କେନ୍ଦ୍ର ସହଯୋଗରେ ବିମାନସେବା ସତ୍ତ୍ୱେ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନ ରହିବା କ୍ଷୋଭର ବିଷୟ- ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ଯାହାଙ୍କ ପ୍ରଚେଷ୍ଟାରେ ଏହି ବିମାନ ଚଳାଚଳ ହୋଇଛି ତାଙ୍କୁ ଧନ୍ୟବାଦ ଦେବା କ’ଣ ଆମର ସୌଜନ୍ୟତା ନୁହେଁ, ଏହା କ’ଣ ଆମ ଓଡ଼ିଆ ପରମ୍ପରା?

  •  ପ୍ରଧାନମନ୍ତ୍ରୀ ବାଲିରେ ବାଲିଯାତ୍ରା କଥା କହିବା ପରେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା ଦୁଃଖର ବିଷୟ

ଭୁବନେଶ୍ୱର– କେନ୍ଦ୍ର ସରକାରଙ୍କ ସହଯୋଗରେ ଭୁବନେଶ୍ୱର-ରାଉରକେଲା ବିମାନସେବା ଆରମ୍ଭ ହେବା ସତ୍ତ୍ୱେ ଓଡ଼ିଶା ସରକାରଙ୍କ ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନ ରହିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା କ୍ଷୋଭର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର ଠାରେ ଭୁବନେଶ୍ୱର-ରାଉରକେଲା ବିମାନସେବାର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୁଇ ଦଳ ମଧ୍ୟରେ ରାଜନୈତିକ ବାଦ ବିବାଦ ରହିବ । କିନ୍ତୁ ରାଜ୍ୟର ମର୍ଯ୍ୟାଦା ଓ ସ୍ୱାର୍ଥ କଥା ଆସିଲେ ଆମ ସମସ୍ତଙ୍କୁ ଏକାଠୀ ହେବା ଦରକାର । ଆଜି ଖବରକାଗଜରେ ଭୁବନେଶ୍ୱର ଓ ରାଉରକେଲାକୁ ନେଇ ବିମାନସେବା ଶୁଭାରମ୍ଭର ଏକ ବିଜ୍ଞାପନ ଓଡ଼ିଶା ସରକାର ବାହାର କରିଛନ୍ତି । କିନ୍ତୁ ଖବରକାଗଜ ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ କିମ୍ବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆଙ୍କୁ ଧନ୍ୟବାଦ ଦିଆଯାଇନାହିଁ । ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଛପାଯିବା ଉଚିତ୍ ଥିଲା ବୋଲି ସେ କହିଛନ୍ତି ।
ଭୁବନେଶ୍ୱର ଏୟାରପୋର୍ଟ ବିଜୁ ପଟ୍ଟନାୟକଙ୍କ ନାଁରେ ନାମିତ ହେଲା । ଶ୍ରୀ ଅଟଳ ବିହାରୀ ବାଜପେୟୀ ଏହି ନିଷ୍ପତି ନେଇଥିଲେ । ସେତେବେଳେ ଏହାର ଲୋକାର୍ପଣ କରିବା ପାଇଁ ସାହାନଓ୍ୱାଜ ହୁସେନ୍ ଆସିଥିଲେ । ଏହା ଥିଲା ବାଜପେୟୀଙ୍କ ପରମ୍ପରା । ତେଣୁ ଯାହାଙ୍କ ପ୍ରଚେଷ୍ଟାରେ ରାଉରକେଲାକୁ ବିମାନ ଚଳାଚଳ ଆରମ୍ଭ ହୋଇଛି ତାଙ୍କୁ ଧନ୍ୟବାଦ ଦେଲେ ଭଲ ହୋଇଥାନ୍ତା । ଏତିକି କ’ଣ ଆମର ସୌଜନ୍ୟତା ରହିବା ଉଚିତ୍ ନୁହେଁ ? ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା, ଜ୍ୟୋତିରାଦିତ୍ୟଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ଯୋଡିବା କ’ଣ ଓଡ଼ିଆ ପରମ୍ପରା ନୁହେଁ ? ଓଡ଼ିଶା ପାଇଁ ଏହା ଭଲ ହେଲା ନାହିଁ ।
ସେହିପରି କଟକରେ ବାଲିଯାତ୍ରା ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ବାଲିରେ ଥିବା ବେଳେ ବାଲିଯାତ୍ରାର ହଜାର ହଜାର ବର୍ଷର କଥାକୁ ମନେ ପକାଇଲେ । ସେତେବେଳେ ମଧ୍ୟ ଓଡ଼ିଶା ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆନଯିବା ମଧ୍ୟ ଦୁଃଖର ବିଷୟ ବୋଲି  ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault