ୟାଙ୍କର ନହଲାକୁ ତାଙ୍କର  ଦହଲା , ଇଏ ବାପାକୁ ନେଲାଣି ତ କିଏ ପୁଅକୁ ନେଲା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମିଶ୍ରଣକୁ ନେଇ ବିଜେଡି-ବିଜେପିର ହିସାବ ନିକାଶ

ସୁନ୍ଦରଗଡ ରାଜନୀତିରେ ବିଜେଡି ବିଜେପି ଛକା ପଞ୍ଜା 

 

ରାଉରକେଲାରୁ ସୁଶାନ୍ତ ବେହେରା : ସାଧାରଣତଃ ନିର୍ବାଚନ ପୂର୍ବରୁ ନେତାମନଙ୍କର ଦଳ ବଦଳ ହେବାର ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଓଡିଶା ରାଜନୀତିରେ ବିଶେଷକରି ବିଜେଡି ଓ ବିଜେପି ମଧ୍ୟରେ ଯେଭଳି ମିଶ୍ରଣ ପର୍ବ ଚାଲିଛି ସେଥିରୁ ଲାଗୁଛି ସତେ ଯେମିତି ୨୦୧୯ ନିର୍ବାଚନ ଆଉ ବେଶି ଦୂର ନାହିଁ । ସେହିକ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ ଏହି ପ୍ରତିଯୋଗିତା ଟିକେ ଅଧିକ ହୋଇଥିଲା ପରି ପରିଲକ୍ଷିତ ହେଉଛି । କାରଣ କେତବେଳେ ବିଜେପିର ଆଗଧାଡିର ନେତା ବିଜେଡିରେ ମିଶିଲେଣିତ ଆଉ କେତବେଳେ ବିଜେଡିର ଆଗଧାଡିର ନେତା ବିଜେପିରେ ମିଶିଲେଣି । କାରଣ ଅତିତରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗଡ ବଣେଇରେ ବିଜେପିକୁ ଦୁର୍ବଳ କରିବାକୁ ଯାଇ ବିଜେଡି ଜୁଏଲଙ୍କ ଘନିÂ ତଥା ବଣେଇର ଟାଣୁଆ ନେତା ଭିମ ଚୌଧୁରୀଙ୍କୁ ନିଜ ପକ୍ଷକୁ ନେଇଥିଲେ । ସେଥିରେ କିଛି ସମତୁଲ ଆଣିବା ପାଇଁ ବିଜେପି କିଛିଦିନ ପୂର୍ବରୁ ବଣେଇର ଟାଣୁଆ ବିଜେଡି ନେତା ଅନିଲ ବାର୍ଲ୍ଲାଙ୍କୁ ନିଜ ପକ୍ଷରେ ନେଇଥିଲା । ଠିକ୍ ତାର ଦୁଇଦିନ ପରେ ବିଜେଡି ଶ୍ରୀ ବାର୍ଲାଙ୍କ ପୁଅକୁ ନିଜ ପକ୍ଷରେ ନେବାରେ ସକ୍ଷମ ହୋଇଛି । ସେହିପରି କିଛିଦିନ ପୂର୍ବରୁ ତଳସରାରେ ବିଜେପିର ଟାଣୁଆ ନେତା ସନ୍ତୋଷ ଅମାତ ନିଜର ସାଥି ସମର୍ଥକଙ୍କ ସହିତ ବିଜେଡିରେ ମିଶିଥିଲେ । ଏବେ ହିସାବ ବରାବର କରିବା ପାଇଁ  ବିଜେପି ପକ୍ଷରୁ ସୁନ୍ଦରଗଡ଼ ନାରୀ କଲ୍ୟାଣ କେନ୍ଦ୍ରରେ ଏକ ମିଶ୍ରଣ ପର୍ବ କରାଯାଇ ବିଜେଡି ନେତା ସୁନିଲ ସିଂହଦେଓଙ୍କ ସମେତ ଅନେକଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ୧୭ ତାରିଖରେ ବିଜେଡି ପକ୍ଷରୁ ମଧ୍ୟ ‎ଏକ ମିଶ୍ରଣ ପର୍ବ କରାଯାଇଛି । ତେଣୁ ବିଜେଡି ଓ ବିଜେପି ପକ୍ଷରୁ ଚାଲିଥିବା ଏହି ମିଶ୍ରଣ ପର୍ବକୁ ନେଇ ସାଧାରଣରେ ଏକ ଚର୍ଚ୍ଚା ଚାଲିଛି ଯେ ଉଭୟ ଦଳ ମଧ୍ୟରେ ହିସାବ ନିକାଶ ଚାଲିଛି । ଅବଶ୍ୟ କିଏ କେତେ ସଫଳତା ପାଉଛି ତାହା ଆଗାମୀ ନିର୍ବାଚନ ଫଳାଫଳ ପରେ ଜଣାପଡିବ । 

