ହେଡଲାଇନସ୍:

ହେ ନବୀନ ...ଭଲ କରି ଚିହ୍ନିରଖ ଭ୍ରାତାଙ୍କ ବଦନ :  ବିଜେଡିରେ ବାରଭାଇ ଆଖଡ଼ା, ମାମଲତକାର ସାଜିଛନ୍ତି ଉଡା- ଦଳ ଛଡା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦାରୁ ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ :  ଅନ୍ୟର ସମ୍ପତ୍ତି ଦଳୀୟ ଏସେଟ  ବିଜେଡ଼ି ନିମନ୍ତେ ମହଙ୍ଗା ହୋଇପାରେ  । କ୍ଷମତା ଦଖଲର ଲାଳସାରେ କିଛି ସୁବିଧାବାଦି ରାଜନେତାଙ୍କ ଏଡାଳରୁ ସେ ଡାଳକୁ ଡ଼ିଆଡେଇଁ ମାରିବା ଭଳି ଦଳ ବଦଳ କରିବା ଦୃଶ୍ୟ ସମଗ୍ର ଭାରତ ବର୍ଷରେ ନୂଆ କଥା ନୁହେଁ । ମାତ୍ର ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଆସ୍ତା ପ୍ରକଟ କରି ଦଳର ମଙ୍ଗ ଛାଡ଼ି ଦେବା ବିଜେଡ଼ି ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନଙ୍କର ଏକ ଭୂଲ ନିଷ୍ପତ୍ତି ଏବଂ ଏହାର କୁପ୍ରଭାବ ସିଧାସଳ ଦଳ ଉପରେ ପ୍ରତିଫଳିତ ହେବା ସାଙ୍ଗକୁ ଦଳୀୟ ଅନ୍ତଦ୍ୱର୍ନ୍ଦର ମୁଖ୍ୟ କାରଣ ପାଲଟିପରେ ବୋଲି ଏବେ ଜିଲ୍ଲାରେ ଚର୍ଚ୍ଚା ହେଉଛି । 

ବିଜେଡ଼ି ଦଳ ୧୯୯୮ ଡ଼ିସେମ୍ବର ୧୬ରେ ପ୍ରତିଷ୍ଠା  ହେଲା ଏବଂ ୨୦୦୦ ସାଧାରଣ ନିର୍ବାଚନରେ ବିଜେପି ବିଜେଡ଼ି ମିଳିତ ସରକାର ଓଡ଼ିଶାକୁ ଶାସନ କଲେ । ମୁଖ୍ୟମନ୍ତ୍ରୀ ଚୌକିରେ ନବୀନ ପଟ୍ଟନାୟକ ବସିଲେ । ଏହି ୨୦୦୦ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲାରୁ ବିଜେଡ଼ି ଖାତା ଖୋଲିପାରି ନ ଥିବା ବେଳେ ୨୦୦୪ରେ ୨ଟି ଆସନକୁ ଦଖଲ କରିଥିଲା ।  ୨୦୦୯ରେ ବିଜେପି ସହିତ ଆସନ ବୁଝାମଣା ବିଫଳ ହେବା କାରଣରୁ ମେଣ୍ଟ ଭାଙ୍ଗି ଯାଇଥିଲା ଏବଂ ଏନସିପି ସହିତ ମେଣ୍ଟ ହେବା ପରେ ବିଜେଡ଼ି ୭ଟି ଆସନ ଓ ୨୦୧୪ରେ ବିଜେଡ଼ି ଏକାକୀ ଲଢ଼ି ସମସ୍ତ ୯ଟି ବିଧାନସଭା ଆସନକୁ ଦଖଲ କରି ବିରଳ ରେକଡ଼ ପ୍ରତିଷ୍ଠା କରିଥିଲା । କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡ଼ିର ଏକ ଭୂଲ ନିଷ୍ପତ୍ତି ଦଳକୁ ମୟୂରଭଞ୍ଜ ଜିଲାରେ ବିପର୍ଯ୍ୟୟର ରାସ୍ତା ଦେଖାଇ ଦେଇଛି ବୋଲି ରାଜନୀତି ସମାଲୋଚକମାନେ ମତ ପ୍ରକାଶ କରିଛନ୍ତି । ଏଥିରେ ବଡ଼ସାହି ବିଧାନସଭା କ୍ଷେତ୍ରରେ କଂଗ୍ରେସର