ହେଡଲାଇନସ୍:

ବିଜେପି ବିଧାୟକଙ୍କ ଆଚରଣ ସଇତାନର ବେଦପାଠ ଭଳି : ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ): ଗଣତନ୍ତ୍ରର ପବିତ୍ର ମନ୍ଦିରରେ ବାଚସ୍ପତିଙ୍କ ଉପରକୁ ଜୋତା ଫୋପାଡିବା ଭଳି ଅତ୍ୟନ୍ତ ଅଶୋଭନୀୟ ଓ ଲଜ୍ଜାଜନକ ଘଟଣା ଘଟାଇବାପରେ ବିଜେପି ବିଧାୟକମାନେ ରାତି ସାରା ଗାନ୍ଧୀମୂର୍ତ୍ତି ତଳେ ବସିବା ସଇତାନର ବେଦପାଠ ସଦୃଶ । ଓଡିଶାବାସୀ ବିଜେପି ନେତାଙ୍କ ଏଭଳି ସଇତାନୀ କାରବାରକୁ ଦେଖୁଛନ୍ତି ଓ ଏଥିପାଇଁ ବିଧାୟକମାନଙ୍କୁ କେବେ ହେଲେ କ୍ଷମତା ଦେବେନାହିଁ ବୋଲି କହିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । 

ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ବିଜେପି ବିଧାୟକମାନେ ବିଧାନସଭାରେ ଯେଭଳି ଲଜ୍ଜାଜନକ କାଣ୍ଡ ଘଟାଇଲେ ଓ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ବସିଲେ ସେଥିରୁ ଆମେ ଆଶା କରିଥିଲୁ ଯେ ସେମାନଙ୍କୁ ସଦ୍‍ବୁଦ୍ଧି ମିଳିବା ସହିତ ଜ୍ଞାନଚକ୍ଷୁ ଖୋଲିଥିବ । ହେଲେ ସେଭଳି କିଛି ହୋଇନଥିବା ସେମାନଙ୍କର ପ୍ରେସ୍‍ମିଟ୍‍ରୁ ପ୍ରତୀୟମାନ ହେଉଛି । ରାତି ସାରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସିଲାପରେ ମଧ୍ୟ ନିଜର ଅଶୋଭନୀୟ ଲଜ୍ଜାଜନକ କାର୍ଯ୍ୟପାଇଁ ପ୍ରାୟଶ୍ଚିତ କରିନାହାନ୍ତି । ଏଥିରୁ ଗୋଟିଏ କଥା ଜଳ ଜଳ ହୋଇ ଦିଶୁଛି ଯେ ସେମାନେ ଆନ୍ତରିକତାର ସହ ସେଠାରେ ବସିନଥିବାରୁ ନିଜର ହିଂସା ଆଚରଣ ଲାଗି ମହାତ୍ମାଙ୍କୁ କ୍ଷମା ମାଗି ନିଜ ଭୁଲର ପ୍ରାୟଶ୍ଚିତ କରିନାହାନ୍ତି । 

ବିଧାନସଭା ଭିତରେ ବିଜେପି ବିଧାୟକଙ୍କର ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଓ ଚପଲ ଫିଙ୍ଗା କାର୍ଯ୍ୟକୁ ନେଇ ସାଢେ ଚାରିକୋଟି ରାଜ୍ୟବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହିତ ଦୃଢ ନିନ୍ଦା କରିଛନ୍ତି । ଆମେ ଆଶା କରୁଛୁ, ଏବେ ବି ସମୟ ଅଛି, ଆନ୍ତରିକତାର ସହ ନିଜର ଭୁଲ୍‍ ପାଇଁ ବିଜେପି ବିଧାୟକମାନେ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ଏବଂ ପ୍ରାୟଶ୍ଚିତ କରନ୍ତୁ । ଏହା ନହେଲେ ସାଢେ ଚାରିକୋଟି ଓଡିଶାବାସୀଙ୍କ ସମେତ ସେମାନଙ୍କ ନିର୍ବାଚନମଣ୍ଡଳୀର ଭୋଟରମାନେ ମଧ୍ୟ ବିଜେପି ବିଧାୟକମାନଙ୍କୁ ଆଦୌ କ୍ଷମା କରିବେ ନାହିଁ । 

ବିଜେପି ନେତାମାନେ ପୂର୍ବରୁ ବିଧାନସଭା ବାହାରେ ହିଂସା ଆଚରଣ କରିବାର ବହୁ ନଜିର ଥିବାବେଳେ ସେମାନେ ଏବେ ତାହାକୁ ବିଧାନସଭା ପରିସରକୁ ଆଣିଛନ୍ତି । ଏହା କେବଳ ବିଧାନସଭା ଇତିହାସରେ କଳାଦାଗ ଲଗାଇନାହିଁ, ବରଂ ପରପୀଢି ପାଇଁ ଖରାପ ବାର୍ତ୍ତା ଦେଇଛି । ବିଧାୟକଙ୍କ ଏଭଳି ଆଚରଣ ଏବେ ସମଗ୍ର ଦେଶରେ ଓଡିଶାର ମୁଣ୍ଡ ତଳକୁ କରିଦେଇଛି । ତେଣୁ ଏଭଳି ଆଚରଣ ପାଇଁ ବିଜେପି ବିଧାୟକମାନେ ରାଜ୍ୟବାସୀଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି ।

 

0
0
0
s2sdefault