ହେଡଲାଇନସ୍:

‘ହୋଲି’ ପରମ୍ପରାର ପ୍ରତୀକ : ସଦ୍ଭାବନାର ରଙ୍ଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଭୂତି ପତି

୯୯୧୦୭୪୦୮୩୯


ଆଜି ଯେତେବେଳେ ମଣିଷ ନିଜକୁ ଜାତି, ଧର୍ମ, ବର୍ଣ୍ଣରେ ବାଣ୍ଟିଦେଇ ସୀମାରେଖା ମଧ୍ୟରେ ଆବଦ୍ଧ କରି ହିଂସାର ମାର୍ଗରେ ଜୀବନକୁ ରକ୍ତାକ୍ତ କରିଦେଉଛି, ସେତେବେଳେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନର ପରମ୍ପରାର ଯଥେଷ୍ଟ ମହତ୍ୱ ରହିଛି। ଋତୁରାଜ ବସନ୍ତ ଆଗମନରେମଣିଷ ମନରେ ନୂଆ ଆଶା ଓ ବିଶ୍ୱାସର ଜନ୍ମ ହୋଇଥାଏ। ସେହି ସମୟରେ ପ୍ରତିଟି ଜୀବନକୁ ସରସ ସୁନ୍ଦର ରଙ୍ଗୀନ କରିଦେବାର ପର୍ବ ହୋଲିର ଆଗମନ ହୁଏ। ମାନବିକତା ମୂଲ୍ୟବୋଧର ସୂତା ଖିଅରେ ସମସ୍ତଙ୍କୁ ବାନ୍ଧି ରଖି ସ୍ନେହ, ମମତାର ସଦଭାବନା ବାଣ୍ଟି ଦେବାର ବାର୍ତ୍ତାଦିଏ ରଙ୍ଗର ପର୍ବ ହୋଲି।
ହୋଲି ଭଳି ପର୍ବପର୍ବାଣୀର ଆନନ୍ଦର ଉତ୍ସବ ମୁଖରିତ ଉଲ୍ଲାସର ଦିନକୁ ମଣିଷ ସୃଷ୍ଟି କରିଥିବା ଧର୍ମ ଓ ସାମ୍ପ୍ରଦାୟିକ ଧାରାରୁ ଊଦ୍ଧ୍ୱର୍ରେ ରହି ମାନବିକତା ଓ ଧର୍ମ ନିରପେକ୍ଷତା ଆଧାରରେ ରଙ୍ଗର ପର୍ବକୁ ପାଳନ କରାଯିବାର ବହୁ ପ୍ରାଚୀନ ପରମ୍ପରା ରହିଆସିଛି। ଆଜି ସେହି ହୋଲି ସଦଭାବନାର ରଙ୍ଗ ପ୍ରାୟତଃ ଧର୍ମ ନାମରେ ଫିକା ପଡିଯାଉଛି। ପିଲାଦିନର ସ୍ମୃତି ବିତି ଯାଇଥିଲେ ମଧ୍ୟ ଅଧିକାଂଶ ଆଜି ବି ନିଜର ପରିପକ୍ୱ ବୟସରେ ହୋଲିର ପରମ୍ପରାକୁ ବଜାୟ ରଖିଛନ୍ତି। ଓଡ଼ିଶାର ଅନ୍ୟତମ ଖ୍ୟାତ ସମ୍ପନ୍ନ ଇଂରାଜୀ ସାହିତ୍ୟିକ ତଥା ବାଗ୍ମୀ ଅଧ୍ୟାପକ ପ୍ରଫେସର ଏମ. କିୟୁ. ଖାନଙ୍କ ସେହି ଉକ୍ତିଟି ଆଜିବି ବେଶ୍ ପ୍ରଣିଧାନଯୋଗ୍ୟ, “ପର୍ବପର୍ବାଣୀର ଆନନ୍ଦ ଉତ୍ସବ ପରମ୍ପରା ହେଉଛି ମାନବିକତାର ମହାନତା (ଫେଷ୍ଟିଭିଟି ଇଜ୍ ମ୍ୟାଗ୍ନାମିନିଟି)।” ହୋଲି ଅବସରରେ ଏହି ସତ୍ୟକୁ ବୁଝିବା ଆବଶ୍ୟକ।