ଗଣେଶ୍ୱର ପାତ୍ର, ଉଦଳାରେ ବିଜେପିର ଗୋଲକ ବିହାରୀ ନାଏକ, ବାଙ୍ଗିରିପୋଷିରେ ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ସୁଦାମ ମାର୍ଣ୍ଡି, ସାରସକଣାରେ ଜେଏମଏମର ପୂର୍ବତନ ମୟୂରଭଞ୍ଜ ଜିଲା ସଭାପତି ଭାଦବ ହାଁସଦାଃ , ରାଇରଙ୍ଗପୁର କଂଗ୍ରେସରୁ ସାଇବା ସୁଶୀଳ ହାଁସଦାଃ ଓ ୨୦୦୯ରେ ଏନସିପି ଟିକଟରେ ବିଧାୟକ ହୋଇ ପରବର୍ତ୍ତି ସମୟରେ ବିଜେଡ଼ିରେ ସାମିଲ ହୋଇଥିବା ସାରସକଣା ବିଧାୟକ ଇଂ ରାମଚନ୍ଦ୍ର ହାଁସଦାଃ ମୟୂରଭଞ୍ଜ ଲୋକସଭା ଆସନ ନିମନ୍ତେ ବିଜେଡ଼ି ଟିକଟରେ ନିର୍ବାଚନ ଲଢ଼ି ବିଧାୟକ ଓ ସାଂସଦ ହୋଇଥିଲେ । ଏମାନଙ୍କ ମଧ୍ୟରୁ ସୁଦାମ ମାର୍ଣ୍ଡିଙ୍କୁ ନବୀନ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ସହିତ ତାଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିଲେ । ସେହିପରି ଗୋଲକ ନାଏକଙ୍କୁ ଯୋଜନା ବୋର୍ଡ଼ର  ଅଧ୍ୟକ୍ଷ, ଜେଏମଏମରୁ ବିଜେଡ଼ିରେ ସାମିଲ ହୋଇଥିବା ସୁନୀଲ ଦାଶଙ୍କୁ ଜିଲା ସାଧାରଣ ସମ୍ପାଦକ ଓ ବର୍ତ୍ତମାନ ସମ୍ପାଦକ ଏବଂ ସତ୍ୟବାନ ସ୍ୱାଇଁଙ୍କୁ ରାଜ୍ୟ ସେରିଫେଡ଼ର ସଭାପତିରେ ବସାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ଏହି ମିଶ୍ରଣ ପର୍ବ ସହିତ ଥଇଥାନ କରିବା ସମୟରେ ଜିଲା ବିଜେଡ଼ି କର୍ମକର୍ତ୍ତାମାନଙ୍କ ସହିତ ବିଚାର ବିମର୍ଶ କରିବା ଉଚିତ ମଣି ନ ଥିଲେ । ରାଜ୍ୟରେ ବିଜେପି ବିଜେଡ଼ି ମିଳିତ ସରକାର ଚାଲିଥିବା ବେଳେ ମୟୂରଭଞ୍ଜ ଜିଲାରେ ବିଜେପିର ଭାଉ କାହିଁରେ କଣ ରହିଥିଲା ଓ ନିଜକୁ ବଡ଼ ଭାଇ ପଣିଆ ଜାହିର କରି ଆସୁଥିବାରୁ ବିଜେଡ଼ି କୋଣ ଠେସା ହୋଇ ରହିଥିଲା । ୨୦୦୯ରେ ବିଜେଡ଼ିର ସ୍ଥାନୀୟ ନେତା ଓ କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଲୋକାଭିମୁଖୀ ଯୋଜନା ସହିତ ନବୀନଙ୍କ ସ୍ୱଚ୍ଛ ନିର୍ମଳ ଭାବମୂର୍ତ୍ତିକୁ ପାଥେୟ କରି ଜିଲାରେ ସଂଗଠନକୁ ଏକ ଅଭେଦ୍ୟ ପାଚେରୀ ସଦୃଶ୍ୟ ଗଢ଼ିତୋଳିଲେ । ପରିଣାମ ସ୍ୱରୂପ ୨୦୧୪ରେ ମୟୂରଭଞ୍ଜ ଲୋକସଭା ସହିତ ୯ ବିଧାନସଭା ବିଜେଡ଼ି ହାତକୁ ଆସିିଲା । ମାତ୍ର ୨୦୧୪ରେ ଦଳରେ ବାରଭାଇଙ୍କ ଆଖଡ଼ା ଫଳରେ ପରସ୍ପର ସହିତ ସମନ୍ୱୟର ଅଭାବ ଏବଂ ମୁଖ୍ୟମନ୍ତ୍ରୀ ଅନ୍ୟ ଦଳରୁ ଆଣି ବିଜେଡ଼ିରେ ନେତା କରାଇଥିବା ବ୍ୟକ୍ତି ବିଶେଷଙ୍କ ନେତୃତ୍ୱକୁ ଦଳୀୟ ସମର୍ଥକମାନେ ଗ୍ରହଣ କରିପାରିଲେ ନାହିଁ ; ପୁଣି ଏହି ନେତାମାନେ ଦଳୀୟ ସଂଗଠନକୁ ନିଜର ସଂଗଠନ ଭାବେ ଗ୍ରହଣ କରିପାରିଲେ ନାହିଁ । ଯେଉଁ ନେତାମାନେ ବିଜେଡ଼ିର ନେତା ଓ କର୍ମୀମାନଙ୍କ ଉପରେ ଅତୀତରେ ମାରପିଟ, ଦଙ୍ଗା, ମାଲିମାମଲା ଆଦି ରୁଜୁ କରିଆସୁଥିଲେ ସେମାନଙ୍କର ନେତୃତ୍ବକୁ  ବିଜେଡ଼ିର ସ୍ଥାନୀୟ ନେତା ଓ କର୍ମୀମାନଙ୍କ ଉପରେ ହାଇକମାଣ୍ଡ ଏକ ବୋଝ ଭାବେ ଲଦି ଦେଇଥିଲେ । ଏହାର ବିରୋଧ କରିବାର ଦକ୍ଷତା ସ୍ଥାନୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ରହି ନ ଥିବାରୁ ସେମାନେ ଆଖି ବନ୍ଦ କରି ଦଳୀୟ ନିଷ୍ପତ୍ତିକୁ ହଜମ କରି ନେଲେ । ଯଦିଓ କେତେକ ହାତ ଗଣତି ବ୍ୟକ୍ତି ନିର୍ବାଚନ ମଣ୍ଡଳୀରେ ସେହି ସମୟରେ ସ୍ୱର ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଏପରି କୋଣ ଠେସା କରାଗଲା ଯେ କେତେକ ଦଳ ଛାଡ଼ିବାକୁ ବାଧ୍ୟ ହେଲେ । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଦଳୀୟ ନେତା, କର୍ମୀମାନେ ଗ୍ରହଣ କରିଥିବା ବେଳେ ସମର୍ଥକମାନେ ସୁଯୋଗର ଅପେକ୍ଷାରେ ରହିଥିଲେ । ଏମାନଙ୍କର ଏମଏଲଏ, ଏମପି, ସରପଞ୍ଚ, ଜିଲାପରିଷଦ ସଦସ୍ୟ, ଚାକିରୀ ଅଥବା ଠିକାଦାରୀ କରିବାର ଲାଳସା ବା ଆକାଂକ୍ଷା ନ ଥିବାରୁ ସେମାନେ ଦଳର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବେଲଟ ପେପର ମାଧ୍ୟମରେ ନିଜର ରାୟ ଶୁଣାଇ ଦେଇଥିଲେ । 

ଗତ ତ୍ରିସ୍ତରୀୟ ନିର୍ବାଚନରୁ ମୁଖ୍ୟମନ୍ତ୍ରୀ ନବୀନ କିଛି ଶିକ୍ଷା କରିବା ପରିବର୍ତ୍ତେ ତାଙ୍କର ପୂର୍ବର ଭୂଲକୁ ଦୋହରାଇବାରେ ଲାଗିଛନ୍ତି ବୋଲି ମୟୂରଭଞ୍ଜ ଜିଲାରେ ହେଉଥିବା ଚର୍ଚ୍ଚାରୁ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଡ଼ା. ଦେବାଶିଷ ମାର୍ଣ୍ଡିଙ୍କୁ ନେଇ ଚର୍ଚ୍ଚା ଚାଲିଛି । ଡ଼ା.