ହେଡଲାଇନସ୍:

"ଚିଟଫଣ୍ଡ ଠକେଇ:ଅପରାଧି ସରକାର, ଅସହାୟ ଜମାକାରୀ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ଚିଟଫଣ୍ଡ ଠକେଇ ମାମଲାରେ ରାଜ୍ୟବାସୀଙ୍କର ଦାବୀଥିଲା ଅପରାଧି ଦଣ୍ଡ ପାଉ, ଜମାକାରୀ ଟଙ୍କା ପାଉ । କିନ୍ତୁ ଦୁର୍ଭାଗ୍ୟକୁ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ପରସ୍ପର ହାତ ମିଳାଇ ଏହି ଉଭୟ ଲକ୍ଷରୁ ଓହରିଯାଇଛନ୍ତି । ଏହା ସ୍ପଷ୍ଟ ଭାବରେ ଅସାଧୁ କମ୍ପାନୀମାନଙ୍କ ସ୍ୱାର୍ଥରେ ଓ କ୍ଷତିଗ୍ରସ୍ତ ଜମାକାରୀଙ୍କ ସ୍ୱାର୍ଥ ବିରୋଧରେ ଉଭୟ ସରକାର ଥିବାର ପ୍ରମାଣିତ କରୁଛି ବୋଲି ଆଜି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ର ଗଣେଶ୍ୱର ବେହେରା ଅଭିଯୋଗ କରିଛନ୍ତି ।

ଶ୍ରୀ ବେହେରା ନଅଟି ସଂଗୀନ ଅଭିଯୋଗ ଆଣି ଦର୍ଶାଇଛନ୍ତି ଯେ:
👉 ସରକାର ଜନ୍ମଦାତା
ବିଜେପି ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ଦ୍ୱାରା ସମବାୟ ସଂଶୋଧନ ଆଇନ -୨୦୦୧ ଓ ରାଜ୍ୟ ବିଜେଡ଼ି ସରକାରଙ୍କ ଦ୍ୱାରା ସ୍ୱୟଂ ସହାୟକ ସମବାୟ ଆଇନ- ୨୦୦୨ ପ୍ରଣୀତ କରି ଅସୁମାରୀ ଅସାଧୁ କମ୍ପାନୀଙ୍କୁ ଜନ୍ମଦେଲେ, ଅତଏବ ସରକାର ହେଲେ ଜନ୍ମଦାତା ।
👉 ସରକାରୀ ପ୍ରୋତ୍ସାହନକାରୀ
ଏହି ଠକ କମ୍ପାନୀ ମାନଙ୍କ ସହଭାଗୀତାରେ ସାମିଲ ହେବା ଓ ସେମାନଙ୍କର ଆମ୍ବାସାଡ଼ର ସାଜିବା ଫଳରେ କମ୍ପାନୀ ମାନଙ୍କର ବିଶ୍ୱସନୀୟତା ବଢ଼ିଲା ଓ ତଦୁନଯାୟୀ ବ୍ୟବସାୟ ମଧ୍ୟ ବଢ଼ିଲା । ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଶାସକ ଦଳର ମନ୍ତ୍ରୀ ବିଧାୟକ ମାନେ ମଧ୍ୟ ସାଧାରଣରେ କମ୍ପାନୀ ତରଫରୁ ଆୟୋଜିତ କାର୍ଯ୍ୟକ୍ରମର ଯୋଗଦେଇ ସେମାନଙ୍କୁ ପ୍ରଶଂସା ପତ୍ର ବାଂଟିଲେ । ଏହା ଫଳରେ କମ୍ପାନୀ ମାନେ ଆନୁଷ୍ଠାନିକ ପ୍ରୋତ୍ସାହନ ପାଇଲେ ଓ ଠକି ଚାଲିଲେ ।
👉 ସରକାର ପ୍ରମାଣନଷ୍ଟକାରୀ