ଉତ୍ତର ଆଫ୍ରିକାର ଆରବୀ ଭାଷାଭାଷୀ ମୁସଲମାନ ସମୁଦାୟ କୌଣସି ସମୟରେ ହିନ୍ଦୁ ପର୍ବପର୍ବାଣୀ ପାଳନର ପ୍ରାସଙ୍ଗିକତାକୁ ନେଇ ପ୍ରଶ୍ନ ଉଠାଇନଥାନ୍ତି କିମ୍ବା ଜାତି ଧର୍ମକୁ ନେଇ ବିବାଦ ଛିଡା କରିନାହାନ୍ତି ବରଂ ହୋଲିକୁ ଖୁସିରେ ପାଳନ କରନ୍ତି। ସେମାନେ କୁହନ୍ତି, ରଙ୍ଗର ପର୍ବ ହୋଲି ପ୍ରତିଟି ଜୀବନକୁ ଖୁସିରେ ରଙ୍ଗୀନ କରିଦେବାକୁ ପାଳନ କରାଯାଏ। ଏଥିରେ ଧାର୍ମିକ ତଥା କିମ୍ବା ଜାତିର ରଙ୍ଗ ନାହିଁ। ସମସ୍ତ ସୁଫି ସମ୍ପ୍ରଦାୟ ମହା ଆନନ୍ଦରେ ରଙ୍ଗର ପର୍ବ ହୋଲିକୁ ପାଳନ କରନ୍ତି।
ପ୍ରେମ ପ୍ରୀତିର ପ୍ରତୀକ ସୁଫି ଧର୍ମାବଲମ୍ବୀମାନେ ହୋଲି ପର୍ବକୁ “ଜଶନ୍ - ଇ ଫାମ୍” କହିଥାନ୍ତି। ପାର୍ଶି ଭାଷାରେ ଜଶନ ଅର୍ଥ ଉତ୍ସବ ଏବଂ ଫାମ୍ ଅର୍ଥ ରଙ୍ଗ। ସୁଫିମାନେ ହୋଲିକୁ କୌଣସି ଧର୍ମ ମଧ୍ୟରେ ସୀମିତ ରଖିନାହାନ୍ତି। ସୁଫି ଧର୍ମର ଶ୍ରେଷ୍ଠ ସନ୍ଥ ଜଲ୍ଲାଲୁଦ୍ଦିନ୍ ରୁମିଙ୍କ ଜଣେ ଶିଷ୍ୟ ହାଲିମ୍ ଉଲ୍-ଏ ଆଫିଦ୍ ହୋଲି ପର୍ବକୁ “ଆହାନାଫ୍ -ଇ-ବୁତ୍ତିପାରସ୍ତାନ୍” ବୋଲି ଉଲ୍ଲେଖ କରିଥିଲେ। ଏହାର ଅର୍ଥ ହୋଲି ପର୍ବ ହେଉଛି ମୂର୍ତ୍ତି ଓ ପ୍ରତିମା ପୂଜା କରୁଥିବା ଧାର୍ମିକ ସମ୍ପ୍ରଦାୟର ଉତ୍ସବ। ହାଲିମଙ୍କ ଏଭଳି ଆଖ୍ୟା ରୁମିକୁ ବ୍ୟଥିତ କରିଥିଲା। ଦୁଃଖରେ ଅଧିର ହୋଇ ରୁମି ହାଲିମଙ୍କ ଉଦ୍ଦେଶ୍ୟରେ ମଧ୍ୟ ପାର୍ଶି ପହଲିଭ୍ ଭାଷାରେ ପ୍ରତିକ୍ରିୟା ଦେଇ କହିଥିଲେ, “ହାଲିମ୍, ତୁମର ଜ୍ଞାନ ଉଦୟ ହୋଇନାହିଁ ତୁମେ ଅଜ୍ଞାନୀ ଆତ୍ମା ଶିଷ୍ୟ, ତୁମେ ହୋଲି ପର୍ବକୁ ପ୍ରତିମା ଓ ମୂର୍ତ୍ତି ପୂଜା ମଧ୍ୟରେ ଆବଦ୍ଧ କରି ହୀନମନ୍ୟତାର ପରିଚୟ ଦେଲ। ଜୀବନକୁ ଖୁସିରେ ରଙ୍ଗୀନ କରିଦେବାର ରଙ୍ଗର ପର୍ବ ହୋଲି କିପରି ପ୍ରତିମା ଓ ମୂର୍ତ୍ତି ପୂଜା ଭିତରେ ବାନ୍ଧି ହେବ? (କୀ’ ନ୍ ଅନ୍ ଜଶନ୍ ମିଜ୍ ଅଲ୍-ବୁତ୍ତାନ୍/ନ୍’ ଯିଫ୍ ଇନ୍ ଉନ୍-ଶିଫାନ୍) ସ୍ୱର୍ଗଦୂତମାନଙ୍କ ପ୍ରିୟ ପର୍ବ ଜଶନ୍-ଶବ୍-ଇ ଚର୍ଗାହାଁ (ରାତିର ଅଲୁଆ ଉତ୍ସବ) ଏବଂ ଜଶନ୍-ଇ-ଫାମ୍ (ରଙ୍ଗର ଉତ୍ସବ) କୌଣସି ଧର୍ମ, ବର୍ଣ୍ଣ ଓ ଜାତି ସୀମାରେଖାର ପରିଧିରେ ସୀମିତ ନୁହେଁ।” ଷୋଡ଼ଶ ଶତାବ୍ଦୀରେ ଆକବରଙ୍କ ଦରବାରର ପ୍ରସିଦ୍ଧ ପାର୍ଶି କବି ଉର୍ଫି ଶିରାଜୀ ଆକବରଙ୍କୁ ହୋଲିର ପରମ୍ପରା ଏବଂ ମହାନତା ବୁଝାଇଥିଲେ।
