ହେଡଲାଇନସ୍:

ରାଉରକେଲା ଟାଇମସ ଦ୍ଵାରା ଫୋଟୋଗ୍ରାଫୀ ଓ ଚିତ୍ରକଳା ପ୍ରଦର୍ଶନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଉରକେଲା/ସୁଶାନ୍ତ ବେହେରା : ରାଉରକେଲାର ଏକ ସୁନାମଧନ୍ୟ ସାମାଜିକ ଅନୁଷ୍ଠାନ ‘ରାଉରକେଲା ଟାଇମ ସ’ ଦ୍ଵାରା ଭଞ୍ଜ ଭବନ ଠାରେ ଆୟୋଜିତ ଏକ ଫୋଟୋଗ୍ରାଫୀ ଓ ଏକ ଚିତ୍ରକଳା ପ୍ରଦର୍ଶନୀ କୁ ନଭେମ୍ବର ୨୬ ତାରିଖ ପୂର୍ବାହ୍ନ ରେ ରାଉରକେଲା ଇସ୍ପାତ କାରଖାନାର କାର୍ମିକ ଓ ପ୍ରଶାସନ ବିଭାଗ ର ନିର୍ବାହୀ ନିର୍ଦେଶକ ପ୍ରଭାତ କୁମାର ପ୍ରଧାନ ଉଦଘାଟନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଉରକେଲା ଟାଇମସ ର ଦୁଇଟି ଶାଖା ହେଉଛି ‘ଫ୍ରେମ୍ସ’ ଓ ‘ରାଉରକେଲା କାନଭାସ’। ଫ୍ରେମ୍ସ ର ସଦସ୍ୟଙ୍କ ଦ୍ଵାରା ଉତ୍ତୋଳିତ ଫୋଟୋଚିତ୍ର ‘ ଫ୍ରେମ୍ସ ୨୦୧୭’ ନାମକ ପ୍ରଦର୍ଶନୀ ରେ ସ୍ଥାନ ପାଇ ଥିବା ସମୟରେ ରାଉରକେଲା ର ବହୁ ଜଣାଶୁଣା ଚିତ୍ରକରଙ୍କ କୃତୀ ‘ କାନଭାସ ୨୦୧୭’ ରେ ପ୍ରଦର୍ଶିତ ହୋଇଛି। 

ଶ୍ରୀ ପ୍ରଧାନ ପ୍ରଦୀପ ପ୍ରଜ୍ଵଳନ କରି ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ତାଙ୍କ ସହ ଏନଆଇଟି ରାଉରକେଲାର ପ୍ରଫେସର ତଥା ବିଶିଷ୍ଟ ଫଟୋଗ୍ରାଫର ଡାଃ ପରେଶ କାଲେ, ସୁନାମଧାନ୍ୟ ଫଟୋଗ୍ରାଫର ସୁବ୍ରତ ବଳ, ରାଉରକେଲା ଟାଇମସ ର ସଭାପତି ଡାଃ ସତ୍ୟ ନାରାୟଣ ମିଶ୍ର ଓ ସମ୍ପାଦକ ଦିଲୀପ କୁମାର ଦାସ ଏହି ଶୁଭ କାର୍ଯ୍ୟ ରେ ସମ୍ମିଳିତ ହୋଇଥିଲେ। 

