ହେଡଲାଇନସ୍:

ଦେଶକୁ ଆତ୍ମନିର୍ଭର ହେବାରେ ମଧ୍ୟ ସାହାଯ୍ୟ କରିବ ନୂତନ ଶିକ୍ଷାନୀତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂତନ ଶିକ୍ଷାନୀତି ଦେଶର ସାମାଜିକ ଓ ଆର୍ଥିକ ଢାଞ୍ଚାକୁ ଏକ ନୂତନ ଦିଗଦର୍ଶନ ଦେବ

ଜାତୀୟ ଶିକ୍ଷାନୀତି ସମ୍ପର୍କିତ ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ (ଶାସକ ପ୍ରଶାସକ): ଜାତୀୟ ଶିକ୍ଷାନୀତି ଉପରେ ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଏଥିରେ ରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଉପରାଜ୍ୟପାଳ ଓ ବିଭିନ୍ନ ବିଶ୍ଵବିଦ୍ୟାଳୟର କୁଳପତିମାନେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ନୂତନ ଶିକ୍ଷାନୀତି ଦେଶର ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷାର ଦାୟିତ୍ଵ ଯଦିଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ, ତଥାପି ଶିକ୍ଷାନୀତି ନିର୍ଦ୍ଧାରଣରେ ସେମାନଙ୍କ ଭୂମିକା ଖୁବ ଗୌଣ । ଶିକ୍ଷାନୀତିର ମହତ୍ଵ ଓ ବ୍ୟାପକତା ସେତେବେଳେ ଅନୁଭୂତ ହେବ ଯେତେବେଳେ ଅଧିକରୁ ଅଧିକ ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଏଥିସହ ସଂଶ୍ଳିଷ୍ଟ ହେବେ । ଦେଶର ଗ୍ରାମ ଓ ସହରରୁ ଶିକ୍ଷା ସହ ସାମିଲ ଲୋକଙ୍କ ମତାମତ ନେବା ପରେ ନୂତନ ଶିକ୍ଷାନୀତି ଚିଠା ପ୍ରସ୍ତୁତ ହୋଇଛି । ଏବେ ଶିକ୍ଷକ ଓ ଶିକ୍ଷାବିତଙ୍କ ସମେତ ସମସ୍ତେ ଏହାକୁ ନୀତିଗତ ଭାବେ ଆପଣେଇ ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂତନ ଶିକ୍ଷାନୀତିକୁ ସମସ୍ତେ ପସନ୍ଦ କରୁଛନ୍ତି ଓ ଅନେକଙ୍କ ମନରେ ଏଭଳି ଏକ ଧାରଣା ଜନ୍ମିଛି ଯେ, ପୂର୍ବ ଶିକ୍ଷାନୀତିରେ ମଧ୍ୟ ଏଭଳି ସଂସ୍କାରର ଆବଶ୍ୟକତା ଥିଲା । ସେ କହିଛନ୍ତି ଯେ, ଦେଶରେ ଏହି ନୀତି ଉପରେ ଏକ ସୁସ୍ଥ ଆଲୋଚନାର ଆବଶ୍ୟକତା ଥିଲା କାରଣ ଏହି ନୂତନ ଶିକ୍ଷାନୀତି କେବଳ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ଏକବିଂଶ ଶତାବ୍ଦୀରେ ଦେଶର ସାମାଜିକ ଓ ଆର୍ଥିକ ଢାଞ୍ଚାକୁ ଏକ ନୂତନ ଦିଗ ପ୍ରଦର୍ଶନ କରିବାରେ ସହାୟକ ହେବ । ଏହି ନୀତି ଦେଶକୁ ଆତ୍ମନିର୍ଭର ହେବାରେ ମଧ୍ୟ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦ୍ରୁତ ପରିବର୍ତ୍ତିତ ଦୃଶ୍ୟପଟରେ ଏହି ନୂତନ ନୀତି ଦେଶର ଯୁବଗୋଷ୍ଠୀର ଭବିଷ୍ୟତ ଗଠନ ପାଇଁ ଲକ୍ଷ୍ୟ ରଖିଛି । ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁବ ଗୋଷ୍ଠୀଙ୍କ ଜ୍ଞାନ ଓ କୌଶଳ ପରିମାର୍ଜିତ କରିବା ପାଇଁ ଏହି ନୀତିରେ ମାର୍ଗଦର୍ଶନ ଦିଆଯାଇଛି ।

