ହେଡଲାଇନସ୍:

ବଡ଼ସାହି : ଅସଜଡ଼ା ଘର ସଜାଡ଼େ କଂଗ୍ରେସ ଶଙ୍ଖରେ ପଶୁଛି ପାଣି, ପଦ୍ମ ଫୁଟିବାକୁ ମନ ବଳାଈଛି ଦେଖି ଏ ଗୋଳିଆ ପାଣି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦାରୁ ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ  : ଓଡ଼ିଶାରେ ବିଭିନ୍ନ ଜିଲାରେ ଶଙ୍ଖ ମାର୍କା ଦଳର ଭାଉ ଅଧିକ ରହିଥିବା ବେଳେ ମୟୂରଭଞ୍ଜ ଜିଲାରେ ଶଙ୍ଖର ସ୍ୱର ନିଷ୍ପ୍ରଭ ହେବାକୁ ବସିଥିବା ବିଷୟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ବଡ଼ସାହି ନିର୍ବାଚନ ମଣ୍ଡଳୀରେ ୨୦୧୯ରେ ଶଙ୍ଖର ସ୍ୱର ଶୁଭିବ କି ନାହିଁ ତାହାକୁ ନେଇ ରାଜନୀତି ସମୀକ୍ଷକମାନେ ସନେ୍ଦହ ପ୍ରକଟ କରିଛନ୍ତି । ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଶାସକ ଶଙ୍ଖ ମାର୍କା ଦଳର ପାରଫରମାନ୍ସ ସୁବିଧାଜନକ ସ୍ଥିତିରେ ନ ଥିବା ବେଳେ ଫୁଲ ମାର୍କା ଦଳ ଭବିଷ୍ୟତର ଫଳାଫଳ ସପକ୍ଷରେ ଯିବାର ଆଶାବାନ୍ଧି ବସିଛି । ସେହିପରି ପଛରେ ପଡ଼ିଯାଇ ନାହିଁ ହାତ ମାର୍କା ଦଳ । ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ନିଜକୁ ସଜାଡ଼ିବାରେ ବ୍ୟସ୍ତ ରହିଛି । ଓଡ଼ିଶା ବିଧାନସଭାର ୩୨ ନମ୍ବର (ଏସସି) ସଂରକ୍ଷିତ ନିର୍ବାଚନ ମଣ୍ଡଳୀ ହେଉଛି ମୟୂରଭଞ୍ଜ ଜିଲାର ବଡ଼ସାହି ଆସନ । ୨୦୦୮ ବିଧାନସଭା କ୍ଷେତ୍ର ପୁର୍ନଗଠନ ପରେ ୨୦୦୯ରେ ଏହା ନୂତନ ନିର୍ବାଚନ ମଣ୍ଡଳୀ ଭାବେ ପରିଗଣିତ ହେଲା । ନିର୍ବାଚନ ମଣ୍ଡଳୀଟି ବାଲେଶ୍ୱର ଲୋକସଭା କ୍ଷେତ୍ରରେ ସାମିଲ ହୋଇଥିବାରୁ ଉଭୟ ବାଲେଶ୍ୱର ଲୋକସଭା ଆସନ ଓ ମୟୂରଭଞ୍ଜ ଜିଲା ରାଜନୀତି କ୍ଷେତ୍ରରେ ଗୁରୁତ୍ୱ ବହନ କରିଥାଏ । ୨୦୦୯ ନିର୍ବାଚନରେ ଏଠାରୁ ବିଜେଡ଼ି ପ୍ରାର୍ଥୀ ମନୋରଞ୍ଜନ ସେଠୀ ୪୫.୩୮ ପ୍ରତିଶତ ହାରରେ ମୋଟ ୪୮, ୩୮୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ବିଜେଡ଼ି ବିଧାୟକ ଗଣେଶ୍ୱର ପାତ୍ର ୩୦.୭୭ ପ୍ରତିଶତ ହାରରେ ୩୨, ୮୮୩ ଖଣ୍ଡ ଭୋଟ ପାଇ ପରାସ୍ତ ହୋଇଥିଲେ । ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ଛିଡ଼ା କରିପାରି ନ ଥିଲା । ସେହିପରି ୨୦୧୪ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନେତାଙ୍କ ଉପରେ ଆସ୍ଥା ହରାଇ କଂଗ୍ରେସରୁ ଶ୍ରୀପାତ୍ରକୁ ନିଜ ଦଳରେ ସାମିଲ କରାଇ ତାଙ୍କ ହାତରେ ଦଳୀୟ ଟିକଟକୁ ଟେକି ଦେଇଥିଲେ ଏବଂ ନିର୍ବାଚନରେ ସେ ୩୯.୨୪ ହାରରେ ମୋଟ ୫୨, ୬୯୪ ଖଣ୍ଡ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ଯାମିନୀ କାନ୍ତ ନାୟକ ଙ୍କୁ ୧୬, ୮୩୪ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ମାତ୍ର ଉକ୍ତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଛିଡ଼ା କରାଇ ୨୫.୨୯ ପ୍ରତିଶତ ହାରରେ ୩୩, ୯୬୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ବିଜେପି ପ୍ରାର୍ଥୀ ବୃନ୍ଦାବନ ଦାସ । ଅର୍ଥାତ ବିଜେପି ଏହି ି ନିର୍ବାଚନମଣ୍ଡଳୀରେ ତହାର ଉପସ୍ଥିତି ମଜଭୂତ ଭାବେ ଜାହୀର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବିଜେଡିକୁ ଯାଇ ବି କଂଗ୍ରେସର ଭୋଟ ବଢିଥିଲା ଆଉ ବିଜେଡି କଂଗ୍ରେସ ମଧ୍ୟରେ ବିଜୟର ବ୍ୟବଧାନ ମଧ୍ୟ କମିଥିଲା । ଅର୍ଥାତ ବିଧାନସଭା ନିର୍ବାଚନରେ କଂଗ୍ରେସ ିତାହାର ସ୍ଥିତିକୁ ପୂର୍ବ ନିର୍ବାଚନ ତୁଳାନାରେ ଉନ୍ନତ କରିଥିଲା  । ଏହାପରେ ଗତ ଅପ୍ରେଲ ମାସରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଜିଲାପରିଷଦ ନିର୍ବାଚନରେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଶଙ୍ଖ ମାର୍କା ଦଳ ଶୋଚନୀୟ ଓ ଲଜ୍ୟାଜନକ ଭାବେ ପରାସ୍ତ ହୋଇଛି । ବେତନଟୀ ବ୍ଲକର ୩୫, ୩୬ ଓ ୩୭ ନମ୍ବର ଜିଲା ପରିଷଦ ଜୋନ ସହିତ ବଡ଼ସାହି ବ୍ଲକର ୨୩ ଓ ୧୪ ନମ୍ବର ଜୋନକୁ ନେଇ ଗଠିତ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଘୋଷିତ ଫଳାଫଳରୁ ବିଜେଡ଼ିକୁ ଭୋଟର ସିଧାସଳଖ ଭାବେ ପ୍ରତ୍ୟାଖ୍ୟାନ କରିଥିବାର ପରିଲକ୍ଷିତ ହୋଇଛି । ବିଜେଡ଼ିର ୫ଟି ଜିଲାପରିଷଦ ଜୋନରେ ପ୍ରାର୍ଥୀମାନେ  ୩୩.୯୯ ପ୍ରତିଶତ ହାରରେ ମୋଟ ୪୪ ହଜାର, ୯୩୫ ଖଣ୍ଡ ଭୋଟ ପାଇଥିବା ସମସ୍ତ ପ୍ରାର୍ଥୀ ପରାସ୍ତ ହୋଇଥିବା ବେଳେ ବିଜେପି ୫୨.