ଆକବର ଆନନ୍ଦରେ ଦିଲ୍ଲୀରେ ହୋଲି ଖେଳିବାର ଐତିହାସିକ ପ୍ରମାଣ ରହିଛି। ଏପରିକି ଧର୍ମାନ୍ଧ ଆଉରେଙ୍ଗଜେବ୍ ମଧ୍ୟ ହୋଲି ପର୍ବ ପାଳନ ଓ ରଙ୍ଗର ଉତ୍ସବ ଉପରେ ପ୍ରତିବନ୍ଧକ ଲଗାଇନଥିଲେ। ଆଉରେଙ୍ଗଜେବ୍ ହୋଲି ପର୍ବକୁ ‘ମିଳନ୍ ସରିତା’ (ଏମ୍ବ୍ଲେମ୍ୟାଟିକ୍ ଅଫ୍ ବନ୍ହୋମି) ର ପ୍ରତୀକ ବୋଲି ମାନୁଥିଲେ। ଇଂରେଜ ଶାସନ ଅବସରରେ ହୋଲି ପର୍ବକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବହୁତ୍ ଧୁମ୍ଧାମରେ ପାଳନ କରୁଥିଲେ, ଏପରିକି ଖୋଦ୍ ଇଂରେଜ ପ୍ରଶାସକମାନେ ନାଚଗୀତର ମହୋତ୍ସବରେ ରଙ୍ଗ ଖେଳୁଥିଲେ।
ବର୍ତ୍ତମାନର ପରିବର୍ତ୍ତନ ସମୟରେ କେତେକ ବ୍ୟକ୍ତି ବିଶେଷଙ୍କ ପାଇଁ ରଙ୍ଗର ଉତ୍ସବ ହୋଲି ଜାତି, ଧର୍ମ ଓ ମଣିଷ ଚିହ୍ନିତ ସୀମାରେଖାରେ ସୀମିତ ହୋଇଯାଉଛି। ମଣିଷ ନିଜ ମାନବିକତାର ସଦଭାବନା ଭୁଲିଯାଇ ହିଂସାର ପୃଥିବୀରେ ପ୍ରତିଦିନ ରକ୍ତାକ୍ତ ହୋଇ କ୍ଷତବିକ୍ଷତ ହେଉଛି।
ଏଭଳି ଘଡ଼ିସନ୍ଧି ସମୟରେ ରଙ୍ଗର ପର୍ବ ହୋଲି ପରମ୍ପରାର ମହାନତାକୁ ବୁଝିପାରିଲେ ଏହା ଏକ ମଲମ୍ ସଦୃଶ୍ୟ କାମ କରିବ। ପ୍ରସିଦ୍ଧ ଉର୍ଦ୍ଦୁ କବି କାତିଲ୍ ଶିଫାଇ ଲେଖିଛନ୍ତି, “ମଜହବ୍ ନେହିଁ ହୋତା କୋଇ ରଙ୍ଗ୍ ଔର୍ ରୋଶନି କା/ସର୍ହଦେଁ ରୋକ୍ ନେହିଁ ସକତୀଁ ରଙ୍ଗେଁକୋଁ ବିଖରନେ ଶେ” ରଙ୍ଗ ଓ ଆଲୋକର କୌଣସି ଧର୍ମ, ଜାତି ଓ ବର୍ଣ୍ଣ ନାହିଁ। ଆଲୋକ ଓ ରଙ୍ଗକୁ କୌଣସି ସୀମାରେଖାରେ ମଣିଷ ନିୟନ୍ତ୍ରଣ କରିପାରିବ ନାହିଁ। ଆମେ ଏହାକୁ ଭୁଲିଯିବା ଉଚିତ୍ ନୁହେଁ। ତେଣୁ ରଙ୍ଗର ପର୍ବ ହୋଲି ଉତ୍ସବର ପାର୍ବଣକୁ ଜାତି, ଧର୍ମ ଓ ବର୍ଣ୍ଣର ରଙ୍ଗରେ ରଙ୍ଗେଇ ନଦେଇ କିମ୍ବା ସୀମାରେଖାରେ ଆବଦ୍ଧ ନକରି ଜୀବନକୁ ଉତ୍ସବ ମୁଖରିତ କରିବାକୁ ଶାନ୍ତି, ମୈତ୍ରୀ, ପ୍ରୀତି ପାଇଁ ହୋଲି ପାଳନ କରିବା ଦରକାର। ଏହାକୁ ବୁଝିବାର ସମୟ ଆସିଛି।

0
0
0
s2sdefault