ବ୍ୟାସନଗରରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବ୍ରହ୍ମପୁରର ଉଦୟନାଥ ମଲ୍ଲିକ ରାଜ୍ୟସ୍ତରୀୟ ଚମ୍ପିୟାନ, ବିଶ୍ବରଞ୍ଜନ ପାତ୍ର  ଜିଲ୍ଲାସ୍ତରୀୟ ଚମ୍ପିୟାନ

Vyasanagar1.jpg - 126.84 kB
ବ୍ୟାସନଗର/ ଜୟଶଙ୍କର ଦାସ : ଯାଜପୁର ବଡି ବିଲ୍ଡିଂ ଆସୋସିଏସନ ଆନୁକୂଲ୍ୟରେ ବ୍ୟାସନଗର ସ୍ଥିତ ବ୍ୟାସଦେବ ଟାଉନହଲ ଠାରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ଯାଜପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଭାବାନ ବଡି ବିଲଡର ଯୁବକ ଅଂଶଗ୍ରହଣ କରିଥିଲେ । ରବିବାର ସଂନ୍ଧ୍ୟାରେ ଆୟୋଜିତ ଏହି ପ୍ରତିଯୋଗୀତାରେ ଯାଜପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳର ବଡି ବିଲଡର ମାନେ ଅଂଶଗ୍ରହଣ କରିଥିଲେ । ଉଭୟ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ୪ଟି ଲେଖାଏଁ ପର୍ଯ୍ୟାୟ ପ୍ରତିଯୋଗୀତା କରାଯାଇଥିଲା । ତେବେ ପ୍ରତିଟି ପର୍ଯ୍ୟାୟରେ ହୋଇଥିଲା ଜୋରଦାର ପ୍ରତିଯୋଗୀତା । ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ଯାଜପୁର ସମେତ ରାଉରକେଲା, ରାୟଗଡ, ସମ୍ବଲପୁର, ବ୍ରହ୍ମପୁର, ପୁରୀ, ସୁନ୍ଦରଗଡ ପ୍ରଭୃତି ଜିଲ୍ଲାର ପ୍ରତିଯୋଗୀ ମାନେ । ଉପସ୍ଥିତ ବିଚାରକମଣ୍ଡଳୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତିଯୋଗୀ ମାନେ ପ୍ରଦର୍ଶନ କରିଥିଲେ ଶରୀରର ବିଭିନ୍ନ ମାଂସପେଶୀୟ ସଂଚାଳନ ଓ କୌଶଳ । ଏଥିପାଇଁ ସେମାନଙ୍କୁ ଦୀର୍ଘ ଦିନର ଅଭ୍ୟାସ କରିବାକୁ ପଡିଥିଲା । ଅତିଥି ମାନଙ୍କ ଦ୍ବାରା କୃତି ପ୍ରତିଯୋଗୀଙ୍କୁ ମିଳିଥିଲା ଟ୍ରଫି ଓ ଅର୍ଥ ପୁରଷ୍କାର । ଏହି ଅବସରରେ ପୁରଷ୍କୃତ ହୋଇଥିବା ପ୍ରତିଭା ମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କଟକ ବାଣିଜ୍ୟକର ସହକାରୀ ଆୟୁକ୍ତ ପିୟୁଷକାନ୍ତ ପାଣି । ଏଥିରେ ଯାଜପୁର ରୋଡ ଥାନା ଅଧିକାରୀ ଅମିତାବ ମହାପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆସୋସିଏସନର ଏଭଳି ପ୍ରୟାସକୁ ସ୍ବାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ ଯାଜପୁର ବଡି ବିଲ୍ଡିଂ ଆସୋସିଏସନର ଉପଦେଷ୍ଟା ତଥା ଯାଜପୁର ରୋଡ ପ୍ରେସକ୍ଲବ ସଭାପତି ସାମ୍ବାଦିକ ସୁଜିତ୍ କୁମାର ମଲ୍ଲିକ୍ । ବରିଷ୍ଠ ସଭ୍ୟ ରମେଶ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆସୋସିଏସନର ସମ୍ପାଦକ ପ୍ରଭାତ କୁମାର ବଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଆସୋସିଏସନର