ହେଡଲାଇନସ୍:

  ଗାନ୍ଧି ମହାତ୍ମାଙ୍କ ମନ୍ତ୍ରଗୁରୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାୟାଧର ନାୟକ

ଏ ଦୁନିଆରେ ପ୍ରତ୍ୟେକ ମଣିଷଙ୍କର କେହି ନା କେହି ଗୁରୁ ଥାଆନ୍ତି - ପ୍ରତ୍ୟକ୍ଷଗୁୁରୁ ନହେଲେ ପରୋକ୍ଷ ଗୁରୁ; ମାତ୍ର ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଗୁରୁ କିଏ? ପୁରୁଣା ପିଢିଠୁ ନୂତନ ପିଢିର ଅଧିକାଂଶ, ଏପରିକି କୋଟିକୋଟି ସଂଖ୍ୟାର ମଣିଷ ଗାନ୍ଧିଜୀଙ୍କ ଗୁରୁ କିଏ କହିପାରିବେ କି ନାହିଁ ସନେ୍ଦହ । ବାପାମାଙ୍କୁ ପ୍ରଥମ ଗୁରୁ କୁହାଗଲେ ବି ସେମାନେ ତ ଜନ୍ମଦାତା-ଜନ୍ମଦାତ୍ରୀ - ଅତଏବ ଏସବୁ କଥାରେ କଥା । ପାଠାଳୟରେ ଆମେ ଗୁରୁଦିବସ ପାଳନ କରୁଛେ । ସର୍ବପଲ୍ଲୀ ରାଧାକୃଷ୍ଣନ  ଜନ୍ମଦିନ ଆମ ଦେଶର ଚାଟମାନଙ୍କ ପକ୍ଷରେ ‘ଗୁରୁଦିବସ’ ଭାବେ ଖ୍ୟାତ । ମାତ୍ର ଜୀବନର ଚଲାପଥର ଗୁରୁ ହିଁ ହେଉଛନ୍ତି ଅସଲ ଗୁରୁ ।

ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧି ଯାହାଙ୍କୁ ଗୁରୁ ବୋଲି ମାନୁଥିଲେ, ତାଙ୍କୁ କେବେ ସଶରୀରେ ଦେଖିନାହାନ୍ତି । ତାଙ୍କ ବହି ‘ଦ ରିସରେକସନ’  (The Resurrection), ‘ଦ କିଙ୍ଗଡମ୍ ଅଫ ଗଡ ଇଜ ଉଇଦିନ୍ ୟୁ’ (The Kingdom of God is within you)) ପଢି ଗଭୀର ଭାବେ ଅନ୍ତରାତ୍ମାରେ ପ୍ରଣୋଦିତ ହୋଇଥିଲେ ସେ ।

ସେହି ପୁସ୍ତକର ସ୍ରଷ୍ଟା ଥିଲେ - ଲିଓ ଟଲଷ୍ଟୟ । ବିଶ୍ୱର  କୋଣେ ଅନୁକୋଣେ ଟଲଷ୍ଟୟଙ୍କ ନାମ କିଏ ନ ଜାଣେ? ସାହିତ୍ୟ, କଳା, ସଂସ୍କୃତି ଜଗତର ଯଶସ୍ୱୀ ତପସ୍ୱୀ ସେ - ମହାପ୍ରତିଭାଧର ମନସ୍ୱୀ ମନୀଷୀ । କହିବାକୁ ଗଲେ ସେ ହେଉଛନ୍ତି ବିଶ୍ୱର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଔପନ୍ୟାସିକ । ଟଲଷ୍ଟୟଙ୍କ ଜନ୍ମ ୧୮୨୮ ସେପ୍ଟେମ୍ବର ୯ ତାରିଖ ଓ ମୃତ୍ୟୁ ୧୯୧୦ ନଭେମ୍ବର ୨୦ ତାରିଖ ।