କିନ୍ତୁ ଗତ ୧୫ ତାରିଖ ଦିନି ସୁନିଲ ସିଂହଦେଓଙ୍କ ବିଜେପିରେ ଯୋଗଦାନ ପରେ ଅନେକ ରାଜନୀତିକ ଚର୍ଚ୍ଚାର ଖୋରାକ ଦେଇଛି । ପ୍ରଥମତଃ ଶ୍ରୀ ସିଂହଦେଓଙ୍କ ଏହା ବିଜେପିରେ ପ୍ରଥମ ପ୍ରବେଶ ନୁହେଁ । କାରଣ ଏହା ପୂର୍ବରୁ ସେ ବିଜେପିରେ ଥିଲେ । ଏପରିକି କଂଗ୍ରେସକୁ ଯାଇ ୨୦୦୪ ମସିହାରେ ସାଂସଦ ପାଇଁ ପ୍ରାର୍ଥୀ ହୋଇ ଜୁଏଲଙ୍କ ଠାରୁ ହାରିଥିଲେ । ପରେ ବିଜେଡିକୁ ଆସି ୨୦୦୯ ମସିହାରେ ଦଳ ପକ୍ଷରୁ ସୁନ୍ଦରଗଡ଼ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ହାରିଥିଲେ । ଏବେ ପୁଣି ବିଜେପିକୁ ଫେରିବା ପରେ ଦଳର ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ କହିଛନ୍ତି ଯେ ଶ୍ରୀ ସିଂହଦେଓ କିଛିଦିନ ପାଇଁ ଡେପୁଟେସନରେ କିଛି କର୍ମକତ୍ତାଙ୍କୁ ନେଇ ଯାଇଥିଲେ । କିନ୍ତୁ ଏବେ ପୁରା ହୋଲସେଲ୍ରେ ଦଳକୁ ଫେରିଛନ୍ତି । ଏଥିସହିତ ଦଳର ଆଗାମୀ ନିର୍ବାଚନରେ ୧୨୦ ମିଶନ ଉପରେ ଏକ ଚକିତ କରିଦେଲାପରି କଥା ସେ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କର ଦୁର୍ବଳତା କ’ଣ ଅଛି ଓ ଶକ୍ତି କ’ଣ ଅଛି ତାହା ଜଣା ଅଛି । କିନ୍ତୁ ଏବେବି ବିଜେଡିରେ ବହୁ ନେତା ଅଛନ୍ତି ଯେଉଁମାନେ ଭଲ ଓ ଦରଦୀ ଲୋକ । ସମାଜ ପ୍ରତି ନିÂା ଅଛି, ଓଡିଆ ଓ ଓଡିଶା ପ୍ରତି ପ୍ରେମ ଅଛି । ଶରୀର ବିଜେଡିରେ ଅଛି କିନ୍ତୁ ମନ ଆଉ ଆତ୍ମା ବିଜେପି ସହିତ ସାମିଲ ହୋଇସାରିଲାଣି । କେବଳ ଦଳ ବଦଳ ନିରୋଧ ଆଇନ୍ ଭୟରେ ଖୋଲାଖୋଲି ସାମିଲ ହୋଇପାରିନାହାନ୍ତି । ୧୨୦ ମିଶନ ସଫଳକରିବାକୁ ଦଳର ଶକ୍ତି ବୃଦ୍ଧି କରିବା ପାଇଁ ଆଗକୁ ଆହୁରି ଅଧିକ ଭଲ ଲୋକ ଅନ୍ୟ ଦଳରୂୁ ଆସି ଦଳରେ ସାମିଲ ହେବେ ।

ଅନ୍ୟପକ୍ଷରେ ଶ୍ରୀ ସିଂହଦେଓଙ୍କ ସାମିଲକୁ ନେଇ ଆଉ ଏକ ପ୍ରସଙ୍ଗ ତାଙ୍କ ଜାତିଗତକୁ ନେଇ ଉଠିଛି । କାରଣ ଅତିତରେ ଶ୍ରୀ ସିଂହଦେଓ ଜଣେ ଆଦିବାସୀ ନୁହେଁ ଓ ମିଛ ପ୍ରମାଣପତ୍ର ଦେଇ ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି ବୋଲି ଅଭିଯୋଗ କରି ଏହାର ତଦନ୍ତ କରିବାକୁ ଜାତୀୟ ଏସ୍ଟି କମିଶନଙ୍କୁ ଜୁଏଲ ପତ୍ର ଲେଖିଥିଲେ । ଏବେବି ତାହା ବିଚାରଧିନ ରହିବା ସହ ତଦନ୍ତ ଚାଲୁ ରହିଛି । ସେତବେଳେ ଜୁଏଲ ନିଜ ଯୁକ୍ତି ଯଥାର୍ଥ ବୋଲି କହିବାକୁ ଯାଇ ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଥିଲେ ଯେ ୨୦୦୨ ମସିହାରେ ଜାଣି ନପାରି ଭୁଲରେ ଦଳ ସୁନିଲଙ୍କୁ ଜିଲ୍ଲା ପରିଷଦରେ ପ୍ରାର୍ଥୀ କରିଥିଲା । ଏପରିକି ଜୁଏଲଙ୍କ ଏଭଳି ବକ୍ତବ୍ୟକୁ ବିରୋଧ କରି ଶ୍ରୀ ସିଂହଦେଓଙ୍କ ସମେତ ବହୁ ଭୁୟାଁ ସଂପ୍ରଦାୟର ନେତାମାନେ ଏକତ୍ରିତ ହୋଇ ଜୁଏଲଙ୍କୁ ପାନେ ଦେବାକୁ ଯୋଜନା ପ୍ରସ୍ତୁତ କରି ପୂର୍ବରୁ ମେଳି ହୋଇଛନ୍ତି । ତେଣୁ ଏବେ ଶ୍ରୀ ସିଂହଦେଓଙ୍କ ପ୍ରତି ଜୁଏଲଙ୍କ ଅଭିଯୋଗ ଓ ଜୁଏଲଙ୍କ ବିରୋଧରେ ଶ୍ରୀ ସିଂହଦେଓଙ୍କ ଆନେ୍ଦାଳନ ମେଳିର ଭବିଷ୍ୟତ କ’ଣ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ସେହିପରି ସୁନିଲଙ୍କ ଦଳରେ ସାମିଲ ହେଲାପରେ ତାଙ୍କ ଜାତିଗତକୁ ନେଇ ବିଜେପିର ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ହେବାର ଆବଶ୍ୟକ ବୋଲି ଅନେକ ରାଜନୀତି ବିଷାରଦଙ୍କ ଯୁକ୍ତି । 

