ହେଡଲାଇନସ୍:

ପାରମ୍ପରିକ କଳାକାର-କାରିଗରଙ୍କ ପ୍ରତି ବିମୁଖ ସରକାର, ଉଜୁଡ଼ୁଛି ବେଉସା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପ୍ରୋତ୍ସାହନ ନଥିବାରୁ  ସଂକଟରେ ବାଦ୍ୟ ଯନ୍ତ୍ର ତିଆରି

       କଣ୍ଟାମାଳ , ବୌଦ୍ଧ (ବଂଶିଧର ମାଝୀ / ସିମୁନ ନାଏକ)     ଗ୍ରାମାଞ୍ଚଳରେ ଗରିବ ତଥା ହରିଜନ ଓ ଆଦିବାସୀ ମାନଙ୍କର ଉନ୍ନତି ପାଇଁ ସ୍ୱରୋଜଗାର ଯୋଜନା ଥିବା ବେଳେ ହରିଜନ ଆଦିବାସୀ ଉନ୍ନୟନ ନିଗମ ଜରିଆରେ ରିହାତି ମାଧ୍ୟମରେ ଋଣ ଦେବାର ବ୍ୟବସ୍ଥା ରହିଛି । ସରକାର ବିଭିନ୍ନ ଜନହୀତକର ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଗ୍ରାମ୍ୟ କୁଟିର ଶିଳ୍ପ ତଥା କୌଳିକ ବୃତ୍ତି ଦ୍ୱାରା ପରିବାର ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପୋତ୍ସାହନ ଦେଉଛନ୍ତି । ବୌଦ୍ଧ ଜିଲ୍ଲା  ଅନୁନ୍ନତ ତଥା ଦୂର୍ଗମ ଅଞ୍ଚଳ କୁହାଯାଉଥିବା କଣ୍ଟାମାଳ ବ୍ଲକ ଖଲିଆପାଲି ଗ୍ରାମପଞ୍ଚାୟତ ଅଇଁଳାଚୁଆ ଗ୍ରାମର ଶ୍ରୀମନ୍ତ ମୂଖୀଙ୍କ ପରିବାର ତିନି ପୁରୁଷରୁ ଉଦ୍ଧ୍ୱର୍କାଳ କୌଳିକ ବୃତ୍ତିକୁ ବହୁ କଷ୍ଟରେ ବଂଚାଇ ରଖି ଆସିଛନ୍ତି । ଏବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ସାଙ୍ଗକୁ କଞ୍ଚା ମାଲର ଅଭାବ ଓ ପ୍ରଶାସନର ପୋ୍ରତ୍ସାହନ ନ ମିଳିବା ଯୋଗୁଁ ଅନ୍ୟୁନ ୨ଶହ ବର୍ଷର କୁଳ ବେଉସା ବୁଡିବାକୁ ବସିଛି । ସମୟର ସୁଅରେ ଅଭାବ ଅନଟନ ମଧ୍ୟଦେଇ ଗତି କରୁଥିବା ହେତୁ ଏହାକୁ ବଞ୍ଚାଇ ରଖିବା କଷ୍ଟକର ହୋଇ ପଡିଛି । ଦୂର୍ଗମ ଗ୍ରାମାଂଚଳରେ ବାସ କରୁଥିବା ଏହି ମୁଖୀ ପରିବାର ମୃଦଙ୍ଗ,ତବଲା,ମର୍ଦ୍ଧଳ,ପଖରଜ,ଖୋଳ,ଢୋଲ ପ୍ରଭୃତି ତିଆରି କରିଥାଆନ୍ତି । ଗ୍ରାହକମାନେ ଦୂର ଦୁରାନ୍ତରୁ ଆସି ସେମାନଙ୍କ ବାଦ୍ୟ ଯନ୍ତ୍ର ମରାମତି ସହ ନୂତନ କାମ କରିନେଇଥାନ୍ତି । ଏପରିକି ଗ୍ରାମାଂଚଳରେ ବହୁଳ ଭାବେ ଚାଲିଥିବା ନାମ ସଂକିର୍ତ୍ତନ୍ୟ,ଭଜନ,କୀର୍ତ୍ତନ ରେ ଏହି ବାଦ୍ୟ ଯନ୍ତ୍ର ସରଞ୍ଜାମର ଆବସ୍ୟକତା ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ କେତେକାଂଶରେ ଏହାର ଚାହିଦା ମେଣ୍ଟାଇଥାଏ । ୬୩ବର୍ଷ ବୟସର ଶ୍ରୀମନ୍ତ ମୁଖୀ ଙ୍କ ପରିବାରର ନରେଶ ବଗର୍ତ୍ତି  ଓ ଅନ୍ୟମାନେ ପୁରୁଷାନୁକ୍ରମେ ବାଦ୍ୟଯନ୍ତ୍ର ତିଆରି ଓ ମରାମତି କାମକୁ ଆପଣେଇ ନେଇଛନ୍ତି । ଏହି ପରିବାରର ଲୋକେ ବିଭିନ୍ନ ପ୍ରକାରର ବାଦ୍ୟ ଯନ୍ତ୍ର ତିଆରିକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିଥିବା ବେଳେ ବୃତ୍ତିକୁ ବଂଚାଇ ରଖିବା ପାଇଁ କୌଣସି ପ୍ରକାର ସରକାରୀ ପୋ୍ରତ୍ସାହନ ବା ସାହାଯ୍ୟ ସହ ଯୋଗ ମିଳୁନାହିଁ । ଏହି ବୃତ୍ତି ବୌଦ୍ଧ ଜିଲ୍ଲାର ହାତ ଗଣତି କେତେକ ସ୍ଥାନରେ ଚାଲିଥିବା ବେଳେ କଣ୍ଟାମାଳ ବ୍ଲକର କୁଣ୍ଡାମାଳ,ପଲସାଗୋରା,ବରଗାଁ ପଞ୍ଚାୟତର ପୁଟାକେଟା,ଘଣ୍ଟାପଡା ଓ ଆମ୍ବଗାଁ ଆଦି ସ୍ଥାନରେ ଏହି ପାରମ୍ପରୀକ କୌଳିକ ବୃତ୍ତିକୁ ବଂଚାଇ ରଖିଛନ୍ତି ।

