ହେଡଲାଇନସ୍:

ଧର୍ମେନ୍ଦ୍ର ଲାଙ୍ଗୁଡ଼ ଯାକିବା ପରେ ତରକିଲା ବିଜେଡି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-06-18-bjd-party-office-p.jpg - 53.64 kB

 

 

ଭୁବନେଶ୍ୱର : ଦୀର୍ଘଦିନ ପରେ ମହାନଦୀ ପ୍ରସଙ୍ଗରେ ଲାଗୁଡ଼ା ଯାକିଛି ବିଜେପି | ରାଜ୍ୟବ୍ୟାପୀ ମହା ଅସନ୍ତୋଷ ବିଜେପି ବିରୋଧରେ ଦାନା ବାନ୍ଧୁଥିବା ତଥା ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଔଦ୍ଧତ୍ୟପୂର୍ଣ୍ଣ ଅହଙ୍କାରୀ ବୟାନ ରାଜ୍ୟ ବାସୀ ଭୀଷଣ ଉତ୍କ୍ଷିପ୍ତ |  ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଓଡିଶା ଆସି ରାଜ୍ୟ ସରକାରଙ୍କୁ ଶୋଦୀଲେ ସିନା ଛତିଶଗଡ଼କୁ ପଡେ ବି ଆକଟିଲେ ନାହିଁ | ପରୋକ୍ଷରେ ଛତିଶଗଡ଼ ପ୍ରତି କେନ୍ଦ୍ର ସରକାରଙ୍କ ନରମ ମନୋଭାବର ପ୍ରମାଣ ଦେଇ ଗଲେ ବୋଲି ଲୋକଙ୍କ ଭିତରେ ଧାରଣା ଦେଇ ଗଲେ | ରାଜ୍ୟରେ ବିଜେପି ନେତାଙ୍କ ପାଟିରୁ ଓଡ଼ିଶାର ବୃହତ୍ତର ସ୍ୱର୍ତ୍ତା ଦୃଷ୍ଟିରୁ ଛତିଶଗଡ଼ ବିରୋଧରେ ପଦେ ବି କେବେ କହିଲେନି | ଏହାକୁ ନେଇ ରାଜ୍ୟ ଵାସୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଉଥିବା ତଥା ସବୁ ଆଡୁ ବିଜେପି ଆଉ ଛତିଶଗଡ଼ ପ୍ରତି ସଂଢ଼ୁଆସୀ ଆକ୍ରମଣ ଜୋର ହୋଇଥିବା ବେଳେ,   ରାଜ୍ୟରେ ବିଜେପି ବହୁ କଷ୍ଟରେ ଇଆଡୁ ସିଆଡ଼ୁ ଏକାଠି କରିଥିବା ଭୋଟ କାଳେ ହାତରୁ ଖସି ଯିବା ଭୟରେ କେନ୍ଦ୍ରମନ୍ତ୍ରୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଔଦ୍ଧତ୍ୟପୂର୍ଣ୍ଣ ଆଚରଣକୁ ନାପସନ୍ଦ କରିଛନ୍ତି | ସେ କହିଛନ୍ତି " ରମଣ ସିଂଙ୍କ ବକ୍ତବ୍ୟ ନିନ୍ଦନୀୟ" | ହେଲେ ବିଜେପି ଆଉ ଧର୍ମେନ୍ଦ୍ରଙ୍କ ଏମିତି ଲାଙ୍ଗୁଡ଼ ଜକା ଦେଖି ନଗଦ ନଗଦ ମହାନଦୀ ମହା ସଂଗ୍ରାମର ଦ୍ଵିତୀୟ ପର୍ଯ୍ୟାୟ ସଂଗ୍ରାମ ସାରିଥିବା ବେଳେ ତୃତୀୟ ପର୍ଯ୍ୟାୟ ସଂଗ୍ରାମ ପାଇଁ ଆଣ୍ଟ ଭିଡିଛି |  ଦଳ କହିଛି ଏ  ସଂଗ୍ରାମ ଚାଲିଛି ଆଉ ଚାଲିବ ବୋଲି  ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ମୁଖପାତ୍ର ପ୍ରତାପ କେଶରୀ ଦେବ ଓ ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ଏହି ସୂଚନା ଦେଇଛନ୍ତି ।

ମହାନଦୀକୁ ନେଇ ବିଜେପିର ବିଭିନ୍ନ ସମୟରେ ବିଭିନ୍ନ ଉକ୍ତି, ଯଥା ଟ୍ରିବ୍ୟୁନାଲ ଗଠନ ହେଲେ ନ୍ୟାୟ ବିଳମ୍ବିତ ହେବ, ଏକକ ଟ୍ରିବ୍ୟୁନାଲ  ଗଠନ, ବିଜେପି ରାଜ୍ୟରେ ସରକାର ଆସିଲେ ୬ମାସ ମଧ୍ୟରେ ସମାଧାନ ହେବ ଏବଂ ଅତୀତରେ ମନ୍ତ୍ରୀ ନୀତିନ ଗଡ଼କରୀ ଓ ସଂସଦରେ ସଂଜୀବ ବାଲ୍ୟାଙ୍କ ଉତ୍ତର, ରମଣ ସିଂହ, ରାଜ୍ୟ ପ୍ରଭାରୀଙ୍କ ଉକ୍ତି କେବଳ ଜନସାଧାରଣଙ୍କୁ ବୋକା ବନାଇବା ପାଇଁ କୁହାଯାଉଛି । ଶେଷରେ ଲୋକଙ୍କ ଆଶା ଥିଲା ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ମହାନଦୀ ଉପରେ କିଛି କହିବେ ବୋଲି, କିନ୍ତୁ ସେ ମଧ୍ୟ ବିଭ୍ରାନ୍ତିକର ତଥ୍ୟ ରଖିଲେ । ଆମର ଜଳର ଉପଯୋଗ ୧୦୨ ପ୍ରତିଶତ ଏବଂ ଜଳସେଚନ ୧୧୮ ପ୍ରତିଶତ ବୃଦ୍ଧି ପାଇଛି  ନବୀନ ପଟ୍ଟନାୟକଙ୍କ ସରକାର ସମୟରେ । ଏପରିସ୍ଥଳେ ପ୍ରଧାନମନ୍ତ୍ରୀ କହୁଛନ୍ତି, ପାଣି ବୋହିଯାଉଛି ଏବଂ କେନ୍ଦ୍ରମନ୍ତ୍ରୀ କହୁଛନ୍ତି ବାଲ୍‍ଟିଏ ପାଣି ଆମେ ଉପଯୋଗ କରିପାରୁ ନାହୁଁ ।

