରେ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ବିଗତ ବର୍ଷମାନଙ୍କରେ ଏହି ଜିଲ୍ଲାରୁ ୬୦ରୁ ଉର୍ଧ୍ଵ ପୁରୁଷ ଓ ମହିଳା ଆନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇପାରିଛନ୍ତି । ସେହିଭଳି ଏମାନଙ୍କ ମଧ୍ୟରେ ଅନେକ ଅଲିମ୍ପିଅନ୍, ପଦ୍ମଶ୍ରୀ, ଅର୍ଜୁନ ପୁରୁଷ୍କାରପ୍ରାପ୍ତ ହକି ତାରକା ରହିଛନ୍ତି । ବିଗତ ଦିନର ଆନ୍ତର୍ଜାତୀୟ ଖେଳାଳିମାନଙ୍କୁ ନେଇ ସରକାର ଅନ୍ୟ ଜିଲ୍ଲାମାନଙ୍କରେ ହକିର ବିକାଶ ପାଇଁ ଉଦ୍ୟମ କରିବା ସହ ହକି ଖେଳାଳିଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେଲେ ଏହି ଖେଳରେ ଓଡ଼ିଶା ସମଗ୍ର ଦେଶରେ ଏକ ହକି ସାମ୍ରାଜ୍ୟ ଭାବେ ପରିଗଣିତ ହୋଇପାରିବ ବୋଲି ଆଜି ସ୍ଥାନୀୟ ବସ୍ତିଆଭବନ ପରିସରରେ କ୍ରୀଡ଼ା ସାମ୍ବାଦିକ ସଂଘ ଓଡ଼ିଶା ଆନୁକୂଲ୍ୟରେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ଅବସରରେ  ଆଲୋଚନାଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ଜାତୀୟ ଖେଳର ବିକାଶ ଦିଗରେ କ୍ରୀଡ଼ା ସାମ୍ବାଦିକଙ୍କ ଦାୟିତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ ଓ ପ୍ରତ୍ୟେକ କ୍ରୀଡ଼ା ସାମ୍ବାଦିକ ହକି ପ୍ରତିଭାଙ୍କୁ ସେମାନଙ୍କ ଲେଖାଦ୍ୱାରା ଉତ୍ସାହିତ କରିବା ଆବଶ୍ୟକ ବୋଲି ଅତିଥିମାନେ କହିଥିଲେ ।

