ହେଡଲାଇନସ୍:

ଏମିତି କେହି ହୋଇ ଯାଏନି ଗାନ୍ଧୀ ମହାତ୍ମା ....ଜନଗଣଙ୍କ ହୃଦୟର ନେତା

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଗାନ୍ଧୀ : ସୁଟ୍-ବୁଟ୍ ରୁ ଧୋତି-ଚାଦର, ଚାଷୀ ଆନ୍ଦୋଳନରୁ ମୁକ୍ତି ଆନ୍ଦୋଳନ ଯାଏ

ଭୁବନେଶ୍ୱର : "ଏମିତି କେହି ହୋଇ ଯାଏନି ଗାନ୍ଧୀ ମହାତ୍ମା ....ଜନଗଣଙ୍କ ହୃଦୟର ନେତା | ଅକସ୍ମାତ କିଛି ହୋଇଯାଏନି | ଅଚାନକ କେହି କୋଟି ହୃଦୟରେ ରାଜୁତି କରିଯାଏନି | ଅଗ୍ନିପରୀକ୍ଷା ଦେଇ ଯିବାକୁ ହୁଏ | ଅନେକ କିଛି ତ୍ୟାଗ କରିବାକୁ ହୁଏ | ଅହଂକାର ବିବର୍ଜ୍ଜିତ ଏକ ନିରବଛିନ୍ନ ସମର୍ପିତ ସାଧନାର ଚରମ ପ୍ରାପ୍ତି ହିଁ ମହାତ୍ମା | ଆଉ ସେଭଳି ଏକ ଆଉ ଅନନ୍ୟ ମଣିଷ ଥିଲେ ନିଜ ମୋହନରୁ ମହାତ୍ମା ପାଲଟିଥିବା ମୋହନଦାସ କାରମଚାନ୍ଦ ଗାନ୍ଧୀ | ନିଜ ବ୍ୟକ୍ତିତ୍ୱର ମହନି ମନ୍ତର ଆଉ ନିଜ ତ୍ୟାଗପୂତ ଜୀବନ ଦର୍ଶନରେ ଅଭିଭୂତ କରିପାରିଥିଲେ ଅସଂଗଠିତ ଭାରତୀୟଙ୍କୁ ଦେଶପ୍ରେମ ଭାବନାର ରଜ୍ଜୁରେ | ଆଉ ପ୍ରସ୍ତୁତ କରି ପାରିଥିଲେ ଭାରତର ଜନଗଣଙ୍କୁ ଫିରିଙ୍ଗି ଶାସନ ବିରୋଧରେ ନିର୍ଣ୍ଣାୟକ ଲଢେଇ ପାଇଁ | ୧୯୧୫ ମସିହାରୁ ୧୯୨୨ |  ପାଟି ବନ୍ଦ , ଆଖି ଖୋଲା , କାନ ଖୋଲା

ସତ୍ୟାଗ୍ରହରୁ – ଅସହଯୋଗ ଯାଏଁ | ସୁଟ୍-ବୁଟ୍ ରୁ – ଧୋତି-ଚାଦର | ଚାଷୀ ଆନ୍ଦୋଳନରୁ – ମୁକ୍ତି ଆନ୍ଦୋଳନ ଯାଏ | ଏ ଦେଶ ଦେଖିଲା ବୁଝିଲା ଏକ ବିଶାଳ ରୁପାନ୍ତରଣ | ଆଉ ଦେଶର ଇତିହାସ ମୋଡ଼କୁ ବଦଳେଇଥିବା ପର୍ଯ୍ୟାୟର ଅନେକ ଅଜଣା ଓ ଗହନ ତଥା ଗୁରୁତ୍ୱପୂର୍ଣ୍ଣ କଥାକୁ ସଜାଡି ଲୋକଙ୍କ ଉଦ୍ଦେଶ୍ୟରେ ଭେଟି ଦେଇଛନ୍ତି ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ  | ଯେତେବେଳେ ଗାନ୍ଧୀ ବିଚାର ରାଜନୈତିକ ଇଛା ଶକ୍ତି ଅଭାବରୁ ସ୍ୱାଧୀନତାର ୭୩ ବର୍ଷପରେ ବି ଚାରିଛକୀରେ ଫାଶୀ ରହିଛି , ଯେତେବେଳେ ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟ, ଗ୍ରାମ ସ୍ୱରାଜ ଦିଗହରା ଆଉ ଯେତେବେଳେ "ଗାନ୍ଧୀ ଚେତନା" ଦୃଷ୍ଟି ଉପରେ କୃତ୍ରିମ ପରଳ ପକାଇବାର ଅପପ୍ରୟାସ ଚାଲିଛି, ଠିକ ସେତିକି ବେଳେ ଉଚ୍ଚଶିକ୍ଷା  ମନ୍ତ୍ରୀ ଶ୍ରୀ ସାହୁ କରିଛନ୍ତି ଏ ଅନନ୍ୟ ପ୍ରୟାସ | "ଅଣଗାନ୍ଧୀ" ଚେତନାର ରାହୁ ଗ୍ରାସ ଦ୍ୱାରା ଗାନ୍ଧୀ ଚେତନାକୁ ନ୍ୟୁନ କରିଦେବା ପାଇଁ ଚାଲିଥିବା ଏକ ଅପପ୍ରୟାସ ଦିଗରେ ଶ୍ରୀ ସାହୁଙ୍କ ଉଦ୍ୟମ ଅନେକାଂଶରେ ଲୋକଙ୍କ ମନ ଭିତରେ ଗାନ୍ଧୀ ଚେତନାକୁ ବଳବତ୍ତର ରଖିବାରେ ସହାୟକ ହେବ |  ଯେଉଁମାନଙ୍କ ପାଇଁ ଗାନ୍ଧୀ ମହାତ୍ମା କେବଳ ଇତିହାସର ଏକ ଚରିତ୍ର ଭାବେ ବିଦ୍ୟମାନ, ସେମାନଙ୍କୁ ଅନୁଭବ କରାଇବାରେ ଅନେକାଂଶରେ  ସମର୍ଥ ହେବ ଯେ " ଗାନ୍ଧୀ କେବଳ ଇତିହାସର ଚରିତ୍ର ନୁହନ୍ତି, ଆମ ଭାରତୀୟତା ଓ ଭାରତୀୟ ଜୀବନଦର୍ଶନର ଏକ ପ୍ରମୁଖ ଅଂଶ ...ଏକ ଅମୂର୍ତ୍ତ ଚେତନା"

