ବିଲୁପ୍ତ ହେବାକୁ ବସିଥିବା ଲୋକ କଳାକୁ ବଞ୍ଚାଇ ରଖିବା ନିମନ୍ତେ ଏକ ଅଭିନବ ପ୍ରୟାସ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନଗରପାଳ କଳା ଓ ସଂସ୍କୃତି ସଂଘ ଲୋକାର୍ପିତ 

ବାରିପଦାରୁ ଦିଲ୍ଲୀପ ମହାନ୍ତି :  ବାରିପଦା ପୌରପରିଷଦ ପକ୍ଷରୁ ଲୋକାର୍ପିତ ହେଲା ନଗରପାଳ କଳା ଓ ସଂସ୍କୃତି ସଂଘ । ଓଡ଼ିଶା ବିଧାନସଭାର ଉପବାଚସ୍ପତି ସାନ୍ଦ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ  ଭାବେ ଶୁଭ ଉଦଘାଟନ କରିଥିବା ବେଳେ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଜନା ବୋଡର଼୍ ସଭାପତି ତଥା ଉଦଳା ବିଧାୟକ ଗୋଲକ ବିହାରୀ ନାୟକ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି, ସାରସକଣା ବିଧାୟକ ଭାଦବ ହାଁସଦାଃ, ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର ପ୍ରମୁଖଙ୍କ ସମେତ ବାରିପଦା ପୌରପାଳ ବବିତା ଦାସ, ଉପନଗରପାଳ ଜିତେନ୍ଦ୍ର ମହାନ୍ତି ଓ ପୌରପରିଷଦର ବିଭିନ୍ନ କାଉନସିଲରମାନେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ଫେବୃଆରୀ ୬ ମଙ୍ଗଳବାର ପୂର୍ବାହ୍ନ ଦଶଟାରେ ବାରିପଦା ସହରର ପ୍ରତ୍ୟକ୍ଷ ଠାକୁରାଣୀ ମା ଅମ୍ବିକା ମନ୍ଦିର ନିକଟରୁ କଳାକାରମାନଙ୍କର ଏକ ର୍ୟାଲି ବାହାରି ଥିଲା । ଉକ୍ତ ର୍ୟାଲିକୁ ମୟୂରଭଞ୍ଜ ଜିଲାପରିଷଦର ସଭାପତି ସୁଜାତା ମୁର୍ମୁ ଓ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡ଼ା. ଦେବାଶିଷ ମାର୍ଣ୍ଡି ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିବା ପରେ ଏହା ସହର ପରିକ୍ରମା କରି ସ୍ଥାନୀୟ ସହିଦ ସ୍ମୃତି ଭବନରେ ପହଁଞ୍ଚି ଥିଲା । ସେଠାରେ ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ନଗରପାଳ କଳା ଓ ସଂସ୍କୃତି ସଂଘ ଆନୁଷ୍ଠାନିକ  ଭାବେ ଲୋକାର୍ପିତ କରାଯାଇ ଥିଲା ।

                 ଓଡ଼ିଶା ସରକାର ବାରିପଦା ନଗରପାଳ ସଂସ୍କୃତି ସଂଘ ଗଠନ ମାଧ୍ୟମରେ ସହରରେ ବିଲୁପ୍ତ ହେବାକୁ ବସିଥିବା ଲୋକ କଳାକୁ ବଞ୍ଚାଇ ରଖିବା ନିମନ୍ତେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଗତ ୨୦୧୭ ଅପ୍ରେଲରେ ସରକାର ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଆବଶ୍ୟକୀୟ ପାଣ୍ଠି ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ୨୦୧୮ ଜାନୁଆରୀ ୩ରେ ୩ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ଉକ୍ତ ପାଣ୍ଠି ପୌରନିର୍ବାହୀ ଅଧିକାରୀ ଓ ସିଇଓଙ୍କ ନାମରେ ଜଏଣ୍ଟ ଆକାଉଣ୍ଟରେ ରହିବ । ଆସିଥିବା ୩ ଲକ୍ଷ ଟଙ୍କା ମଧ୍ୟରୁ ଦେଢ଼ ଲକ୍ଷ ଟଙ୍କା ଲୋକାର୍ପଣ କାର୍ଯ୍ୟକ୍ରମରେ ଖର୍ଚ୍ଚ କରାଯିବ । ପରବର୍ତ୍ତି ସମୟରେ ସରକାରଙ୍କ ନିକଟରେ ଭାଉଚର ଦାଖଲ କରାଗଲେ ଏହି ଅର୍ଥ ଫେରସ୍ତ ଆସିବ ଏବଂ ଜଏଣ୍ଟ ଆକାଉଣ୍ଟରେ ଜମା ହୋଇ ମୂଳ ଟଙ୍କା ଭାବେ ରହିବ । ପୁଣି ଯେଉଁ କଳାକାରମାନେ ସଙ୍ଘରେ ସଦସ୍ୟ ହେବା ନିମନ୍ତେ ଆଗ୍ରହ ପ୍ରକାଶ କରିବେ ସେମାନେ ଦଶ ଟଙ୍କା ଫି ବାବଦରେ ଦାଖଲ କରିବେ ।  ସହରରେ ଲୋକ କଳାକୁ ବଞ୍ଚାଇ ରଖିବା ସହିତ କଳାକାରମାନଙ୍କର ଆୟ ଉପାର୍ଜନ ବୃଦ୍ଧି କରାଯାଇ ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବାର ଲକ୍ଷ ନେଇ ଏହି ସଂଘ କାର୍ଯ୍ୟକରିବ । ସଂଘରେ ସଦସ୍ୟ ହୋଇଥିବା କଳାକାରମାନେ ଲୋକକଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଲୋକାଭିମୁଖୀ ଯୋଜନା ଉପରେ  ଜନସାଧାରଣଙ୍କୁ ସଚେତନ କରାଇବା ସଂଗେସଂଗେ ତାର ପ୍ରଚାର ଓ ପ୍ରସାର କରାଇବେ । ଏଥି ନିମନ୍ତେ କଳାକାରମାନଙ୍କୁ  ଇନସେଣ୍ଟିଭ ଭାବେ କିଛି ଅର୍ଥ ଯୋଗାଇ ଦିଆଯିବ । କଳାକାରମାନେ ଫଲ୍କ ଗୀତ ଓ ନୃତ୍ୟ ମାଧ୍ୟମରେ ସରକାରୀ କାର୍ଯ୍ୟକ୍ରମକୁ କିପରି ପର୍ଯ୍ୟବେଷଣ କରାଇବେ ସେଥି ନିମନ୍ତେ ସେମାନେ ନିଜେ ସ୍କ୍ରିପଟ ପ୍ରସ୍ତୁତ କରିବେ ଏବଂ ଏଥି ନିମନ୍ତେ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା ଯୋଗାଇ ଦିଆଯିବ  ବୋଲି ସଂଘର ସମ୍ପାଦକ ତଥା ବାରିପଦା ପୌରପରିଷଦର ସିଇଓ ତାରାମଣି ଦାଶଙ୍କ ସୂତ୍ରରୁ ଜଣାପଡ଼ିଛି ।

0
0
0
s2sdefault