ଏହି ଅବସର ରେ ନିଜ ଅଭିଭାଷଣ ରେ ଶ୍ରୀ ପ୍ରଧାନ ଯୁବାବସ୍ଥାରୁ ଫୋଟୋଗ୍ରାଫୀ ନିମନ୍ତେ ଥିବା ତାଙ୍କର ଆଗ୍ରହ ବିଷୟରେ ବର୍ଣ୍ଣନା କରିବା ସହ ଗତ କିଛି ଦଶନ୍ଧି ମଧ୍ୟରେ ଏହି କ୍ଷେତ୍ରରେ ଆସିଥିବା ବିପୁଳ ପରିବର୍ତନ ଉପରେ ଆଲୋକପାତ କରିଥିଲେ । ଏହି ମନୋରମ ପ୍ରଦର୍ଶନୀର ଆୟୋଜନ କରିଥିବା ନିମନ୍ତେ ସେ ରାଉରକେଲା ଟାଇମସ କୁ ଅଭିନନ୍ଦନ ଜଣାଇଥିଲେ । ଫୋଟୋଗ୍ରାଫୀ କ୍ଷେତ୍ର ରେ ବିଶିଷ୍ଟ ଅବଦାନ ଦେବା ନିମନ୍ତେ ସେ ସୁବ୍ରତ ବଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଫ୍ରେମ୍ସ ର ସଦସ୍ୟଙ୍କୁ ଉଚିତ ମାର୍ଗଦର୍ଶନ ଦେଇ ସେମାନଙ୍କ କଳାକୁ ଉନ୍ନତ କରିବା ନିମନ୍ତେ ଯୋଗଦାନ ଦେଉଥିବା ଯୋଗୁଁ ସେ ଶ୍ରୀ କାଲେଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ। ଫ୍ରେମ୍ସ ସଦସ୍ୟଙ୍କ ଦ୍ଵାରା ଉତ୍ତୋଳିତ ଫୋଟୋଚିତ୍ର ସମ୍ବଳିତ ଏକ ବ୍ରୋଚର ଓ ଏକ ଆଲବମ କୁ ମଧ୍ୟ ସେ ଉନ୍ମୋଚନ କରିଥିଲେ। ସହରର ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୂର୍ବ ରୁ ଆୟୋଜିତ ଏକ ଚିତ୍ର କଳା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ସେ ପୁରସ୍କୃତ କରିଥିଲେ। 

ପ୍ରାରମ୍ଭରେ ଡାଃ ସତ୍ୟ ନାରାୟଣ ମିଶ୍ର ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ ଏହି ପ୍ରଦର୍ଶନୀ ବିଷୟରେ ଆଲୋକପାତ କରିଥିଲେ। ଶେଷରେ ଶ୍ରୀ ଦିଲୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ମୁଖ୍ୟ ଅତିଥି ତଥା ଅନ୍ୟ ଦର୍ଶକବୃନ୍ଦ ପ୍ରଦର୍ଶନୀ ଦ୍ୱୟ ବୁଲି ଦେଖିଥିଲେ। ସଂଯୋଜନା ସମ୍ପାଦକ ସୁଜିତ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଉରକେଲାର ସୁନାମଧନ୍ୟ ଦାନ୍ତ ଡାକ୍ତର ତଥା ଭାରତୀୟ ଫୋଟୋଗ୍ରାଫୀ ଜଗତ ର ଏକ ଜଣାଶୁଣା ବ୍ୟକ୍ତିତ୍ବ ଡାଃ ଏମ ସି ଲିଉ ଙ୍କ ତତ୍ବାବଧାନ ରେ ଫ୍ରେମ୍ସ ୨୦୧୭ ପ୍ରଦର୍ଶନୀରେ ୧୦୨ ଟି ଫୋଟୋଚିତ୍ର ପ୍ରଦର୍ଶିତ ହୋଇଛି। ରମଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଠାରୁ ଆରମ୍ଭ କରି ମନୋଜ୍ଞ ଭାବାତ୍ମକ ବିଷୟ, ମନମୋହକ ମଡେଲଙ୍କ ଫୋଟୋରୁ ଚିର ପରିଚିତ ଗ୍ରାମ ଓ ସହର ର ଦୃଶ୍ୟ, ଆକର୍ଷଣୀୟ ପଶୁ ପକ୍ଷୀ କୀଟ ପତଙ୍ଗ ଙ୍କ ଠାରୁ ମନୋରମ ସ୍ଥାପତ୍ୟ- ଫ୍ରେମ୍ସ ୨୦୧୭ ପ୍ରଦର୍ଶନୀ ରେ ବିଭିନ୍ନ ବିଷୟବସ୍ତୁ ସମ୍ବଳିତ ବହୁ ଫୋଟୋ ସ୍ଥାନ ପାଇଛି ଯାହା ଦର୍ଶକଙ୍କ ଦ୍ଵାରା ବିଶେଷ ରୂପେ ଆଦୃତ ହୋଇଥିଲା । ସେହିଭଳି କାନଭାସ ୨୦୧୭ ପ୍ରଦର୍ଶନୀ ରେ ରାଉରକେଲା ର ବହୁ ଜଣାଶୁଣା ଚିତ୍ରକରଙ୍କ ର ପ୍ରାୟ ୪୦ ଟି ଚିତ୍ର କଳା ପ୍ରଦର୍ଶିତ ହୋଇଥିଲା। 

 

0
0
0
s2sdefault