ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ଅବସରରେ ସେବା ଓ ସମର୍ପଣ ଅଭିଯାନ ପାଳନ କରିବ ବିଜେପି : ଲେଖାଶ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଜନ୍ମଦିନ ଚଳିତ ମାସ ସେପ୍ଟେମ୍ବର ୧୭ ତାରିଖ ଦିନ ପାଳନ ହେବାକୁ ଯାଉଛି । ଆସନ୍ତା ମାସ ଅକ୍ଟୋବର ୭ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କର ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ପ୍ରଧାନମନ୍ତ୍ରୀ ଭାବରେ ୨୦ବର୍ଷର ସେବା କାର୍ଯ୍ୟ ଏବଂ ଦେଶ ପ୍ରତି ସମର୍ପଣର ପୂର୍ତି ହେବାକୁ ଯାଉଛି । ଏହି ୨୦ ଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ଭାରତୀୟ ଜନତାପାର୍ଟି ସେବା ଓ ସମର୍ପଣ ଅଭିଯାନ ରୂପେ ପାଳନ କରିବ ଏବଂ ଦେଶବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ ରହିଛି ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ଏଥିରେ ସମସ୍ତ ରାଜ୍ୟ, ଜିଲ୍ଲା, ମଣ୍ଡଳ ଏବଂ ବୁଥ୍ ଭାଗ ନେବେ ଓ ଭାରତୀୟ ଜନତାପାର୍ଟିର ସମସ୍ତ କାର୍ଯ୍ୟକର୍ତାଙ୍କ ଭାଗିଦାରୀ ଏଥିରେ ରହିବ । ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଇତି ମଧ୍ୟରେ ପ୍ରଦର୍ଶନୀ ଜରିଆରେ ମୋଦିଜୀଙ୍କର ବ୍ୟକ୍ତିତ୍ୱ ତାଙ୍କର କୃତିତ୍ୱ ଜନସେବାରେ ତାଙ୍କର ଉପଲବ୍ଧି ଓ କେଉଁଭଳି ଭାବରେ ଦଳିତ, ଗରୀବ, ବଂଚିତ, କୃଷକ, ମହିଳା, ଦିବ୍ୟାଙ୍ଗ ମାନଙ୍କ ପାଇଁ ଲମ୍ବା ସମୟ ଧରି ପ୍ରଧାନମନ୍ତ୍ରୀ ମୋଦି ସେବା ସମର୍ପଣ ଭାବରେ କାର୍ଯ୍ୟ କରିଆସିଛନ୍ତି, ଏହାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ । ନମୋ ଆପ୍ ଜରିଆରେ ଭର୍ଚୁଆଲ ପ୍ରଦର୍ଶନୀ ଆୟୋଜନ ହେବ ଏବଂ ସବୁ ଜିଲ୍ଲାରେ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଏହି ପ୍ରଦର୍ଶନୀକୁ ଆସି ଦେଖିପାରିବେ । ପ୍ରତ୍ୟେକ ମଣ୍ଡଳରେ ଦିବ୍ୟାଙ୍ଗ ମାନଙ୍କୁ କୃତ୍ରିମ ଅଙ୍ଗ ବିରତଣ କାର୍ଯ୍ୟକ୍ରମ ହେବ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ସ୍ୱାସ୍ଥ୍ୟ ଶିବିରର ଆୟୋଜନ ହେବ । ଦିବ୍ୟାଙ୍ଗ ମାନଙ୍କୁ ଯେଉଁ କୃତ୍ରିମ ଅଙ୍ଗ ବଂଟନ କରାଯିବ ସେଥିରେ ଦଳର ସମସ୍ତ ମୋର୍ଚ୍ଚା ସାମିଲ ରହିବେ । ପ୍ରତ୍ୟେକ ଜିଲ୍ଲାରେ ଗରିବ, ବସ୍ତି, ଅନାଥାଳୟ, ଡାକ୍ତରଖାନା ଏବଂ ବୃଦ୍ଧାଶ୍ରମ ମାନଙ୍କରେ ଫଳ ବିରତଣ କରାଯିବ । ଏହି କାର୍ଯ୍ୟକ୍ରମରେ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି, ପଛୁଆବର୍ଗ ମୋର୍ଚ୍ଚା, ମହିଳାମୋର୍ଚ୍ଚା ସମସ୍ତେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ମାଗଣା ରାସନ ବ୍ୟାଗ୍ ବିତରଣ କରାଯିବ ଏବଂ ଏଥିରେ ମହିଳାମୋର୍ଚ୍ଚା ମୁଖ୍ୟ ଭୂମିକା ଗ୍ରହଣ କରିବ । ଯୁବମୋର୍ଚ୍ଚା ଦ୍ୱାରା ସମସ୍ତ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରାଯିବ ଏବଂ ସମସ୍ତ ଯୁବକ ବନ୍ଧୁ ମାନଙ୍କୁ ଅନୁରୋଧ ରହିବ ଯେ ସେମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହେବେ । କୃଷକ ମୋର୍ଚ୍ଚା ଦ୍ୱାରା ସେପ୍ଟେମ୍ବର ୧୭ ତାରିଖ ଦିନ ରାଜ୍ୟ ମୁଖ୍ୟାଳୟ ଏବଂ ପ୍ରତ୍ୟେକ ଜିଲ୍ଲାରେ କୃଷକ ଓ ଜବାନ ମାନଙ୍କୁ ସମ୍ମାନିତ କରାଯିବ । ପ୍ରତ୍ୟେକ ମଣ୍ଡଳରେ ସ୍ୱଚ୍ଛତା ଅଭିଯାନ ହାତକୁ ନିଆଯିବ । ଏଥିରେ ନଦୀ ଓ ଜଳାଶୟର ସଫେଇ କାର୍ଯ୍ୟକ୍ରମ ଏବଂ ବ୍ୟାପକ ଭାବରେ ବୃକ୍ଷରୋପଣ, ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ର ବର୍ଜନ ପ୍ରତି ସଚେତନତା ସୃଷ୍ଟି କରାହେବ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତାପାର୍ଟିର ସ୍ୱଚ୍ଛ ଭାରତ ଟିମ୍ ଏହାର ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଡ. ସାମନ୍ତସିଂହାର ସୂଚନା ପ୍ରଦାନ କରିଛନ୍ତି ।
ସେପ୍ଟେମ୍ବର ୨୫ରେ ପଣ୍ଡିତ୍ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ ମଧ୍ୟ ଭବ୍ୟ ଭାବରେ ପାଳନ କରାଯିବ । ପ୍ରତ୍ୟେକ ମଣ୍ଡଳରେ ଏହାର ଗୋଟିଏ ଭର୍ଚୁଆଲ ସେମିନାର୍ ଆୟୋଜନ ହେବ, ଯେଉଁଥିରେ ସର୍ବନିମ୍ନ ଶହେରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତା ଯୋଗଦେବେ । ବୁଥ୍ ସ୍ତରରେ ପଣ୍ଡିତ୍ ଦୀନଦୟାଲ୍ ଉପାଧ୍ୟାୟଙ୍କ ପ୍ରତିମୂର୍ତି ବା ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବ ଏବଂ ତାଙ୍କ ବିଷୟରେ ବକ୍ତବ୍ୟ ଓ ଆଲୋଚନା କରାଯିବ ।
ସେହିଭଳି ଭାବରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରତ୍ୟେକ ବୁଥ୍ ସ୍ତରରେ ମହାତ୍ମାଗାନ୍ଧୀଙ୍କର ପ୍ରତିମୂର୍ତି ପରିସରକୁ ସଫେଇ କରିବା ଓ ପ୍ରତିମୂର୍ତି ବା ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବ । ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିତ୍ୱ ,କୃତିତ୍ୱ, ଜନସେବାରେ ତାଙ୍କର ଉପଲବ୍ଧି ବିଷୟରେ ଭର୍ଚୁଆଲ କନଫରେନ୍ସର ଆୟୋଜନ କରାଯିବ । ନମାମୀ ଗଙ୍ଗେ ଟିମ୍ ନେତୃତ୍ୱରେ ବିଭିନ୍ନ ଜାଗାରେ ପାର୍ଟିର କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା ଯେତିକି ନଦୀ ଅଛି ସମସ୍ତ ନଦିର ସଫେଇ କାର୍ଯ୍ୟକ୍ରମ ଏବଂ ଜଳାଶୟର ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହି ସମସ୍ତ କଥାକୁ ଲୋକଙ୍କ ପାଖରେ ପହଂଚାଯିବ । ସଂଖ୍ୟାଲଘୁ ମୋର୍ଚ୍ଚା ଦ୍ୱାରା ସମସ୍ତ ପନ୍ଥ ସମ୍ପ୍ରଦାୟର ଧର୍ମଗୁରୁ ମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତର ଆୟୋଜନ କରାଯିବ ଏ ସମସ୍ତ କାର୍ଯ୍ୟକ୍ରମ କୋଭିଡ୍ ନିୟମବଳୀ ମାନି ପାଳନ କରାଯିବ ।
ଏଥିରେ ଭାରତୀୟ ଜନତାପାର୍ଟିର ସମସ୍ତ କାର୍ଯ୍ୟକର୍ତା, ନିର୍ବାଚିତ ପ୍ରତିନିଧି ପଦାଧିକାରୀ ଯୋଗଦେବେ । ଏହାକୁ ବ୍ୟାପକ ଓ ଭବ୍ୟ ଭାବରେ କରିବାରେ ସହଭାଗିତା ସମସ୍ତଙ୍କର ରହିବ । ରାଜ୍ୟରେ ଭାରତୀୟ ଜନତାପାର୍ଟିର ୩୬ଟି ସାଂଗଠନିକ ଜିଲ୍ଲା ଏବଂ ୧୦୦୪ ମଣ୍ଡଳ ଓ ସମସ୍ତ ବୁଥ୍ରେ ଏହି କାର୍ଯ୍ୟକ୍ରମ ପାଳନ ହେବ । ସବୁ କାର୍ଯ୍ୟକର୍ତା ଏଥିରେ ସାମିଲ୍ ରହିବେ । ସମସ୍ତ ବିଷୟକୁ ବ୍ୟାପକ ଭାବରେ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯିବ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।
ଏଥିରେ ଅଧିକା ସଂଖ୍ୟାରେ ଯୋଗ ଦେଇ ସେବା ଓ ସମର୍ପଣ ଅଭିଯାନକୁ ସଫଳ କରିବାକୁ ଡ. ସାମନ୍ତସିଂହାର ଅନୁରୋଧ କରିଛନ୍ତି ।

0
0
0
s2sdefault