ସେହିପରି ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହୁଥିବାର ଦେଖା ଯାଉଛି କିନ୍ତୁ ସୁନ୍ଦରଗଡ଼ ମିଶ୍ରଣ ପର୍ବରେ ଉଭୟ ନେତା ନଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଆଲୋଚ୍ୟ ବିଷୟବସ୍ତୁ ଥିଲା ଜିଲ୍ଲାରୁ ଦଳର ଏକମାତ୍ର ବିଧାୟକ ଥିବା ଦିଲୀପ ରାୟଙ୍କ ଅନୁପସ୍ଥିତ ରହିବା । ଏହାକୁ ନେଇ ପୁଣି ଏକ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଅବଶ୍ୟ ଏହା ଉପରେ ଶ୍ରୀ ପୁଜାରୀ ଅତି ଚତୁରତାର ସହ ଉତ୍ତର ରଖି କହିଛନ୍ତି ଯେ କୌଣସି ନେତା ଉପସ୍ଥିତ ରହିନପାରିଲେ ତା’ର କୌଣସି ଅର୍ଥ ବା ଅନର୍ଥ ବାହାର କରିବା ଉଚିତ୍ ନୁହେଁ । ଦିଲୀପ ରାୟ ବିଜେପିରେ ଅଛନ୍ତି ଓ ଆଗକୁ ଦଳରେ ରହିବେ ବୋଲି ସେ କହିଛନ୍ତି । ଯେଉଁମାନେ ଦଳରେ ଅଛନ୍ତି ତାଙ୍କୁ ରଖିବୁ ଏବଂ ସମାଜର ଭଲ ଲୋକ ଯେଉଁମାନେ ଅନ୍ୟଦଳରେ ଅଛନ୍ତି ତାଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରିବୁ । ସେହିପରି ସେ ଏକ ଗଣିତ ଉପସ୍ଥାପନ କରି କହିଛନ୍ତି ଯେ ଗତ ପଂଚାୟତ ନିର୍ବାଚନରେ ବିଜେପିକୁ ୩୪% ଭୋଟ ମିଳିଥିଲାବେଳେ ବିଜେଡିକୁ ୪୦% କିଛି ଅଧିକ ଭୋଟ ମିଳିଥିଲା । ଯଦି ବିଜେଡିର ୪% ଭୋଟ ସେମାନେ ହାସଲ କରିନେବେ ତେବେ ଆସନ୍ତା ନିର୍ବାଚନରେ ତାଙ୍କ ଦଳକୁ ନିଶ୍ଚୟ ସଫଳତା ମିଳିବ । ଏଥି ସହିତ ସେ ଶନି ଦଶା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । କହିଛନ୍ତି ଶନିଦଶା ଥିଲେ ତାହା ୧୯ ବର୍ଷରେ ଛାଡିଯାଏ । ରାଜ୍ୟକୁ ୨୦୦୦ ମସିହାରୁ ବିଜେଡି ରୂପକ ଶନି ଲାଗିଛି ତାହା ୨୦୧୯ରେ ଛାଡିଯିବ । ତେଣୁ ଗୋଟିଏ ପଟେ ସିଂହଦେଓଙ୍କ ଯୋଗଦାନକୁ ନେଇ ରାଜନୀତିକ ସମୀକରଣ ସହିତ ବିଜେଡି-ବିଜେପି ମଧ୍ୟରେ ହିସାବ ନିକାସର କଥା ଚାଲିଥିଲାବେଳେ ଅନ୍ୟପଟେ ଶ୍ରୀ ପୂଜାରୀଙ୍କ ଇସାରାକୁ ନେଇ ମଧ୍ୟ ଏବେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଛି । ସେହି କ୍ରମରେ ଆଗକୁ ଜିଲ୍ଲାରୁ କେଉଁ ନେତାଙ୍କ ଦଳ ବଦଳର ସମ୍ଭାବନା ରହିଛି ତାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି ।  

 

0
0
0
s2sdefault