ଗାନ୍ଧିଜୀ ବଂଚିଥିଲେ ୭୯ ବର୍ଷ  ଏବଂ ଟଲଷ୍ଟୟଙ୍କ ଜୀବନକାଳ ଥିଲା ୮୨ ବର୍ଷ । ମହାତ୍ମା ଗାନ୍ଧିଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ ତାରିଖ ଏବଂ ମୃତ୍ୟୁ ୧୯୪୮ ଜାନୁୟାରୀ  ୩୦ ତାରିଖ । ଟଲଷ୍ଟୟଙ୍କଠାରୁ ଗାନ୍ଧିଜୀ ୪୧ ବର୍ଷ ସାନ ଥିଲେ । ଗାନ୍ଧିଜୀ ଦକ୍ଷିଣଆଫ୍ରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସେଠାରେ ଥରେ ଜୋହାନ୍ସବର୍ଗ ରୁ ଡର୍ବାନକୁ ଟ୍ରେନରେ ୧୯୦୪ ଅକ୍ଟୋବର ପହିଲାରେ ଯାତ୍ରା କରୁଥିବାବେଳେ ଟଲଷ୍ଟୟଙ୍କ ପୁସ୍ତକ ପଢି ଏକାନ୍ତଭାବରେ ଆଲୋଡ଼ିତ ହୋଇଥିଲେ । ଜୀବନର ଲକ୍ଷ୍ୟପଥ ବଦଳିଗଲା । 

ଗାନ୍ଧିଜୀ ଅହିଂସା ଆନେ୍ଦାଳନ ଆରମ୍ଭ କରି ଶେଷକୁ ସତ୍ୟାଗ୍ରହ ଆନ୍ଦୋଳନର ଜନକ ହୋଇଗଲେ । ରାଜନୀତି କ୍ଷେତ୍ରରେ ଏହି ସତ୍ୟବଦ୍ଧ ଅଙ୍ଗୀକାର ତାଙ୍କୁ ସମଗ୍ରବିଶ୍ୱରେ ଅନନ୍ୟ ଭାବମୂର୍ତ୍ତିରେ ଅଙ୍କିତ କଲା । ଭାରତ ଫେରିଆସି ଗାନ୍ଧିଜୀ ସାମ୍ରାଜ୍ୟବାଦୀ ବ୍ରିଟିଶ  ବିରୋଧରେ ସ୍ୱାଧୀନତା ଆନେ୍ଦାଳନକୁ ଅହିଂସା, ସତ୍ୟାଗ୍ରହ ମାର୍ଗରେ ପରିଚାଳନା କଲେ । ସମଗ୍ର ଭାରତବାସୀ ଗାନ୍ଧିଜୀଙ୍କ ନେତୃତ୍ୱକୁ ମାନିନେଲେ । ଦେଶବାସୀଙ୍କ ନିକଟରେ ସେ ଜାତିର ପିତା ସମ୍ମାନ ପାଇଲେ । ସେହି ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶେଷରେ ହତ୍ୟା କରାଯାଇଥିଲା । ଏପରିକି ଗାନ୍ଧିଜୀଙ୍କ ଆଧ୍ୟାତ୍ମିକଗୁରୁ ଟଲଷ୍ଟୟ ମଧ୍ୟ ଶେଷଜୀବନରେ ଅବହେଳାର ଶିକାର ହୋଇ ଭଂଗାମନରେ ଏକ ରେଲଷ୍ଟେସନ ବେଞ୍ଚରେ ପଡିରହି ମୃତ୍ୟୁବରଣ କରିଥିଲେ ।

ଗାନ୍ଧିଜୀ ଟଲଷ୍ଟୟଙ୍କ ‘ଦି ରିସରେକ୍ସନ’ (ଯାହାକୁ ଆମ ଓଡ଼ିଶାର ମହାନ ଶିକ୍ଷାବିତ୍ ଧନେଶ୍ୱର ମହାପାତ୍ର ଅନୁବାଦ କରିଥିଲେ - ‘ପୁନର୍ଜୀବନ’) ପୁସ୍ତକ ପାଠକଲାପରେ ନିଜ ଜୀବନକ୍ଷେତ୍ରରେ ସତ୍ୟର ପ୍ରୟୋଗ ଆରମ୍ଭ କଲେ । ଏଇ ଲେଖକ ଛାତ୍ରଜୀବନରେ ‘ପୁନର୍ଜୀବନ’ ଉପନ୍ୟାସ ପଢି ସେହିଦିନଠାରୁ ଟଲଷ୍ଟୟଭକ୍ତ ପାଲଟିଯାଇଛି ।

ଟଲଷ୍ଟୟଙ୍କ ବିଶ୍ୱପ୍ରସିଦ୍ଧ ପୁସ୍ତକ ୱାର ଆଣ୍ଡ ପିସ (War and Peace), ଦ କିଙ୍ଗଡମ୍ ଅଫ ଗଡ଼ ଇଜ ଉଇଦିନ୍ ୟୁ ((The kindgom of God is within you), ଦ ରିସରେକସନ (The Resurrection) ଆନା  କାରେନିନା (Anna Kareninna),  ଦ ଦେଥ୍ ଅଫ ଇଭାନ ଆଲିଚ  (The Death of Ivan Ilych) ଇତ୍ୟାଦିକୁ ବହୁ ମହାମନୀଷୀ, ବିଶ୍ୱର ବହୁ ପାଠକ ପାଠିକା ଅଧ୍ୟୟନ କରି ଆପଣାର ଜୀବନର ଗତିପଥ ଆଲୋକିତ ଆଭାରେ ସଂଗତିସଂପନ୍ନ କରିଛନ୍ତି । ସେହି ଦାର୍ଶନିକ, ସର୍ବକାଳୀନ ଶ୍ରେଷ୍ଠଲେଖକ ଟଲଷ୍ଟୟଙ୍କ ଦ୍ୱାରା ଅନୁସ୍ପଂଦିତ ହୋଇ ଗାନ୍ଧିଜୀ ଚିଠିର ଆଦାନପ୍ରଦାନ କରିଥିଲେ । ଗାନ୍ଧିଜୀଙ୍କ ଆତ୍ମଚରିତରେ ଏ ସଂପର୍କରେ ସେ ନିଷ୍କପଟ ହୃଦୟରେ ସ୍ୱୀକାର କରିଯାଇଛନ୍ତି ।

ଗାନ୍ଧିଜୀ ତାଙ୍କ ଆତ୍ମଜୀବନୀରେ ଲେଖିଯାଇଛନ୍ତି - ଟଲଷ୍ଟୟ ପୁସ୍ତକ ପଢି ଜୀବନର ଗତିପଥ ବଦଳିଗଲା । ସେ ଏଭଳି ଭାବେ ପ୍ରଭାବିତ ହେଲେ - ୧୯୦୯ ଅକ୍ଟୋବର ପହିଲାରେ ଟଲଷ୍ଟୟଙ୍କ ପାଖକୁ ଚିଠିପତ୍ର ମାଧ୍ୟମରେ ଭାବବିନିମୟ ଚାଲିଲା । ଗାନ୍ଧି ଟଲଷ୍ଟୟ ଚିଠି ଆଦାନପ୍ରଦାନ ଫଳରେ ଭାରତ ରୁଷ ମଧ୍ୟରେ ଏକ ସାଂସ୍କୃତିକ ସ୍ୱର୍ଣ୍ଣଯୁଗର ସୂତ୍ରପାତ ହେଲା । ଜବାହରଲାଲ ନେହେରୁ ମଧ୍ୟ ଟଲଷ୍ଟୟଙ୍କ ପୁସ୍ତକ ପଢି ପ୍ରଭାବିତ ହୋଇଥିଲେ । ୧୯୩୦ ମସିହାରେ ନେହେରୁ ଜେଲ ଭିତରୁ ଏକ ସ୍ମରଣୀୟ ଚିଠି କନ୍ୟା ଇନ୍ଦିରାଙ୍କ ପାଖକୁ ଲେଖିଥିଲେ - ଲିଓ ଟଲଷ୍ଟୟ କେବଳ ପ୍ରଖ୍ୟାତ ଔପନ୍ୟାସିକ ନୁହଁନ୍ତି, ସେ ମଧ୍ୟ ଜଣେ ଆଧ୍ୟାତ୍ମିକ ଧାର୍ମିକ ନେତା, ଯାହାଙ୍କ ପ୍ରଭାବ ବିଶ୍ୱବିଦିତ ।

ଗାନ୍ଧିଜୀଙ୍କ ମହାଗୁରୁ ଟଲଷ୍ଟୟ ଥିଲେ ବି ଭାରତରେ ରାଜଗୋପାଳଚାରୀଙ୍କୁ ମଧ୍ୟ ସେ ଅନେକସ୍ଥଳରେ ନିଜର ମାର୍ଗଦର୍ଶକ ମଣୁଥିଲେ । ଗାନ୍ଧିଜୀଙ୍କ ଜୀବନ ଏକ ପାରାବାର । ସେ ପାରାବାରର ଗୋଟିଏ ଊର୍ମିର ଆହ୍ୱାନ ଯାହାଙ୍କଠି ବାଜିଛି - ସେମାନେ ଧନ୍ୟ ହୋଇଛନ୍ତି । ଆଜିର ପିଢି ଗାନ୍ଧୀଦର୍ଶନ - ଗାନ୍ଧୀବିଚାର ଆଡେ଼ କେତେଦୂର ନଜର ରଖିଛନ୍ତି - ତାହା ମୁଁ ଜାଣେନା ।