‘ଗ୍ରାମାଞ୍ଚଳରେ ହକିର ବିକାଶ’ ଶୀର୍ଷକ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଆଇଟିଡିଏ ପ୍ରକଳ୍ପ ପରିଚାଳକ ଟୁକୁ ବାରିକ ସମ୍ମାନିତ ଅତିଥି ଭାବେ ହକି ଅଲିମ୍ପିଅନ ଲାଜରୁଶ ବାର୍ଲା, ଆନ୍ତର୍ଜାତୀୟ ହକି ଖେଳାଳି ସୁଭଦ୍ରା ପ୍ରଧାନ, ପୁନମ ଟପ୍ପୋ, ରୋଜାଲିନ ଡୁଙ୍ଗଡୁଙ୍ଗ ଓ ସୁନାମଧନ୍ୟ ହକି କୋଚ ଅମୂଲ୍ୟାନନ୍ଦ ବିହାରୀ ଯୋଗ ଦେଇଥିଲେ । ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଡିଜିଏମ୍ ଲୋକସମ୍ପର୍କ ବିଭାଗ ଅଧିକାରୀ ରମେନ୍ଦ୍ର କୁମାର ଯୋଗଦେଇ ଆସନ୍ତା ମହିଳା ହକି ବିଶ୍ୱକପ୍ ପାଇଁ ଭାରତୀୟ ମହିଳା ଦଳକୁ ଶୁଭେଚ୍ଛା ଜଣାଇବା ସହ ଦଳ ପାଇଁ ନିଜର କବିତା ପାଠ କରିଥିଲେ । ଆଗାମୀ ଦିନରେ ହକିର ବିକାଶ ପାଇଁ ଯାହା ତାଙ୍କ ପକ୍ଷେ ସମ୍ଭବ ହୋଇପାରିବ ସେ ନିଦ୍ୱନ୍ଦ୍ୱର୍ରେ ତାହା କରିବେ ବୋଲି କହିଥିଲେ । ସେହିଭଳି ତୃଣମୂଳସ୍ତରୁ ହକି ପ୍ରତିଭା ସୃଷ୍ଟି ପାଇଁ ଉଦ୍ୟମ ହେଲେ ବହୁ ଧ୍ୟାନଚାନ୍ଦଙ୍କୁ ଦେଖିବାକୁ ମିଳିବ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ବାରିକ ତାଙ୍କ ବକ୍ତବ୍ୟରେ ସୁନ୍ଦରଗଡ଼ରେ ହକିର ବିକାଶ ପାଇଁ ଯେଉଁଭଳି କାର୍ଯ୍ୟ କରାଯାଉଛି ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର କେତୋଟି ଜିଲ୍ଲାକୁ ପାଇଲଟ ଜିଲ୍ଲା ଭାବେ ଗ୍ରହଣ କରି ହକିର ବିକାଶ ପାଇଁ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ବାର୍ଲା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କର୍ପୋରେଟ୍ ସଂସ୍ଥାମାନେ ହକିର ବିକାଶ ପାଇଁ ନିଜ ସଂସ୍ଥାରେ ହକି ଖେଳାଳିଙ୍କ ପାଇଁ ଚାକିରି ସଂରକ୍ଷଣ କଲେ ମଧ୍ୟ ହକି ପ୍ରତି ବହୁ ଖେଳାଳି ଆକୃଷ୍ଟ ହୋଇପାରିବେ । ତେବେ ଓଡ଼ିଶାର ହକି ଖେଳାଳିଙ୍କୁ ଓଡ଼ିଶାରେ ଚାକିରି ସୁଯୋଗ ନମିଳିବା କ୍ଷୋଭର ବିଷୟ ବୋଲି ଶ୍ରୀ ବାର୍ଲା କହିଥିଲେ ।

ଓଡ଼ିଶା ହକି ଖେଳାଳି ଝିଅ ଭଳି ବିବେଚନା ହେଉଛନ୍ତି । ଯେମିତି ଝିଅକୁ ବଡ଼ କରି ପର ଘରକୁ ବିବାହ କରିଦିଆଯାଏ ସେହିଭଳି ହକି ଖେଳାଳି ଓଡ଼ିଶାରେ ବଢ଼ି ଓଡ଼ିଶାରେ ଖେଳି ଚାକିରି ପାଇଁ ଅନ୍ୟରାଜ୍ୟକୁ ଚାଲି ଯାଉଛନ୍ତି । ଏହି ସଭାରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ସଭାପତି ପୀତବାସ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ କ୍ରୀଡ଼ା ସାମ୍ବାଦିକ ସଂଘ ଓଡ଼ିଶାର ସଂଯୋଜକ ସୁଶାନ୍ତ ବେହେରା ଅତିଥି ପରିଚୟ ଓ ପ୍ରରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଉତ୍ସବ ପ୍ରାରମ୍ଭରେ ସଂଘ ଉପସଭାପତି ଅଜୟ ବେହେରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ  ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ଜୀବନଜ୍ୟୋତି ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ୨୦ରୁ ଉର୍ଧ୍ଵ  ସଦସ୍ୟ ଯୋଗ ଦେଇଥିଲେ । ଆହ୍ଲାଦ କୁମାର ମହାନ୍ତି, ସୁଶାନ୍ତ ଜେନା, ଲିଙ୍ଗରାଜ ପୃଷ୍ଟି, ମେହବୁବ ମହତାବ, ଅର୍ଜୁନ ମୁଦୁଲି, ପ୍ରମୋଦ ପରିଡ଼ା, ବିରଂଚି ସେଠ କାର୍ଯ୍ୟକ୍ରମ  ପରିଚାଳନାରେ ଅଂଶଗ୍ରହଣ କରିବା ସହ ଆଲୋଚନାଚକ୍ରରେ ଭାଗ ନେଇଥିଲେ ।

 

0
0
0
s2sdefault