ହେଡଲାଇନସ୍:

କୁନ୍ଦୁଲି ଗଣ ଦୁଷ୍କର୍ମକାରୀଙ୍କ ରକ୍ଷା କବଚ ସାହିଛନ୍ତି ସରକାର - ପ୍ରସାଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


•    କୁନ୍ଦୁଲି ପୀଡିତାକୁ ନ୍ୟାୟ ଏବଂ ଅପରାଧିଙ୍କୁ ଗିରଫ ମିଳିବା ଯାଏ କଂଗ୍ରେସ ଆନେ୍ଦାଳନ ଜାରି ରଖିବ ।
•  ନଭେମ୍ବର ୨ ତାରିଖ ଦିନ ରାଜଭବନ ସମ୍ମୁଖରେ ପିସିସି ପକ୍ଷରୁ ଧାରଣା


ଭୁବନେଶ୍ୱରରୁ ଚକ୍ରଧର ମାଝି  - କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ୧୪ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଜାଣିଶୁଣି ଅପରାଧିଙ୍କୁ ଘଣ୍ଟ ଘୋଡାଇ ଚାଲିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସରକାର ପୀଡିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଧର୍ଷଣକାରୀଙ୍କୁ ଖସାଇବାର ଯୋଜନାରେ ବ୍ୟସ୍ତ । ପ୍ରତିଦିନ ରାଜ୍ୟରେ ପାଞ୍ଚଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନି । ଇତିଶ୍ରୀ, ବେବିନା, ମାଧବୀଲତା ଭଳି ଘଟଣାରେ ଅପରାଧିମାନେ ପୋଲିସ ଆଖିରେ ଧୂଳି ଦେଇ ବାହାରେ ବୁଲୁଛନ୍ତି । ପ୍ରଶାସନ କୁନ୍ଦୁଲିର ନିର୍ଭୟାକୁ ନ୍ୟାୟ ଦେବା ପରିବର୍ତ୍ତେ ତାକୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟରେ ନଜରବନ୍ଦୀ କରି ମାନସିକ ଯନ୍ତ୍ରଣା ଦେଉଛନ୍ତି । କାଉନ୍ସେଲିଂ ନାମରେ ପୀଡିତାକୁ ମହିଳା ପୋଲିସ ଜଗି ରହି ତାକୁ ବୟାନ ବଦଳାଇବା ପାଇଁ ବାଧ୍ୟ କରିବା ଅପରାଧିମାନଙ୍କୁ ସୁରକ୍ଷା ଦେବାର ପ୍ରୟାସ କରୁଛି । ପୀଡିତାର ନିକଟ ସଂପର୍କୀୟଙ୍କୁ ଗିରଫ କରି ସେମାନେ ଘଟଣାରେ ଦୋଷୀ ବୋଲି ଚିତ୍ରଣ କରିବାର ହୀନ ପ୍ରୟାସ କରୁଛି । ଏଯାବତ୍ ପୀଡିତାର ପରିବାରବର୍ଗଙ୍କୁ ୮ ଲକ୍ଷ ୨୫ ହଜାର ଟଙ୍କାର କ୍ଷତି ପୂରଣ ମିଳିବା ଆଇନ୍ ଅନ୍ତର୍ଗତ ବ୍ୟବସ୍ଥା ଥିଲାବେଳେ ଏପର୍ଯ୍ୟନ୍ତ ଟଙ୍କାଟିଏ ମିଳିନାହିଁ । ଗୋଟିଏ ବି ଗଣଦୁଷ୍କର୍ମ ମାମଲାରେ ସରକାର ଦୋଷୀମାନଙ୍କୁ ଧରିବାରେ ସଂପୂର୍ଣ୍ଣ ଅକ୍ଷମ । ଇତିଶ୍ରୀ ଗଣଦୁଷ୍କର୍ମ ଘଟଣାକୁ ତଦନ୍ତ କରୁଥିବା କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ସିବିଆଇ ଅପରାଧିଙ୍କୁ ଧରିବାରେ ବିଫଳ ହେଲାପରେ ଅପରାଧିକୁ ଧରାଇ ଦେଲେ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରଛି । ଏଥିରୁ ସିବିଆଇର ଅକ୍ଷମତା ଏବଂ ଅସହାୟତା ସ୍ପଷ୍ଟ ବାରି ହୋଇପଡୁଛି । କୁନ୍ଦୁଲି ଘଟଣାରେ ପୀଡିତାର ଡାକ୍ତରୀ ମାଇନା ହେଲାପରେ ପୂର୍ବ ଘଟଣାମାନଙ୍କ ପରି ରିପୋର୍ଟ କାଗଜ ଭିତରେ ରହିଯାଇଛି । ପୀଡତାକୁ ଡାକ୍ତର ସଂପୂର୍ଣ୍ଣ ସୁସ୍ଥ ବୋଲି ଘୋଷଣା କଲାପରେ ମଧ୍ୟ ତାକୁ ଡାକ୍ତରଖାନାରେ ନଜରବନ୍ଦୀ କରି ରଖାଯାଇଛି ।
କଂଗ୍ରେସ ଦଳ ଘଟଣା ଘଟିବା ଦିନଠାରୁ ପୀଡିତାକୁ ନ୍ୟାୟ ମିଳିବା ପାଇଁ ଆନେ୍ଦାଳନ ଜାରି ରଖିଛି । ଏଥିପାଇଁ କଂଗ୍ରେସ ନେତା ଓ କର୍ମୀମାନେ ପୀଡିତାର ଗ୍ରାମ ମୁଷାଗୁଡାରୁ କୋରାପୁଟ ପର୍ଯ୍ୟନ୍ତ ଦୀର୍ଘ ୫୨ କିଲୋମିଟର ପଦଯାତ୍ରାରେ ଆସି ଡି.ଆଇ.ଜି. ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗତ ୧୬ ତାରିଖ ଦିନ କୋରାପୁଟ ଜିଲ୍ଲାରେ କଂଗ୍ରେସ ଦଳ ପକ୍ଷରୁ ସଫଳତାର ସହ ବନ୍ଦ ପାଳନ କରାଯାଇଛି । ପୀଡିତାକୁ ନ୍ୟାୟ ଓ ଦୋଷୀମାନେ ଗିରଫ ହୋଇ ଉପଯୁକ୍ତ ଦଣ୍ଡ ନପାଇଲା ପର୍ଯ୍ୟନ୍ତ କଂଗ୍ରେସ ଆନେ୍ଦାଳନକୁ ଜାରି ରଖିବ । ଏହି ପରିପ୍ରେକ୍ଷୀରେ ଆସନ୍ତା ନଭେମ୍ବର ୨ ତାରିଖ ଦିନ ପ୍ରଦେଶ କଂଗ୍ରେସ ତରଫରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଶ୍ରୀ ହରିଚନ୍ଦନ ଘୋଷଣା କରିଛନ୍ତି । ସରକାର ଦାବି ପୂରଣ ନକଲେ କଂଗ୍ରେସ ଆନେ୍ଦାଳନକୁ ବ୍ୟାପକ କରିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ କୃଷ୍ଣଚନ୍ଦ୍ର ଶାଗରିଆ, ଡ.ଲଲାଟେନ୍ଦୁ ମହାପାତ୍ର, ସୌଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault