ହେଡଲାଇନସ୍:

ବିଧାନସଭାରେ ବି ଉଠିବ ନିଆଁ ପ୍ରସଙ୍ଗ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଙ୍ଗଲ ସୁରକ୍ଷାର ଗାଇଡଲାଇନ ଏବଂ ଏସ୍ଓପିକୁ କଡାକଡି କରନ୍ତୁ ସରକାର : ମୋହନ

ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଜଣାଇଲେ ଦାବୀ

ଭୁବନେଶ୍ୱର : ଓଡିଶାର ସବୁଜ ବନାନୀ ହୁ ହୁ ହୋଇ ଜଳିଯାଉଛି କିନ୍ତୁ ଜଙ୍ଗଲ ବିଭାଗ କିମ୍ବା ରାଜ୍ୟ ସରକାରଙ୍କର ଏଥିପ୍ରତି ଦୃଷ୍ଟି ନାହିଁ । ଜଙ୍ଗଲରେ ନିଆଁ ଲାଗିବା ସଂପର୍ଣ୍ଣ ମନୁଷ୍ୟକୃତ । କିଛି ଜଙ୍ଗଲ ମାଫିଆ ଓ ଅସାମାଜିକ ବ୍ୟକ୍ତି ଏହି ଅକ୍ଷମଣୀୟ ଅପରାଧରେ ସଂପୃକ୍ତ । ଶିମିଳିପାଳ ସଂରକ୍ଷଣ ଜୈବ ମଣ୍ଡଳ ଜଳୁଛି । ପାଉଁଶ ହୋଇଯାଉଛନ୍ତି ଏକର ଏକର ସବୁଜିମା ସାଙ୍ଗକୁ ବହୁ ଔଷଧୀୟ ବୃକ୍ଷ । ସପ୍ତାହେରୁ ଅଧିକ ସମୟ ଧରି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ । ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ) ତଥ୍ୟ ଅନୁଯାୟୀ କେବଳ ମାର୍ଚ୍ଚ ୨ରେ ହୋଇଥିବା ଗୋଟିଏ ଦିନ ସର୍ଭେରେ ଭାରତର ୫୯୩ଟି ଜଙ୍ଗଲରେ ନିଆଁ ଲାଗିଥିବା ରେକର୍ଡ ହୋଇଥିବା ବେଳେ ଓଡିଶାର ସର୍ବାଧିକ ୨୨୮ଟି ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଥିଲା । ବର୍ତମାନ ଶିମିଳିପାଳ ସମେତ ୯୧୯ଟି ଘଂଚ ଜଙ୍ଗଲରେ ନିଆଁ ଲାଗିଛି, ଯାହାକି ଭାରତବର୍ଷର ଅନ୍ୟ କୈାଣସି ରାଜ୍ୟ ଅପେକ୍ଷା ସର୍ବାଧିକ । ଭୟାବହ ନିଆଁ ଦ୍ୱାରା ଅଭୟାରଣ୍ୟରେ ଥିବା ହରିଣ, ହାତୀ, ଭାଲୁ, ଶମ୍ବର ଓ ଅନ୍ୟ ବନ୍ୟ ଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ରାଜ୍ୟ ସରକାର ନିଆଁ ଲିଭେଇ ଦେଇଥିବା କଥା କହୁଥିବାବେଳେ ବାସ୍ତବରେ ସ୍ଥିତି ସଂପୂର୍ଣ୍ଣ ଅଲଗା । ଗତ ୫ବର୍ଷ ହେଲା ଜଙ୍ଗଲ ଦ୍ୱାରା ଗ୍ରୀଷ୍ମ ଆରମ୍ଭ ହେବା ପୂର୍ବରୁ ଜଙ୍ଗଲ ନିଆଁକୁ କାବୁ କରିବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି କିଣାଯାଉଛି ଓ ଏଥିପାଇଁ ଏକ ସ୍ୱତନ୍ତ୍ର ବଜେଟ ଅଛି ଯାହାକି ଏବେ ୨୦କୋଟି ଟଙ୍କା ଟପିଲାଣି । ୨୦୧୬-୧୭ ଆର୍ଥିକ ବର୍ଷରେ ଏ ବାବଦରେ ୧୬.୨୯କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବାବେଳେ ୨୦୧୭-୧୮ ରେ ୧୮.୫୮ କୋଟି ଏବଂ ପରବର୍ତୀ ବର୍ଷରେ ଏହା ୨୦ କୋଟି ଟଙ୍କା ଟପିଛି । ଏହାବ୍ୟତୀତ ୨୦୧୬ରୁ ଜଙ୍ଗଲ ନିଆଁ ପ୍ରତିକାର ନିମନ୍ତେ ଏସ୍ଓପି ଜାରି ହୋଇଛି । ମାତ୍ର ଏତେ ସବୁ

ଗାଇଡ୍ଲାଇନ୍ ଓ ଏସ୍ଓପି ସତ୍ୱେ ଜଙ୍ଗଲ ନିଆଁକୁ  ଆୟତ କରାଯାଇନାହିଁ । ଓଡିଶାର ସବୁଜ ବନାନୀ ଏବଂ ଜୈବ – ବିବିଧତା କିପରି ସୁରକ୍ଷିତ ରହିବ ଏବଂ ଜଙ୍ଗଲ ସୁରକ୍ଷାର ଗାଇଡ୍ଲାଇନ୍ ଏବଂ ଏସ୍ଓପିକୁ କଡାକଡି ଭାବେ ପାଳନ ପାଇଁ ଦୃଷ୍ଟିଦେବାକୁ ବିଜେପି ଦାବୀ କରିଛି । ଏହି ପ୍ରସଙ୍ଗରେ ଆଜି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦାବୀ ଜଣାଇଛନ୍ତି । ଗତକାଲି ରାଜ୍ୟକାର୍ଯ୍ୟକାରିଣୀ ବୈଠକ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସଂକ୍ରାନ୍ତରେ ଚିନ୍ତା ପ୍ରକଟ କରିବା ସହ  ଆଲୋଚନା କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସମସ୍ୟାର ସମାଧାନ ସହ ଓ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାକୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦାବୀ ଜଣାଇବାକୁ କହିଥିଲେ ବୋଲି ଶ୍ରୀ ମାଝୀ ସୁଚନା ଦେଇ କହିଛନ୍ତି ।

ଜଙ୍ଗଲ ପରିବେଶ ଓ ଜୈବ ମଣ୍ଡଳର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ କେନ୍ଦ୍ର ସରକାର ବହୁ ପରିମାଣର ଅର୍ଥ ଦେଉଛନ୍ତି । ମାତ୍ର ରାଜ୍ୟ ସରକାର ସେହି ଅର୍ଥକୁ ସଠିକ ଭାବେ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି । ଏହି ପ୍ରସଙ୍ଗକୁ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେସନରେ ବିଜେପି ତରଫରୁ ଆଲୋଚନା କରିବୁ ବୋଲି ଶ୍ରୀ ମାଝୀ କହିଛନ୍ତି । ବହୁ ଶିଘ୍ର ଭାରତୀୟ ଜନତା ପାର୍ଟୀର ୩ଟି ଭିନ୍ନ ଭିନ୍ନ ଦଳ ରାଜ୍ୟର ୩ଟି ବିଭିନ୍ନ ଅଂଚଳକୁ ଗସ୍ତ କରି ଜଙ୍ଗଲ, ବନ୍ୟପ୍ରାଣୀ, ବନ୍ୟ ସଂପଦର ସୁରକ୍ଷା ଏବଂ ରାଜ୍ୟସରକାରଙ୍କ ପଦକ୍ଷେପର ସମୀକ୍ଷା କରିବ ବୋଲି ଶ୍ରୀ ମାଝୀ କହିଛନ୍ତି । ରାଜ୍ୟ ସରକାରଙ୍କ ଗୋଟିଏ ବିଭାଗ ଜଙ୍ଗଲରେ ନିଆଁ ଲଗାନ୍ତି ଏବଂ ଆଉ ଗୋଟିଏ ବିଭାଗ ସେହି ନିଆଁକୁ ଲିଭାନ୍ତି । କେନ୍ଦୁପତ୍ର ବିଭାଗ ନିଆଁ ଲଗାଉଥିବାବେଳେ ଜଙ୍ଗଲ ବିଭାଗ ନିଆଁ ଲିଭାନ୍ତି । ମାତ୍ର ବର୍ତମାନ ସୁଦ୍ଧା ରାଜ୍ୟ ସରକାର ଜଙ୍ଗଲରେ ନିଆଁ ଲିଭାଇବା ପାଇଁ କୈାଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଏହି ଅବସରରେ ବିଧାୟକ ସୁବାଷ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି । କାମ୍ପା ଫଣ୍ଡରେ ହୋଇଥିବା ଦୁର୍ନୀତିକୁ ଲୁଚାଇବା ପାଇଁ ରାଜ୍ୟ ସରକାର ନିଜେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ବୋଲି ଉପସ୍ଥିତ ଅନ୍ୟତମ ବିଧାୟକ ପ୍ରକାଶ ସୋରେନ ଅଭିଯୋଗ କରିଛନ୍ତି ।

 

0
0
0
s2sdefault