ହେଡଲାଇନସ୍:

ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ମାରୁଛି : ଆମର ପରୀକ୍ଷା ନେଲେ, ଦୃଢ଼ ଜବାବ ମିଳିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସେନା ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ଯବାନଙ୍କ ସହିତ ନରହିଲେ ମୋର ଦୀପାବଳି ସମ୍ପୂର୍ଣ୍ଣ ହୁଏ ନାହିଁ : ଲୋଙ୍ଗେୱାଲା ପୋଷ୍ଟରେ କହିଲେ ପ୍ରଧାନମନ୍ତ୍ରୀ

‘ବିସ୍ତାରବାଦ ବିରୋଧରେ ଭାରତ ଦୃଢ଼ ପ୍ରତିରୋଧକାରୀ ଭାବେ ଛିଡ଼ା ହୋଇଛି’

 

ନୂଆଦିଲ୍ଲୀ (ଶାସକ ପ୍ରଶାସକ): ସେନାବାହିନୀ ଯବାନଙ୍କ ସହିତ ଦୀପାବଳି ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସୀମାର ଲୋଙ୍ଗେୱାଲାପୋଷ୍ଟରେ ଯବାନଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କୁ ଉଦବୋଧନ ଦେଇଥିଲେ। ସେ କହିଥିଲେ ଯେ ବରଫ ଆଚ୍ଛାଦିତ ପର୍ବତ କିମ୍ବା ମରୁଭୂମିରେ ସେନାବାହିନୀର ଯବାନଙ୍କ ସହିତ ନଥିଲେ ତାଙ୍କର ଦୀପାବଳି ସମ୍ପୂର୍ଣ୍ଣ ହୋଇନଥାଏ। ସୀମାରେ ସେ ସେନାବାହିନୀର ଯବାନମାନଙ୍କୁ ଦେଶବାସୀଙ୍କ ପକ୍ଷରୁ ଶୁଭେଚ୍ଛା, ଆଶୀଷ ଓ ଅଭିନନ୍ଦନ ଜଣାଇଥିଲେ। ସେ ମଧ୍ୟ ସାହାସୀ ମା’ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କ ବଳିଦାନ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ସେନାବାହିନୀକୁ ଦେଶବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଥିଲେ ଏବଂ କହିଥିଲେ ଯେ 130 କୋଟି ଦେଶବାସୀ ସେମାନଙ୍କ ସହିତ ଛିଡ଼ା ହୋଇଛନ୍ତି।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆକ୍ରମଣକାରୀ ଓ ଅନୁପ୍ରବେଶକାରୀଙ୍କୁ ଜବାବ ଦେବାର ସାମର୍ଥ୍ୟ ରଖୁଥିବା ରାଷ୍ଟ୍ର ସୁରକ୍ଷିତ ରହିଥାଏ। ସେ କହିଥିଲେ ଯେ ଅନ୍ତର୍ଜାତୀୟ ସହଯୋଗ ବୃଦ୍ଧି ଏବଂ ସମୀକରଣରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆମେ ସୁରକ୍ଷା ପ୍ରତି ସଜାଗ ରହିବା ଭୁଲିଯିବା ଉଚିତ ନୁହେଁ। ସତର୍କତା ଆନନ୍ଦର ଆଧାର ଏବଂ ସାମର୍ଥ୍ୟ ବିଜୟର ଆତ୍ମବିଶ୍ୱାସ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନୀତିକୁ ସ୍ପଷ୍ଟ କରି ଦେଇଥିଲେ- ଆଜିର ଭାରତ ବୁଝିବା ଏବଂ ବୁଝାଇବାରେ ବିଶ୍ୱାସ କରିଥାଏ, ତେବେ ଯଦି ଆମର ପରୀକ୍ଷା ନେବାକୁ ଚେଷ୍ଟା କରାଯାଏ, ଆମର ଯବାନ ଅନୁରୂପ ଭାବେ ଦୃଢ଼ ହୋଇଥାଏ।

ସେ ଆଜି ଘୋଷଣା କରି କହିଥିଲେ, ସାରା ବିଶ୍ୱ ଜାଣିଛି ଯେ ଏହି ଦେଶ କେବେହେଲେ ତାର ଜାତୀୟ ସ୍ୱାର୍ଥ ସହ ସାଲିସ କରିବ ନାହିଁ। ସାହସ ଓ ସାମର୍ଥ୍ୟ ପାଇଁ ଭାରତ ଆଜି ଏହି ସ୍ଥିତି ହାସଲ କରିଛି। ସେନାବାହିନୀ ଯୋଗାଇ ଦେଇଥିବା ସୁରକ୍ଷା କାରଣରୁ ଭାରତ ଆଜି ଅନ୍ତର୍ଜାତୀୟ ମଞ୍ଚରେ ସୁଦୃଢ଼ ଭାବେ ନିଜର ସ୍ଥିତି ଜାହିର କରିପାରିଛି। ଭାରତର ସାମରିକ ଶକ୍ତି ଏହାର ଜବାବୀ କ୍ଷମତାକୁ ବଢ଼ାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଆଜି ଭାରତ ଆତଙ୍କବାଦୀଙ୍କୁ ସେମାନଙ୍କ ଘରେ ମାରୁଛି। ବିସ୍ତାରବାଦର ବିଚାରଧାରା ବିରୋଧରେ ଭାରତ ଆଜି ଦୃଢ଼ ପ୍ରତିରୋଧକାରୀ ଶକ୍ତି ଭାବେ ଉଭା ହୋଇଛି ବୋଲି ସେ କହିଥିଲେ।

