ହେଡଲାଇନସ୍:

ଗ୍ରୀସରେ ଶିଶୁ ସାହିତ୍ୟ ଉପରେ ଆଧାରିତ ଆନ୍ତର୍ଜାତୀୟ ସମ୍ମିଳନୀର ଏକ ଅଧିବେଶନରେ ଅଧ୍ୟକ୍ଷତା କରିବେ ରମେନ୍ଦ୍ର କୁମାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା/ ସୁଶାନ୍ତ ବେହେରା :  ରାଉରକେଲା ଇସ୍ପାତ କାରଖାନାର ସଞ୍ଚାର ମୁଖ୍ୟ ତଥା ପ୍ରତିଷ୍ଠିତ ଲେଖକ ଶ୍ରୀ ରମେନ୍ଦ୍ର କୁମାର ଏଥେନ୍ସ ଠାରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ୩୬ ତମ ଇଣ୍ଟରନେସନାଲ ବୋର୍ଡ ଅନ ବୁକ୍ସ ଫର ୟଙ୍ଗ ପିପୁଲ (ଆଇ.ବି.ବି.ୱାଇ) କଂଗ୍ରେସର ଏକ ଅଧିବେଶନରେ ଅଧ୍ୟକ୍ଷତା କରିବା ନିମନ୍ତେ ଆମନ୍ତ୍ରିତ ହୋଇଛନ୍ତି। ଶ୍ରୀ କୁମାର ଅଧ୍ୟକ୍ଷତା କରିବାକୁ ଯାଉଥିବା ଅଧିବେଶନରେ ତିନିଟି ଭିନ୍ନ ଭିନ୍ନ ମହାଦେଶ ଯଥା ଉତ୍ତର ଆମେରିକା, ୟୁରୋପ ଏବଂ ଏସିଆର ଜଣେଜଣେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ସେମାନଙ୍କର ପେପର ଉପସ୍ଥାପନା କରିବେ । 

ଶ୍ରୀ କୁମାର ମଧ୍ୟ “ଦି ବ୍ରେଭ ନ୍ୟୁ ୱାର୍ଲ୍ଡ ଅଫ ଇଣ୍ଡିଆନ ଚିଲଡ୍ରେନସ ଲିଟରେଚର” ସନ୍ଦର୍ଭରେ ଏକ ପେପର ଉପସ୍ଥାପିତ କରିବେ । ୭୦ରୁ ଉର୍ଦ୍ଧ୍ଵ ଦେଶରୁ ୪୫୦ରୁ ଅଧିକ ପ୍ରତିନିଧି ଯୋଗଦେଉଥିବା ଉକ୍ତ କଂଗ୍ରେସକୁ ଶିଶୁ ସାହିତ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ବିଶ୍ଵର ସର୍ବ ବୃହତ ଦ୍ଵିବାର୍ଷିକ କାର୍ଯ୍ୟକ୍ରମ ବିବେଚନା କରାଯାଇଥାଏ। 

“ମୁଁ ଏଭଳି ଏକ ଦେଶରେ ଜନ୍ମ ନେଇଛି ଯେଉଁଠାରେ କାହାଣୀର ସୃଷ୍ଟି ଜୀବନ ଭଳି ପ୍ରାଚୀନ । ଜଗନ୍ନାଥ ସଂସ୍କୃତିର ପ୍ରାନ୍ତରୁ ମୁଁ ଆସିଛି ଯାହା ସହସ୍ରାଧିକ ବର୍ଷ ପୂର୍ବ ଭଳି ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି। ବିଶ୍ଵର ତିନିଟି ପ୍ରମୁଖ ମହାଦେଶର ଲେଖକ ସେମାନଙ୍କର ଲେଖନୀ ଉପସ୍ଥାପନା କରିବାକୁ ଥିବା ଏକ ଅଧିବେଶନରେ ଅଧ୍ୟକ୍ଷତା କରିବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ ଏବଂ ଆମେ ଏଭଳି ଏକ ଦେଶରେ ସମ୍ମିଳିତ ହେଉଛୁ ଯାହା ପ୍ରାଚୀନ ଓ ଆଧୁନିକ, ପୂର୍ବ ଓ ପଶ୍ଚିମର ବ୍ୟବଧାନକୁ ସଂଯୋଗ କରୁଛି। ଏହାଠାରୁ କଣ ଅଧିକ ଆଶା କରାଯାଇପାରେ?, ” ବୋଲି ଶ୍ରୀ ରମେନ୍ଦ୍ର କୁମାର ନିଜର ପ୍ରତିକ୍ରିୟାରେ ଉଲ୍ଲେଖ କରନ୍ତି। 

ଶ୍ରୀ କୁମାର ଜଣେ ଖ୍ୟାତିସମ୍ପନ୍ନ ଶିଶୁ ସାହିତ୍ୟିକ ଅଟନ୍ତି ଏବଂ ଅଦ୍ୟାବଧି ୩୩ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କର ପୁସ୍ତକ ୨୮ ଟି ଉଭୟ ଭାରତୀୟ ଓ ଆନ୍ତର୍ଜାତୀୟ ଭାଷାରେ ଅନୁବାଦ ହୋଇଛି । ବିଗତ ବର୍ଷଗୁଡିକରେ ଚିଲଡ୍ରେନସ ବୁକ ଟ୍ରଷ୍ଟ ଦ୍ଵାରା ଶିଶୁ ସାହିତ୍ୟିକଙ୍କ ପାଇଁ ଆୟୋଜିତ ପ୍ରତିଯୋଗିତାରେ ଶ୍ରୀ କୁମାର ୩୧ ଟି ପୁରସ୍କାର ଲାଭ କରିଛନ୍ତି। କୌଣସି ଲେଖକଙ୍କ ମଧ୍ୟରେ ଏହା ସର୍ବାଧିକ ପୁରସ୍କାର ଅଟେ। 

ଶ୍ରୀ କୁମାରଙ୍କ ୬ଟି ପୁସ୍ତକ ଭାରତରେ ସି.ବି.ଏସ.ଇ.  ଦ୍ଵାରା ସପ୍ଲିମେଣ୍ଟାରି ପୁସ୍ତକ ରୂପେ ସୁପାରିଶ ହୋଇଛି ଏବଂ ପାଠ୍ୟପୁସ୍ତକରେ ତାଙ୍କର ୧୧ଟି କାହାଣୀ ସ୍ଥାନ ପାଇଛି। ଜଣେ ବିଶିଷ୍ଟ ପ୍ରେରଣାଦାୟୀ ବକ୍ତା ଓ କଥାକାର ରୂପେ ପରିଚିତ ଶ୍ରୀ କୁମାର ଜୟପୁର ଲିଟଫେଷ୍ଟ ଓ ବୁକାରୁ ଭଳି ବିଭିନ୍ନ ମର୍ଯ୍ୟାଦାଜନକ ସାହିତ୍ୟ ଉତ୍ସବ ଏବଂ ସାହିତ୍ୟ ଏକାଡେମୀ, ଇଗ୍ନୋ ଏବଂ ଏନବିଟି ସେମିନାରରେ ଆମନ୍ତ୍ରିତ ହୋଇ ଯୋଗଦେଇଛନ୍ତି।  ସେ ଜଣେ ଇଞ୍ଜିନିୟର ଅଟନ୍ତି ଏବଂ ମାର୍କେଟିଙ୍ଗରେ ସ୍ଵର୍ଣ୍ଣ ପଦକ ସହିତ ଏମବିଏ ଡିଗ୍ରୀ ମଧ୍ୟ ଲାଭ କରିଛନ୍ତି। 

 

0
0
0
s2sdefault