ହେଡଲାଇନସ୍:

ସରକାରୀ କର୍ମଚାରୀମାନେ ଶାସକ ବିଜେଡିର ହାତବାରିସୀ ସାଜନ୍ତୁ ନାହିଁ: ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନେ ନିଜ ଶାସନ କ୍ଷମତାର ଅପବ୍ୟବହାର କରି କେଉଁ ସ୍ଥାନରେ ନିଜ ପଦବୀ ତ ଆଉ କେଉଁଠି ସରକାରୀ କର୍ମଚାରୀଙ୍କ ଜରିଆରେ ଚଳିତ ପଦ୍ମପୁର ଉପନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବା ପାଇଁ ପ୍ରୟାସ ଜାରୀ ରଖିଛନ୍ତି । ଏହା ଦ୍ୱାରା ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରି ଶାସକ ବିଜେଡି ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ ଆଣି ଦେଉଛି । ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଯୋଜନା ଏବଂ ସମନ୍ୱୟ ବିଭାଗ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ ଏବଂ ଯାଜପୁର ବିଧାୟକ ତଥା ବିଜେଡି ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ପ୍ରଣବ ପ୍ରକାଶ ଦାସ ଗତ ୨୦ ତାରିଖ ଦିନ ସରକାରୀ କର୍ମଚାରୀ ଜିଆରଏସମାନଙ୍କ ବୈଠକ କରାଇ ଶାସକ ବିଜେଡି ସପକ୍ଷରେ ଭୋଟ ପ୍ରଚାର ଏବଂ ଅନୈତିକ ଟଙ୍କା ବାଂଟିବାର ଦାୟୀତ୍ୱ ପ୍ରଦାନ କରିଥିଲେ । ଏଭଳି ଆଚରଣ ବିଧି ଉଲ୍ଲଂଘନ କାର୍ଯ୍ୟ ସଂପର୍କରେ ବିଜେପି ତରଫରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରିବା ପରେ ୧୬ ଜଣ ଜିଆରଏସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାତ୍ର ସେଠାରେ ଉପସ୍ଥିତ ଅନ୍ୟ ଜିଆରଏସ ଏବଂ ବାହାର ଜିଲ୍ଲାରୁ ଆସିଥିବା ଜିଆରଏସ ନେତାମାନଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ପ୍ରଭାତ କୁମାର ତିୱାରି, ଅଜୟ କୁମାର ଜେନା, ଦେବାଶିଷ ରାଉତ, ସୁରେଶ ପାଣିଗ୍ରାହୀ, ପାର୍ଥ ସାରଥି ବିଶୋଇ, ମଳୟ କୁମାର ସାହୁ ପ୍ରମୁଖଙ୍କ ଭଳି ଜିଆରଏସ୍ ସଂଗଠନର ନେତୃବୃନ୍ଦମାନେ ବୈଠକରେ ଉପସ୍ଥିତ ଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଗଲାନାହିଁ । ଏପରିକି ମନ୍ତ୍ରୀ ଶ୍ରୀ ଢୋଲକିଆ ଏବଂ ବିଧାୟକ ଶ୍ରୀ ଦାସଙ୍କ ବିରୁଦ୍ଧରେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସେମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ପୁଣି ଥରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ତରଫରୁ ଦାବୀ କରାଯାଇଛି । ସରକାରୀ କର୍ମଚାରୀମାନେ ଶାସକ ବିଜେଡିର ହାତବାରିସୀ ନସାଜିବାକୁ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପୁଣି ଥରେ ଆହ୍ୱାନ ଦେଇଛନ୍ତି ।
ସେହିପରି ମନ୍ତ୍ରୀ ପଦର ଅପବ୍ୟବହାର କରି ପିଏଚସିକୁ ସିଏଚସିରେ ରୁପାନ୍ତରିତ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ପ୍ରଚାର ଅବସରରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରତିଶୃତି ଦେବା ଆଦର୍ଶ ଆଚରଣ ବିଧି ଏବଂ ଲୋକ ପ୍ରତିନିଧି ଆଇନ-୧୯୫୧ ର ଉଲ୍ଲଂଘନ । ଏଭଳି ଦଣ୍ଡନୀୟ ପାଇଁ ମନ୍ତ୍ରୀ ଶ୍ରୀ ଦାସଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତୁରନ୍ତ ସମଗ୍ର ନିର୍ବାଚନ ପ୍ରକ୍ରିୟାରୁ ବାଦ୍ ଦେବାକୁ ମଧ୍ୟ ବିଜେପି ତରଫରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରାଯାଇଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ବର୍ତମାନ ପୋଲିସ ପ୍ରଶାସନକୁ ମଧ୍ୟ ଖୋଲାଖୋଲି ଭାବେ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା କାର୍ଯ୍ୟରେ ଲଗାଯାଉଛି । ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶରେ ବିଜେପି ତାରକା ପ୍ରଚାରକମାନଙ୍କ ଗାଡିକୁ ଚେକିଂ କରାଯିବା ସହିତ ଡ୍ରାଇଭରମାନଙ୍କ ମୋବାଇଲ ନମ୍ବର ସଂଗ୍ରହ କରାଯାଇ ଟ୍ରାକିଂ କରାଯାଉଛି । ପୋଲିସ ପ୍ରଶାସନ ଶାସକ ବିଜେଡି ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପରିବର୍ତେ ଆକ୍ରୋଶମୁଳକ ଭାବେ ବିଜେପି ତାରକା ପ୍ରଚଚାରକ ଏବଂ କାର୍ଯ୍ୟକର୍ତାଙ୍କୁ ଭୟଭୀତ ଓ ହଇରାଣ କରୁଛି । ପୋଲିସ ପ୍ରଶାସନର ଏଭଳି ଆକ୍ରୋଶମୁଳକ କାର୍ଯ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପଦ୍ମପୁର ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ ନକରିଲେ ବିଜେପି ତରଫରୁ ତାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଶ୍ରୀ ମଲ୍ଲିକ ଚେତାଇ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ, ରାଜ୍ୟ ଲିଗାଲ ସେଲ୍ ସଂଯୋଜକ ଜୟନ୍ତ ଜେନା ଏବଂ କୃଷକ ମୋର୍ଚ୍ଚା ମିଡିଆ ସଂଯୋଜକ ହିତେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault