ହେଡଲାଇନସ୍:

ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂଙ୍କୁ ବିଜେଡି ସମ୍ପାଦକ ବିଜୟଙ୍କ ଜବାବ : ଚାଷୀକୁଳକୁ ଧୋକା ଦେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଚି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଚାଷୀ ଆତ୍ମହତ୍ୟା ନିଶ୍ଚିତ ଦୁଃଖଦାୟକ,ହେଲେ ଚାଷୀର ଭାବପ୍ରବଣତାକୁ ନେଇ ରାଜନୀତି ଲଜ୍ଜ୍ୟାଜନକ

ଅରୁଣ ସିଂ ଆଗ ନିଜ ଅଗଣାକୁ ଦେଖନ୍ତୁ, ମହାରାଷ୍ଟ୍ରରେ କେତେ ଚାଷୀ ଆତ୍ମହତ୍ୟା କଲେଣି ?

ଚାଷୀଙ୍କ ପ୍ରତି ବିଜେପିର କେତେ ଦରଦ ତାହା ମଧ୍ୟପ୍ରଦେଶରେ ପ୍ରମାଣିତ ହୋଇଛି

ଭୁବନେଶ୍ୱର/chakradhar majhi :ହଜାରେ ମୂଷା ଖାଇ ବିଲେଇ ତୀର୍ଥ କରି ଗଲାପରି ଚାଷୀଙ୍କ ସମ୍ପର୍କରେ ବୟାନ ଦେଇଛନ୍ତି ବିଜେପିର ଓଡିଶା ପ୍ରଭାରୀ ଅରୁଣ ସିଂ ।  ଯେ କୌଣସି ଆତ୍ମହତ୍ୟା ନିଶ୍ଚିତ ରୂପେ ଦୁଃଖଦାୟକ ଏବଂ ଚାଷୀର ଆତ୍ମହତ୍ୟା ଆହୁରି ଦୁଃଖଦାୟକ । ଏହି ଆତ୍ମହତ୍ୟାକୁ ନେଇ ବିଜେପି ଯେଉଁ ରାଜନୀତି କରୁଛି, ତାହା ସବୁଠୁ ଦୁଃଖଦାୟକ । ଜଣକର ମୃତ୍ୟୁକୁ  ନେଇ ରାଜନୈତିକ ଫାଇଦା ହାସଲ କରିବା ପାଇଁ ବିଜେପିର ବିଭିନ୍ନ ନେତାମାନେ ଯେଭଳି ନିର୍ଲଜ ଭାବରେ କାର୍ଯ୍ୟ କରୁଛନ୍ତି, ତାହା ନିହାତି ଲଜ୍ଜାଜନକ । ବିଜେପି ପ୍ରଭାରୀ ଅରୁଣ ସିଂହ ଓଡ଼ିଶା ଆସି ଯେଉଁ ମତ ଓ ମନ୍ତବ୍ୟ ଦେଲେ, ତାହା କରିବା ପୂର୍ବରୁ ନିଜ ଅଗଣାକୁ ଅନାନ୍ତୁ ଅର୍ଥାତ ବିଜେପି ଶାସିତ ରାଜ୍ୟ ରେ ଚାଷୀର ସ୍ଥିତି କେତେ ଦୟନୀୟ ଆଉ ଚାଷୀଙ୍କ ପ୍ରତି ବିଜେପି ସରକାରର ଆଚରଣ କେତେ ବର୍ବରୋଚିତ ତାକୁ ମାନେ ପକାଇବା ଦରକାର । ଚାଷୀଙ୍କ ପ୍ରତି ବିଜେପିର କେତେ ଦରଦ ତାହା ମଧ୍ୟପ୍ରଦେଶରେ ଚାଷୀଙ୍କ ଉପରେ ବିଜେପି ସରକାର କରିଥିବା ବର୍ବର ଆକ୍ରମଣରୁ ପଦାରେ ପଡିଯାଇଛି, ଯେଉଁ ସରକାରର କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ କୁହନ୍ତି ପ୍ରେମ ବ୍ୟାପାର ଓ ଅକ୍ଷମତା କାରଣରୁ ଚାଷୀ ଆତ୍ମହତ୍ୟା କରେ ସେଠି ଚାଷୀ ପ୍ରତି ବିଜେପିର ଓ କେନ୍ଦ୍ର ସରକାରଙ୍କ ଦରଦ କେତେ ତାହା ପ୍ରମାଣିତ ହୋଇଯାଉଛି ବୋଲି ବିଜେଡିର ସମ୍ପାଦକ ବିଜୟ ନାୟକ କହିଛନ୍ତି ।