ମନ୍ତ୍ରୀ ଶ୍ରୀ ସାହୁ ତାଙ୍କ ଅନନ୍ୟ ପ୍ରୟାସର ତୃତୀୟ ଏପିସୋଡ଼ରେ ବର୍ଣ୍ଣନା କରିଛନ୍ତି ୧୯୧୫ ମସିହାରୁ ୧୯୨୨ମସିହା ପର୍ଯ୍ୟନ୍ତର ଗାନ୍ଧୀଙ୍କ କଥା | ଅଜଣା ମୋହନଦାସରୁ ଭାରତୀୟ ଜନଗଣଙ୍କ ହୃଦୟର ଜନନେତା ଗାନ୍ଧିଜୀ "ବାପୁ"ଙ୍କ ପର୍ଯ୍ୟନ୍ତ ଘଟଣାକୁ ସାବଲୀଳ ଢଙ୍ଗରେ ଆଉ ବିରଳ ସଂଗୃହିତ ଚିତ୍ରମାଧ୍ୟମରେ ଉପସ୍ଥାପିତ କରିଛନ୍ତି ମନ୍ତ୍ରୀ ଶ୍ରୀ ସାହୁ |

ତୃତୀୟ ଉପସ୍ଥାପନାରେ କୁହାଯାଇଛି ଏପରି .......|

ଇତିହାସ କହେ ଜାନୁଆରୀ ମାସଟି ଏକାଧିକ ସୁଖଦ ଓ ଦୁଃଖଦର ସନ୍ଦେଶ ରହିଛି ଆମ ସମସ୍ତଙ୍କ ପାଇଁ | ୧୯୧୫ ମସିହା ଜାନୁଆରୀ ୯ ତାରିଖ  ଯେଉଁଦିନ କି ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଥିଲେ | ୧୯୪୮ ମସିହା ଜାନୁଆରୀ ୩୦-ସାରା ମାନବ ଜାତି ପାଇଁ ଦୁଃଖର ବିଷୟ ଯେ ଜଣେ  ବିଦ୍ୱେଷୀ ଆତତାୟୀଙ୍କ ଗୁଳିରେ  ଟଳି ପଡିଥିଲେ ଗାନ୍ଧିଜୀ ।  ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଭାରତବର୍ଷ ଏକ ସାଧାରଣତନ୍ତ୍ରରେ ପରିଣତ ହେଲା ।

ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଲାବେଳକୁ (କିଛି ପୂର୍ବ ଓ ଅଳ୍ପ ପରର) ଘଟଣା କ୍ରମ କ’ଣ ଥିଲା ଆସନ୍ତୁ ଜାଣିବା । ୧୯୦୬ରେ ମୁଣ୍ଡ ଟେକିଥିଲା ମୁସଲିମ୍ ଲିଗ୍ ।

୧୯୦୬ରେ ତଥାକଥିତ ମର୍ଲେ-ମିଂଟୋ ସଂସ୍କାର ପୃଥକ୍ ମୁସଲମାନ ନିର୍ବଚନମଣ୍ଡଳୀ କଥା କହିଥିଲା 

୧୯୧୫ରେ ଗଢା ହୋଇଥିଲା ହିନ୍ଦୁ ମହାସଭା । ଆଉ ୧୯୧୮ରେ କଂଗ୍ରେସର ସଭାପତି ହୋଇଥିଲେ ମଦନ ମୋହନ ମାଲବ୍ୟ ଯାହାଙ୍କୁ କି ହିନ୍ଦୁ ମହାସଭାର ଅନ୍ୟତମ ପ୍ରତିଷ୍ଠାତା କୁହାଯାଏ । 

ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ସମ୍ମାନ ରକ୍ଷା କରିବା ପାଇଁ ସେ ଯେଉଁ ସଂଗ୍ରାମ କରିଥିଲେ ତାହା ଭାରତରେ ପ୍ରଚାରିତ ହୋଇ ସାରିଥାଏ । ତେଣୁ ଭାରତରେ ପହଂଚିବା ମାତ୍ରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଗଲା ।

ଏହି ସବୁ ସମ୍ବର୍ଦ୍ଧନାରେ ଗାନ୍ଧିଜୀ ଏକ ପ୍ରକାର ଅଣନିଃନ୍ୱାସୀ ହୋଇ ପଡିଲେ । କାରଣ, ସେ କହୁଥିଲେ ଏସବୁ ସଭା, ସମ୍ବର୍ଦ୍ଧନା ଫୁଲମାଳ ତାଙ୍କ ପାଇଁ ଆବଶ୍ୟକ ନୁହେଁ ।

ଏହି ସମ୍ବର୍ଦ୍ଧନାକୁ ଏଡାଇଯିବା ପାଇଁ ସେ ତାଙ୍କ ରାଜନୈତିକ ଗୁରୁ ଗୋଖ୍‌ଲଙ୍କ ପାଖକୁ ପୁନା ଚାଲିଯାଇଥିଲେ ।