କ୍ରାଇମ ବ୍ରାଂଚ ଦ୍ୱାରା ଉକ୍ତ କମ୍ପାନୀ ଗୁଡ଼ିକର ଅଫିସ ସିଲ କରାଯାଇ କମ୍ପ୍ୟୁଟର ମାନଙ୍କରେ ଗଛିତ ଥିବା ହାର୍ଡଡିସ୍କ ଜବତ କଲେ । କିନ୍ତୁ ତାହାକୁ ପୋଲିସର ମେଗା ହାର୍ଡଡିସ୍କରେ ଗଚ୍ଛିତ ରଖିଲେ ନାହିଁ । ୨/୩ ମାସ ପରେ ଜବତ ହୋଇଥିବା ହାର୍ଡଡିସ୍କ ଗୁଡ଼ିକ ଅଯତ୍ନରେ ପଡ଼ି ନଷ୍ଟ ହୋଇଗଲା ଓ ତା’ସହିତ ନେଣଦେଣ ସଂକ୍ରାନ୍ତୀୟ ସମସ୍ତ ମୂଲ୍ୟବାନ ତଥ୍ୟ ମଧ୍ୟ ନଷ୍ଟ ହୋଇଗଲା । ଏହା ତଥ୍ୟ ପ୍ରମାଣ ନଷ୍ଟ କଲା ।
👉 ନିରର୍ଥକ ସଂପତି ଅଧିଗ୍ରହଣ
ସଂପତି ଜବତ ହେଲା, କିନ୍ତୁ ଜମାକାରୀ ଲାଭପାଇଲେ ନାହିଁ । ରାଜ୍ୟ ସରକାର ଠକ କମ୍ପାନୀ ମାନଙ୍କର ସ୍ଥାବର ସଂପତି ଯଥା: ଜମି ଓ କୋଠାବାଡ଼ି ଜବତ କଲେ, ସରକାରୀ ମାଲିକାନା ସାବ୍ୟସ୍ତ କଲେ, ସେମାନଙ୍କର ବ୍ୟାଙ୍କ ଜମା ସିଜ୍ କଲେ, କିନ୍ତୁ ଉପଲବ୍‌ଧ ଅର୍ଥ କ୍ଷତିଗ୍ରସ୍ତ ଜାମାକାରୀଙ୍କ ସ୍ୱାର୍ଥରେ ଆସିଲା ନାହିଁ ।
👉 ଜମାକାରୀଙ୍କ ଉପରେ ଟିକସ ବୋଝ
ପ୍ରାୟ ୩୦ଲକ୍ଷ ଜମାକାରୀ ମାନ୍ୟବର ତଦନ୍ତ କମିଶନ ନିକଟରେ ଷ୍ଟାମ୍ପ ଫି ଦେଇ ସେମାନଙ୍କର ଆପତି ଅଭିଯୋଗ ଆଫିଡେଭିଟ ଜରୀଆରେ ଦାଖଲ କଲେ । ଏ ଦିଗରେ ସରକାର ପରୋକ୍ଷଭାବରେ କ୍ଷତିଗ୍ରସ୍ତଙ୍କ ଉପରେ ଟିକସ ଲଦି ପ୍ରାୟ ୫ କୋଟି ଟଙ୍କା ରାଜସ୍ୱ ବଢ଼ାଇଲେ । ସରକାର ଲାଭରେ ରହିଲେ, ଜମାକାରୀ କ୍ଷତିରେ ରହିଲେ ।
👉 କୋର୍ଟ ଅବମାନନା
ଓଡ଼ିଶା ଜମାକାରୀ ସ୍ୱାର୍ଥ ସୁରକ୍ଷା ଆଇନ-୨୦୧୧ ବଳରେ ପ୍ରତିଷ୍ଠିତ ସ୍ୱତନ୍ତ୍ର ବିଚାରଳୟ ଫେବୃଆରୀ ୨୬,୨୦୨୧ ରେ ସି-ସୋର କମ୍ପାନୀର ସମ୍ପତି ନିଲାମ କରି ଉପଲବ୍ଧ ୬୩୫ କୋଟି ଟଙ୍କା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଂଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଜି ସୁଦ୍ଧା ଜଣିଏ ହେଲେ ଜମାକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇ ନାହିଁ । ଏହା ବିଚାରାଳୟର ଅବମାନନା ନୁହେଁତ ଆଉ କ’ଣ?
