ହେଡଲାଇନସ୍:

ଗୋଏଲଙ୍କୁ ଭେଟି ସ୍ମାରକ ପତ୍ର ଦେଲେ ବିଜେପି ସାଂସଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପିଏମଜିକେଏୱାଇ ଏବଂ ଏନଏଫଏସଏରେ ବ୍ୟାପକ ଦୁର୍ନୀତିର ତଦନ୍ତ କରାଯାଉ:ବିଜେପି

ନୂଆଦିଲ୍ଲୀ/ଭୁବନେଶ୍ୱର:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଯୋଜନା କାର୍ଯ୍ୟକାରୀ କରିବାରେ ଅନିୟମିତତା, ହେରଫେର୍ ତଥା ଅବ୍ୟବସ୍ଥା ଉପରେ ଅବଗତ କରିବା ସହ ଅଭାବୀ ତଥା ଯୋଗ୍ୟ ହିତାଧିକାରୀଙ୍କୁ ବଂଚିତ କରିବା ନେଇ ଅଭିଯୋଗ କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରର ଏହି ଯୋଜନାରୁ ଅଧିକାଂଶ ଗରିବ ହିତାଧିକାରୀ ଲାଭ ପାଇପାରୁନାହାନ୍ତି ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(ଏନଏଫଏସଏ) ଜାଲିଆତି ଘଟଣାର ତଦନ୍ତ ନିର୍ଦ୍ଦେଶ  ପାଇଁ ସାଂସଦ ପ୍ରତିନିଧିମାନେ ଦାବୀ କରିଛନ୍ତି ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱରସାଂସଦ ପ୍ରତାପ ଷଡଙ୍ଗୀ, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେଓ,ବଲାଙ୍ଗୀରର ସାଂସଦ ସଙ୍ଗୀତା ସିଂହଦଓ ପ୍ରମୁଖ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଏହି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ସାଂସଦଙ୍କ ଅଭିଯୋଗ ଅନୁଯାୟୀ, କୋଭିଡ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତୋଦୟ ବିଚାରରେ ସମାଜର ଅବହେଳିତ ଲୋକଙ୍କୁ ଅତିରିକ୍ତ ଖାଦ୍ୟ ସୁରକ୍ଷା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ (ପିଏମଜିକେଏୱାଇ)ର ଆରମ୍ଭ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ କରାଯାଇଥିବା ସାଧାରଣ ଖାଦ୍ୟ ଆବଂଟନ ବ୍ୟତୀତ ମାଗଣା ଖାଦ୍ୟ ଶସ୍ୟ ତଥା ଗହମ ଏବଂ ଚାଉଳ ବଂଟନର ଆରମ୍ଭ କରିଥିଲେ । ପିଏମଜିକେଏୱାଇ ଅଧୀନରେ ଏପ୍ରିଲ୍-ନଭେମ୍ବର ୨୦୨୦ ଅବଧି ପାଇଁ ଓଡିଶାର ୯୨.୭୭ ଲକ୍ଷରୁ ଅଧିକ ଏନଏଫଏସଏ କାର୍ଡଧାରୀ ଯଥା ୩.୨୪ କୋଟି ହିତାଧିକାରୀଙ୍କ ପାଇଁ ୧୨.୯୪ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ ମାଗଣାରେ ଓଡିଶାକୁ ଦିଆଯାଇଥିଲା । ସେଥିମଧ୍ୟରୁ ୧୨.୫ ଲକ୍ଷ ମେଟ୍ରିକ ଟନ ଉଠାଯାଇଥିଲା । ଖାଦ୍ୟ ଶସ୍ୟ ବ୍ୟତୀତ ଏପ୍ରିଲ୍-ନଭେମ୍ବର, ୨୦୨୦ ଅବଧି ପାଇଁ ପିଏମଜିକେଏୱାଇ ଅଧୀନରେ ଓଡିଶାକୁ ଅତିରିକ୍ତ୨୭ ହଜାର ୮୫୩.୮୯ ମେଟ୍ରିକ ଡାଲି କିମ୍ବା ଚଣା ମଧ୍ୟ ଆବଂଟନ କରାଯାଇଥିଲା ।