ଆଉ ଏବେ – ଯେକୌଣସି ସଫଳତା – ଛୋଟ ହେଉ କି ବଡ ଆୟୋଜନ ହୁଏ ସମ୍ବର୍ଦ୍ଧନା ସଭା - । ଫୁଲ, ବାଜା, ବାଣରେ ପୋତି ହେଇଯାଏ । ଏ କଥା ଯଦି ଜନସାଧାରଣଙ୍କ ତରଫରୁ ସ୍ୱତଃପ୍ରବୃତ ହୁଅନ୍ତା ଏବଂ ତା ବଦଳରେ ସ୍ୱାର୍ଥ ନଥାନ୍ତା ତେବେ ଭଲ କଥା । କିନ୍ତୁ ଯିଏ ସମ୍ବର୍ଦ୍ଧନା ପାଇବ ସିଏ କିମ୍ବା ଯିଏ ସ୍ୱାର୍ଥ ପାଇବାକୁ ଆଶା କରିଥିବା ଲୋକ ଦ୍ୱାରା - ଆଗ ପଇସା ପଠେଇବ ସେଠି ଯେଗାଡ ହେବ – ଏବଂ ନିଜ ଖର୍ଚ୍ଚରେ ନିଜେ ସମ୍ବର୍ଦ୍ଧିତ ହେବେ ।

ମୋ ମତରେ – ସମାଜ ସେବାରେ - ଆଡମ୍ବର ପୂର୍ଣ୍ଣ ଉତ୍ସବର ଆବଶ୍ୟକତା ନଥାଏ । କିନ୍ତୁ ହାୟ --- । ଗତ ନିର୍ବାଚନରେ – ଜିତିବା ପରେ ମୁଁ କେବଳ ଜନସାଧାରଣଙ୍କୁ କୃତଜ୍ଞତାର ସଭା କରିଥିଲି । ଫୁଲ, ବାଜା, ବାଣ, ସମ୍ବର୍ଦ୍ଧନା ବଂଦ କରିଥିଲି ।

ଗୋପାଳ କୃଷ୍ଣ ଗୋଖେଲ ଥିଲେ ଗାନ୍ଧିଜୀଙ୍କ ରାଜନୀତିକ ଗୁରୁ । ତାଙ୍କର ପରାମର୍ଶ କ୍ରମେ ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଭାରତ ବାହୁଡିଥିଲେ । 

ଗୋଖ୍‌ଲେ କହିଥିଲେ – ଏବେ ଭାରତର ଅଧିକ ଲୋଡ଼ା- ଗାନ୍ଧୀ । 

ଗୁରୁ ଗୋଖଲେ ଶିଷ୍ୟ ଗାନ୍ଧୀଙ୍କୁ କହିଥିଲେ – ବର୍ଷେ ଯାଏଁ ପାଟି ପୂରା ବନ୍ଦ ରଖିବ । ଆଖି ଓ କାନ କିନ୍ତୁ ଖୋଲାଥିବ । 

ସମସ୍ତଙ୍କ ସହ ମିଶିବ ; ହେଲେ ସର୍ବସାଧାରଣଙ୍କ ପ୍ରଶ୍ନର ଉତର ଦେବାର ଲୋଭରେ ପଡ଼ିବନି । ସେ ବର୍ଷଟି ଥିଲା ଗାନ୍ଧୀଙ୍କ ପାଇଁ ପ୍ରଶିକ୍ଷଣ ବା ପ୍ରୋବେସନ୍‌ର ବର୍ଷ । 

ଭାରତକୁ, ଭାରତୀୟଙ୍କୁ ଦେଖିବା, ଶୁଣିବା ଓ ବୁଝିବାର ବର୍ଷ ଏବଂ ସେଇ ପ୍ରକ୍ରିୟାରେ ଶିଖିବାର ବର୍ଷ । ଗୋଖଲେଙ୍କ ରାଜନୀତି ଥିଲା ସଂଯମ ଓ ମଧ୍ୟମ ପନ୍ଥାରେ ବିଶ୍ୱାସୀ ଯାହାର ଛାପ ଶିଷ୍ୟ ଗାନ୍ଧୀଙ୍କ ଉପରେ ପଡ଼ିଥିଲା । 

ଗାନ୍ଧିଜୀଙ୍କ ଏହି ଭାରତ ଦର୍ଶନ ଅଭିଯାନ ହିଁ ତାଙ୍କ ଚିନ୍ତା, ଚେତନା ,ବେଶ, ପୋଷାକରେ ଅନେକ ପରିବର୍ତନ ଆଣିଦେଲା ।

ଭାରତ ବର୍ଷର ଗାଁ ଗହଳରେ ରହୁଥିବା କୋଟି କୋଟି ମୂଲିଆଙ୍କ ପୋଷାକକୁ ଆଦରି ନେଲେ ।

ସେ ଆଣ୍ଠୁ ଲୁଚୁନ’ଥିବା ଲୁଗା ପିନ୍ଧୁ ଥିଲେ ସତ । କିନ୍ତୁ ସେହି ଲୁଗାରେ ସାମାନ୍ୟ ମଇଳା ଲାଗୁ ନ’ଥିଲା । ତାହା ଥିଲା ଧୋବ ଫର୍‌୍ ଫର୍‌୍ । କାରଣ, ସଚେତନ ଭାବେ ସେ ପରିଷ୍କାର ପରିଚ୍ଛନ୍ୱତାକୁ ଗୁରୁତ୍ୱ ଦେଉଥିଲେ ।

ଏହି ଭାରତ ଦର୍ଶନ ସେ ଆରମ୍ଭ କଲେ ରେଳଗାଡିର ତୃତୀୟ ଶ୍ରେଣୀରେ ଯାତ୍ରା କରି ।

ଗାନ୍ଧିଜୀ ଅନୁଭବ କଲେ, ସତେ ଅବା ସମୁଦାୟ ଭାରତବର୍ଷ ରେଳଗାଡିର ଏକ ତୃତୀୟ ଶ୍ରେଣୀ ଡବା । ସବୁବେଳେ ଅପରିଷ୍କାର ଥିବା ଡବାକୁ ପରିଷ୍କାର ରଖିବାର ଦାୟିତ୍ୱ ଲୋକେ ନିଅନ୍ତି ନାହିଁ କି, ଡବାର ଅଭାବ ଅସୁବିଧା ଦୂର କରିବା ପାଇଁ ଦାବୀ କରନ୍ତି ନାହିଁ ।

