ହେଡଲାଇନସ୍:

ଆମର ସ୍ୱାଧୀନତାର ଦିବସ ଅଗଷ୍ଟ ୧୫ ନୁହେଁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁପର୍ନ୍ନୋ ଶତପଥୀ

ବିଗତ ବହୁ ବର୍ଷ ଧରି ଅଗଷ୍ଟ ୧୫ ତାରିଖ ଦିନ ଆମେମାନେ ପରସ୍ପରକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛୁ । ଏହି ଦିବସର ବାସ୍ତବତା କିନ୍ତୁ ଭିନ୍ନ । 

୧୯୪୩ ମସିହାର ଅକ୍ଟୋବର ୨୧ ତାରିଖ ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମୁକ୍ତ, ଏକତ୍ରିତ, ସ୍ୱାଧୀନ ଭାରତର ଘୋଷଣା କରି ସିଙ୍ଗାପୁରଠାରେ ଆଜାଦ ହିନ୍ଦ୍ ବା ଅରଜି ହକୁମତ-ଏ-ଆଜାଦ ହିନ୍ଦର  କାମଚଳା ସରକାର ଗଠନ କରିଥିଲେ । ଏହା ପୂର୍ବରୁ ସିଙ୍ଗାପୁର ହିଁ ବ୍ରିଟିଶ୍ ସାମ୍ରାଜ୍ୟର ଅତ୍ମରକ୍ଷାର ପ୍ରାଚୀର ଥିଲା । ଉପରୋକ୍ତ ସରକାରଙ୍କୁ ସାମ୍ରାଜ୍ୟବାଦୀ ଜାପାନ, ଜର୍ମାନୀର ନାଜି ସରକାର, ଇଟାଲିର ସମାଜବାଦୀ ସାଧାରଣତନ୍ତ୍ର ଏବଂ ସେମାନଙ୍କର ମିତ୍ର ରାଷ୍ଟ୍ରମାନଙ୍କର ସ୍ୱୀକୃତି ମିଳିଥିଲା । 

ଦ୍ୱିତୀୟ ବିଶ୍ୱଯୁଦ୍ଧର ପରିପ୍ରେକ୍ଷୀରେ ନେତାଜୀ ଦୃଢ଼ନିଶ୍ଚିତ ଥିଲେ ଯେ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ସଶସ୍ତ୍ର ସଂଗ୍ରାମହିଁ ଏକମାତ୍ର ରାସ୍ତା । ୧୯୨୦ ଓ ୧୯୩୦ ଦଶକରେ ସେ ଭାରତୀୟ ଜାତୀୟ କଂଗ୍ରେସର ନେତା ଥିଲେ ଏବଂ ୧୯୩୮ ଓ ୧୯୩୯ ମସିହାରେ ଏହାର ସଭାପତି ମଧ୍ୟ ଥିଲେ । ମାତ୍ର ମହାତ୍ମା ଗାନ୍ଧୀଙ୍କ ସହ ମତପାର୍ଥକ୍ୟ ଯୋଗୁଁ ସେ ଏହି ପଦବୀରୁ ବିଦା ହୋଇଯାଇଥିଲେ  । 

ଉପରୋକ୍ତ ସଶକ୍ତ ସଂଗ୍ରାମ ପାଇଁ ସେ ଏକ ସୈନ୍ୟବାହିନୀ ଗଠନ କରିଥିଲେ ଯାହାର ନାମ ଥିଲା ଭାରତୀୟ ଜାତୀୟ ସେନାଦଳ (ଆଇ.ଏନ୍.ଏ.) ବା ଆଜାଦ ହିନ୍ଦ୍ ଫୌଜ । ଏହା ବହୁ ଯୁଦ୍ଧବନ୍ଦୀଙ୍କ ସମେତ ମାଳୟ (ଏବର ମାଲେସିଆ) ଏବଂ ବର୍ମା  (ଏବେ ମ୍ୟାଁମାର)ରେ  ବସବାସ କରୁଥିବା ହଜାର ହଜାର ପ୍ରବାସୀ ଭାରତୀୟଙ୍କ ସମର୍ଥନ ଓ ସହଯୋଗ ହାସଲ କରିଥିଲା ।