୪୮ ପ୍ରତିଶତ ହାରରେ ୬୯, ୩୭୬ ଖଣ୍ଡ ଭୋଟ ପାଇ ସମସ୍ତ ଆସନକୁ ନିଜ ଦଖଲକୁ ନେଇଥିଲା । ସେହିପରି କଂଗ୍ରେସର ଭୋଟର ହାର ମଧ୍ୟ ନୈରାଶ୍ୟ ଜନକ ରହିଥିଲା । କଂଗ୍ରେସକୁ ମତ୍ର ୮.୫୭ ପ୍ରତିଶତ ହାରରେ ୧୧, ୩୩୧ ଖଣ୍ଡ ଭୋଟ ମିଳିଥିଲା । ଶଙ୍ଖ ମାର୍କା ଦଳର ଏହି ଶୋଚନୀୟ ପରାଜୟ ନିମନ୍ତେ ବିଜେଡ଼ି ବିଧାୟକ ଗଣେଶ୍ୱର ପାତ୍ରକୁ ଦାୟୀ କରିଛନ୍ତି ନିର୍ବାଚନ ମଣ୍ଡଳୀର ଜନସାଧାରଣ । ବିଧାୟକ ପାତ୍ର ହାତ ମାର୍କା ଦଳରୁ ଆସି ଶଙ୍ଖ ମାର୍କା ଦଳରେ ସାମିଲ ହୋଇଥିବାରୁ ସେ ନିର୍ବାଚନ ମଣ୍ଡଳୀର ଶଙ୍ଖ ଦଳର ନେତା ଓ କର୍ମୀମାନଙ୍କୁ ନିଜର କରାଇପାରିଲେ ନାହିଁ । ବିଜେଡ଼ିରେ ମିଶିବା ସମୟରେ ସାଥୀରେ ଧରି ଆସିଥିବା କେତେକ ହାତ ଗଣତି ସମର୍ଥକଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିବାରୁ ନିର୍ବାଚନ ମଣ୍ଡଳୀରେ ଶଙ୍ଖ ନେତା ଓ କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଲା । ଏହି ଗୁଳିଆ ପାଣି ଫୁଲ ମାର୍କା ଦଳକୁ ସୁହାଇଲା । ନିର୍ବାଚନ ମଣ୍ଡଳୀରେ ବିଧାୟକ ଶ୍ରୀପାତ୍ରଙ୍କ ବିରୋଧରେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷକୁ ଜିଲା ସଭାପତି କିମ୍ବା ଜିଲା ଦାୟିତ୍ୱରେ ରହିଥିବା ପର୍ଯ୍ୟବେକ୍ଷକ ଓ ଦଳର ହାଇକମାଣ୍ଡ ସମାଧାନ କରିବା ପରିବର୍ତ୍ତେ ନୀରବ ଦ୍ରଷ୍ଟା ସାଜିଥିବାର ଅଭିଯୋଗ ବାଡ଼ିଛନ୍ତି ସ୍ଥାନୀୟ ଜନସାଧାରଣ । ଅସନ୍ତୋଷ କୁହୁଳି କୁହୁଳି ଲେଲୀହାନ ଶିଖା ପରି ବ୍ୟାପି ଶଙ୍ଖ ମାର୍କା ଦଳ ବିରୋଧରେ ସିଧାସଳଖ ବିଦ୍ରୋହର ରୂପ ନେଲା ଓ ଭୋଟରମାନେ ନିଜର ବାଲାଟ ପେପର ମାଧ୍ୟମରେ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରି ଦଳର ସୁପ୍ରିମୋକୁ ଏକ ବାର୍ତ୍ତା ପଠାଇଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବିକାଶ ଓ ପ୍ରଗତିର ନାରା ଦେଉଥିବା ବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀ ବିକାଶ ଓ ପ୍ରଗତିଠାରୁ ଦୂରକୁ ଦୂରକୁ ଠେଲି ହୋଇଯାଉଛି ବୋଲି ସ୍ଥାନୀୟ ଜନସାଧାରଣ ଦାବି କରନ୍ତି । ଏଥି ସହିତ ବିଧାୟକ ଶ୍ରୀପାତ୍ର ଏକ ସରକାରୀ କର୍ମଚାରୀଙ୍କୁ ଧକ୍କା ଓ ମାଡ଼ ମାରିବାର ଅଭିଯୋଗ ଆସିବା ପରେ ସେ ଅଧିକ ବିବାଦୀୟ ହୋଇପଡ଼ିଛନ୍ତି । 