ଏହି ତୃତୀୟ ଶ୍ରେଣୀ ଡବାର ଯାତ୍ରୀମାନଙ୍କର ସ୍ୱାର୍ଥପରତା, ସେମାନଙ୍କ ଅଧିକାର ସମ୍ବନ୍ଧରେ ଅଜ୍ଞତା, ଅପରିଚ୍ଛନ୍ନ ଅଭ୍ୟାସ, ଗାନ୍ଧିଜୀଙ୍କୁ ବିଚଳିତ କରୁଥିଲା । ସେ ଯଥାର୍ଥ ଅନୁଭବ କରୁଥିଲେ ଯେ, ଅଧିକ ସଂଖ୍ୟକ ଶିକ୍ଷିତ ଲୋକେ ତୃତୀୟ ଶ୍ରେଣୀରେ ଯାତ୍ରା କଲେ, ତୃତୀୟ ଶ୍ରେଣୀର ବାତାବରଣ ବଦଳି ଯାଆନ୍ତା ।

ଦେଶରେ ଯେତେବେଳେ ଶିକ୍ଷା ନଥିଲା – ସଚେତନତା ନଥିଲା – ସେତେବେଳେ ନେତୃତ୍ୱ ନେଇ ସ୍ୱଚ୍ଛତା କଥା କହିଥିଲେ – ଗାନ୍ଧିଜୀ । ଏହା Civic Sence । ସ୍ୱାଧିନତାର ୭୫ ବର୍ଷ ପୂରଣ କରିବାକୁ ଗଲାବେଳେ ଏବେ ବି - ପରିଷ୍କାର, ପରିଚ୍ଛନ୍ନ, ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ଆମେ ପ୍ରତ୍ୟେକ ଉତରଦାୟୀତ୍ୱ ନେଇ ପାରିଲେ – ଗାନ୍ଧୀ ଆଦର୍ଶକୁ ଶ୍ରେଷ୍ଠ ସମ୍ମାନ ହେବ ।

ଗାନ୍ଧିଜୀ ଭାରତକୁ ଚିହ୍ନିବା ପାଇଁ ସମଗ୍ର ଭାରତବର୍ଷ ଭ୍ରମଣ କରୁଥିଲେ ବି ତାଙ୍କ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ରହିବା ସ୍ଥାନ ଖୋଜା ହେଉଥିଲା । ଅହମଦାବାଦକୁ ଲାଗିକରି ଗୋଟିଏ ଛୋଟିଆ ଗାଁ “ଡୋଚରବ” । ସେଇଠାରେ ଏକ ଓକିଲଙ୍କ ଘର ଭଡା ନିଆହେଲା । ସେଇ ଘରେ ୧୯୧୫ ମସିହା ମେ ମାସ ୨୫ ତାରିଖରେ ଗାନ୍ଧିଜୀଙ୍କ ପ୍ରଥମ ଆଶ୍ରମ ପ୍ରତିଷ୍ଠା କରାଗଲା ।

ସେହି ଆଶ୍ରମର ନାଁ ରହିଲା “ସତ୍ୟାଗ୍ରହ” ଆଶ୍ରମ । ସେଠାରେ ଥିଲେ ସମୁଦାୟ ୨୫ ଜଣ ଲୋକ । ସମସ୍ତଙ୍କ ପାଇଁ ଗୋଟିଏ ରୋଷେଇ ଘର । ଆଶ୍ରମବାସୀ ୧୧ଟି ନୟମ ପାଳନର ଶପଥ ନେଉଥିଲେ ।

ପ୍ରଥମ ନିୟମ ଥିଲା ସତ୍ୟପାଳନ । ଦେଶର କଲ୍ୟାଣ ପାଇଁ ମିଥ୍ୟାର ଆଶ୍ରୟ ନେବା ନିଷେଧ ବୋଲି ଗାନ୍ଧିଜୀ ଘୋଷଣା କରିଥିଲେ । ସେ କହୁଥିଲେ – ସତ୍ୟ ପାଇଁ ଦରକାର ପଡିଲେ ପିତା, ମାତା ଓ ଗୁରୁଜନଙ୍କୁ ବିରୋଧ କରାଯିବ ।

ଏହିପରି ଅହିଂସା, ବ୍ରହ୍ମଚର୍ଯ୍ୟ, ସଂଯମ ଆଚରଣ, ଚୋରୀ ନ’ କରିବା, ଆଦି ନିୟମର ଶପଥ ନେଉଥିଲେ ଆଶ୍ରମବାସୀ ।

ସତ୍ୟ କହିବା – ସତ୍ୟ ଶୁଣିବା – ସତ୍ୟପାଇଁ ଲଢିବା କଥାଟା କାହିଁକି ଧିରେ ଧିରେ ମିଳେଇଯାଉଛି!

କହିଥିବା କଥା, ଦେଇଥିବା ପ୍ରତିଶୃତି ପୂରଣ କରିବାରେ ପରବର୍ତୀ ସମୟରେ କାହିଁକି ପଛଘୂଂଚା ହେଉଛନ୍ତି?

