ହେଡଲାଇନସ୍:

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା : ଯୁଦ୍ଧକାଳୀନ ଭିତ୍ତିରେ ରଥ ନିର୍ମାଣ ଚୁଡ଼ାନ୍ତ ପର୍ଯ୍ୟାୟରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଅରବିନ୍ଦ ଦାସ )- :  ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୂଙ୍କ ରଥଯାତ୍ରା ପାଇଁ ଦେବୋତ୍ତର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତରେ ଚାଲିଥିବା ରଥ ନିର୍ମାଣ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ଚଳିତ ବର୍ଷ ଜୁଲାଇ ୪ରେ ଅର୍ଥାତ୍ ଶ୍ରୀକ୍ଷେତ୍ର ଧାମ ପୁରୀରେ ମହାପ୍ରଭୂଙ୍କ ଗୁଣ୍ଡିଚା ଯାତ୍ରା ଦିବସରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଜଗନ୍ନାଥ ଭ୍ରାତା ବଳଭଦ୍ର , ଭଗିନୀ ସୁଭଦ୍ରା ଓ ମହାପ୍ରଭୂ ସୁଦର୍ଶନଙ୍କ ସହ ଗୋଟି ପହଣ୍ଡି ବିଜେ ହୋଇ ରଥାରୁଢ଼ ହେବେ । ଏଥି ସହିତ ପରମ୍ପରା ଅନୁସାରେ ପୁରୀ ରଥଟଣାର ପରବର୍ତ୍ତି  ଦିବସରେ ଅର୍ଥାତ ଜୁଲାଇ ୫  ଓ ୬ରେ ରଥଟଣା ହେବ । ସେହିପରି ମହାପ୍ରଭୂଙ୍କ ବାହୁଡା ଯାତ୍ରା ଅବସରରେ ଜୁଲାଇ ୧୨ରେ ପହଣ୍ଡି ବିଜେ ହୋଇ ୧୩ ଓ ୧୪ ଦୁଇ ଦିନରେ ରଥ ଟଣା ସମ୍ପନ୍ନ ହେବ । 
               ଜନସୃତିରୁ ଜଣାପଡେ଼, ମହାପ୍ରଭୂଙ୍କ ସ୍ୱପ୍ନାଦେଶ ପରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଖ୍ରୀଷ୍ଟାବ୍ଦ ୧୫୭୫(ଶକାବ୍ଦ ୧୪୯୮)ରେ ନିଜର ଗଡ଼ ବାରିପଦାରେ କଳିଙ୍ଗର ରେଖାଶୈଳୀରେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ମହାପ୍ରଭୂଙ୍କର ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ପରବର୍ତ୍ତୀ ସମୟଠାରୁ ପୁରୀ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ଓ ନିୟମ ଅନୁସାରେ ମହାପ୍ରଭୂଙ୍କର ପୂଜାର୍ଚ୍ଚନା କରାଯାଇ ଆସୁଅଛି । ସେହିପରି ମହାପ୍ରଭୂ ମୟୂରଭଞ୍ଜ ମହାରାଜାଙ୍କୁ ଦେଇଥିବା ସ୍ୱପ୍ନାଦେଶ ଅନୁସାରେ ପ୍ରତ୍ୟେକ ଦିନ କିଛି ସମୟ ବାରିପଦା ମନ୍ଦିରକୁ ବିଜେ ହୋଇ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ପରବର୍ତ୍ତି ଦିବସରେ ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ତେଣୁ ବାରିପଦା ଦେବୋତ୍ତର ବିଭାଗ ଓ ଜିଲ୍ଲାପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ପବିତ୍ର ଶ୍ରପଞ୍ଚମୀରୁ ରଥ କାଠ ଅନୁକୂଳ ହୋଇଥିଲା ।  