24-05-18-boud.jpg - 140.06 kB

 ଢୋଲ,ମୃଦଙ୍ଗ,ତବଲା ଆଦି ବାଦ୍ୟ ଯନ୍ତ୍ର ପାଇଁ ଆବସ୍ୟକ ମାଟି ଖୋଳ ପାଇଁ ସ୍ୱତନ୍ତ୍ର ଭାବେ ନିର୍ଭର କରନ୍ତି କୁମ୍ଭାର ଉପରେ । ଏଥିପାଇଁ ମାସକ ଆଗରୁ କୁମ୍ଭାରକୁ ବହଣା ଦିଆଯାଇଥାଏ, ତାହାପୁଣି ସବୁ କୁମ୍ଭାରଙ୍କ ଦ୍ୱାରା ହୋଇ ନ ଥାଏ । ପଲସାଗୋରା ଓ ଖଟଖଟିଆ ଆଦି ସ୍ଥାନର କୁମ୍ଭାର ମାନଙ୍କ ଠାରୁ ବାଦ୍ୟ ଯନ୍ତ୍ର ତିଆରି ପାଇଁ ଆବଶ୍ୟକ  ମାଟି ତିଆରି ଖୋଳ ପାଇଁ ନିର୍ଭର କରିବାକୁ ପଡିଥାଏ । ଏପରିକି ଦୀର୍ଘ ୨୫ରୁ୩୦କିଲୋମିଟର ଦୂରରୁ ସାଇକେଲ ଦ୍ୱାରା ଥରକେ ୪/୫ଟି ମାଟି ଖୋଳ ବହୁ ସାବଧାନତା ଓ ସତର୍କତା ସହକାରେ ନେଇଥାନ୍ତି । ଗାଡି ମଟରରେ ଏଗୁଡିକୁ ନେଲେ ମାଟି ଖୋଳ ଗୁଡିକ ଭାଙ୍ଗିଯିବାର ସମ୍ଭାବନା ଥିବାରୁ ଆମ୍ବଗାଁ,ଘଣ୍ଟାପଡା ଓ ଆଭ୍ୟନ୍ତର ବରଗାଁ ଭଳି  ଦୂରଦୂରାନ୍ତ ସ୍ଥାନକୁ ବହୁ କଷ୍ଟରେ ସାଇକେଲ ଦ୍ୱାରା ପରିବହନ କରି କୂଳ ବେଉସାକୁ ବଂଚାଇ ରଖିଛନ୍ତି । ପୂର୍ବ ପୁରୁଷର କୌଳିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିବା କଣ୍ଟାମାଳ ଶ୍ରୀମନ୍ତ ମୁଖିଙ୍କ ପରିବାରରେ ସ୍ତ୍ରୀ ପିଲାଛୁଆ  ମିଶି ୭ ଜଣ ହୋଇଥିଲେ ହେଁ ଅଭାବ ଅନଟନ ମଧ୍ୟଦେଇ ଗତି କରୁଥିବା ବେଳେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ଖରା ବରଷା ଶୀତ କାକର ଓ ଝଡବର୍ଷା ରୁ ରକ୍ଷା ପାଇଁ ଝାଟି ମାଟି ଚାଳ ଛପର ଘରଟି ଏକମାତ୍ର ଆଶ୍ରା । ବର୍ଷା ଦିନେ ଚାଳଛପରରୁ ବର୍ଷାପାଣି ଗଳୁ ଥିଲେ ହେଁ ଦିନେ ଦିନେ ରାତି ଉଜାଗର ରହିବାକୁ ପଡିଥାଏ । ଅନେକଥର କୌଳିକ ବୃତ୍ତିପ୍ରତି ବିତୃଷ୍ଣା ଭାବ ଆସୁଥିଲେ ହେଁ ପୂର୍ବପୁରୁଷର କଥାକୁ ମନେପକାଇ ଛାଡି ହେଉନାହିଁ । ସରକାର ବା ପ୍ରଶାସନ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ ମିଳୁନାହିଁ । ଘରଟିଏ ପାଇଁ ସରକାରଙ୍କ ଇନ୍ଦିରା ଆବାସ ଓ ମୋ କୁଡିଆ ଭଳି ଯୋଜନା ତାଙ୍କ ପାଇଁ ଅପହଂଚ  ହୋଇଛି ।