ଏ କଥା ବ୍ୟକ୍ତିଗତ ଜୀବନରୁ ଆରମ୍ଭ କରି ସବୁ ସ୍ତରରେ ଦେଖା ଯାଉଛି । ତେଣୁ ସତ୍ୟର ପ୍ରତିଷ୍ଠା ପାଇଁ – ଗାନ୍ଧୀ ଦର୍ଶନର  ପ୍ରାସଙ୍ଗିକତାକୁ ଧରିରଖିବାକୁ ପଡିବ ଆଜିର ଦିନରେ । ଆଉ ରାଜନିତିରେ ଲୋକ ବାଧ୍ୟ କରୁଛନ୍ତି ନେତାଙ୍କୁ ସତ ନ କହିବାକୁ ନା ନେତା ବିଫଳ ହେଉଛନ୍ତି ସତ ପ୍ରତିଷ୍ଠା କରିବାକୁ ତା’ର ଆଲୋଚନା ପରବର୍ତୀ ସମୟରେ ଆଣିବି ।

‘ଡୋଚରକ ବଙ୍ଗଳା’ ଗୋଟାଏ ଉଚ୍ଚ ମଧ୍ୟବିତ ଚଳିବା ଢଙ୍ଗରେ ତିଆରି ହୋଇଥିଲା । ଏଣେ ଆଶ୍ରମର ଅନ୍ତେବାସୀଙ୍କ ସଂଖ୍ୟାବି ବଢୁଥିଲା । ତେଣୁ ସାବରମତୀ କୂଳରେ ଏକ ଜାଗା ମିଳିଯିବାରୁ ସତ୍ୟାଗ୍ରହ ଆଶ୍ରମ ସେଇଠାକୁ  ଉଠିଗଲା ଓ ପରବର୍ତି ସମୟରେ ଏହା ସାବରମତୀ ଆଶ୍ରମ ନାମରେ ସାରା ବିଶ୍ୱରେ ପରିଚିତ ହେଲା ।

ଏହି ସାବରମତୀ ଆଶ୍ରମରେ ଗାନ୍ଧିଜୀଙ୍କୁ ଭେଟିଥିଲେ ମହାଦେବ ଦେଶାଇ ଓ ବଲ୍ଲଭ ଭାଇ ପଟେଲ ।

୧୯୧୫ ମସିହାଠାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଗାନ୍ଧୀ ଯେଉଁ ଯେଉଁ ଜାଗା ଯାଇଥିଲେ ସେସବୁ ଭିତରେ ଥିଲା ନିଜର ପ୍ରିୟ ଓ ପରିଚିତ ପୋରବନ୍ଦର ତଥା ରାଜକୋଟ୍ ଏବଂ ଗୁରୁଦେବ ରବୀନ୍ଦ୍ରନାଥଙ୍କ ଶାନ୍ତିନିକେତନ । ରବୀନ୍ଦ୍ରନାଥ ଗାନ୍ଧିଜୀଙ୍କୁ ବିଧିବଦ୍ଧ ଭାବେ “ମହାତ୍ମା” ବୋଲି ସମ୍ବୋଧନ କରିଥିବା କଥା ବହୁଜନ ବିଦିତ । 

ଗାନ୍ଧିଜୀଙ୍କ ଠାରୁ ବୟସରେ ପ୍ରାୟ ୨୦ବର୍ଷ ବଡ ଇଂରେଜ୍‌ ମହିଳା ଶ୍ରୀମତୀ ଆନି ବେସାନ୍ତ ନିଜର ବ୍ୟକ୍ତିଗତ ଉଦ୍ୟମରେ ବନାରସଠାରେ ହିନ୍ଦୁ କଲେଜ୍‌ ଆରମ୍ଭ କରିଥିଲେ ।

୧୯୧୬ ମସିହାରେ ଏହି ହିନ୍ଦୁ କଲେଜ୍‌ ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ପାଇଲା । ୧୯୧୬ ପେଂବୃଆରୀ ମାସରେ ଏଥିପାଇଁ ତିନି ଦିନ ଧରି ବିରାଟ ଉତ୍ସବ ହୋଇଥିଲା ଓ ଅନେକ ରାଜା, ମହାରାଜା ଏଥିରେ ଯୋଗ ଦେଇଥିଲେ ।

୧୯୧୬ ମସିହା ଫେବୃଆରୀ ୬ ତାରିଖରେ ଗାନ୍ଧିଜୀ ଏହି ସଭାରେ ଯେଉଁ ବକ୍ତୃତା ଦେଇଥିଲେ ତାହା ଅନେକ ଦୃଷ୍ଟିରୁ ଐତିହାସିକ ।

 ଗାନ୍ଧିଜୀ କହିଥିଲେ ଏଠାରେ ତିିନି ଦିନ ହେଲା ଭାଷଣ ଗୋଟିଏ ବିଦେଶୀ ଭାଷାରେ ଚାଲିଥିବାରୁ ମୁଁ ଦୁଃଖିତ ଓ ଲଜ୍ଜିତ । ମୁଁ ଆଜି ଅନୁଭବ କରୁଛିଯେ, ଆମେ ଯଦି ୫୦ ବର୍ଷ ପୂର୍ବରୁ ମାତୃଭାଷାରେ ଶିକ୍ଷା ପାଇଥାଆନ୍ତୁ, ତେବେ ଦେଶ ସ୍ୱାଧିନ ହୋଇ ସାରନ୍ତାଣି । ମାତୃଭାଷା ପରସ୍ପରକୁ ଯୋଡି ଦିଏ । ଆମ ଭାଷା ଆମର ପ୍ରତିଫଳନ ।

ଗାନ୍ଧିଜୀ ସେହି ସଭାରେ କହିଥିଲେ ଅପରିଚ୍ଛନ୍ନତା ଏକ ଘୃଣ୍ୟ ଅଭ୍ୟାସ । ଅସ୍ପୃଶ୍ୟତା ଏକ ସମାଜିକ କଳଙ୍କ । ଏସବୁକୁ ପ୍ରଥମେ ସଫା ନ’କଲେ ଆମର ସ୍ୱାଧିନତା ଆସିବ ନାହିଁ ।