ସଭାପତି ଅଯୋଧ୍ୟାନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ବ୍ରହ୍ମପୁରର ଉଦୟନାଥ ମଲ୍ଲିକ ଚମ୍ପିୟାନ ହୋଇଥିବା ବେଳେ ପୁରୀର ମହେଶ୍ବର ସାହୁ ୨ୟ ସ୍ଥାନ ଏବଂ କିଶୋର ସିଂ ୩ୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଜିଲ୍ଲାସ୍ତରୀୟ ପ୍ରତିଯୋଗୀତାରେ ବିଶ୍ବରଞ୍ଜନ ପାତ୍ର ଚମ୍ପିୟାନ ହୋଇଥିବା ବେଳେ ଅକ୍ଷୟ ମଲ୍ଲିକ୍ ୨ୟ ଓ ରଞ୍ଜନ ମହାପାତ୍ର ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଏହି ପ୍ରତିଯୋଗୀତାର ବିଚାରକ ମଣ୍ଡଳୀରେ ସ୍ଥାନପାଇଥିଲେ ଜାତୀୟ ସ୍ତରୀୟ ବିଚାରକ ତଥା ଓଡିଶା ବଡି ବିଲ୍ଡିଂ ଆସୋସିଏସନର ଉପସଭାପତି ସୁଶାନ୍ତ ମାଡଲା, ଗଞ୍ଜାମ ବଡି ବିଲ୍ଡିଂ ଆସୋସିଏସନର ସଭାପତି ବରୁଣ କୁମାର ପାଣିଗ୍ରାହୀ, ଦୁର୍ଗାଚରଣ ଶତପଥୀ, ରାଜ୍ୟସ୍ତରୀୟ ବିଚାରକ ସଚିନ ମହାରଣା, ମିକୁ କୁମାର ନାୟକ, ନାରାୟଣ ପଟ୍ଟନାୟକ, ସଫଲ କୁମାର ସାହୁ, ରାଜେଶ ମୋହନ ପଟ୍ଟନାୟକ ଓ କୃତାର୍ଥ କୁମାର ଦଳାଇ ପ୍ରମୁଖ ଜଜ୍ ଭାବେ ସ୍ଥାନ ପାଇଥିଲେ । ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ ଜିଲ୍ଲା ତଥା ରାଜ୍ୟର ୫୦ ରୁ ଉର୍ଦ୍ଧ ପ୍ରତିଭାବାନ ଯୁବକ । ପ୍ରତିଯୋଗୀ ଯୁବକ ମାନଙ୍କ ସ୍ବାସ୍ଥ୍ୟ ପ୍ରଦର୍ଶନ ବେଶ ଆକର୍ଷଣୀୟ ଓ ମନମୁଗ୍ଧକର ହୋଇଥିଲା । କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଟାଉନହଲ ପ୍ରେକ୍ଷାଳୟ ଗୃହରେ ଦର୍ଶକଙ୍କ ଭିଡ ଜମିଥିଲା । ପ୍ରଦର୍ଶନ ବେଳେ ହଲଟି ଦର୍ଶକଙ୍କ କରତାଳି ଓ ହୁଇସିଲ ଶବ୍ଦରେ ଫାଟି ପଡୁଥିଲା । ଏହି ଅବସରରେ ଆସୋସିଏସନ ପକ୍ଷରୁ ନରେଶ ଆମ୍ରୋଜୀ, କିଶୋର କୁମାର ରାଉତ, ଶୁଭଲକ୍ଷ୍ମୀ ସ୍ବାଇଁ, ପ୍ରିୟବ୍ରତ ମହାପାତ୍ର, ମନମୋହନ ଅଗ୍ରୱାଲ, ମନୋଜ କୁମାର ଜାମୁଦା, ରଶ୍ମିରେଖା ନାୟକ, ସୁଦିପ୍ କୁମାର ମିଶ୍ର, ବାଲମୁକୁନ୍ଦ ଗୁପ୍ତା, ରାଜ କୁମାର ସ୍ବାଇଁ ଓ ବିଦ୍ୟାଧର ପଲାର ପ୍ରମୁଖ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗାମୀ ଦିନରେ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ଆୟୋଜକ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହେଶ୍ବର ନାୟକ, ରଶ୍ମିରଞ୍ଜନ ଓଝା, ଶ୍ୟାମଳେନ୍ଦୁ ପାତ୍ର, ଜ୍ଞାନରଞ୍ଜନ ଓଝା, ରଞ୍ଜନ ମହାପାତ୍ର ଓ ଧନଞ୍ଜୟ ବେହେରା ପ୍ରମୁଖ ସଦସ୍ୟ ଗଣ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭ ଓ ଶେଷରେ କୁନି କୁନି କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।


0
0
0
s2sdefault