ହେଡଲାଇନସ୍:

ୟୁନାଇଟେଡ଼ ଆରବ ଏମିରେଟସ ରେ ନୂଆଖାଇ ଭେଟଘାଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦୁବାଇରୁ ଫିରୋଜ କୁମାର ମେହେର/ ବରଗଡ଼ରୁ ଗୌରାଙ୍ଗ ଦାଶ

  ପ୍ରବାସରେ ରହିଲେ ବି ଭୁଲି  ନାହାନ୍ତି ନିଜ ସଂସ୍କୃତି , ଦୁରେଇ ପାରିନାହାନ୍ତି ନିଜ ମାଟିର ଆକର୍ଷଣକୁ | ତାର ମାଟି ପାଣି ପବନର ଆତ୍ମୀୟତାକୁ |  ସତେ ଯେମିତି ସେମାନେ  ବର୍ଷ ତମାମ  ଅପେକ୍ଷା କରିଥାନ୍ତି କେବେ ଆସିବା ଏଇ ମହାର୍ଘ୍ୟ ଅବସର ତଥା ପଶ୍ଚିମ ଓଡିଶା ମାଟିର ମହାପର୍ବ ଗଣପର୍ବ ନୂଆଖାଇ | ତେଲଲୁଣର ଦୁନିଆ ଭିତରେ ସିନା ସେମାନେ ମାଟି ଠାରୁ ଦୂରରେ, ହେଲେ ମାଟି ଆଉ ତାର ସଂସ୍କୃତି, ସେଇ ଗାଁ, ଗାଁର ଲୋକ ଆଉ ପର୍ବପର୍ବାଣି ସେମାନଙ୍କ ହୃଦୟ ଭିତରେ ସାଇତା ହୋଇ ରହିଛି | ଭୁଲି ନାହାନ୍ତି ସେମାନେ ଧୁମଧାମରେ ପାଳିବାକୁ ନୂଆଖାଇ ପର୍ବ ପ୍ରବାସରେ | ହଁ,,,ଆମେ କହୁଛୁ ୟୁନାଇଟେଡ଼ ଆରବ ଏମିରେଟସ ର ଦୁବାଇରେ ରହୁଥିବା ଓଡ଼ିଆ ଭାଇ ଭଉଣୀଙ୍କ କଥା | ଆଉ ଲାଗାତାର ଭାବେ ପଞ୍ଚମ ବର୍ଷ ପାଇଁ ପାଳିଛିନ୍ତି ନୂଆଖାଇ ଭେଟଘାଟ ଦୁବାଇସ୍ଥିତ  ସ୍ଥିତ ଇଣ୍ଡିଆନ କଂସୁଲେଟ ସଭାଘର ଠାରେ |  ଏହି ନୂଆଖାଇ ଭେଟଘାଟ ଗତ ୧୪ ସେପ୍ଟେମ୍ବର ରେ ଅତି ଧୁମ ଧାମ ରେ ଅନୁଷ୍ଠିତ ହୋଇଥିଲା  | ଆଉ ସଂଯୋଗକୁ ଏଥରର ଉତ୍ସବ ପାଳିତ ହୋଇଥିଲା ନୂଆଖାଇ ପାଳନ ଦିନ | ଆଉ ସେଇଥିପାଇଁ ଏ ବର୍ଷ ଉତ୍ସବର ଜୋଶ ଥିଲା ଟିକେ ନିଆରା | ପଞ୍ଚମ ବର୍ଷ ରେ ପଦାର୍ପଣ କରି ଥିବା ଏହି ପର୍ବ ପୂର୍ବ ବର୍ଷ ମାନଙ୍କ ଠାରୁ ଆହୁରି ଉଚ୍ଚକୋଟୀର ହୋଇଥିଲା ଏବଂ ବହୁ ସଂଖ୍ୟା ରେ ଦର୍ଶକ ମାନଙ୍କୁ ଆକୃଷ୍ଟ କରି ପରି ଥିଲା | ୬୦୦ ରୁ ଉର୍ଧ୍ଵ  ଦର୍ଶକ ମାନେ ସାଂସ୍କୃତିକ କାର୍ଯକ୍ରମ ଉପଭୋଗ କରି ଥିଲେ | ୬୦ ଜଣ ନିଜସ୍ୱ କଳାକାର ସମେତ ୧୩ ଜଣିଆ ଟ୍ରୁପ (ଯାହା ଓଡିଶାରୁ ନିମନ୍ତ୍ରିତ ହୋଇ ଆସିଥିଲେ )ରଙ୍ଗା ରଙ୍ଗ କାର୍ଯକ୍ରମ ପରିବେଷଣ କରିଥିଲେ | ସମ୍ବଲପୁର ର ନଟରାଜ ଡାନ୍ସ ଗ୍ରୁପ ର ୧୩ ଜଣିଆ କଳାକାର ଦଳ  ଦର୍ଶକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା | ପିଲାରୁ ବୁଢା ପର୍ଯନ୍ତ ନିଜସ୍ୱ କଳାକାରମାନେ ମଧ୍ୟ ଅତି ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ଗୀତ ପରିବେଷଣ କରି ସମସ୍ତଙ୍କୁ ଅଭିଭୂତ କରି ରଖି ଥିଲେ | 

ସକାଳୁ ୧୦ ଟା ବେଳୁ କାର୍ଯକ୍ରମର ଶୁଭାରମ୍ଭ ହୋଇଥିଲା | କନ୍ସଲ କଲ୍ଚରାଲ  ଶ୍ରୀ ପ୍ରେମ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଥିଲେ ଏବଂ ଦ୍ବୀପ ପ୍ରଜ୍ୱଳନ କରି କାର୍ଯକ୍ରମ ଉଦଯାପନ କରି ଥିଲେ | ପ୍ରଥମାର୍ଦ୍ଧ ରେ ନିଜସ୍ୱ କଳାକାର ମାନେ ଏବଂ ଅପରାହ୍ନରେ ନଟରାଜ ଗ୍ରୁପ ପରିବେଷଣ କରି ଥିଲେ | ସମଗ୍ର କଂସୁଲେଟ ସଭାଘର ଉସ୍ଵବ ମୁଖରିତ ହୋଇ ଉଠିଥିଲା | ପାରମ୍ପରିକ ସମ୍ବଲପୁରୀ ନୃତ୍ୟ ଗୀତ ସତେ ଯେମିତି ବାତାବରଣକୁ ସମ୍ବଲପୁର ର ଅନୁଭବ ଆଣୁଥିଲା | ଶ୍ରୀଯୁକ୍ତ ପ୍ରେମ ଚାନ୍ଦ ସମସ୍ତ ଦର୍ଶକ ମାନଙ୍କୁ ସମ୍ବୋଧିତ କରି ପ୍ରକାଶ କରି ଥିଲେ ଯେ ଓଡ଼ିଆ ସମ୍ପ୍ରଦାୟ ୟୁନାଇଟେଡ଼ ଆରବ ଏମିରେଟସରେ ଅତ୍ୟନ୍ତ ସକ୍ରିୟ ଏବଂ ତାଙ୍କର ଏହି ଭଳି ସାଂସ୍କୃତିକ କାର୍ଯକ୍ରମ ସେମାନଙ୍କୁ ନିଜ ଦେଶ , ପ୍ରଦେଶ ଏବଂ ନିଜ ପରମ୍ପରା ସହିତ ବାନ୍ଧି ରଖି ବାରେ ସହାୟକ ହୋଇ ପାରିଛି | କୁନି କୁନି ବାଳକ ବାଳିକା ମାନେ ଏଠି ଅବସ୍ଥାନ କରି ମଧ୍ୟ ନିଜର ସଂସ୍କୃତି କୁ ଜାଣି ପାରୁଛନ୍ତି ଯାହା ଖୁବ ପ୍ରଶଂସନୀୟ | ସେ କହି ଥିଲେ ପ୍ରତି ବର୍ଷ ଇଣ୍ଡିଆନ କଂସୁଲେଟ ସେ ଏହି ପର୍ବକୁ ଚାହିଁ ରହିଥାନ୍ତି |