ଅକ୍ଷୟ ତୃତୀୟାରେ ଅଖରେ ଚକ ଲାଗି କାର୍ଯ୍ୟ ସମ୍ପନ୍ନ ହେବା ପରେ ମହାରାଜାଙ୍କ ସମୟରୁ ପ୍ରଚଳିତ ପ୍ରଥା ଓ ପରମ୍ପରା ଅନୁସାରେ ମହାରାଜାଙ୍କ ସାଢେ଼ ୨୨ ଇଞ୍ଚ ହାତ ମାପକାଠି ଅନୁସାରେ ୩୬ ଫୁଟ ଉଚ୍ଚତାରେ ୮୩୨ ଖଣ୍ଡ କାଠରେ ନିର୍ମିତ ୧୬ ଚକ ସହିତ ରଥର ସାରଥୀ ଦାରୁକଙ୍କୁ ନେଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ ହୋଇଥାଏ । ସେହିପରି  କାମପାଳ ବଳଭଦ୍ରଙ୍କ ରଥକୁ ଦେବତାମାନେ ତାଳବଣରେ ପ୍ରଦାନ କରିଥିବାରୁ ତାଙ୍କର ରଥର ନାମ ତାଳଧ୍ୱଜ । ୩୪ ଫୁଟ ଉଚ୍ଚତା , ୭୬୩ ଖଣ୍ଡ କାଠ ଓ ୧୪ ଚକ ସହ ସାରଥୀ ପ୍ରଦୁ୍ୟମ୍ନଙ୍କୁ ନେଇ ନିର୍ମିତ ହୋଇଥାଏ । ସେହିପରି ମା ସୁଭଦ୍ରାଙ୍କ ରଥର ନାମ ପଦ୍ମଧ୍ୱଜ ବା ଦର୍ପଦଳନ । ୩୨ ଫୁଟ ଉଚ୍ଚତାରେ ୫୯୩ ଖଣ୍ଡ କାଠ ଓ ୧୨ ଚକ ସହିତ ରଥର ସାରଥୀ ଅର୍ଜ୍ଜୁନଙ୍କ ସହ ଦେବୀ ସୁଭଦ୍ରାଙ୍କ ବିଜୟା ରଥର ସିଂହାସନ, ଋଷିମାନଙ୍କ ବେଢ଼ା, ଚତୁଃପାଶ୍ୱର୍ ଦେବ ନିର୍ମାଣ  କାର୍ଯ୍ୟ ଆଜି ଶେଷ ହେବା ପରେ ରଥର ଉପରକୁ ସପ୍ତରଙ୍ଗ ବସ୍ତ୍ରରେ ଆବୃତ କରାଯିବା । ଜୁଲାଇ ୪ ସକାଳ ସମୟରେ ନୀତି ନିର୍ଘଣ୍ଟ ଅନୁସାରେ କଳସ ପ୍ରତିଷ୍ଠା ସମାପ୍ତ ହେବା ପରେ ରଥରେ ଉପରରେ କଳସ ଯୋଡ଼ାଯିବ । ଏଥି ସହିତ ରଥଖଳାରେ ରୂପକାର ସେବକ ଶୁଆସାରୀ, ପାଶ୍ୱର୍ ଦେବଦେବୀ ଓ ନାଟଗୋଡ଼, ଦ୍ୱାରପାଳ, ଅଶ୍ୱ ଆଦି ଖୁଦେଇ ଓ ରଙ୍ଗ କାର୍ଯ୍ୟ ଶେଷ ହେବାକୁ ଯାଉଛି । ମହାପ୍ରଭୂମାନଙ୍କର ୩ ରଥ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ରଥ ମହାପାତ୍ର ମୃତ୍ୟୁଞ୍ଜୟ  ମହାପାତ୍ରଙ୍କ ସହିତ ୫ ଜଣ ରଥ ମହାରଣା , ଦଉଡ଼ି ବଳା ଜଣେ ଓ ୩୩ ବାର୍ଚ୍ଛିଆ ପ୍ରମୁଖ ରଥ କାରିଗର ଦିନରାତି କାର୍ଯ୍ୟରେ ଲାଗିଛନ୍ତି । ଉକ୍ତ ନିର୍ମାଣ କାର୍ଯ୍ୟ ବାରିପଦା ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ଦିବ୍ୟଜ୍ୟୋତି ପରିଡ଼ା ଏବଂ ବାରିପଦା ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ମିଳିତ ତତ୍ୱାବଧାନରେ ଚାଲିଛି ଓ କାର୍ଯ୍ୟ ଶେଷ ହେବାପରେ ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀପଣ୍ଡା ରଥର ଫିଟନେସ ସାର୍ଟିଫିକେଟ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି ।
            



 






0
0
0
s2sdefault