ଯେତେବେଳେ କେଲୋ ପ୍ରକଳ୍ପ ବିଷୟରେ ସିଡବ୍ଲୁସି ପକ୍ଷରୁ ୨୦୧୫ ମସିହାରେ ଚିଠି ଆସିଲା, ସେତେବେଳେ ଆମେ ପ୍ରଥମେ ପ୍ରତିବାଦର ସ୍ୱର ଉତ୍ତୋଳନ କରିଥିଲୁ । ସେତେବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ପ୍ରସ୍ତାବ ଦେଇଥିଲେ ଯେ ତକ୍ରାଳୀନ ମଧ୍ୟପ୍ରଦେଶ ଓ ଓଡ଼ିଶା ମଧ୍ୟରେ ହୋଇଥିବା ଚୁକ୍ତିନାମ ବଳରେ ଯୁଗ୍ମ କଣ୍ଟ୍ରୋଲ  ବୋର୍ଡ ଗଠନ କରାଯାଇ ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦ ସମାଧାନ ହୋଇପାରିବ । ଅନୁରୂପ ଭାବେ ଅନ୍ୟ ବିଜେପି ନେତାମାନେ ଉପଦେଶ ଦେଲେ, ଯୁଗ୍ମ କଣ୍ଟ୍ରୋଲ ବୋର୍ଡ  ନୁହେଁ, ଜାତୀୟ ରିଭର  ବୋର୍ଡ ମାଧ୍ୟମରେ ଏହାର ସମାଧାନ କରାଯାଇପାରିବ । ଏଥିଲାଗି ରାଜ୍ୟ ସରକାର ଦାୟୀ ନା ଛତିଶଗଡ଼ ସରକାର ଦାୟୀ, ଏଭଳି କିଛିଦିନ ତର୍କ ବିତର୍କ ଚାଲିଲା ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟ ପାଖରେ ଆପତ୍ତି ଜଣାଇଲେ । ସେହି ସମୟରେ ଶ୍ରୀ ପ୍ରଧାନ ଦ୍ୱିତୀୟଥର ପାଇଁ ପ୍ରସ୍ତାବ ଦେଲେ ଯେ ମୁଁ ଏଥିରେ ମଧ୍ୟସ୍ଥତା କରିବାକୁ ଚାହୁଁଛି । ପରବର୍ତ୍ତୀ ସମୟରେ ତ୍ରିପାକ୍ଷିକ ଆଲୋଚନାରେ ଏହାର କୌଣସି ସମାଧାନ ବାହାରି ପାରିଲା ନାହିଁ । କାରଣ ଓଡ଼ିଶା ସରକାର ଚାହୁଁଥିଲେ ପ୍ରଥମେ ଛତିଶଗଡ଼ ଯେଉଁ ପ୍ରକଳ୍ପ ତିଆରି କରୁଛି ସେଗୁଡିକ ବନ୍ଦ କରୁ । କିନ୍ତୁ ତାହା ହୋଇପାରିଲା ନାହିଁ । ସେହି ସମୟରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ ଯେ ଗୋଟିଏ ବିଶେଷଜ୍ଞ ଦଳ ଗଠନ କରାଯାଉ ଏବଂ ୩ମାସ ମଧ୍ୟରେ ଦଳର ପ୍ରଦତ୍ତ ତଥ୍ୟ ଆଧାର ଅନୁସାରେ ସମାଧାନର ଦିଗ ନିର୍ଦ୍ଧାରଣ କରାଯାଉ । ସେହି ୩ମାସ ମଧ୍ୟରେ ଛତିଶଗଡ଼ ତା’ର ସବୁ କାମ ବନ୍ଦ ରଖିବାକୁ ମଧ୍ୟ ଅନୁରୋଧ କରାଯାଇଥିଲା । ଛତିଶଗଡ଼ ଏଥିରେ ରାଜି ହୋଇନଥିଲା । ତ୍ରିପାକ୍ଷିକ  ଆଲୋଚନା ବିଫଳ ହେବା ପରେ ଶ୍ରୀ ପ୍ରଧାନ ଉକ୍ତି ରଖିଲେ ଯେ କିଏ କ’ଣ କହିଛି, ନକହିଛି, ସେ ବିଷୟରେ ଗୋଟିଏ ଶ୍ୱେତପତ୍ର ପ୍ରକାଶ କରାଯିବ, ଯାହା ଆଜି ପର୍ଯ୍ୟନ୍ତ ଆସିଲା ନାହିଁ । ପରବର୍ତ୍ତୀ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ଯେ ସେ ନିଜେ ଏହି ଦୁଇ ରାଜ୍ୟର ସମସ୍ୟା ଉପରେ ହସ୍ତକ୍ଷେପ କରି ସମାଧାନ କରନ୍ତୁ । କିନ୍ତୁ ଆମେ ତାଙ୍କଠାରୁ କୌଣସି ଉତ୍ତର ପାଇଲୁ ନାହିଁ । ପରେ ବିଧାନସଭାର ସର୍ବଦଳୀୟ କମିଟି ନିଷ୍ପତ୍ତି ନେଲା ଯେ ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବେ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସମୟର ଅଭାବ ଯୋଗୁ ଏହା ହୋଇପାରିଲା ନାହିଁ । ୨୦୧୬ ନଭେମ୍ବରରେ ଟ୍ରିବ୍ୟୁନାଲ  ଗଠନ ପାଇଁ ଆଇନ୍‍ଗତ ଭାବେ ସୁପ୍ରିମକୋର୍ଟକୁ ଯିବା ପାଇଁ ମନସ୍ଥ କଲୁ । ଟ୍ରିବ୍ୟୁନାଲ କଥା ଯେତେବେଳେ ଉଠିଲା ବିଜେପିର ଅନେକ ନେତା ଯୁକ୍ତି ବାଢ଼ିଲେ ଯେ ବହୁ ବର୍ଷ ଲାଗିବ, ୬୦/୭୦ ବର୍ଷ ଲାଗିଯିବ । ମହାନଦୀର ପାଣି ଶୁଖିଯିବ, କିନ୍ତୁ ସମସ୍ୟା ସମାଧାନ ହେବ ନାହିଁ । ବହୁ ବାଦ ବିବାଦ ପରେ ଟ୍ରିବ୍ୟୁନାଲ ଗଠନ ହେଲା । ସେହି ସମୟରେ ବିଜେଡିର ସାଂସଦମାନଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ସଂଜୀବ ବାଲ୍ୟା ସଂସଦରେ ଉତ୍ତର ରଖିଲେ ଯେ ଦ୍ୱିପାକ୍ଷିକ ଆଲୋଚନା ବିଫଳ ହୋଇଛି,ଟ୍ରିବ୍ୟୁନାଲ  ହିଁ ଶେଷ ବାଟ । କେନ୍ଦ୍ର ଜଳସେଚନ ବିଭାଗର ଓକିଲ ଯାଚିକା ଦାଖଲ କଲେ ଯେ ଆମେ ଟ୍ରିବ୍ୟୁନାଲ ଅଳ୍ପ ଦିନ ମଧ୍ୟରେ ଗଠନ କରିବାକୁ ଯାଉଛୁ । ୨ମାସ ପରେ ଆଉ ଥରେ ଲେଖିଲେ ଯେ ଟ୍ରିବ୍ୟୁନାଲ  ଗଠନ କରିବା ସମ୍ଭବପର ନୁହେଁ, ଏହା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟରେ ସମାଧାନ ହେଉ । ହଠାତ୍‍ ବିଭାଗୀୟ ଓକିଲଙ୍କ ୟୁଟର୍ଣ୍ଣ ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ ।

ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ, ବିଜେପିର ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି, ଏପରିକି କେନ୍ଦ୍ର ବିଭାଗୀୟ ମନ୍ତ୍ରୀମାନଙ୍କ ମତ କାହା ସହିତ କାହାର ମେଳ ଖାଉନାହିଁ । ଏହି ଅଢେ଼ଇ ବର୍ଷ ଭିତରେ କୌଣସି ସ୍ତରରେ ବିଜେପିର ମତ ଏକ ହୋଇପାରି ନାହିଁ । ଏଥିରୁ ସ୍ପଷ୍ଟ ହେଉଛି ବିଜେପିର କୌଣସି ନେତୃବୃନ୍ଦଙ୍କ ଓଡ଼ିଶା କିମ୍ବା ମହାନଦୀ ଉପରେ ସେମାନଙ୍କର କୌଣସି ନିଘା ନାହିଁ । ଶ୍ରୀ ପ୍ରଧାନ ରମଣ ସିଂହଙ୍କ ଉପରେ ଯେଉଁ ଟିପ୍ପଣୀ ରଖିଛନ୍ତି ଯେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁଲ୍‍ କଥା କହିଛନ୍ତି, ସେହି ଟିପ୍ପଣୀରେ ଆମର କୌଣସି ଲାଭ ହେବ ନାହିଁ । ସେହି ପରାମର୍ଶ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ, କି ଛତିଶଗଡ଼ ବେଆଇନ୍‍ ନିର୍ମାଣବନ୍ଦ କରୁ, ଅଣମୌସୁମୀ ସମୟରେ କଲ୍‍ମା ବ୍ୟାରେଜ୍‍ର ୬୫ଟି ଗେଟ୍‍ ଖୋଲୁ । ସରକାର ନ୍ୟାୟିକ ଲଢେ଼ଇ ଲଢ଼ୁଛନ୍ତି, ବିଜୁ ଜନତା ଦଳ ଯେଉଁ ଜନମତ ଲଢେ଼ଇ ଲଢ଼ୁଛି, ସେଥିରେ ବିଜେପି ସାମିଲ ହେଉ । ରାଜ୍ୟ ବିଜେପି ଛତିଶଗଡ଼ ସରକାରକୁ ପରାମର୍ଶ ଦେଇ ରାଜ୍ୟର ସ୍ୱାର୍ଥ ଓ ମହାନଦୀ ପ୍ରତି ଥିବା ପ୍ରତିବଦ୍ଧତା ପ୍ରକାଶ କରୁ । ଭାରତବର୍ଷରେ ଗଣତନ୍ତ୍ରର ଧାରା ଯେଉଁଭଳି କଡ଼ ଲେଉଟାଣି, ନିକଟରେ ଅନୁଷ୍ଠିତ  ସମସ୍ତ ଉପ-ନିର୍ବାଚନରେ ବିଜେପିକୁ ଯେଭଳି ଜନସାଧାରଣ ପ୍ରତ୍ୟାଖ୍ୟାନ କଲେଣି, ସେହି ଭୟରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ବିବ୍ରତ ହୋଇ ରମଣ ସିଂହଙ୍କ ବିଷୟରେ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ରାଜ୍ୟର ସ୍ୱାର୍ଥ ପାଇଁ ଉଦ୍ଧିଷ୍ଟ ନୁହେଁ, କେବଳ ରାଜ୍ୟରେ ନିଜର ଦଳକୁ ବଞ୍ଚାଇ ରଖିବା ପାଇଁ ଉଦ୍ଧିଷ୍ଟ । ନିକଟରେ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ପାଇଁ ମହାସଂଗ୍ରାମ ଯାତ୍ରା ଶେଷ ହୋଇଛି, ଏବଂ ତୃତୀୟ ପର୍ଯ୍ୟାୟ ମହାସଂଗ୍ରାମ ପାଇଁ ଖୁବ୍‍ଶୀଘ୍ର ରୂପରେଖ ପ୍ରସ୍ତୁତ ହେବ । ଯେତେଦିନ ପର୍ଯ୍ୟନ୍ତ ମହାନଦୀର ସୁରକ୍ଷା ନହୋଇଛି ଏବଂ ଜନସାଧାରଣ ତାଙ୍କ ନ୍ୟାଯ୍ୟ ହକ୍‍ ପାଇନାହାନ୍ତି, ସେ ପର୍ଯ୍ୟନ୍ତ ବିଜୁ ଜନତା ଦଳ ରାଜରାସ୍ତାରେ ଲଢେ଼ଇ ଜାରି ରଖିବ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ଶ୍ରୀ ମିଶ୍ର, ମୁଖପାତ୍ର ଶ୍ରୀ ଦେବ ଓ ସାଧାରଣ ସଂପାଦକ ଶ୍ରୀ ଦାସବର୍ମା କହିଛନ୍ତି ।

0
0
0
s2sdefault