ହେଡଲାଇନସ୍:

ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ-୨୦୧୮ରେ ବିଶିଷ୍ଟ ଭାରତୀୟ ଓ ବିଦେଶୀ କଳାକାରଙ୍କ ସମାବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭଞ୍ଜ କଳା କେନ୍ଦ୍ର ଆନୁକୁଲ୍ୟରେ ନଭେମ୍ବର ୧ ତାରିଖରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇସ୍ପାତ ସହର ରାଉରକେଲାର ବିଶାଳ ଭଞ୍ଜଭବନ ମୁକ୍ତାକାଶ ରଙ୍ଗମଞ୍ଚରେ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓ ଲୋକନୃତ୍ୟ, ସଙ୍ଗୀତ ଉତ୍ସବର ମାନ୍ୟତା ପ୍ରାପ୍ତ “୨୧ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ-୨୦୧୮” ଆରମ୍ଭ ହେବାକୁ ଯାଉଛି । ସୂଚନାଯୋଗ୍ୟ ଯେ, ସବୁଜିମାରେ ପରିପୂର୍ଣ୍ଣ ଇସ୍ପାତ ସହରରେ ପ୍ରତି ବର୍ଷ ଆୟୋଜିତ ଏହି ମହୋତ୍ସବ, ନିଜର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଏକ ଅନନ୍ୟ ପରିଚୟ ସୃଷ୍ଟି କରିବା ସହିତ ଦେଶର ସାଂସ୍କୃତିକ ଓ ପର୍ଯ୍ୟଟନ କ୍ୟାଲେଣ୍ଡରରେ ସ୍ଥାନ ସୃଷ୍ଟି କରିପାରିଛି । ଏହି ମହୋତ୍ସବରେ ପାଞ୍ଚ ଦିନ ବ୍ୟାପୀ ଭଞ୍ଜ ଭବନ ମୁକ୍ତାକାଶ ରଙ୍ଗମଞ୍ଚ ଶଙ୍ଖ, ପଖଜ, ବଂଶୀଧୁନ, ଘୁଙ୍ଗୁରୁର ମୂର୍ଚ୍ଛନାରେ ରୋମାଞ୍ଚିତ ହୋଇଥାଏ, ଯାହା ଦର୍ଶକଙ୍କୁ ଏକ ସାଂସ୍କୃତିକ କଳ୍ପନାର ରାଇଜର ସ୍ପର୍ଶ ପ୍ରଦାନ କରିଥାଏ।.

ଉଲ୍ଲେଖନୀୟ ଯେ, ଭଞ୍ଜ ସାଂସ୍କୃତିକ ନ୍ୟାସର ଅଂଶବିଶେଷ, ଭଞ୍ଜ କଳା କେନ୍ଦ୍ର ୧୯୬୭ ମସିହାରେ ସ୍ଥାପିତ ହୋଇଥିଲା। ଗତ ବର୍ଷ ଅନୁଷ୍ଠାନ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରିଛି । ଚଳିତ ବର୍ଷ ଦେଶର ବିଭିନ୍ନ ଭାଗରୁ ବହୁ ମହାନ କଳାକାର ସେମାନଙ୍କର ନୃତ୍ୟ ସଙ୍ଗୀତ ପ୍ରତିଭା ପରିବେଷଣ ନିମନ୍ତେ ଇସ୍ପାତ ସହରରେ ପଦାର୍ପଣ କରିବେ। ବହୁ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ୩୦୦ରୁ ଉର୍ଦ୍ଧ୍ଵ ବିଶିଷ୍ଟ କଳାକାରଙ୍କ ସମାବେଶ ଚଳିତ ବର୍ଷର ଏହି ମହୋତ୍ସବରେ ଦେଖିବାକୁ ମିଳିବ। ଏହି ମହୋତ୍ସବକୁ ଓଡିଶା ସରକାରଙ୍କର ମାନ୍ୟବର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନଭେମ୍ବର ୧ ତାରିଖ ପ୍ରଥମ ସନ୍ଧ୍ୟାରେ ଉଦଘାଟନ କରିବେ। ଉତ୍ସବର ବିଭିନ୍ନ ସନ୍ଧ୍ୟାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଶ୍ରୀ କିଶୋର କୁମାର ମହାନ୍ତି, ରଘୁନାଥପାଲ୍ଲୀ ବିଧାୟକ, ଶ୍ରୀ ସୁବ୍ରତ ତରାଇ, ଓଟିଡ଼ିସି ଅଧ୍ୟକ୍ଷ ତଥା ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ , ଶ୍ରୀ ଦିଲ୍ଲୀପ କୁମାର ତିର୍କି, ରାଉରକେଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଶ୍ରୀ ସାରଦା ପ୍ରସାଦ ନାୟକ, ଆରଏସପି କାର୍ମିକ ଓ ପ୍ରଶାସନ ବିଭାଗର ଇଡ଼ି, ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଏନଏସପିସିଏଲ ରାଉରକେଲାର ଗୃପ ଜିଏମ ଓ ବିଜିନେସ ୟୁନିଟ ହେଡ, ଶ୍ରୀ ବାଣିବ୍ରତ ବାସୁ, ଏନଆଇଟି ରାଉରକେଲାର ନିର୍ଦ୍ଦେଶକ, ଡକ୍ଟର ଅନିମେଶ ବିଶ୍ଵାସ, ବିଶିଷ୍ଟ ଓଡିଶୀ ସଙ୍ଗୀତ ଗୁରୁ ଶ୍ରୀ ରାମହରି ଦାସ, ଆଦିବାସୀ ସଂସ୍କୃତି ଗବେଷକ, ଡକ୍ଟର ବିମ୍ବାଧର ବେହେରା ଏବଂ ବିଶିଷ୍ଟ ନାଟ୍ୟ ବିଶେଷଜ୍ଞ , ଶ୍ରୀ ସତ୍ୟ ରଞ୍ଜନ ବେହେରା ଅତିଥି ରୂପେ ଯୋଗଦେବା ନିମନ୍ତେ ସଦୟ ସମ୍ମତି ପ୍ରଦାନ କରିଛନ୍ତି । ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ଵିନୀ କୁମାର ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ।