ସେ କହିଛନ୍ତି ଯେ, ନୂତନ ଶିକ୍ଷାନୀତି ପାଠ ପଢିବା ତୁଳନାରେ ଅଧିକ ଶିଖିବା ତଥା ପାଠ୍ୟକ୍ରମ ଅପେକ୍ଷା ଅଧିକ ଗଭୀର ଚିନ୍ତନ ଉପରେ ଆଲୋକପାତ କରିଛି । ଏଥିରେ ପଦ୍ଧତିଗତ ଜ୍ଞାନ ଆହରଣ ପରିବର୍ତ୍ତେ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ଵାରୋପ କରାଯାଇଛି । ନୂତନ ଶିକ୍ଷାନୀତିରେ ଶିଖିବା ଦ୍ଵାରା କଣ ଲାଭ ହେଉଛି, ଶିକ୍ଷକଙ୍କ ତାଲିମ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ କିପରି ସଶକ୍ତ କରାଯିବ ତା’ଉପରେ ଦ୍ରୁଷ୍ଟି ଦିଆଯାଇଛି ।

ଏକବିଂଶ ଶତାବ୍ଦୀରେ ଭାରତକୁ ଆର୍ଥିକ ଜ୍ଞାନଯୁକ୍ତ କରିବା ପାଇଁ ନୂତନ ଶିକ୍ଷାନୀତିରେ ବ୍ୟବସ୍ଥା କରାଯାଇଥିବା ଶ୍ରୀ ମୋଦୀ କହିଛନ୍ତି । ନାମିଦାମି ଅନ୍ତର୍ଜାତିକ ମହାବିଦ୍ୟାଳୟ ପକ୍ଷରୁ ଆମ ଦେଶରେ କ୍ୟାମ୍ପସ ବାଛିବା ବ୍ୟବସ୍ଥା ନୂତନ ଶିକ୍ଷାନୀତିରେ କରାଯାଇଛି, ଯାହାଫଳରେ ଦେଶରୁ ପ୍ରତିଭା ଚାଲାଣ ସମସ୍ୟାର ସମାଧାନ ହୋଇପାରିବ । ବର୍ତ୍ତମାନ ଏହି ନୂତନ ନୀତିକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏଦିଗରେ ସମସ୍ତ ଅଂଶୀଦାର ମିଳିମିଶି ଖୁଲମ ଖୁଲା ଆଲୋଚନା ଜରିଆରେ ସବୁପ୍ରକାରର ଭୟ ଓ ଆଶଙ୍କା ଦୂର କରିବା ପାଇଁ ଚେଷ୍ଟା ହେଉଛି । ଏହା ସରକାରଙ୍କ ଶିକ୍ଷାନୀତି ନୁହେଁ, ବରଂ ଦେଶର ଶିକ୍ଷାନୀତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ, ସମୟର ପରିବର୍ତ୍ତନ ସହ ତାଳ ଦେଇ ଏହି ନୂତନ ଶିକ୍ଷାନୀତିରେ ବ୍ୟବସ୍ଥା କରାଯାଇଛି । ଦେଶରେ ଆଞ୍ଚଳିକ ଓ ସାମାଜିକ ଅସନ୍ତୁଳନ ପ୍ରଯୁକ୍ତିବିଦ୍ୟା ଦ୍ଵାରା ସମାଧାନ ହୋଇପାରୁଥିବାରୁ ଏହାର ବିଶେଷ ପ୍ରଭାବ ଶିକ୍ଷା ଉପରେ ମଧ୍ୟ ପଡିଛି । ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା, ବୃତ୍ତିଗତ ଶିକ୍ଷା ଭଳି ସବୁ କ୍ଷେତ୍ରରେ ଏହାକୁ ଲାଗୁ କରିବା ପାଇଁ ପ୍ରଚେଷ୍ଟା ଅବ୍ୟାହତ ରହିଛି । ନୂତନ ଶିକ୍ଷାନୀତି ଏନଇପି 2020କୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଶ୍ରୀ ମୋଦୀ ଆହ୍ଵାନ ଦେଇଛନ୍ତି ।

 

 

 

0
0
0
s2sdefault