ବର୍ତ୍ତମାନ ନିର୍ବାଚନ ମଣ୍ଡଳୀରେ ବିଧାୟକ ଶ୍ରୀପାତ୍ରଙ୍କ ଉପରେ ଶଙ୍ଖ ମାର୍କା ଦଳର ପୂର୍ବତନ ବିଧାୟକ ମନୋରଞ୍ଜନ ସେଠୀଙ୍କ ସମେତ ପ୍ରଭାତ ଜେନା, କାହ୍ନୁ ଦାସ, ଅଜୟ ବେହେରା ଭଳି ବହୁ ପୁରୁଖା ନେତା ଓ କର୍ମୀ ସନ୍ତୁଷ୍ଟ ନ ଥିବାର ଆଲୋଚନା ହେଉଥିବା ବେଳେ ଅନ୍ୟ କେତେକ ନେତା ଦଳ ବିରୋଧୀ କାର୍ଯ୍ୟକଳାପରେ ଦଳରୁ ନିଲମ୍ବନ ହେବାର ଭୟରେ ମୁହଁ ଚୁପ କରି ବସିଛନ୍ତି । ସଦ୍ୟ ସମାପ୍ତ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ମଧ୍ୟ ଶଙ୍ଖ ମାର୍କା ଦଳକୁ ହରାଇ ଫୁଲ ମାର୍କା ଦଳ ନିଜର ଦବଦବା ନିର୍ବାଚନ ମଣ୍ଡଳୀରେ ଜାହିର କରାଇପାରିଛିା ତେଣୁ ନିର୍ବାଚନ ମଣ୍ଡଳୀରେ ଶଙ୍ଖମାର୍କା ଦଳର ସ୍ଥିତାବସ୍ଥାକୁ ଦେଖି ଦଳର ସୁପ୍ରିମୋ  ମୁଖ୍ୟମନ୍ତ୍ରୀ ନବୀନ ୨୦୧୯ ନିର୍ବାଚନ ନିମନ୍ତେ ବିକଳ୍ପ ନେତା ବାଛିବା ନିମନ୍ତେ ଆଖି ପକାଇଥିବାର ନିର୍ବାଚନ ମଣ୍ଡଳୀରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ସେହିପରି ନିର୍ବାଚନ ମଣ୍ଡଳୀଟି ବାଲେଶ୍ୱର ଲୋକସଭା କ୍ଷେତ୍ରରେ ସାମିଲ ରହିଥିବାରୁ ଶଙ୍ଖ ମାର୍କା ଦଳର ଲୋକସଭା ସାଂସଦ ରବୀନ୍ଦ୍ର ଜେନାଙ୍କୁ ନେଇ ମଧ୍ୟ ଅସନ୍ତୋଷ ଦେଖା ଦେଇଛି ।  ସାଂସଦ ଶ୍ରୀଜେନା ଚିଟଫଣ୍ଡ ଠକେଇରେ ସାମିଲ ରହିଥିବାର ଅଭିଯୋଗ ହେଉଛି । ତାଙ୍କୁ ସିବିଆଇ ପକ୍ଷରୁ ଏକାଧିକ ଥର ଜେରା ସରିଛି । ତାଙ୍କ ମୁଣ୍ଡରେ ସିବିଆଇର ଖଣ୍ଡା ଝୁଲି ରହିଛି । ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଫୁଲ ମାର୍କାଦଳ ନିଜର ସଂଗଠନକୁ ଅଧିକ ମଜବୁତ କରାଇ ନେଇଥିବା ବେଳେ କଂଗ୍ରେସ ନିଜର ପାଦକୁ ଶକ୍ତ କରିବା ନିମନ୍ତେ ଅଣ୍ଟା ଭିଡ଼ି ଦେଇଛି । ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନର ରାଜନୈତିକ ସ୍ଥିତାବସ୍ଥାରୁ ୨୦୧୯ ନିର୍ବାଚନରେ ବିଜେଡ଼ି ଏହି ଆସନକୁ ଫୁଲ ମାର୍କା ଦଳ ହାତରେ ଟେକି ଦେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି କରିଛି । 

0
0
0
s2sdefault