ହେଡଲାଇନସ୍:

୨୭ ପ୍ରତିଶତ ସଂରକ୍ଷଣରୁ ପଛୁଆ ବର୍ଗଙ୍କୁ ବଂଚିତ କରାଯାଇଛି : ସୁରଥ ବିଶ୍ୱାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ କ୍ୟାବିନେଟରେ ସଂରକ୍ଷଣ ନିଷ୍ପତି ପ୍ରସଙ୍ଗରେ

ଭୁବନେଶ୍ୱର: ଗତ ଦୁଇ ଦିନ ତଳେ ରାଜ୍ୟ କ୍ୟାବିନେଟର ନିଷ୍ପତି ଅନୁଯାୟୀ ଆସନ୍ତା ପୈାର ଓ ପଂଚାୟତ ନିର୍ବାଚନରେ ସର୍ବାଧିକ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ୧୯୯୬ ମସିହାଠାରୁ ୫ଟି ପଂଚାୟତ ନିର୍ବାଚନ ଏବଂ ପୈାର ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିଲା । କିନ୍ତୁ ୨୦୧୮ ମସିହାରେ ପୈାର ନିର୍ବାଚନ ପାଇଁ ୬୫ ପ୍ରତିଶତ ସଂରକ୍ଷଣ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏକ ମକଦ୍ଧମାର ରାୟରେ ମାନ୍ୟବର ହାଇକୋର୍ଟ ୫୦ ପ୍ରତିଶତ ସଂରକ୍ଷଣ କଥା ଉଠାଇଲେ । ପଛୁଆ ବର୍ଗ ପ୍ରତି ରାଜ୍ୟ ସରକାରଙ୍କ କ୍ରମାଗତ ଅଣଦେଖା ଓ ଅସୁୟା ମନୋଭାବ କାରଣରୁ ମାନ୍ୟବର କୋର୍ଟଙ୍କ ସମ୍ମୁଖରେ ଉପଯୁକ୍ତ ପକ୍ଷ ରଖାଯାଇନଥିଲା । ଏହି ନିଷ୍ପତି ବାହାନାରେ ରାଜ୍ୟ ସରକାର ପୈାର ନିର୍ବାଚନ ଘୁଂଚାଇବାରେ ସଫଳ ହେଲେ ଏବଂ ପଛୁଆ ବର୍ଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲେ । ରାଜ୍ୟ ସରକାର ତାଙ୍କର ଷଡଯନ୍ତ୍ରରେ ସଫଳ ହେଲେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ଏହି ପ୍ରସଙ୍ଗରେ ଶାସକ ବିଜେଡିକୁ ଶ୍ରୀ ବିଶ୍ୱାଳ ତାତ୍ସଲ୍ୟ କରି କହିଛନ୍ତି, ‘ମଳୁ ଲୋଡୁଥିଲା କାକର ପାଣି, ବଇଦ କହିଲା ଦେ ତୋରାଣି’ । ରାଜ୍ୟରେ ସର୍ବାଧିକ ଅନୁସୁଚିତ ଅଂଚଳ ଥିବା ଏବଂ ପଛୁଆ ବର୍ଗଙ୍କ ସଂଖ୍ୟା ୫୨ ପ୍ରତିଶତ ଥିବାବେଳେ ରାଜ୍ୟ ସରକାର ଏହି ତଥ୍ୟକୁ କୋର୍ଟରେ ଉପସ୍ଥାପିତ କାହିଁକି କରିଲେ ନାହିଁ ? ପରବର୍ତୀ ସମୟରେ ସୁପ୍ରିମକୋର୍ଟ ଯାଇଥିବା ରାଜ୍ୟ ସରକାର ପଛୁଆ ବର୍ଗ ସଂରକ୍ଷଣ ସପକ୍ଷରେ ପକ୍ଷ ରଖିବା ପାଇଁ କେଉଁ ବରିଷ୍ଠ ଆଇନଜୀବିଙ୍କୁ ନିଯୁକ୍ତି ଦେଇଥିଲେ ? ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ କଣ ତଥ୍ୟପ୍ରମାଣ ଉପସ୍ଥାପିତ କରିଥିଲେ, ଏହା ରାଜ୍ୟର ୨.୫କୋଟି ପଛୁଆ ବର୍ଗ ଲୋକଙ୍କୁ ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ବିଶ୍ୱାଳ ଦାବୀ କରିଛନ୍ତି ।
ବିଜେଡି ପକ୍ଷରୁ ପଛୁଆ ବର୍ଗଙ୍କ ଉଦ୍ଦେଶ୍ୟରେ ‘କ୍ରିମି ଲେୟାର’ର ବାହାନା କରି ପୁଣି ଥରେ ବିଭ୍ରାନ୍ତ କରିବାର ଅପଚେଷ୍ଟା ଆରମ୍ଭ ହୋଇଛି । ପରିବାର ସଦସ୍ୟଙ୍କ ଦରମା, କୃଷିଭିତିକ ଆୟ ସମେତ ବିଭିନ୍ନ ଆଳ ଓ ବାହାନା ଦର୍ଶାଇ ଅଧିକାଂଶ ପଛୁଆ ବର୍ଗ ଲୋକମାନଙ୍କୁ ସାର୍ଟିଫିକେଟ ନଦେବାର ଷଡଯନ୍ତ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମଣ୍ଡଳ କମିଶନ ସୁପାରିଶର ଏହା ପରିପନ୍ଥୀ । କେଉଁ କେଉଁ ନୂତନ ଜାତି ଓ ଉପଜାତିକୁ ପଛୁଆ ବର୍ଗରେ ସାମିଲ କରାଯିବ, ସେ ଦାୟୀତ୍ୱ ହେଲା ରାଜ୍ୟ ସରକାରଙ୍କର । କିନ୍ତୁ ରାଜ୍ୟରେ ଓବିସି କମିଶନ ଗଠନ ହେବାର ୨ ବର୍ଷ ବିତିଯାଥିଲେ ସୁଦ୍ଧା ନୂତନ ତାଲିକା ପ୍ରସ୍ତୁତ କରାଯାଇପାରିଲା ନାହିଁ । କିଛି ନିର୍ଦ୍ଧିଷ୍ଟ ବର୍ଗର ବ୍ୟକ୍ତି ଯେଉଁମାନେ ଦୀର୍ଘ ସମୟ ଧରି ଶାସନକୁ ମାଡି ବସିଛନ୍ତି ଏବଂ ତାଙ୍କ ପାଖ ଲୋକମାନେ ଏହି ଷଡଯନ୍ତ୍ରକୁ ସଫଳତାର ସହ କାର୍ଯ୍ୟକାରୀ କରି ଆସୁଛନ୍ତି । ୫୨ ପ୍ରତିଶତ ପଛୁଆ ବର୍ଗ ଜନସଂଖ୍ୟା ବିଶିଷ୍ଟ ଓଡିଶାରେ ପଛୁଆ ବର୍ଗଙ୍କ ବିକାଶ ଓ ସୁରକ୍ଷା ପାଇଁ ଶାସକ ବିଜେଡି ସବୁବେଳେ ପଛଘୁଂଚା ଦେଇଆସୁଛି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
କେଉଁ କେଉଁ ଜାତିକୁ ପଛୁଆ ବର୍ଗରେ ସାମିଲ କରାଯିବ, ତାର ଚୁଡାନ୍ତ ତାଲିକା ବର୍ତମାନ ସୁଦ୍ଧା କରିନାହାନ୍ତି ରାଜ୍ୟ ସରକାର । କିନ୍ତୁ ଜାତି ଆଧାରରେ ଜନଗଣନା ପାଇଁ ଦାବୀ କରି ପ୍ରହେଳିକା ସୃଷ୍ଟି କରୁଛନ୍ତି । ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ ବାରମ୍ବାର ଓବିସି ବର୍ଗଙ୍କୁ ଉପେକ୍ଷା ଓ ଅଣଦେଖା କରିଚାଲିଛନ୍ତି ଏବଂ ସେମାନଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି । ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ପ୍ରସଙ୍ଗରେ ଜାତୀୟ ପଛୁଆ ବର୍ଗ କମିଶନଙ୍କୁ ରାଜ୍ୟ ସରକାର ଅଭ୍ୟାସଗତ ଭାବେ ‘ନିରୀକ୍ଷଣ କରି ଦେଖିବୁ’ ବୋଲି ବାରମ୍ବାର କହି ଆସୁଛନ୍ତି । ଶାସକ ବିଜେଡିର ଆନ୍ତରିକତା ଅଭାବ କାରଣରୁ ପଛୁଆ ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେଉନାହିଁ । ନିଯୁକ୍ତି କ୍ଷେତ୍ରରେ ରାଜ୍ୟରେ ପଛୁଆ ବର୍ଗଙ୍କୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଉଥିବାର ଶାସକ ବିଜେଡି ମିଛ କହୁଛି । ବାସ୍ତବରେ ଏହା ୨ ପ୍ରତିଶତରୁ ମଧ୍ୟ କମ୍ । ପଛୁଆ ଏବଂ ଆର୍ଥିକ ଅନଗ୍ରସର ବର୍ଗଙ୍କ ସମସ୍ୟାର ସମାଧାନ କରିବା ପରିବର୍ତେ ସମସ୍ୟାକୁ ଜଟିଳ କରିଦେବା ରାଜ୍ୟ ସରକାରଙ୍କ ଚିରାଚରିତ ଅଭ୍ୟାସ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଦୀର୍ଘ ୨୧ ବର୍ଷ ଶାସନ ପରେ ବି ଶାସକ ବିଜେଡି ପାଖରେ ପଛୁଆ ବର୍ଗଙ୍କ ଭଳି ଚାଷୀ ଓ ଗରୀବଙ୍କ ତାଲିକା ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅନ୍ୟ ପଟେ କେବଳ ଚକ୍ରାନ୍ତ କରି ଏବଂ ଭୂଆଁ ବୁଲାଇ ପୌର ଓ ପଂଚାୟତ ନିର୍ବାଚନ ପାରି ହେବା ଶାସକ ବିଜେଡିର ଏକମାତ୍ର ଲକ୍ଷ୍ୟ । ପଛୁଆ ବର୍ଗର ଲୋକଙ୍କୁ ଆଉ ବେଶୀ ଦିନ ଶାସକ ବିଜେଡି ଭୂଆଁ ବୁଲାଇ ପାରିବ ନାହିଁ । ରାଜ୍ୟ ସରକାର ଯେଉଁ ମାନସିକତା ରଖି ପଛୁଆ ବର୍ଗ ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀଙ୍କ ଶିକ୍ଷା, ନିଯୁକ୍ତି ଓ ଆତ୍ମନିଯୁକ୍ତିରେ ବାଧକ ସାଜିଛନ୍ତି, ସେମାନଙ୍କ ସାମ୍ବିଧାନିକ ଅଧିକାର ପାଇଁ ଭାରତୀୟ ଜନତା ପାର୍ଟୀ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ଅବସରରେ ବିଧାୟକ କେ.ନାରାୟଣ ରାଓ ଏବଂ ଗଣମାଧ୍ୟମ ବିଭାଗ ପ୍ରମୁଖ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

 

0
0
0
s2sdefault