ନେତାଜୀ ତାଙ୍କର ସୈନ୍ୟଦଳକୁ ଉତ୍ସାହିତ କରିବା ପାଇଁ ଯୁଦ୍ଧ ଡ଼ାକରା ଦେଇ କହିଥିଲେ , “ସାଥୀମାନେ! ମୋ’ର ସୈନିକମାନେ ! ତୁମମାନଙ୍କର ଯୁଦ୍ଧ ଡ଼ାକରା ‘ଦିଲ୍ଲୀ ଚାଲ’ ହେଉ ! ବ୍ୟକ୍ତିଗତ ଭାବେ ଆମମାନଙ୍କ ମଧ୍ୟରୁ କେତେଜଣ ସ୍ୱାଧୀନତା ପାଇଁ ଏହି ଲଢେ଼ଇର ଶେଷ ଦେଖିପାରିବା, ସେ କଥା ମୁଁ ଜାଣେ ନାହିଁ । ମାତ୍ର ମୁଁ ଏ ସଂପର୍କରେ  ଦୃଢ଼ନିଶ୍ଚିତ ଯେ ଶେଷରେ ଆମମାନଙ୍କର ହିଁ ବିଜୟ ହେବ । ଆମମାନଙ୍କ ମଧ୍ୟରୁ ଜୀବିତ ଥିବା ବୀରମାନେ ବ୍ରିଟିଶ ସାମ୍ରାଜ୍ୟର ଆଉ ଏକ କବରଖାନା ଉପରେ ବିଜୟ ପ୍ୟାରେଡ଼  ନ’କରିବା ପର୍ଯ୍ୟନ୍ତ ଆମମାନଙ୍କର କାର୍ଯ୍ୟ ଶେଷ ହେବନାହିଁ । ପୁରୁଣା ଦିଲ୍ଲୀର ଲାଲକିଲ୍ଲା ରେ  ଏହି ପ୍ୟାରେଡ଼ ହେବ ।  ବାହୁ ବଳରେ ଏବଂ ନିଜ ରକ୍ତର ମୂଲ୍ୟ ଦେଇ ତମମାନଙ୍କୁ ମୁକ୍ତି ହାସଲ କରିବାକୁ ପଡ଼ିବ ।” ସେ ଆହୁରି ମଧ୍ୟ କହିଥିଲେ “ସୈନିକ ହିସାବରେ ତମମାନଙ୍କୁ ବିଶ୍ୱସ୍ତତା, କର୍ତ୍ତବ୍ୟପରାୟଣତା ଏବଂ ତ୍ୟାଗ - ଏହି ତିନୋଟି ଆଦର୍ଶକୁ ଆଦରିବାକୁ ହେବ ଏବଂ ସେଗୁଡ଼ିକୁ ନିର୍ବାହ କରିବାକୁ ପଡ଼ିବ । ଯେଉଁ ସୈନିକମାନେ ସର୍ବଦା ଦେଶ ପାଇଁ ବିଶ୍ୱସ୍ତ, ଯେ କୌଣସି ପରିସ୍ଥିତିରେ ମଧ୍ୟ ନିଜର କର୍ତ୍ତବ୍ୟ ନିର୍ବାହ କରନ୍ତି ଏବଂ ଯେଉଁମାନେ ସେମାନଙ୍କ ପ୍ରାଣବଳି ଦେବାକୁ ପ୍ରସ୍ତୁତ, ସେମାନେ ଅଜେୟ” । 

ସେ କହିଥିଲେ ଯେ ଭାରତର ସ୍ୱାଧୀନତାର ଏହି ଲକ୍ଷ୍ୟ ହେଉଛି ମଣିଷର କଳ୍ୱନାରେ ସବୁଠାରୁ ମହତ କାର୍ଯ୍ୟ । 

“ମୁଁ ତମମାନଙ୍କୁ ପ୍ରତିଶ୍ରୃତି ଦେଉଛି ଯେ ଅମା ଅନ୍ଧାରରେ ଏବଂ ସୂର୍ଯେ୍ୟାଦୟ  ବେଳେ, ଦୁଃଖରେ ଏବଂ ସୁଖରେ, ଯନ୍ତ୍ରଣାରେ ଏବଂ ବିଜୟର ମୁହୂର୍ତ୍ତରେ ମୁଁ ତମମାନଙ୍କ ସାଙ୍ଗରେ ଥିବି । ବର୍ତ୍ତମାନର ପରିସ୍ଥିତିରେ ମୁଁ ତମମାନଙ୍କୁ କ୍ଷୁଧା, ତୃଷା, ସ୍ୱାଚ୍ଛନ୍ଦ୍ୟ ହୀନତା, ଇଚ୍ଛା ବିରୁଦ୍ଧରେ ଆଗେଇବା ଏବଂ ମୃତୁ୍ୟ ବିନା ଆଉ କିଛି ଦେଇ ପାରିବି ନାହିଁ । ମାତ୍ର ତମେମାନେ ଯଦି ତୁମମାନଙ୍କର ଜୀବଦ୍ଦଶାରେ ଓ ମୃତୁ୍ୟରେ ମୋର ଅନୁଗାମୀ ହୁଅ (କାରଣ ମୁଁ ଦୃଢ଼ ନିଶ୍ଚତ ଯେ ତମେମାନେ ତାହା ହିଁ କରିବ) ତେବେ ମୁଁ ତମମାନଙ୍କୁ ବିଜୟ ଓ ସ୍ୱାଧୀନତା ନିକଟରେ ପହଞ୍ଚାଇ ଦେବି” । ଏହା ମଧ୍ୟ ନେତାଜୀ ଦେଇଥିବା ଭାଷଣର ଗୋଟିଏ ଅଂଶ ଥିଲା । 