ସେତେବେଳେ ବିନୋବା ଭାବେ ଥିଲେ ହିନ୍ଦୁ ବିଶ୍ୱବିଦ୍ୟାଳୟର ଛାତ୍ର । ଗାନ୍ଧୀଙ୍କ ଭାଷଣରେ ପ୍ରଭାବିତ ହୋଇ ସେ ଏକବାର ତାଙ୍କ ପାଖରେ ନିଜକୁ ଉତ୍ସର୍ଗ କରିଦେଲେ । ପରବର୍ତୀ ସମୟରେ ସାରା ଭାରତବର୍ଷ ଭୂଦାନ ଆନ୍ଦୋଳନର ମହାନ୍‌ ସନ୍ଥ -ଯେଉଁ ବିନୋବାଙ୍କୁ ପାଇଲା, ତାହା ସେଦିନ ଗାନ୍ଧିଜୀଙ୍କ ସେହି ଐତିହାସିକ ଭାଷଣର ଅବଦାନ ।

ଏକାଧିକ ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଥିଲା ୧୯୧୭ ମସିହାରେ । ସେଇ ମସିହାରେ ଗାନ୍ଧୀ ଆରମ୍ଭ କରିଥିଲେ ସାବରମତୀ ଆଶ୍ରମ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।  ବ୍ୟାପକ-ପ୍ରଶସ୍ତ ଧାର୍ମିକ ମନୋଭାବ ସଂପନ୍ନ ଗୋଷ୍ଠୀ ଜୀବନ ଯାପନ । ସେ ଆଶ୍ରମ ଗୁରୁତ୍ୱ ଦେଇଥିଲା ସତ୍ୟ, ଅହିଂସା, ବ୍ରହ୍ମଚର୍ଯ୍ୟ, ଶ୍ରମର ମର୍ଯ୍ୟାଦା, ଅସ୍ପୃଶ୍ୟତା ନିବାରଣ ଓ ସ୍ୱଚ୍ଛତା - ପରିସ୍କାର ପରିଛନ୍ନତା ଉପରେ । 

ସେଇ ୧୯୧୭ରେ ଗାନ୍ଧୀ ଯାଇଥିଲେ ବିହାରର ଚଂପାରଣ । ଯେଉଁଠି ଚାଷୀ ମାନଙ୍କ ପାରମ୍ପାରିକ ଧାନ ଓ ତୈଳବୀଜ ଚାଷ କରିବା ବଦଳରେ ନୀଳ ଚାଷ କରିବାକୁ ଇଂରେଜ ଶାସକ ବାଧ୍ୟ କରୁଥିଲେ । ଚାଷୀମାନେ ମଧ୍ୟ ନୀଳ ଚାଷରୁ ଠିକ୍ ପାଉଣା ପାଉନଥିଲେ । ଚଂପାରଣ ସତ୍ୟାଗ୍ରହ ଥିଲା ପ୍ରଥମ ସତ୍ୟାଗ୍ରହ । ସେ ସତ୍ୟାଗ୍ରହର ଅନ୍ୟତମ ସୃଷ୍ଟିଥିଲେ ରାଜେନ୍ଦ୍ର ପ୍ରସାଦ । 

ପୂର୍ବ ବର୍ଷ ଅର୍ଥାତ ୧୯୧୬ ମସିହାରେ ଗାନ୍ଧୀ ଯାଇଥିଲେ ବାରଣାସୀ । ସେଠାକାର ବନାରସ ବିଶ୍ୱବିଦ୍ୟାଳୟର ଭିତି ପ୍ରସ୍ତର ଅବସରକୁ ନିମନ୍ତ୍ରିତ ହୋଇ । ଆଉ ସେଠି କହିଥିଲେ – ବଡ଼ ଲାଜ ଓ ଅପମାନର ବିଷୟ ଯେ ଆଜି ମଧ୍ୟ ମତେ ଏଠି ମୋ ଦେଶରେ ଏକ ବିଦେଶୀ ଭାଷାରେ କହିବାକୁ ପଡୁଛି । 

୧୯୧୮ ମସିହାରେ ସଂଗଠିତ ହୋଇଥିଲା ଗୁଜୁରାଟର ଖେଡ଼ା କୃଷକ ଆନ୍ଦୋଳନ । ଚାଷୀଙ୍କ ଉପରେ ଲାଗୁ ହେଉଥିବା ଟିକସ ଥିଲା ଅସହ୍ୟ । ଗାନ୍ଧୀ ତାର ଘୋର ବିରୋଧ କରିଥିଲେ । ଖେଡ଼ା କୃଷକ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ସୃଷ୍ଟିଥିଲେ ସର୍ଦ୍ଦାର ପଟେଲ୍ । 

ତା’ ପରବର୍ଷ ୧୯୧୯ ମସିହାରେ ବଡ଼ ନୃଶଂସ କାଣ୍ଡଟିଏ ଘଟିଲା । ଅମୃତସରର ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିର ପାଖରେ ଅବସ୍ଥିତ ଜାଲିଆୱାନାୱାଲାବାଗ୍ ପରିସରରେ ଏକାଠି ହୋଇଥିବା ଅହିଂସା ଜନଗଣଙ୍କ ଉପରେ ଗୁଳିଚାଳନା କରିବାର ନିର୍ଦ୍ଦେଶ ଦେଇଥିଲେ ଜେନେରାଲ୍ ଡାୟାର୍ । ଯେଉଁଥିରେ ପ୍ରାଣ ହରେଇଥିଲେ ଅତିକମ୍‌ରେ ୩୭୯ ଜଣ ନିରୀହ ଲୋକ । ସେଦିନ ଥିଲା ପୁଣି ପବିତ୍ର ବୈଶାଖୀ । ଜାଲିଆନ୍‌ୱାଲାବାଗ୍ ପାଲଟିଗଲା ଗଣସଂହାରର ପ୍ରତିଶବ୍ଦ । ତାହା ଗାନ୍ଧିଜୀଙ୍କୁ ବେଶ୍ ବିଚଳିତ କରିଦେଲା । 

