ଜୟୀ ରାଜଗୁରୁ ପ୍ରସଙ୍ଗ: ଏଥର ଦାମଙ୍କ ଟାର୍ଗେଟରେ ଧର୍ମେନ୍ଦ୍ର ଓ ଗଜପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଦୁଇ ଶହ ବର୍ଷ ଭିତରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହକୁ ହିସାବକୁ ନିଆଗଲା ନାହିଁ କାହିଁକି ? ପୁଣି ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାନଯାଇ ୧୮୫୭ ମସିହାରେ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଚିତ୍ରଣ କରାଗଲା । ଏ ବାବଦରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ମାନ୍ୟବର ଗଜପତି ମହୋଦୟ ନିରବ ରହିଥିଲେ କାହିଁକି ?ତେବେ ୨୦୦ ବର୍ଷ ପରେ ଏ ବିଷୟରେ ଯେଉଁମାନେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନେ ଥିଲେ କେଉଁଠି ? ଇତିହାସକୁ ଭ୍ରମାତ୍ମକ ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରି ସ୍ୱାର୍ଥ ହାସଲ କରିବା ପାଈଁ ଉଦ୍ୟମ କରୁଛି କିଏ ???

 

ଭୁବନେଶ୍ୱର : ଜୟୀ ରାଜଗୁରୁଙ୍କ ପ୍ରସଙ୍ଗରେ ବିଜେପି ତଥା ଅନ୍ୟ କିଛି ବ୍ୟକ୍ତିଙ୍କ ପ୍ରାୟୋଜିତ ଆକ୍ରମଣ ବେଳେ ବିଜେଡି ନିରବ ରହିଥିବା ପରିପ୍ରେକ୍ଷୀରେ ଏକାକୀ ପଡ଼ିଯାଇଥିବା ବରିଷ୍ଠ ମନ୍ତ୍ରୀ ଦାମ ବାବୁ ଏକାକିହିଁ ଲଢ଼ିବା ପାଇଁ ଆଣ୍ଟ ବାନ୍ଧିଛନ୍ତି. ଆଉ ସେଇଠାରେ କେନ୍ଦ୍ରମନ୍ତ୍ରୀ ଓ ଗଜପତିଙ୍କୁ ଟାର୍ଗେଟ କରିଛନ୍ତି ! ଇତିହାସର ତଥ୍ୟ କୁ ଅବତାରଣା କରି ଦାମବାବୁ କହିଛନ୍ତି ଯେ ୧୬୦୩ ମସିହା ବେଳକୁ କଲିକତାରେ ଇଂରେଜମାନେ ଶାସନ କରୁଥିଲେ  ଏବଂ ହୁଗୁଳି ନଦୀକୁ ଖୋଳି ଖିଦିରପୁରଠାରେ ବନ୍ଦର ନିର୍ମାଣ କଲେ । ସେତେବେଳେ ଓଡ଼ିଶା ଉପକୂଳରେ ଛୋଟବଡ଼ ପ୍ରାୟ ୫୦ଟି ନଦୀ ମୁହାଣ ଥିଲା  ଏବଂ ପ୍ରାୟ ୨୫୦୦ରୁ ୩୦୦୦ ବର୍ଷ ପୂର୍ବରୁ ସେଠାରୁ ପାଲଟଣା ବୋଇତରେ ଓଡ଼ିଶାର ସାଧବ ପୁଅମାନେ ସାତ ସମୁଦ୍ର ପାର ହୋଇ ସୁଦୂର ଇଣ୍ଡୋନେସିଆ, ମାଲେସିଆ, ଚୀନ, ଜାପାନଠାରୁ ଆରମ୍ଭ କରି ଶ୍ରୀଲଙ୍କା, ବର୍ମା, ଥାଇଲ୍ୟାଣ୍ଡ ଆଦି ଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ଏଭଳି ସୁବିଧା ଥିବାବେଳେ ଇଂରେଜମାନେ ସବୁ ବିଦେଶୀ ଜାହାଜକୁ ହୁଗୁଳି ନଦୀ ମୁହାଣରେ ଖିଦିରପୁର ନଦୀ ବନ୍ଦରକୁ ଜାହାଜ କାହିଁକି ନେଲେ ଏବଂ ହଜାର ହଜାର ବର୍ଷର କଳିଙ୍ଗ ସାଗର କେଉଁ କାରଣରୁ ବଙ୍ଗୋପ ସାଗର ନାମରେ ନାମିତ ହେଲା । ତାହାର କାରଣ କଣ ଥିଲା  ? ସେ କଥା କିଏ ଚିନ୍ତା କରିଛି କି ? ତେବେ କଲିକତା ସୀମାକୁ ଲାଗିଛି ଓଡ଼ିଶାର ବାଲେଶ୍ୱର ଜିଲ୍ଲା । ସେତେବେଳର ବାଲେଶ୍ୱର, କଟକ ଏବଂ ଖୋର୍ଦ୍ଧା ଥିଲା ମୋଗଲ ବନ୍ଦୀ ଅଞ୍ଚଳ । ଏତେ ପାଖରେ ଥାଇ ବି ଓଡ଼ିଶାରେ ଇଂରେଜମାନେ ୧୮୦୩ ମସିହା ପର୍ଯ୍ୟନ୍ତ ଖୋର୍ଦ୍ଧାକୁ ଆସିନଥିଲେ କାହିଁକି ? ଏବଂ ୧୮୦୩ ମସିହାରେ ଖୋର୍ଦ୍ଧା ଆସିବା ବାଟରେ ଉପରୋକ୍ତ ତିନି ମୋଗଲ ବନ୍ଦୀ ରାଜ୍ୟ ଏବଂ ସନ୍ନିକଟ ନୀଳଗିରି ଆଦି ଗଡ଼ଜାତ ରାଜ୍ୟକୁ ମଧ୍ୟ ଦଖଲ କରିପାରିନଥିଲେ । ମାତ୍ର ବର୍ଷେ ନପୁରୁଣୁ ଖୋର୍ଦ୍ଧାର ରାଜା ଦ୍ୱିତୀୟ ମୁକୁନ୍ଦ ଦେବ ଏବଂ ତାଙ୍କର ମନ୍ତ୍ରୀ ଜୟୀ ରାଜଗୁରୁ କେଉଁ କାରଣରୁ ଇଂରେଜ ବିରୁଦ୍ଧରେ ବିଦ୍ରୋହ ଘୋଷଣା କଲେ ଏବଂ ଏହି ବିଦ୍ରୋହକୁ କେବଳ ଖୋର୍ଦ୍ଧା, କୁଜଙ୍ଗ ଏବଂ କନିକା ରାଜ୍ୟ ବ୍ୟତୀତ ଅନ୍ୟ କେହି କାହିଁକି ସମର୍ଥନ ଦେଲେ ନାହିଁ । ଏ ବିଦ୍ରୋହ ମାତ୍ର କେଇଦିନ ଚାଲିଲା ପରେ ଇଂରେଜମାନେ ତାଙ୍କର ସେହି ବିଦ୍ରୋହକୁ ଦମନ କରି ଅତି ବିଭତ୍ସ ଭାବରେ ବରଗଛର ଦୁଇ ଡ଼ାଳରେ ଦୁଇ ଗୋଡ଼ ବାନ୍ଧି ଜୟୀ ରାଜଗୁରୁଙ୍କୁ ଫାଶୀ ଦେଲେ । ଏହା ବିଶ୍ୱର ଜଘନ୍ୟତମ ଫାଶୀ ଦଣ୍ଡ । ଏହି ବିଦ୍ରୋହରେ କୁଜଙ୍ଗର ରାଜା ଚନ୍ଦ୍ରଧ୍ୱଜ ବନ୍ଦୀ ହେଲେ । ମରିଚିପୁରର ଖଣ୍ଡାୟତ ସର୍ଦ୍ଦାର ମଙ୍ଗରାଜ ଓ ପରମଗୁରୁ ଆଦି ମଧ୍ୟ ଫାଶୀ ପାଇଲେ । ତାପରେ ୧୮୧୭ ମସିହାରେ ବକ୍ସିଜଗବନ୍ଧୁ ବିଦ୍ୟାଧର ଓ ଚିଲିକାର କୁତ୍ତିବାସ ପାଟ୍ଟଶାଣୀ ଖୋର୍ଦ୍ଧା ରାଜ୍ୟର ପାଇକ, ଦଳେଇ, ଦଳବେହେରା ଆଦିଙ୍କୁ ସଂଗଠିତ କରି ଓଡ଼ିଶାରୁ ବି୍ରଟିଶ ଶାସନ ହଟାଇବା ପାଇଁ ଶସସ୍ତ୍ର ପାଇକ ବିଦ୍ରୋହ ଆରମ୍ଭ କଲେ । ଦୀର୍ଘ ୧୦ବର୍ଷ ଧରି ଏହି ବିଦ୍ରୋହ ଚାଲିଲା । ଏହି ବିଦ୍ରୋହରୁ ଇଂରେଜ ବିରୋଧୀ ପଦଧ୍ୱନି ପରବର୍ତ୍ତୀ କାଳରେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦିଗକୁ ସମ୍ପ୍ରସାରିତ ହେଲା । ଦଶବର୍ଷ ଧରି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୋଧୀ ବିଦ୍ରୋହକୁ ଐତିହାସିକମାନେ ପାଇକ ବିଦ୍ରୋହଭାବେ ୧୮୧୭ରୁ ୧୮୨୭ ବୋଲି