ଏଇ ୨୦୧୮ ଅକ୍ଟୋବର ୨ ତାରିଖରେ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମଜୟନ୍ତୀ ସରକାରୀ ବେସରକାରୀ ସ୍ତରରେ ପାଳନ ହେଉଛି । ସମସ୍ତଙ୍କୁ ମୋର ଅନୁରୋଧ - ଟଲଷ୍ଟୟ ପୁସ୍ତକ, ଗାନ୍ଧୀ ଦର୍ଶନ ପୁସ୍ତକ ଅଧ୍ୟୟନ କରି କିଛି ଶିକ୍ଷାପାଇ ଜୀବନର ଗତିପଥ ବଦଳାଇଲେ ଗାନ୍ଧି ଏବଂ ତାଙ୍କ ଗୁରୁଙ୍କ ପ୍ରତି ତାହା ହିଁ ଶ୍ରେଷ୍ଠ ସମ୍ମାନ ବୋଲି ବିଚାରିବାକୁ ହେବ । ଦେଶମାଟିର ତିଳକଙ୍କଠାରୁ ବିଦେଶବାସୀ ଟଲଷ୍ଟୟଙ୍କ ପର୍ଯ୍ୟନ୍ତ ଗୁରୁ-ଗଣନାର ଅବବୋଧ ଗାନ୍ଧିଙ୍କ ପାଇଁ ଅବାରିତ । କାରଣ ସେ ଥିଲେ ଯଥାର୍ଥରେ ଅଧିଚେତନାର ଅବିସଂବାଦିତ ଅବଧୂତ ଆମ ଯୁଗର ।

ମୁଠାଏ ଲୁଣରୁ ସେ ଉଠାଇଥିଲେ ମୁକ୍ତିସଂଗ୍ରାମର ଉତ୍ତାଳ ମନ୍ତ୍ରଧ୍ୱନି । ଋଣଭାରରେ ବକ୍ର ଭାରତୀୟର ମେରୁଦଣ୍ଡରେ ସେ ଜାଗ୍ରତ କରାଇଥିଲେ ଅଭୂତପୂର୍ବ କ୍ରାନ୍ତିର କୁଣ୍ଡଳିନୀ ଶକ୍ତି, ଆନେ୍ଦାଳନକାରୀ ଅଭିଯାତ୍ରୀମାନଙ୍କ ବଦ୍ଧମୁଷ୍ଟିରେ ଧରାଇଦେଇଥିଲେ ଅପୂର୍ବ ଅହିଂସାର ଅପରାଜେୟ ସୁଦର୍ଶନଚକ୍ର । ସେ ଚକ୍ରର ଘୂର୍ଣନରେ ଅତୀତ ଚକିତ ହୋଇଛି, ବର୍ତ୍ତମାନ ହେବାକୁ ଚାହିଛି ବିବର୍ତ୍ତନକାମୀ ଏବଂ ଭବିଷ୍ୟତ୍ ଚିରନ୍ତନୀ ଚରୈବେତିର ଚେତନାରେ ପଲ୍ଲୀପ୍ରାନ୍ତରୁ ଦୂରପୁରବ୍ୟାପୀ ଏକ ଅକ୍ଳାନ୍ତ ପଟୁଆରରେ ପ୍ରଖର  ପୁରୋଗାମୀ!

ଗାନ୍ଧି ସ୍ୱୟଂ ଥିଲେ ଏ ଭାରତୀୟ ମହାଜାତିର ମନ୍ତ୍ରଗୁରୁ । ତାଙ୍କ ୧୫୦ତମ ଜୟନ୍ତୀସଭାରେ କିଏ କେତେ କଥା କହିବେ, ସଂଖ୍ୟାଧିକ ଖବରକାଗଜ ନିବନ୍ଧରେ ଉଦ୍ଭାସିତ ହେବ କିଛି ଉଲ୍ଲେଖନୀୟ ଉକ୍ତି ତାଙ୍କ ବହିରୁ । କିନ୍ତୁ ସେଇ ରାଜନୀତିକ ଭାରତର ସର୍ବଶ୍ରେଷ୍ଠ  ସନ୍ଥ ପୁରୁଷଙ୍କ ପ୍ରତି ଆମମାନଙ୍କ ଆତ୍ମାରୁ କେତେ ଅନୁଚ୍ଚାରିତ ଅନୁଚ୍ଛେଦ ଆତ୍ମପ୍ରକାଶ ପାଇଁ ଉନ୍ମୁଖ ଉନ୍ମତ୍ତ ହୋଇଉଠିବ - ତାହା କହିହେବନି । 

 

ଯାଜପୁରରୋଡ, ଯାଜପୁର

ମୋ - ୯୮୬୧୦୩୪୧୬୩    

 

 

 

 

 

0
0
0
s2sdefault