କାର୍ଯକ୍ରମ ର ଅନ୍ୟତମ ଆକର୍ଷଣ ଥିଲେ ଗେଷ୍ଟ ଅଫ ହନର ଶ୍ରୀ ପ୍ରଦୀପ ଭୋଳ ଯିଏ କି ସୁନ୍ଦରଗଡ ର ବାସିନ୍ଦା | ଶ୍ରୀ ଭୋଳ ଙ୍କ ପଶ୍ଚିମ ଓଡିଶା ତଥା ଓଡ଼ିଆ କଳା ପ୍ରତି ଅଶେଷ ଅବଦାନ ରହିଛି | ପିଲା ଟି ଦିନରୁ ତାଙ୍କର ଏକାଙ୍କିକା , ନାଟକ କଳା ପ୍ରତି ଆଗ୍ରହ ଥିଲା ଏବଂ ସେ  ୨୦୦ ରୁ ଉର୍ଧ୍ଵ ନାଟକ ପରିବେଷଣ କରି ସାରିଛନ୍ତି |  ସେ "ଚିନି " ଭଳି ଅତି ଉଚ୍ଚ କୋଟିର ସିନେମା ର ନିର୍ଦେଶକ ମଧ୍ୟ ରହି ସାରିଛନ୍ତି  | "ଚିନି" ହେଉଛି ଏ ପର୍ଯନ୍ତ ସବୁଠୁ ଅଧିକା ଖର୍ଚ ବହୁଳ ସମ୍ବଲପୁରୀ ସିନେମା | ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଆଶା ଭୋସଲେ ଏହି ସିନେମା ରେ ପ୍ରଥମ କରି କୌଣସି ସମ୍ବଲପୁରୀ ସିନେମା ରେ କଣ୍ଠ ପ୍ରଦାନ କରିଛନ୍ତି | ଏହି ସିନେମା ୨୦୧୬ ରେ ଷ୍ଟେଟ ବେଷ୍ଟ ଫିଲ୍ମ ପୁରସ୍କାର ସହିତ  ବହୁ ଅନ୍ୟାନ୍ୟ ପୁରସ୍କାର ଅର୍ଜନ କରିଛି ଏବଂ ଦର୍ଶକ ମହଲରେ ବେଶ ଆଦୃତ ହୋଇଛି | 

ଓଡ଼ିଆ ସମୁଦାୟ ଏହି କାର୍ଯକ୍ରମ ରେ ସ୍ବର୍ଗତ ପ୍ରଭୁଦତ୍ତ ପ୍ରଧାନ ଙ୍କୁ ମଧ୍ୟ ଆନ୍ତରିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଥିଲେ | ସ୍ବର୍ଗତ ପ୍ରଧାନ ଯିଏ କି ରଙ୍ଗବତୀ ଗୀତ ର ଧୁନ ର ସୃଷ୍ଟିକର୍ତ୍ତା, ତାଙ୍କ ଜୀବନ କାଳ ମଧ୍ୟରେ ଆହୁରି ଅନେକ ଗୀତ ର ସଂଗୀତ ସଂଯୋଜନା କରି ଥିଲେ | ସମ୍ବଲପୁରୀ ନୃତ୍ୟ ଗୀତ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ | ସ୍ବର୍ଗତ ପ୍ରଧାନ ଙ୍କ ସୁପୁତ୍ର ଅସୀମ ପ୍ରଧାନଙ୍କୁ ଏଥି ନିମିତ୍ତ ଆମନ୍ତ୍ରଣ କରା ଯାଇ ଥିଲା ଏବଂ  ଏହି ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ସମ୍ମାନିତ କରା ଯାଇଥିଲା | ବିଦେଶ ମାଟିରେ ବସବାସ କରି ରହି ଥିବା ଓଡ଼ିଆ ମାନଙ୍କର ଏଭଳି ସାଂସ୍କୃତିକ ପ୍ରେମ ଏବଂ ଶ୍ରଦ୍ଧା ଦେଖି ସେ ଭାବ ବିହ୍ଵଳ ହେଇ ପଡି ଥିଲେ | 

ପାରମ୍ପରିକ ଭୋଜନ ର ସୁବ୍ୟବସ୍ଥା ମଧ୍ୟ ହୋଇ ଥିଲା ଯାହା ସମସ୍ତଙ୍କର ଖୁବ ପସନ୍ଦ ଆସିଥିଲା | "ନୂଆଖାଇ ଭେଟଘାଟ" ହୋଇ ସମସ୍ତେ ସମସ୍ତଙ୍କୁ  "ନୂଆଖାଇ ଜୁହାର " କରିଥିଲେ | କାର୍ଯକ୍ରମ ଶେଷରେ ସମସ୍ତ ପ୍ରତିଭାଗୀ ମାନଙ୍କୁ ପ୍ରମାଣ ପତ୍ର ସମେତ ପୁରସ୍କାର ପ୍ରଦାନ କରା ଯାଇ ଥିଲା | ୮ ଘଣ୍ଟା ଧରି ଚାଲିଥିବା ଏହି କାର୍ଯକ୍ରମ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥିଲା ଏବଂ ସମସ୍ତେ ଆଗାମୀ ବର୍ଷ ପ୍ରତି ନିଶ୍ଚୟ ଅତି ଆଗ୍ରହ ସହକାରେ ଚାହିଁ ବସି ଥିବେ ବୋଲି ପ୍ରବନ୍ଧକ କମିଟି ଆଶା ପ୍ରକାଶ କରି ଥିଲେ |

 

0
0
0
s2sdefault