👉 ୩୦୦ କୋଟି କର୍ପସ ପାଣ୍ଠି ପ୍ରହଶନ
୨୦୧୯ ମସିହାରେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠିର ଘୋଷଣା କଲେ ଓ ଏହା ସ୍ୱଳ୍ପ ଜମାକାରୀଙ୍କୁ ଦିଆଯିବ ବୋଲି ଡିଣ୍ଡିମ ପିଟିଲେ । ମାତ୍ର ଏହି ପାଣ୍ଠିରୁ ବର୍ତମାନ ସୁଦ୍ଧା କେତେ ଟଙ୍କା ଓ କେତେଜଣ ଜମାକାରୀକୁ ବଂଟାଯାଇଛି ବୋଲି ବିଧାନ ସଭାରେ ଏକ ପ୍ରଶ୍ନର ଉତର ଦେଇ ଚଳିତ ସେପ୍ଟେମ୍ବର ୬,୨୦୨୧ ରେ ମାନ୍ୟବର ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ତଥ୍ୟ ସଂଗ୍ରହ କରାଯାଉଛି । ଜମାକାରୀଙ୍କ ପ୍ରତି ଏତାଦୃଶ ଚରମ ଉଦାସୀନତା ପ୍ରତାରଣା ବ୍ୟତୀତ କିଛି ନୁହେଁ ।
👉 ତଦନ୍ତର ଅପମୃତ୍ୟୁ
ଚିଟଫଣ୍ଡ ଠକେଇ ମାମଲାରେ ଅତ୍ୟନ୍ତ ନିଷ୍ଠାର ସହ ତଦନ୍ତ କରୁଥିବା ନ୍ୟାୟମୂର୍ତି ମଦନ ମୋହନ ଦାସ କମିଶନର ତଦନ୍ତ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବାବେଳେ ଓ ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ୱ ଆଫିଡେଭିଟର ତନଖି ଆରମ୍ଭ ହୋଇନଥିବା ସ୍ୱତ୍ୱେ ସରକାର ଭୟଭୀତ ହୋଇ ଠକ କମ୍ପାନୀ ମାନଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଫେବୃଆରୀ ୪, ୨୦୧୯ ରୁ କମିଶନଙ୍କ କାର୍ଯ୍ୟକାଳ ଅଧିକ ସମୟ ପାଇଁ ବଢ଼ାଇବାକୁ ମନା କରିଦେଲ । ଫଳତଃ କମିଶନଙ୍କ ସହ ତଦନ୍ତର ଅପମୃତ୍ୟୁ ହେଲା । ଅପରାଧି ପ୍ରୋତ୍ସାହିତ ହେଲେ, ଜମାକାରୀଙ୍କ ସ୍ୱାର୍ଥ ବିଡ଼ମ୍ବିତ ହେଲା । ଏହା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ।
👉 ୭ ବର୍ଷରେ ମାତ୍ର ୭୦୦୦ ରୁ କମ ଜମାକାରୀ ଉପକୃତ
ବିଗତ ୭ ବର୍ଷ ମଧ୍ୟରେ ୧୦ କୋଟି ଟଙ୍କାରୁ କମ୍ ରାଶି ମାତ୍ର ୭ ହଜାରରୁ କମ୍ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପୈଠ କରାଯାଇଛି । ଅର୍ଥାତ କର୍ପସ ପାଣ୍ଠି ୩୦୦ କୋଟି ଓ ଠକ କମ୍ପାନୀର ନିଲାମ ସୂତ୍ରରୁ ଆୟ ହୋଇଥିବା ହଜାର କୋଟରୁୁ ଉର୍ଦ୍ଧ୍ୱ ଟଙ୍କା ଥାଇ ମଧ୍ୟ ୧୦ କୋଟି ଟଙ୍କାବି ବଂଟାଯାଇ ପାରିଲା ନାହିଁ । ଏହା ଜମାକାରୀଙ୍କ ପ୍ରତି ସରକାରଙ୍କର ଦାୟୀତ୍ୱବୋଧ ଓ ଦରଦ କେତେ ତାହା ପ୍ରମାଣ କରୁଛି ।
ଚିଟଫଣ୍ଡ ଠକେଇ ମାମଲାରେ ଠକ କମ୍ପାନୀ ମାନଙ୍କ ଠାରୁ ସରକାର ବଡ଼ ଅପରାଧି ।
ଜମାକାରୀଙ୍କୁ ଟଙ୍କା ଦିଅ ନତୁବା ଇସ୍ତଫା ଦିଅ ବୋଲି ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ବେହେରା ଆହ୍ୱାନ ଦେଇଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମଳନୀରେ ବରିଷ୍ଠ କଂଗ୍ରେସ ମୁଖପାତ୍ର ଶ୍ରୀ ଜ୍ଞାନଦେବ ବେଉରା ଓ ଅମିୟ ପାଣ୍ଡବ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

0
0
0
s2sdefault