ଗ୍ରହଣ କରି ଇତିହାସ ଲେଖିଲେ । ଏହା ଭିତରେ ୨୦୦ ବର୍ଷ ବିତିଗଲାଣି । ଏବେ ବି ପାଇକମାନଙ୍କ ସମରକଳା ପ୍ରଦର୍ଶନ ଲୋକଙ୍କ ମନରେ ଉଦ୍ବେଳନ ସୃଷ୍ଟି କରିଥାଏ । ତେବେ ବିଦ୍ରୋହ ଚାଲିଥିଲାବେଳକୁ ଓଡ଼ିଶାର ଦକ୍ଷିଣାଞ୍ଚଳକୁ ନେଇ ମାଡ଼୍ରାସ ପ୍ରେସିଡେ଼ନ୍ସି, ଉତ୍ତରରେ ଏବଂ ପଶ୍ଚିମରେ ଇଂରେଜ ଶାସନ ପ୍ରତିଷ୍ଠିତ ହୋଇଥିଲେ ବି ୧୮୦୩ ମସିହାଯାଏଁ ସେମାନେ ଓଡ଼ିଶାର ମୋଗଲବନ୍ଦୀ ଅଞ୍ଚଳରେ ପ୍ରବେଶ କରିପାରିନଥିଲେ । ଏହା ଇତିହାସରେ ଲିପିବଦ୍ଧ ଘଟଣାବଳୀ । ତେବେ ଏଇ ଦୁଇ ଶହ ବର୍ଷ ଭିତରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ସଂଗଠିତ ପାଇକ ବିଦ୍ରୋହକୁ ହିସାବକୁ ନିଆଗଲା ନାହିଁ କାହିଁକି ? ପୁଣି ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାନଯାଇ ୧୮୫୭ ମସିହାରେ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଚିତ୍ରଣ କରାଗଲା । ଏ ବାବଦରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ମାନ୍ୟବର ଗଜପତି ମହୋଦୟ ନିରବ ରହିଥିଲେ କାହିଁକି ? ଏ କଥା ଅବଶ୍ୟ ସ୍ୱୀକାର୍ଯ୍ୟ ସ୍ୱର୍ଗତ ଜୟୀ ରାଜଗୁରୁ ଜଣେ ଉତ୍ସର୍ଗୀକୃତ ଜଗନ୍ନାଥ ପ୍ରେମୀ ଏବଂ ଜଗନ୍ନାଥ ସଂସ୍କୃତିର ଅଗ୍ରଦୂତ ଭାବେ ଖୋର୍ଦ୍ଧା, କୁଜଙ୍ଗ ଏବଂ କନିକା ରାଜ୍ୟର ପ୍ରଜାମାନଙ୍କର ପୂଜ୍ୟ ଭାବରେ ସମ୍ମାନ ଓ ପୂଜା ପାଉଥିବେ  । ଇଂରେଜମାନଙ୍କ ଦ୍ୱାରା ଯେଭଳି ବିଭତ୍ସ ଭାବରେ ଫାଶୀ ପାଇଲେ ତାଙ୍କୁ ବି୍ରଟିଶ ବିରୋଧୀ ଶହୀଦ୍ ଭାବରେ ନିର୍ବିବାଦରେ କୁହାଯାଇଥାଏ । କିନ୍ତୁ ତାଙ୍କ ବିଦ୍ରୋହକୁ ପାଇକ ବିଦ୍ରୋହ ଭାବରେ ହିସାବ କରାନଯାଇ ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ବିଦ୍ରୋହକୁ ପାଇକ ବିଦ୍ରୋହ ଭାବେ କାହିଁକି ସ୍ୱୀକାର କରାଗଲା । ତେବେ ୨୦୦ ବର୍ଷ ପରେ ଏ ବିଷୟରେ ଯେଉଁମାନେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନେ ଥିଲେ କେଉଁଠି ? ଇତିହାସକୁ ଭ୍ରମାତ୍ମକ ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରି ସ୍ୱାର୍ଥ ହାସଲ କରିବାର ଅଭିପ୍ସା ଉଚିତ୍ କି ନାହିଁ ସୁଧିଜନେ ବିଚାର କରନ୍ତୁ ବୋଲି ଦାମ ବାବୁ କହିଛନ୍ତି !

0
0
0
s2sdefault