ପୁଣି ୧୯୧୯ ମସିହାରେ ପ୍ରଣିତ ହୋଇଥିଲା କୁଖ୍ୟାତ ରାଓଲତ୍ (Rawlet) ଆଇନ । ସେ ଆଇନ ଏତେ କଠୋର ଥିଲା ଯେ ସେଥିରେ ବିନା ବିଚାରରେ ଅନିର୍ଦ୍ଧିଷ୍ଟ କାଳ ଯାଏ ଅଟକ ରଖିବାର ବ୍ୟବସ୍ଥା ଖଞ୍ଜି ଦିଆଯାଇଥିଲା । ଗାନ୍ଧିଜୀଙ୍କ ସମେତ ସବୁ ଭାରତୀୟଙ୍କୁ ସେ ଆଇନ ବ୍ୟତିବ୍ୟସ୍ତ କରିଦେଲା ।

ଅସହଯୋଗ ଅନ୍ଦୋଳନର ଅନ୍ୟ କେତେକ କାରଣ ଥିଲା ଦରବୃଦ୍ଧି, ଦୁର୍ଭିକ୍ଷ ଓ ମହାମାରୀ ମୁକାବିଲା କରିବାରେ ବିଲାତି ସରକାର ମାନଙ୍କର ବିଫଳତା

୧୯୧୯ର ଖିଲାଫତ ଆନ୍ଦୋଳନ(ଭାରତୀୟ ମୁସଲମାନଙ୍କ ଆନ୍ଦୋଳନ)ମଧ୍ୟ ଅସହଯୋଗ ଆନ୍ଦୋଳନକୁ ବଳ ଯୋଗାଇଥିଲା । ଗାନ୍ଧୀ ଖିଲାଫତ ଆନ୍ଦୋଳନର ସମର୍ଥନ କରିଥିଲେ । ସେ ଆନ୍ଦୋଳନର ପ୍ରମୁଖ ଚେହେରା ଥିଲେ ମୌଲାନା ଆଜାଦ୍‌ ଯିଏ ପରେ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ହୋଇଥିଲେ ।

ଅହିଂସା ଓ ଶାନ୍ତିପୂର୍ଣ୍ଣ ଉପାୟରେ ଅସହଯୋଗ ଆନ୍ଦୋଳନ ସମୟରେ ନିମ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ବିଭିନ୍ନ ଭାଗରେ ଫଳବତୀ ହୋଇଥିଲା:

୧.ବିଦେଶୀ ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ

୨. ବିଦେଶୀ ଦ୍ରବ୍ୟ ବର୍ଜନ

୩. ଉପାଧି ଫେରସ୍ତ, ପଦପଦବୀରୁ ଇସ୍ତଫା

୪.ବିଲାତି ଶାସନ ନିୟନ୍ତ୍ରଣ କରୁଥିବା ଦପ୍ତର, କଚେରୀ ଓ ନିର୍ବାଚନାଦି ବର୍ଜନ

ଏ ସବୁ ଦୃଷ୍ଟିଭୁମିରେ ଗାନ୍ଧୀ ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନର ଡାକରା ଦେଲେ । ବ୍ରିଟିଶ୍ ଶାସନ ପ୍ରତି ନିଜର ଆଭିମୁଖ୍ୟ ବଦଳେଇ ଗାନ୍ଧୀ କହିଥିଲେ – ସଇତାନୀ ବିଲାତ ସରକାର ସାଂଗେ ସହଯୋଗ ପାପ ସାଂଗେ ସମାନ ।

 ସେ ଆନ୍ଦୋଳନର ଲକ୍ଷ୍ୟ ଥିଲା - ନିଜକୁ ନିଜେ ଶାସନ କରିବା ଓ ସ୍ୱରାଜ ପ୍ରାପ୍ତ ହେବାର ଲକ୍ଷ୍ୟ । 

ଅସହଯୋଗ ଆନ୍ଦୋଳନ ପ୍ରକ୍ରିୟାରେ ୧୯୨୧ ମସିହାରେ ପ୍ରଥମଥର ଗାନ୍ଧୀ ଓଡ଼ିଶା ଆସିଥିଲେ । ତାଙ୍କ ପ୍ରଥମ ଓଡ଼ିଶା ଆଗମନର ଶହେ ବର୍ଷ ଆଗାମୀ ମାର୍ଚ୍ଚରେ ପଡ଼ିବ । ମାର୍ଚ୍ଚରେ ଆମେ ତାଙ୍କ ଓଡ଼ିଶା ଗସ୍ତମାନଙ୍କ କଥା ସବିଶେଷ ଆଲୋଚନା କରିବା । ସେ ପ୍ରଥମ ଗ୍ରସ୍ତର ଅନ୍ୟତମ ଲକ୍ଷ୍ୟ ଥିଲା ଅସହଯୋଗ ଆନ୍ଦୋଳନର ପ୍ରଚାର ଓ ପ୍ରସାର । 

ଅଦ୍ଭୁତପୂର୍ବ ସଫଳତା ହାସଲ କରୁଥିଲା ଅସହଯୋଗ ଆନ୍ଦୋଳନ ସାରା ଦେଶରେ । ଜାତୀୟ ଏକତା ଅଧିକରୁ ଅଧିକ ପ୍ରତିଷ୍ଠିତ ହେଉଥିଲା । ନୂଆ ନୂଆ ଶିକ୍ଷାନୁଷ୍ଠାନ ଜନ୍ମ ନେଉଥିଲେ । 

