ହେଡଲାଇନସ୍:

ସୀମିତ ସମୟ ମଧ୍ୟରେ ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ କାର୍ଯ୍ୟ ସାର: ଦିଲିପ ରାୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

14--Dilip-Ray.jpg - 36.26 kB

ଭୁବନେଶ୍ୱର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଠିକଣା ସମନ୍ୱୟ ରହୁନଥିବାରୁ ବିମଳାଗଡ଼-ତାଳଚେର ରେଳପଥ ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ । ଏହି ରେଳପଥ ନିର୍ମିତ ହେଲେ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଦୂରତା ପ୍ରାୟ ୧୨୦ କିମି କମିଯିବ । ଏହି ବହୁ ପ୍ରତୀକ୍ଷିତ ରେଳପଥ ନିର୍ମାଣ କାର୍ଯ୍ୟ ଉଭୟ ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲା ପଟୁ ଚଳାଇବା ସହିତ ସୀମିତ ସମୟ ମଧ୍ୟରେ ଜମି ଅଧିଗ୍ରହଣ ସହିତ ରେଳ ଚଳାଚଳ ଯେପରି ଆରମ୍ଭ ହୁଏ ସେ ଦିଗରେ ପ୍ରଧାନମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ ଦୃଷ୍ଟି ଦେବାକୁ ବରିଷ୍ଠ  ବିଧାୟକ ଦିଲିପ ରାୟ ଦାବି କରିଛନ୍ତି । 

ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ମାସରେ ସମୀକ୍ଷା ବୈଠକ କରିବା ଲାଗି ଶ୍ରୀ ରାୟ ପ୍ରସ୍ତାବ ଦେବା ସହିତ କେଉଁ କାରଣରୁ ଜମି ଅଧିଗ୍ରହଣ ବିଳମ୍ବିତ ହେଉଛି ଓ ନିର୍ମାଣ କାର୍ଯ୍ୟ ପଛାଉଛି ତାହା ଉଚ୍ଚସ୍ତରରେ ଅନୁଧ୍ୟାନ କରାଗଲେ ଦୁଇ ବର୍ଷ ମଧ୍ୟରେ ବିମଳାଗଡ଼-ତାଳଚେର ରେଳପଥ କାର୍ଯ୍ୟକ୍ଷମ ହୋଇ ଏହି ବାଟେ ଭୁବନେଶ୍ୱରରୁ ରାଉରକେଲା ସିଧାସଳଖ ରେଳ ଚଳାଚଳ ହୋଇପାରିବ ବୋଲି ଶ୍ରୀ ରାୟ କହିଛନ୍ତି । 

ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ କାହିଁକି ଭୂମି ଅଧିଗ୍ରହଣ ସମସ୍ୟା ଲାଗି ରହୁଛି ସେଥିଘେନି ବିଧାୟକ ଶ୍ରୀ ରାୟ ବିସ୍ମୟ ପ୍ରକାଶ କରିବା ସହିତ ଏହି ଦୁଇ ଜିଲ୍ଲାରେ ଭୂମି ଅଧିଗ୍ରହଣ ଅଧିକାରୀ ଜିଲ୍ଲାପାଳ ଓ ତହସିଲଦାରମାନଙ୍କ ସହ ଯୋଗସୂତ୍ର ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ଏହି ରେଳପଥ ପାଇଁ ଆବଶ୍ୟକ ହେଉଥିବା ସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ ଲାଗି ୨୦୧୫ ମସିହାରୁ ପୂର୍ବତଟ ରେଳପଥ ଅନୁରୋଧ ପତ୍ର ଦେଇଥିବା ସତ୍ତେ୍ୱ ତାହା ଉପରେ ତ୍ୱରିତ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଯେଉଁମାନେ ବିଳମ୍ବ କରୁଛନ୍ତି ସେମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ  ନେବା ଆବଶ୍ୟକ । 

ଏହି ରେଳପଥର କେତେକ ସ୍ଥାନରେ ବୁଝାମଣା ଅଭାବରୁ ଲୋକଙ୍କ ଆଡ଼ୁ ବିରୋଧ ଆସୁଛି । ସରକାରୀ ଅଧିକାରୀମାନେ ସମ୍ବେଦନଶୀଳ ହୋଇ ବିରୋଧ କରୁଥିବା ଲୋକଙ୍କ ଠାରୁ ଠିକଣା ଭାବେ ସମସ୍ୟା ଶୁଣି ତାହାର ପ୍ରତିକାର କରିପାରିଲେ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ତାଳଚେର-ବିମଳାଗଡ଼ ରେଳପଥ କାର୍ଯ୍ୟକ୍ଷମ ହେଲେ କେବଳ ଭୁବନେଶ୍ୱର କି କଟକ ନୁହେଁ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଲୋକେ ବିଶେଷ ଭାବେ ଉପକୃତ ହେବେ । ଦକ୍ଷିଣ ଓ ଉପକୂଳ ଓଡ଼ିଶା ସହିତ ରାଉରକେଲାକୁ ସଂଯୋଗ କରି ଏହି ରେଳପଥ ରାଜ୍ୟର ଆର୍ଥିକ  ବିକାଶ କ୍ଷେତ୍ରରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ରାୟ କହିଛନ୍ତି । 

ରାଉରକେଲାରୁ ସମ୍ବଲପୁର ଦେଇ ଭୁବନେଶ୍ୱରର ଦୂରତା ରେଳପଥରେ ୪୬୨ କିମି ଥିବା ବେଳେ ତାଳଚେର-ବିମଳାଗଡ଼ ନୂଆ ରେଳପଥ କାର୍ଯ୍ୟକାରୀ ହେଲେ ଏହି ଦୂରତା ୩୪୭ କିମିକୁ କମି ଆସିବ । ଏହାଛଡ଼ା କୋଇଲା ଓ ଅନ୍ୟାନ୍ୟ ଖଣିଜ ସାମଗ୍ରୀ ପରିବହନ ମଧ୍ୟ ସହଜ ହୋଇପାରିବ । ଏ ସଂକ୍ରାନ୍ତରେ ବିଧାୟକ ଶ୍ରୀ ରାୟ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ୍ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । 

 

0
0
0
s2sdefault