କେମିତି କଟିବ ୨୦୨୧!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

୨୦୨୦ ସମଗ୍ର ବିଶ୍ବକୁ ଏମିତି ସ୍ଥିତିକୁ ଆଣିଦେଲା ଯାହାର କଳ୍ପନା କେହି ବି କରିନଥିଲେ।ଅର୍ଥନୀତି ସହ ଜୀବନଜୀବିକା କୁ ନେଇ ସମଗ୍ର ଦୁନିଆରେ ସଂଘର୍ଷ ଜାରୀ ରହିଛି।ଆଗାମୀ ନୂତନ ବର୍ଷକୁ ନେଇ ସମସ୍ତେ ଆଶା ଆକାଂକ୍ଷା ଉଦବିଗ୍ନତା ମଧ୍ୟରେ ଅଛନ୍ତି।୨୦୨୦ ବିଦାୟ ନେବା ସମୟରେ ମଧ୍ୟ କରୋନାର ନୂତନରୂପ ବା ଦ୍ବିତୀୟ ଲହର ଭୟ ଦେଖାଇ ଭୟଭୀତ କରିବାରେ ଲାଗିଛି।ତଥାପି ଜଗତର ନାଥ ଜଗନ୍ନାଥ କୃପାରୁ ସମଗ୍ର ବିଶ୍ବରୁ ଏ ମହାମାରୀ ଦୁର ହେବାର ପ୍ରାର୍ଥନା ସହ ଆସନ୍ତୁ ଜାଣିବା ୨୦୨୧ କେମିତି କଟିବ ବୈଦିକ ଜ୍ୟୋତିଷ ଅନୁସାରେ……|

   ୨୦୨୦ମସିହା ଗ୍ରହରାଜ ଶନି ଓ ବୃହସ୍ପତି ପ୍ରଭାବ ଦ୍ବାରା ପ୍ରଭାବିତ ବର୍ଷ ଥିଲା ଯାହା କି ବ୍ୟକ୍ତି ଠାରୁ ସମଷ୍ଟି ସମସ୍ତଙ୍କୁ ଆର୍ଥିକ,ବୃତ୍ତିଗତ, ସାମାଜିକ ଅନପେକ୍ଷିତ ଅସୁବିଧା ଆଡକୁ ଭିଡି ନେଇଥିଲା।ଆଶ୍ବସ୍ଥିର ବିଷୟ ଏହିକି ଯେ, ୩୧ଡିସେମ୍ବର ୨୦୨୦ ର ସମାପନ ପୁଷ୍ୟା ନକ୍ଷତ୍ରରେ ହେଉଥିବା ବେଳେ ନୂତନବର୍ଷ ପ୍ରାରମ୍ଭ ମଧ୍ୟ ସେହି ପୁଷ୍ୟା ନକ୍ଷତ୍ରରେ ହେବ ଯାହା ସମସ୍ତଙ୍କ ଲାଗି କଲ୍ୟାଣକାରୀ ହେବ ବୋଲି ଆଶା କରାଯାଏ(୨୦୨୦ଡିସେମ୍ବର ୩୧ ସଂଧ୍ୟା ଘ୭ମି୫୦ ରୁ୨୦୨୧ ଜାନୁଆରୀ୧ସଂଧ୍ୟା ଘ୮ମି ୧୫ପୁଷ୍ୟା ନକ୍ଷତ୍ର ଭୋଗ)।ପଂଚାଙ୍ଗ ଅନୁସାରେ ୧ଜାନୁଆରୀ ୨୦୨୧ ପୌଷ କୃଷ୍ଣପକ୍ଷ ଦ୍ବିତୀୟା ତିଥି, ଏହିଦିନ ଚନ୍ଦ୍ର ପୁଷ୍ୟା ନକ୍ଷତ୍ର କର୍କଟ ରାଶିରେ ଗୋଚର କରିବା ସହ ରବି ଧନୁ ରାଶିରେ ଅଛନ୍ତି,ବିଶେଷ କଥା ଏହିକି ଯେ,୨୭ ନକ୍ଷତ୍ର ମଧ୍ୟରୁ ପୁଷ୍ୟା ନକ୍ଷତ୍ରକୁ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟ ଲାଗି ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଏ।ରବି ଧନୁରାଶିରେ ବୁଧ ସହ ନୂତନବର୍ଷରେ ବୁଧାଦିତ୍ୟ ଯୋଗ ମଧ୍ୟ ସୃଷ୍ଟି କରୁଛନ୍ତି ଯାହାକି ନୂତନ ସମ୍ଭାବନା ଆଣିଦେବା ସହ ସେହିଦିନ ଅଳଙ୍କାର,ଆଭୂଷଣ, ଯାନବାହନ ଆଦିକ୍ରୟ ସହ ଶୁଭକର୍ମର ପ୍ରାରମ୍ଭ ମଧ୍ୟ କରାଯାଇପାରେ,ଯଦ୍ବାରା ଦୀର୍ଘଦିନ ଧରି କରୋନା ଦାଉରେ ଅସ୍ତବ୍ୟସ୍ତ ଜନମାନସରେ କିଛିଟା ଆଶ୍ବସ୍ଥି ସହ ନୂତନ ଉନ୍ମଦନା ର ସଂଚାର କରିପାରେ।ନୂତନବର୍ଷ ପ୍ରାରମ୍ଭରେ ମଧ୍ୟ ବୃହସ୍ପତି ଶନି ମକର ରାଶିରେ ରହିବେ ଯାହା ଦ୍ବାରା ଶାସକ ପ୍ରଶାସକ ତଥା ସରକାରୀ କଳରେ ଆଖିଦୃଶିଆ ଅଦଳବଦଳ ହୋଇପାରେ ତଥା ଦୈନନ୍ଦିନ ସାମଗ୍ରୀର ମୂଲ୍ୟବୃଦ୍ଧି ଏବଂ ନୂତନ ଆର୍ଥିକ ସଂସ୍କାର ଆଣି ସରକାର ଜନଅସନ୍ତୋଷ ର ଶୀକାର ହେଇପାରନ୍ତି।ବିଦେଶୀ ପୁଂଜି ନିବେଶ ବୃଦ୍ଧି ପାଇ ନୂତନ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରେ।