ମାର୍ଣ୍ଡି ଏକ ସୁବିଧାବାଦୀ ନେତା ଭାବେ ଜିଲ୍ଲାବାସୀ ଦେଖିବା ଆରମ୍ଭ କରିଦେଇଛନ୍ତି ବୋଲି ସୋସିଆଲ ମିଡ଼ିଆରେ ମିଳୁଥିବା କମେଣ୍ଟରୁ ପରିଲକ୍ଷିତ ହୋଇଛି । ତାଙ୍କର ପେଶା ରୋଗୀ ସେବା ହୋଇଥିଲେ ମଧ୍ୟ କ୍ଷମତା ଦଖଲର ସ୍ୱପ୍ନ ତାଙ୍କୁ ଅଧିକ ଦିନ ବାନ୍ଧି ରଖିପାରିଲା ନାହିଁ । ବିଜେଡ଼ି ଦଳରେ ମିଶିଲେ ୨୦୧୪ ନିର୍ବାଚନକୁ ଅତି ସହଜରେ ପାରି ହେବାର ଆଶା ବାନ୍ଧି ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ନେତାଙ୍କ ଦୃଷ୍ଟି ଆକର୍ଷଣ କରାଇବା ନିମନ୍ତେ ପ୍ରୟାସ ଆରମ୍ଭ କରିଥିଲେ ମଧ୍ୟ ଦଳୀୟ ସଦସ୍ୟତା ଗ୍ରହଣ କରିବାକୁ କୁଣ୍ଠିତ ରହିଥିଲେ । ନିର୍ବାଚନରେ ଦଳୀୟ ଟିକଟ  ଯୋଗାଡ କରାଇବା କ୍ଷେତ୍ରରେ ତାଙ୍କର ଲବି ସୁପର ଫ୍ଲପ ହେବାରୁ କାଳବିଳମ୍ବ ନକରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇ ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଜେଏମଏମରେ ରହିଥିବା ପକେଟ ଭୋଟ ତାଙ୍କୁ ଧୋକ୍କା ଦେବ ନାହିଁ ଏବଂ ପରବର୍ତ୍ତି ସମୟରେ ଏହାକୁ ପାଥେୟ କରି ଅନ୍ୟ ରାଜନୈତିକ ଦଳକୁ ଲମ୍ଫ ମାରି ପାରିବେ । ଶେଷ ମୁହୂର୍ତ୍ତରେ ତାଙ୍କର ଆଶା ମଧ୍ୟ ସଫଳ ହେଲା । ଏମପି ନିର୍ବାଚନରେ ଜେଏମଏମରୁ ପ୍ରାର୍ଥୀ ହୋଇ ୧୬.୮ ପ୍ରତିଶତ ହାରରେ ମୋଟ ୧, ୭୨, ୯୮୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ନିର୍ବାଚନ ଶେଷ ହେବା ପରେ ଡ଼ା.ମାର୍ଣ୍ଡି ତାଙ୍କର ନୂତନ ଗୋଟି ଚାଳନା ଆରମ୍ଭ କରି ଜେଏମଏମର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ନ ଦେଇ କିଛି ଦିନ ରାଜନୀତିରେ ଅଣ୍ଡର ଗ୍ରାଉଣ୍ଡ ହୋଇଯାଇଥିବା ବେଳେ ସେ ବିଜେପିକୁ ଲମ୍ଫ ଦେବାକୁ ଯାଉଛନ୍ତି ବୋଲି ଜିଲାରେ ଚର୍ଚ୍ଚା ହେଉଥିଲା । ପଞ୍ଚାୟତ ନିର୍ବାଚନ ବେଳେ ଓଡ଼ିଶାରେ ବିଜେପି ସପକ୍ଷରେ ଭୋଟର ହାର କିଛି ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ମୟୂରଭଞ୍ଜ ରାଜନୀତିରେ ପରିବର୍ତ୍ତନର ବାର୍ତ୍ତା ସୃଷ୍ଟି କଲା । ବିରାଡ଼ି କପାଳକୁ ଶିକା ଛିଣ୍ଡିବା ନ୍ୟାୟରୁ ଫାଇଦା ଉଠାଇବା ନିମନ୍ତେ ଉଦ୍ୟମ କରି ଏବଂ ଜେଏମଏମକୁ ଧୋକ୍କା ଦେଇ ପ୍ରାୟ ୨୦ ମଇ ୨୦୧୭ ବିଜେଡ଼ିରେ ମିଶିବାରେ ସଫଳ ମଧ୍ୟ ହେଲେ । 