ଉପରୋକ୍ତ କାମଚଳା ସରକାରରେ ନେତାଜୀ ଥିଲେ ରାଷ୍ଟ୍ର ମୁଖ୍ୟ, ପ୍ରଧାନମନ୍ତ୍ରୀ ଏବଂ ଯୁଦ୍ଧ ଓ ବୈଦେଶିକ ମନ୍ତ୍ରୀ । କ୍ୟାପଟେନ  ଲକ୍ଷ୍ମୀ ଥିଲେ ମହିଳା ସଙ୍ଗଠନର ମୁଖ୍ୟ । ଏସ୍.ଏ.ଆୟାର ଥିଲେ ପ୍ରଚାର ବିଭାଗର ମୁଖ୍ୟ । ବିପ୍ଳବୀ ରାସବିହାରୀ ବୋଷଙ୍କୁ ସର୍ବୋଚ୍ଚ ପରାମର୍ଶଦାତା ରୂପେ ନାମିତ କରାଯାଇଥିଲା । 

ଜାପାନ ସରକାରଙ୍କ ଦଖଲରେ ଥିବା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ କାମଚଳା ସରକାର ଗଠନ କରାଯାଇଥିଲା । ବ୍ରିଟିଶ ସରକାର ୧୯୪୫ ମସିହାରେ ଏହି ଦ୍ୱୀପଗୁଡ଼ିକୁ ପୁନଃ ଦଖଲ କରିନେଇଥିଲେ । 

୨୦୧୮ ମସିହାର ଅକ୍ଟୋବର ୨୧ ତାରିଖ ସ୍ୱାଧୀନ ଏକତ୍ରିତ ଭାରତର ପ୍ରଥମ ସରକାରଙ୍କର ୭୫ ତମ ବର୍ଷ  ପୂର୍ତ୍ତି । ଭାରତର ସ୍ୱାଧୀନତା ପାଇଁ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ସେହି ଅସଂଖ୍ୟ ଶହୀଦମାନଙ୍କୁ ସ୍ମରଣ କରିବାକୁ ଭୁଲିଯିବା ଆମେ ଭାରତୀୟମାନଙ୍କ ପାଇଁ ଲଜ୍ଜାର ବିଷୟ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜରିଆରେ ବର୍ତ୍ତମାନର ସରକାରଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି, ଅନୁରୋଧ କରାଯାଇଛି ଭାରତର ଇତିହାସକୁ ନ୍ୟାୟ  ଦେବା ପାଇଁ । ମୁଁ ଜାଣିବାକୁ ପାଇଛି ଯେ ଏହି ଆବେଦନର ବିଚାର କରାଯାଉଛି ଏବଂ ଏହି ଲେଖାଟି ଶେଷ କରିବା ପର୍ଯ୍ୟନ୍ତ ଆମେ ଆଶାବାଦୀ । 

-------- ---------------- ---------------- ------------- ------

ଲେଖକ ଶ୍ରୀ ସୁପର୍ନ୍ନୋ ଶତପଥୀ  ଓଡ଼ିଶାର ଜଣେ ଜଣାଶୁଣା ସାମାଜିକ ତଥା ରାଜନୈତିକ ନେତା । ସେ ସମ୍ମାନଜନକ ସାମାଜିକ ଅନୁଷ୍ଠାନ  ଶ୍ରୀମତୀ ନନ୍ଦିନୀ ଶତପଥି ମେମୋରିଆଲ ଟ୍ରଷ୍ଟର ଅଧ୍ୟକ୍ଷ ଏବଂ ନେତାଜୀଙ୍କ ସଂପର୍କିତ ଦସ୍ତାବିଜକୁ ସର୍ବସାଧାରଣ କରିବା ପାଇଁ ଚାଲିଥିବା ଆନେ୍ଦାଳନର ଜଣେ ପୁରୋଧା ।

 

(ଲେଖକଙ୍କ ମତ ନିଜସ୍ୱ ଓ ଏଥିପାଇଁ  ଶାସକ ପ୍ରଶାସକ.କମ୍  କୌଣସି ପ୍ରକାର ଦାୟୀ ନୁହେଁ  । ଏହି ଲେଖାଟି କାହାର ଭାବନାକୁ ଯଦି ଆଘାତ ଦେଉଥାଏ ତେବେ ଆମେ ଦୁଃଖିତ | ହେଲେ  ଇତିହାସକୁ ନେଇ ବିଭିନ୍ନ ବଡ ବିବାଦ ଚାଲିଥିବା ବେଳେ ଇତିହାସର ପୁନର୍ଲିଖନ ଆବଶ୍ୟକତା ରହିଛି ବୋଲି ଦାବି ହେଉଥିବା ଏହି ଲେଖାଟିକୁ ଏକ ନିବନ୍ଧ ଭାବେ ଆମେ ଉପସ୍ଥାପିତ କରିଛୁ )

 

 

 

0
0
0
s2sdefault