ଚଳିତ ବର୍ଷର ମହୋତ୍ସବର ପ୍ରମୁଖ ତାରକା ଆକର୍ଷଣଙ୍କ ମଧ୍ୟରେ ଅଛନ୍ତି ବିଶ୍ଵର ବିଭିନ୍ନ ପ୍ରାନ୍ତରେ ନିଜର ନୃତ୍ୟ ପ୍ରଦର୍ଶନ ପୂର୍ବକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ହାଇଦ୍ରାବାଦର ବିଶିଷ୍ଟ ଶିଳ୍ପୀ କୁଚିପୁଡି ନୃତ୍ୟଗୁରୁ, ଲକ୍ଷ୍ମୀ ଶଙ୍କର, ଆସାମର ସତ୍ରିୟା ନୃତ୍ୟ ଗୁରୁ କ୍ରୀଷ୍ଣାକ୍ଷୀ କାଶ୍ୟପ, ମୁମ୍ବାଇର ଲାବନି ନୃତ୍ୟ ଗୁରୁ ଲକ୍ଷ୍ମଣ ପଡ୍ୱାଳ, ଓଡିଶୀ ନୃତ୍ୟଗୁରୁ ଶ୍ରାବଣୀ ମିତ୍ର, ଝାଡ଼ଖଣ୍ଡର ଝୁମର ନୃତ୍ୟ, ଭଞ୍ଜନଗରର ବିଶ୍ଵପ୍ରସିଦ୍ଧ ପଶୁନୃତ୍ୟ, ରଘୁରାଜପୁରର ସାହି ନୃତ୍ୟ, ସାରଳା ଝଙ୍କଡର ଘଟ ପାଟୁଆ ନୃତ୍ୟ, ବିହାରର ପାଟନାରୁ ଆସିଥିବା କଳାକାରଙ୍କ ଲୋକ ନୃତ୍ୟ, ବିଶିଷ୍ଟ ମର୍ଦ୍ଦଳ ଗୁରୁ ଧନେଶ୍ଵର ସ୍ଵାଇଁଙ୍କ ତାଳବାଦ୍ୟ, ଏବଂ ଭାରତର ଅଗ୍ରଣୀ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ କୋଲକାତାର ପଣ୍ଡିତ ତୁଷାର ଦତ୍ତ ତଥା, ଓଡିଶାର ସୁନାମଧାନ୍ୟ ଓଡିଶୀ କଣ୍ଠଶିଳ୍ପୀ , ଶ୍ରୀ ହିମାଂଶୁ ଶେଖର ସ୍ଵାଇଁ ଓ ଶ୍ରୀ ମାତୃ ପ୍ରସାଦ ଦାସ ।

0
0
0
s2sdefault