ପ୍ରତିଷ୍ଠିତ ହୋଇଥିବା କେତେକ ପ୍ରସିଦ୍ଧ  ଶିକ୍ଷାନୁଷ୍ଠାନ ହେଲା:-ଜାମିଆ ମିଲିଆ ଇସ୍‌୍‌ଲାମିଆ ବିଶ୍ୱବିଦ୍ୟାଳୟ, କାମୀ ବିଦ୍ୟାପିଠ,ବିହାର ବିଦ୍ୟାପୀଠ ଓ ଗୁଜୁରାଟ ବିଦ୍ୟାପିଠ । ବିହାର ବିଦ୍ୟାପିଠରେ ଅନ୍ୟତମ ବିଖ୍ୟାତ ଛାତ୍ର ହେଲେ ଜୟପ୍ରକାଶ ନାରାୟଣ ।ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଆଦର ଲାଭ କରୁଥିଲା କିନ୍ତୁ ଏକ ବଡ଼ ଅଘଟଣ ଘଟିଗଲା ୧୯୨୨ ମସିହାରେ ଉତର ପ୍ରଦେଶର ଚୌରି ଚୌରା ଠାରେ । ସେଠାକାର ଥାନା ଉପରେ ଆକ୍ରମଣ କରି ଲୋକେ ଥାନାରେ ନିଆଁ ଲଗେଇଦେଇଥିଲେ । ଫଳରେ ଥାନାର ୨୨ ଜଣ ପୁଲିସ୍ ପ୍ରାଣ ହରେଇଥିଲେ । ଅଘଟଣଟି ଗାନ୍ଧିଜୀଙ୍କୁ ବ୍ୟଥିତ କରିଥିଲା । ସେଥିପାଇଁ ସିଏ ଅସହଯୋଗ ଆନ୍ଦୋଳନ ବାତିଲ ହେଲା ବୋଲି ଘୋଷଣା କରିଥିଲେ ସେଇବର୍ଷ ଫେବ୍ରୁଆରୀ ୧୨ ତାରିଖରେ । ସେତେବେଳକୁ କିନ୍ତୁ ଅସହଯୋଗ ଆନ୍ଦୋଳନ ସାରା ଦେଶରେ ଶିଖରରେ ପହଁଚି ସାରିଥିଲା । ହେଲେ ଗାନ୍ଧୀ କହୁଥିଲେ – ସର୍ବୋଚ୍ଚ, ସର୍ବଶ୍ରେଷ୍ଠ ଲକ୍ଷ୍ୟ ହାସଲ ନିମନ୍ତେ ସର୍ବନିମ୍ନ, ସାମାନ୍ୟତମ ହିଂସାର ଅବଲମ୍ବନ କେବେ ବି ଯଥାର୍ଥ ନୁହେଁ । 

ଅସହଯୋଗ ଆନ୍ଦୋଳନ ଗାନ୍ଧିଜୀଙ୍କ ଗଣ ରାଜନୀତିର ଚମତ୍କାର, ସତ୍ୟନିଷ୍ଠ ଓ ଅହିଂସା ନିଦର୍ଶନ ଥିଲା । ସେଥିରୁ ତାଙ୍କ ଜନନାୟକତ୍ୱ ଫୁଟି ବାହାରୁଥିଲା । କାରଣ ସିଏ ଲୋକଙ୍କ ସହିତ ରହୁଥିଲେ ; ଉପରେ ତ ଆଦୌ ନୁହେଁ, ଆଗରେ ମଧ୍ୟ ନୁହେଁ । ସହରୀ ଜୀବନରେ ଅଭ୍ୟସ୍ତ ଗାନ୍ଧୀ – ପୋରବନ୍ଦର, କାଠିଆୱାଡ଼ା, ରାଜ୍‌କୋଟ, ଅହମଦାବାଦ୍‌, ଲଣ୍ଡନ ଓ ଜୋହାନ୍ସବର୍ଗ ଆଦି – ।

୧୯୧୫ ପରଠାରୁ ଭାରତର ଗାଁ ଗଣ୍ଡାକୁ ଅଧିକ ଚିହ୍ନିଲେ (ଯେଉଁ ଗାଁକୁ ପରେ ସିଏ ଭାରତର ଆତ୍ମା ଅଭିହିତ କରିଥିଲେ ।) ଚାଷୀ ଓ ମହିଳାଙ୍କ ଦୁର୍ଦ୍ଦଶା ବାବଦରେ ଅବଗତ ହେଲେ । ନିଜ ପୁରୁଣା ସାହେବୀ, ଆଇନଜୀବୀ ସୁଲଭ ପୋଷାକ ବଦଳେଇବା ବିଲାତ ସରକାରଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଲା । ଭାରତ ବର୍ଷର ଅଗଣିତ ଜନଗଣଙ୍କ ପାଇଁ ହୃଦୟଦେବତା ତାଙ୍କ ରାଜନୀତି ଥିଲା ଲୋକନୀତି, ଗଣରାଜନୀତି । 

ବିହାର ଚମ୍ପାରଣ - ନୀଳ ଚାଷୀ ଆନ୍ଦୋଳନରୁ ଜନ୍ମ ନେଲେ – ରାଜେନ୍ଦ୍ର ପ୍ରସାଦ ଯିଏ ହେଲେ ସ୍ୱାଧିନ ଭାରତ ବର୍ଷର -ପ୍ରଥମ ରାଷ୍ଟ୍ରପତି ।

ଗୁଜୁରାଟ – ଖେଡା ଚାଷୀ ଆନ୍ଦୋଳରୁ ମୌଲାନା ଆଜାଦ ପ୍ରଥମ ଶିକ୍ଷାମନ୍ତ୍ରୀ ।

ବିନୋବା ଭାବେ – ଭୂଦାନ ଆନ୍ଦୋଳନର ସ୍ଥପତି ।

ସ୍ୱାଧିନତା ଆନ୍ଦୋଳନ ଯେତେ ଜୋରରେ ମୁଣ୍ଡ ଟେକୁଥିଲା ଇଂରେଜ ଜାତି ଦୀର୍ଘସ୍ଥାୟୀ ଶାସନ କରିବାକୁ -ସାଂପ୍ରଦାୟୀକତାର ବିଷମଞ୍ଜୀ ପୋତିବାରେ ଲାଗିପଡିଥିଲେ ।

 

0
0
0
s2sdefault