ଆତ୍ମନିର୍ଭର ଭାରତ ଏବଂ ‘ଭୋକାଲ ଫର ଲୋକାଲ’ ବିଷୟରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିକଟରେ 100ରୁ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସରଞ୍ଜାମ ଆମଦାନୀ ନକରିବା ଲାଗି ସେନାବାହିନୀ ନିଷ୍ପତ୍ତି ନେଇଛି। ଭୋକାଲ ଫର ଲୋକାଲ ହେବା କ୍ଷେତ୍ରରେ ନେତୃତ୍ଵ ନେବା ପାଇଁ ସେ ସେନାବାହିନୀକୁ ପ୍ରଶଂସା ଜଣାଇଥିଲେ।

ସେନାବାହିନୀର ଆବଶ୍ୟକତାକୁ ପୂରଣ କରିବା ଲାଗି ବହୁସଂଖ୍ୟକ ଷ୍ଟାର୍ଟଅପ ଆଗେଇ ଆସୁଥିବା ସମୟରେ ଦେଶର ଯୁବକମାନଙ୍କୁ ସେନାବାହିନୀ ପାଇଁ ଅଧିକ ନିର୍ମାଣ କରିବା ଲାଗି ଶ୍ରୀ ମୋଦୀ ଆହ୍ୱାନ କରିଥିଲେ। ସେ ଆଶାବ୍ୟକ୍ତ କରିଥିଲେ ଯେ ଯୁବକମାନଙ୍କ ନେତୃତ୍ଵରେ ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପଗୁଡ଼ିକ ଦେଶକୁ ଆତ୍ମନିର୍ଭର ଭାରତ ମାର୍ଗରେ ନେଇଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେନାବାହିନୀ ଦ୍ୱାରା ଅନୁପ୍ରାଣିତ ହୋଇ, ମହାମାରୀ ସମୟରେ ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା ଲାଗି ଦେଶ ପ୍ରୟାସ କରୁଛି। ନାଗରିକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ଦେଶ ଅର୍ଥବ୍ୟବସ୍ଥାକୁ ପୁଣିଥରେ ବିକାଶମାର୍ଗକୁ ଫେରାଇ ଆଣିବା ଲାଗି କାର୍ଯ୍ୟ କରୁଛି।

ପ୍ରଧାନମନ୍ତ୍ରୀ ସେନାଯବାନମାନଙ୍କୁ ତିନୋଟି କଥା ମାଗିଥିଲେ, ପ୍ରଥମତଃ, ନବୋନ୍ମେଷକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା। ଦ୍ୱିତୀୟତଃ, ଯୋଗକୁ ଜୀବନର ଅଂଶବିଶେଷ କରିବା ଏବଂ ଶେଷରେ, ମାତୃଭାଷା, ହିନ୍ଦୀ ଓ ଇଂରାଜୀକୁ ବାଦ ଦେଲେ ଅନ୍ୟ ଗୋଟିଏ ଭାଷା ଶିଖିବା।

ପ୍ରଧାନମନ୍ତ୍ରୀ ଲୋଙ୍ଗେୱାଲାର ଗୌରବଶାଳୀ ଯୁଦ୍ଧ ବିଷୟରେ ସ୍ମରଣ କରି କହିଥିଲେ, ଏହି ଯୁଦ୍ଧ ସବୁବେଳେ ରଣନୈତିକ ଯୋଜନା ଏବଂ ସାମରିକ ସାହସ ପାଇଁ ସ୍ମରଣୀୟ ହୋଇ ରହିବ। ସେ କହିଥିଲେ ଯେ ଏହି ସମୟରେ ବାଂଲାଦେଶର ନାଗରିକମାନଙ୍କୁ ଆତଙ୍କିତ କରୁଥିବା ଏବଂ ନିରୀହ ଝିଅ ଓ ଭଉଣୀମାନଙ୍କ ଉପରେ ଅତ୍ୟାଚାର କରୁଥିବା ପାକିସ୍ତାନର ଅସଲ ମୁଖା ଖୋଲିଯାଇଥିଲା। ପାକିସ୍ତାନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ଲାଗି ପଶ୍ଚିମ ସୀମାରେ ଯୁଦ୍ଧ ଆରମ୍ଭ କରିଥିଲା କିନ୍ତୁ ଆମର ସେନାବାହିନୀ ଏହାର ଦୃଢ଼ ଜବାବ ଦେଇଥିଲେ। 

0
0
0
s2sdefault