ହେଡଲାଇନସ୍:

‘ମଣିଷ ସମାଜକୁ ମଧୁମୟ କରିବା ସାହିତ୍ୟର ଲକ୍ଷ୍ୟ’

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶାରଦୀୟ ବନ୍ଧୁମିଳନ ଓ କବିତା ପାଠୋତ୍ସବ

ବରପାଲି,(ଶାସକ ପ୍ରଶାସକ) - ସବୁ ଦୁଃଖ, ଯନ୍ତ୍ରଣା ସତ୍ତେ୍ୱ ଜୀବନକୁ ମଧୁମୟ ଦୃଷ୍ଟିରେ ଦେଖିବା ଓ ଏ ସମାଜକୁ ମଧୁସିକ୍ତ କରିବା ହିଁ ମଣିଷର ଶ୍ରେଷ୍ଠ  ତପସ୍ୟା । ଏହି ମହାନ ବାର୍ତ୍ତା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନ ଓ ସାହିତ୍ୟରେ ପ୍ରତିଫଳିତ । ମଣିଷ ସମାଜକୁ ମଧୁମୟ କରିବା ହିଁ ସାହିତ୍ୟର ଲକ୍ଷ୍ୟ ବୋଲି ଲେଣ୍ଡାସ୍ଥିତ ସ୍ୱୟଂସିଦ୍ଧା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଶାରଦୀୟ ବନ୍ଧୁ ମିଳନ ଓ ପାଠୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ରଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାଧ୍ୟାପକ ଡକ୍ଟର ମଣୀନ୍ଦ୍ର କୁମାର ମେହେର ମତବ୍ୟକ୍ତ କରିଥିଲେ ।

   ବରପାଲି ଗଙ୍ଗାଧର ସ୍ମୃତି ଭବନଠାରେ ଆୟୋଜିତ ଏହି ଉତ୍ସବରେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କୌସ୍ତୁଭ ବୁଧିଆ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ବକ୍ତାଭାବେ ନୂଆଁଦିଲ୍ଲୀ ସ୍ଥିତ ଇଣ୍ଡଆନ ଇନଷ୍ଟିଚୁ୍ୟଟ୍ ଅଫ୍୍ ପବ୍ଲିକ୍ ଆଡ଼ମିନିଷ୍ଟେ୍ରସନ୍ର ଫ୍ୟାକଲଟି ଡ. ସୁଜିତ୍ କୁମାର ପୃଷେଠ୍ ଯୋଗଦେଇ ସାହିତ୍ୟ ଓ ସାମ୍ବାଦିକତା ଆଜି ଏକ ଦୃଢ ସ୍ତମ୍ଭ ଭାବେ ସମାଜକୁ ଆଗେଇ ନେଇଛି । ସାହିତ୍ୟ ମାଧ୍ୟମରେ ସମାଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ବିଶ୍ୱ ଓ ଭାରତୀୟ ଦର୍ଶନ ଓ ସାହିତ୍ୟରୁ ଉଦାହରଣ ଦେଇ ଆଲୋକପାତ କରିଥିଲେ । ବିଶିଷ୍ଟ କଣ୍ଠଶିଳ୍ପୀ ବୀରେନ୍ଦ୍ର ନାଥ ନାଗ ଓ ସାଥି ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଫାଉଣ୍ଡେସନ୍ର  ମ୍ୟାନେଜିଂ ଟ୍ରଷ୍ଟି ଡ. ସୁଶୀଳ କୁମାର ବାଗ୍ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡ. ଲକ୍ଷ୍ମଣ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ ।

  ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବରେ ଡ. ଶୁକମୁନି ମେହେର  ସଭାପତିତ୍ୱ କରିଥିଲେ । ଆଲୋଚକ ଭାବେ ଝାଡ଼ଖଣ୍ଡସ୍ଥିତ କୋହ୍ଲାନ୍ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର୍ ଡ.ବାଳକୃଷ୍ଣ ବେହେରା ଯୋଗଦେଇ ସାମ୍ପ୍ରତିକ ଓଡିଆ କବିତା ସମ୍ପର୍କରେ ଆଲୋଚନା କରିଥିଲେ । ଏହି କବିତା ପାଠୋତ୍ସବକୁ ଅଧ୍ୟାପକ ଚିନ୍ମୟ ସାହୁ ଓ ଅଧ୍ୟାପକ ବିଶ୍ୱନାଥ ସାହୁ ସଂଯୋଜନା କରିଥିଲେ । ଶେଷରେ ଫାଉଣ୍ଡେସନର ସଭ୍ୟ ସାମ୍ବାଦିକ ସୁବ୍ରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଛଅ ବର୍ଷର କୁନିକବି ସୌଭିକ ସୁମନ୍ ମେହେରଙ୍କ କବିତା ପାଠରୁ ଆରମ୍ଭ ହୋଇଥିବା ପାଠୋତ୍ସବରେ ଅଧ୍ୟାପକ ବିନୋଦାନନ୍ଦ ସାହୁ, ଅଧ୍ୟାପକ ରମାକାନ୍ତ ତ୍ରିପାଠୀ, ବିଜୟ ପ୍ରଧାନ, ସୁଜିତ କୁମାର ସତପଥୀ, ଡ. ଅନିରୁଦ୍ଧ କୁରୁକୁରିଆ, ଡ. ଆଶୁତୋଷ ଦେବତା, ଅଧ୍ୟାପକ ଦୀନେଶ ଅଗ୍ରୱାଲ, ହେମାଙ୍ଗିନୀ ଦାଶ, ପୁଷ୍ପାଞ୍ଜଳି ଦାଶ, ପ୍ରଜ୍ଞାସିନୀ ସାହୁ, ନେପାଳ ପ୍ରଧାନ, ବ୍ରଜମୋହନ ମେହେର ପ୍ରମୁଖ ବରପାଲି, ବିଜେପୁର, ସାଲେଭଟା, ହୀରାକୁଦ ଆଦି ଅଂଚଳରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି, କବି, ଲେଖକ ଯୋଗଦେଇଥିଲେ । 

0
0
0
s2sdefault