ବିଜେଡ଼ି ଦଳ ପ୍ରତିଷ୍ଠା ୧୯ ବର୍ଷ ଓ ଓଡ଼ିଶାରେ ୧୭ ବର୍ଷ ଶାସନ କରିବା ମଧ୍ୟରେ ମୟୂରଭଞ୍ଜ ଜିଲାରେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରାଇ ନ ପାରିବା, ଦଳୀୟ ନେତା ଓ କର୍ମୀମାନଙ୍କ ଉପରୁ ଆସ୍ଥା ହରାଇ ଅନ୍ୟ ଦଳ ତିଆରି କରିଥିବା ନେତାଙ୍କୁ ନିଜର ସମ୍ପତ୍ତି ଭାବି ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଆସ୍ଥା ପ୍ରକଟ କରିବା, ଦଳରେ ରହିଥିବା ଅନ୍ତଦ୍ୱର୍ନ୍ଦ ପ୍ରତି ଆଖି ବନ୍ଦ କରିଦେବା, ଶାସନ ଡୋରୀ ଅମଲାଙ୍କ ହାତକୁ ଯିବା, ବିଧାୟକ କୈନ୍ଦ୍ରିକ ଭାବେ ଦଳକୁ ପରିଚାଳନା କରାଇବା, ଶାସନ ବ୍ୟବସ୍ଥାର ଲଗାମ ହାତଛଡ଼ା ହେବା ଆଦି ବିଭିନ୍ନ ପ୍ରକାରର କାରଣରୁ ବିଜେଡ଼ି ଆଜି ମୟୂରଭଞ୍ଜ ଜିଲାରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଡ଼ା.ମାର୍ଣ୍ଡିଙ୍କୁ ଜିଲା କାର୍ଯ୍ୟକାରୀ  ସଭାପତି ସହିତ ମୟୂରଭ୍ଜ ଜନଜାତି ଉନ୍ନୟନ ପରିଷଦର ଅଧ୍ୟକ୍ଷର ମୁକୁଟ ପିନ୍ଧାଇବା ସଂଗେସଂଗେ ତାଙ୍କ ହାତରେ ଯାଦୁ ଛଡ଼ି ଧରାଇ ମୟୂରଭଞ୍ଜ ଜିଲାକୁ ପଠାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ବାବୁ । ଡ଼ା. ମାର୍ଣ୍ଡିଙ୍କ ଚତୁର ଗୋଟି ଚାଳନାକୁ ମୁଖ୍ୟମନ୍ତ୍ରୀ ବୁଝି ନ ପାରିବା ଫଳରେ ବାଜି ପାଲଟି ଗଲା ଓ ନବୀନଙ୍କ ଛତ୍ରଛାୟା ତଳେ ରହି ଜିଲାରେ ସୁପର ପାୱାର ପାଲଟିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଦେଲେ ।

 ମୟୂରଭଞ୍ଜ ଜିଲାରେ ବାର ଭାଇଙ୍କ ତେର ଆଖଡ଼ା ଫଳରେ ବିଜେଡ଼ିରେ ଆଭ୍ୟନ୍ତରୀଣ ଲଢେ଼ଇ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ମୂଳ ବିଜେଡ଼ିଙ୍କୁ କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି ।  ଦଳ ପାଇଁ ନିଜର ଜୀବନକୁ ବାଜି ଲଗାଇ ଆସୁଥିବା ନେତା, କର୍ମୀ ଓ ସମର୍ଥକଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ହାଇକମାଣ୍ଡ ଅଣଦେଖା ପ୍ରଦର୍ଶନ କରିଆସୁଥିବାରୁ ବିଜେଡ଼ି ନିକଟରୁ କର୍ମୀ ଓ ସମର୍ଥକ ଦୂରେଇବାରେ ଲାଗିଛନ୍ତି । ଏହି ଧାରା ଲାଗି ରହିଲେ ୨୦୧୯ ବେଳକୁ ଜିଲାରେ ବିଜେଡ଼ି ଦଳରେ କେବଳ ନବୀନଙ୍କ ଦ୍ୱାରା ମନୋନୀତ କେତେକ ପଦ ପଦବୀ ଧାରୀ ନେତାଙ୍କୁ ହିଁ ଦେଖିବାକୁ ମିଳିବାର ସମ୍ଭାବନା ଅଧିକ ରହିଛି ।  

0
0
0
s2sdefault