ପ୍ରଶାସନ  ପାଖରେ ଅନେକଥର ହାରି ଗୁହାରି କରିଥିଲେ ମଧ୍ୟ କୌଣସି  ସୁଫଳ ମିଳୁନାହିଁ । ବାଦ୍ୟ ଯନ୍ତ୍ର ପାଇଁ ପୂର୍ବରୁ ଚମଡା ସ୍ଥାନୀୟ ଅଂଚଳରୁ ସଂଗ୍ରହ କରୁଥିଲେ । ମାତ୍ର ଜାତିଆଣ ଯୋଗୁଁ ମୃତ ଗାଇ ଗୋରୁଙ୍କ ଠାରୁ ଚମଡା କାଟିବା ବାରଣ କରିବା ଫଳରେ  ସ୍ଥାନୀୟ ଅଂଚଳରୁ ଚମଡା ମିଳୁନାହିଁ । ଚମଡା ପାଇଁ ବହୁ କଷ୍ଟ କରିବାକୁ ପଡୁଛି । ଏପରିକି ଚମଡା ପାଇଁ ଏବେ ସେମାନେ କଟକ,ଭୂବନେଶ୍ୱର,ବଲାଙ୍ଗୀର,ଫୁଲବାଣୀ,ବରଗଡ,ବଳଙ୍ଗା,ଖୋର୍ଦ୍ଧା ଆଦି ଅଂଚଳରୁ କ୍ରୟ କରୁଛନ୍ତି । ତେବେ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ପାଇଁ ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାରୁ ଗ୍ରାହକ ମାନେ ଆସୁଥିବା ବେଳେ ସୋନପୁର,ତରଭା,ଅନୁଗୁଳ,ଫୁଲବାଣୀ,ନୟାଗଡ ଆଦି ବାହା ଜିଲ୍ଲାରୁ ଗ୍ରାହକମାନେ ଆସି ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ର ତିଆରି ଓ ମରାମତି କରି ନେଇଥାନ୍ତି । ସମ୍ପ୍ରତି ଏହି କାମରେ ଏବେ ପରିବାର ର ପେଟ ପୋଷିବା କଷ୍ଟ ହେଉଥିବା ବେଳେ ପିଲାମାନେ ପାରମ୍ପରୀକ କଳା ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି । ସରକାର ପ୍ରୋତ୍ସାହନ  ବିନା ସାତପୁରୁଷର କୌଳିକ ବୃତି ବୁଡିବା ନିଶ୍ଚିତ ବୋଲି ବରଗାଁ ପଞ୍ଚାୟତ ପୁଟାଖେଟା ଗ୍ରାମର ହେମନ୍ତ ବେହେରା, ଘଣ୍ଟାପଡା ର ବସନ୍ତ କୁମ୍ଭାର, ଆମ୍ବଗାଁ ରବିନାରାୟଣ ବେହେରା , କଣ୍ଟାମାଳର ତୀର୍ଥ ସୁନା ଓ ଅଇଁଳାଚୁଆର ଶ୍ରୀମନ୍ତ ମୁଖୀ ପ୍ରମୁଖ କାରୀଗର କ୍ଷୋଭର ସହ ପ୍ରକାଶ କରିଛନ୍ତି ।

 

0
0
0
s2sdefault