ଶ୍ରୀ ନାୟକ କହିଛନ୍ତି ଯେ, ଓଡ଼ିଶାର କୃଷି ଓ କୃଷକମାନଙ୍କର ସମସ୍ୟା ସଂପର୍କରେ ତାଙ୍କର କୌଣସି ଧ୍ୟାନ ଧାରଣା ନାହିଁ । କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ସେ ଏପରି ମନ୍ତବ୍ୟ ଦେଉଛନ୍ତି । ବାସ୍ତବରେ କୃଷି ହେଉଛି, ରାଜ୍ୟର ବିଷୟ । ରାଜ୍ୟ ସରକାର କୃଷି ଓ କୃଷକଙ୍କର ଉନ୍ନତି ପାଇଁ ବହୁବିଧ କାର୍ଯ୍ୟକ୍ରମ କରିଛନ୍ତି ଏବଂ ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ପ୍ରଶଂସିତ ମଧ୍ୟ ହୋଇଛି । ଆଜି କେନ୍ଦ୍ର କୃଷି ସଚିବ ରାଜ୍ୟ ସରକାରଙ୍କ କୃଷି ବିଭାଗର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି । ରାଜ୍ୟର ବିଭିନ୍ନ ଦାବି ଓ ଅନୁରୋଧକୁ କେନ୍ଦ୍ର ସରକାର ବିଚାର କରି ସହାୟକ ଦେବା ପରିବର୍ତ୍ତେ କେନ୍ଦ୍ରୀୟ ବିଜେପି ନେତାମାନଙ୍କର ଏଭଳି ମନ୍ତବ୍ୟ ଚାଷୀଙ୍କ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି । ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ୱାମୀନାଥନ କମିଟି ଆଧାରରେ ଦେବା ଦରକାର । ଏହା ବିଜେପି ସରକାର ନିର୍ବାଚନୀ ଇସ୍ତାହାରରେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ପାଳନ ନକରି କେନ୍ଦ୍ର ସରକାର ଚାଷୀମାନଙ୍କୁ ଧୋକା ଦେଇଛି ଏବଂ ଏହାହିଁ ବର୍ତ୍ତମାନ ଚାଷୀମାନଙ୍କର ସମସ୍ୟାର ମୁଖ୍ୟ କାରଣ ହୋଇଛି । ଏହି ପ୍ରସଂଗରୁ ନଜର ହଟାଇବା ପାଇଁ ବିଜେପି ପ୍ରଭାରୀ ଛତିଶଗଡ଼ ଓ ମଧ୍ୟପ୍ରଦେଶର ଉଦାହରଣ ଦେଉଛନ୍ତି । ବୋନସ ବାସ୍ତବରେ ଏକ ଲଲିପପ୍‍ ସଦୃଶ । ସଠିକ୍‍ ସହାୟକ ମୂଲ୍ୟ ଦେଲେ ବୋନସ୍‍ର ଆବଶ୍ୟକତା ପଡିବ ନାହିଁ । କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ଚାଷୀଙ୍କ ଆୟ ଦେଢ଼ଗୁଣା ବଢ଼ାଇବା ପାଇଁ କୌଣସି ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ନକରି ବିଭିନ୍ନ ଆଳ ଦେଖାଇ ଖସିଯାଉଛନ୍ତି । ଯଦି ବୋନସ୍‍ ଦେଲେ ଚାଷୀମାନଙ୍କର ସମସ୍ୟାର ସମାଧାନ ହୋଇଯାଉଥାନ୍ତା, ତା’ହେଲେ ମଧ୍ୟପ୍ରଦେଶର ଚାଷୀମାନଙ୍କୁ ଗୁଳି ଖାଇବାକୁ ପଡିନଥାନ୍ତା । ମୂଳ ପ୍ରସଂଗ ହେଉଛି, ଚାଷୀମାନଙ୍କୁ ଉପôାଦନ ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ଦେବା ଦରକାର । ଏହା ନହେବା ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ଏଭଳି ସମସ୍ୟା ଲାଗି ରହିବ । ଏଣୁ ବିଜେପି ପ୍ରବକ୍ତା ଅରୁଣ ସିଂହ ଚାଷୀମାନଙ୍କର ଏହି କଥାଟିକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ନଆଣି ଅଯଥାରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।

0
0
0
s2sdefault