୨୦୨୦-୨୧ ମସିହାରେ ପିଏମଜିକେଏୱାଇ ଅନ୍ତର୍ଗତ ମେ-ନଭେମ୍ବର ୨୦୨୧ ଅବଧି ପାଇଁ ଓଡିଶାକୁ ପ୍ରାୟ ୧୧.୩୫ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ ମାଗଣାରେ ବଂଟନ କରାଯାଇଛି । ସେଥିମଧ୍ୟରୁ ୬.୨୨ ଲକ୍ଷ ମେଟ୍ରିକ ଟନ ଉଠାଯାଇଛି । ଏହା ଚିନ୍ତାଜନକ ଯେ ପିଏମଜିକେଏୱାଇ ଏବଂ ଏନଏଫଏସଏ ଯୋଜନା ଅନ୍ତର୍ଗତ ୧୫ଟି ଜିଲ୍ଲା ଯଥା କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୁରଭଞ୍ଜ, ଝାରସୁଗୁଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ବରଗଡ଼, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦ ପ୍ରତିଶତରୁ କମ୍ ଖାଦ୍ୟଶସ୍ୟ ଉଠାଯାଇଛି । ଏହା ଉପରୋକ୍ତ ଜିଲ୍ଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ପଛୁଆ ଏବଂ ଓଡିଶାର ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା । 

ପିଏମଜିକେଏୱାଇ ଯୋଜନା ଅଧୀନରେ ମେ ୨୦୨୧ ରେ ଓଡିଶାର ୯୨.୮୩ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କ ମଧ୍ୟରୁ କେବଳ ୮୭.୩୯ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଂଟନ କରାଯାଇଥିବା ବେଳେ ୫.୪୩ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ଖାଦ୍ୟଶସ୍ୟ ବଂଟନ କରାଯାଇନାହିଁ । ସେହିପରି ଅନୁରୂପ ଭାବରେ ଜୁନ୍ ୨୦୨୧ରେ ଓଡିଶାର ୯୨.୭୭ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କ ମଧ୍ୟରୁ ମାଗଣା ଖାଦ୍ୟ ଶସ୍ୟ କେବଳ ୮୮.୨୩ ଲକ୍ଷଙ୍କୁ ବଂଟନ କରାଯାଇଥିବା ବେଳେ ୪.୫୪ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ବିତରଣ କରାଯାଇନାହିଁ । କରୋନା ମାହାମାରୀ ସମୟ ମଧ୍ୟରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟରୁ ବଂଚିତ ରଖିବା ଦୁଃଖ ଓ ପରିତାପର ବିଷୟ । 

ଏନଏଫଏସଏ ଯୋଜନା ଅଧୀନରେ ମେ ୨୦୨୧ରେ ଓଡିଶାର ୯୨.୮୩ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କ ମଧ୍ୟରୁ ୪.୦୭ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ଛାଡି କେବଳ ୮୮.୭୬ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଂଟନ କରାଯାଇଛି । ସେହିପରି ଜୁନ୍ ୨୦୨୧ରେ ଓଡିଶାର ୯୨.୭୭  ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କ ମଧ୍ୟରୁ ୪.୦୪ ଲକ୍ଷ ଏନଏଫଏସଏ କାର୍ଡଧାରୀଙ୍କୁ ଛାଡି କେବଳ ୮୮.୭୨ ଲକ୍ଷ ଏନଏଫଏସଏ କାର୍ଡ ଧାରକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଂଟନ କରାଯାଇଛି । 

ଉପରୋକ୍ତ ତଥ୍ୟରୁ ପ୍ରମାଣିତ ଯେ ଭାରତ ସରକାରଙ୍କ ଦ୍ୱାରା ଆବଂଟନ କରାଯାଉଥିବା ଖାଦ୍ୟଶସ୍ୟ ବନାମ୍ ରାଜ୍ ସରକାରଙ୍କ ଦ୍ୱାରା ପିଏମଜିକେଏୱାଇ ଏବଂ ଏନଏଫଏସଏ ଅଧୀନରେ ଦିଆଯାଉଥିବା ଖାଦ୍ୟ ତାଲିକାରେ ଅନେକ ପାର୍ଥକ୍ୟ ରହିଛି  । ଯାହା ପ୍ରମାଣିତ କରୁଛି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏନଏଫଏସଏ ରାସନକାର୍ଡଧାରୀ ଭୂତ ହିତାଧିକାରୀ ଅଛନ୍ତି  । ଓଡ଼ିଶା ସରକାର ଲୋକଙ୍କୁ ଗରିବ ଏବଂ ଅଭାବୀ ବ୍ୟକ୍ତିଙ୍କୁ ଭୋକରେ ରଖି ଖାଦ୍ୟଶସ୍ୟ ଖୋଲା ବଜାରରେ ଚୋରା ଚାଲାଣ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । 

ସେହିପରି ପିଏମଜିକେଏୱାଇ ଅଧୀନରେ ମାଗଣା ରାସନ ବଂଟନ ଏବଂ ଅନ୍ୟାନ୍ୟ ସୁବିଧା ବିଷୟରେ ସୂଚନା ଏବଂ ସଚେତନତା ପାଇଁ ରାଜ୍ୟ ସରକାରଙ୍କୁ ଆଂଚଳିକ ଭାଷାରେ ସମସ୍ତ ଉଚିତ ମୂଲ୍ୟ ସଂପର୍କରେ ଦୋକାନ, ଗୋଦାମ, ସରକାରୀ କାର୍ଯ୍ୟାଳୟ ଇତ୍ୟାଦିରେ ବ୍ୟାନର ଏବଂ ପୋଷ୍ଟର ମାରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ନିଦେ୍ର୍ଧଶାବଳୀଗୁଡିକର ଖୋଲାଖୋଲି ଉଲ୍ଲଂଘନ କରି ରାଜ୍ୟ ସରକାର ମାଗଣା ରାସନ ସାମଗ୍ରୀ ଏବଂ ଉପଲବ୍ଧ ସୁବିଧା ଗୁଡ଼ିକର ସବିଶେଷ ତଥ୍ୟ ବଦଳରେ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଚିତ୍ରକୁ ପ୍ରୋତ୍ସାହିତ କରି ଏହି ଯୋଜନାକୁ ଭୁଲ ବ୍ରାଣ୍ଡିଂ କରିଛନ୍ତି  । ଏହା ରାଜ୍ୟ ସରକାରଙ୍କ ପ୍ରଥମ ଉଦାହରଣ ନୁହେଁ । କିଛି ସପ୍ତାହ ପୂର୍ବରୁ, କେନ୍ଦ୍ରୀୟ ଟିମର ଅନୁସନ୍ଧାନରୁ ଓଡ଼ିଶାରେ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାର ଅପବ୍ୟବହାର କଥା ପଦାକୁ ଆସିଥିଲା । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଟିମ୍ ମଧ୍ୟ ଉଦେ୍ଧଶ୍ୟମୂଳକ ଭୁଲ୍ କାରବାରର ବଡ଼ ପ୍ରମାଣ ପାଇଛି  । ଏହି ଯୋଜନା ଅନ୍ତର୍ଗତ ସଂପୂର୍ଣ୍ଣ ଘରଗୁଡିକ ଉପରେ ପିଏମ-ଆବାସ ଲୋଗୋ ଗୁଡିକ ରାଜ୍ୟ ପ୍ରାୟୋଜିତ ବିଜୁ ପକ୍କା ଘର ଯୋଜନା ଭାବରେ ବ୍ରାଣ୍ଡିଂ କରାଯାଇ ଏହାକୁ ବଦଳାଇ ଦିଆଯାଉଥିଲା ।

ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଓଡିଶାର ଲୋକଙ୍କ କଲ୍ୟାଣ ପାଇଁ ଓଡିଶାର ସଂସଦର ସଦସ୍ୟମାନେ ଏହି ଘଟଣାର ସବିଶେଷ ତଥ୍ୟ ଅନୁସନ୍ଧାନ ପାଇଁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ  ଦେବା ସହ ରାଜ୍ୟ ସରକାରଙ୍କୁ ପିଏମଜିକେଏୱାଇ ପରିଚାଳନାରେ ତ୍ରୁଟିକୁ ସୁଧାରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିବା ସହ ଅନୁରୋଧ କରିଛନ୍ତି ।

 

0
0
0
s2sdefault