ଫେବୃୟାରୀ ମାସରେ ଶନି,ବୃହସ୍ପତି, ଶୁକ୍ର,ବୁଧ,ରବି, ମକର ରାଶିରେ ବିଲକ୍ଷଣ ପଂଚଗ୍ରହ କୁଟ ଦେଶ ତଥା ରାଜ୍ୟ ଲାଗି ଆଦୌ ଶୁଭଙ୍କର ନୁହେଁ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ବୃଷ ରାଶିରେ ରାହୁ ଦେଶ ପାଇଁ ଏଯାବତ ଶୁଭଦାୟୀ ହୋଇପାରିନାହିଁ।ବୃଷ ରାଶିରେ ରାହୁ ଗୋଚର ପ୍ରତ୍ୟେକ ୧୮ ବର୍ଷରେ କୌଣସି ବଡ଼ ସଂଙ୍କଟ ନେଇ ଆସିଥାଏ ଯଥା-୧୯୪୭ ରେ ଦେଶବିଭାଜନ,୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ,୧୯୮୪ରେ ଅପରେସନ ବ୍ଲୁଷ୍ଟାର ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଈନ୍ଦିରା ଗାନ୍ଧୀଙ୍କ ହତ୍ୟା,୨୦୦୨ ଗୁଜରାଟରେ ସଂଘଟିତ ସାମ୍ପ୍ରଦାୟିକ ଦଙ୍ଗା ସମୟରେ ବୃଷ ରାଶିରେ ରାହୁ ଗୋଚର ଚାଲୁଥିଲା ତେଣୁ ୨୦୨୧ଫେବୃଆରୀ ମଧ୍ୟଭାଗରୁ ସେପ୍ଟେମ୍ବର୨୦୨୧ ପର୍ଯ୍ୟନ୍ତ ରାହୁ ସମ୍ବେଦନଶୀଳ ରୋହିଣୀ ନକ୍ଷତ୍ରରେ ସଂଚାର କରିବେ ଯାହାକି ପଡୋଶୀ ଦେଶ ସହ ବିବାଦ ଚରମ ସୀମାରେ ପହଞ୍ଚିବା ସହ ରାଜ୍ୟ ତଥା ଦେଶରେ ଜନଆନ୍ଦୋଳନ ସହ ରାଜନୈତିକ ଅସ୍ଥିରତାର ସଂଙ୍କେତ ଦେଉଛି।

ଅପ୍ରେଲ ୫ତାରିଖରେ ବୃହସ୍ପତି ନିଜ ନୀଚ୍ଚ ରାଶି ମକରରୁ ରାତ୍ରୀ ଘ୧୨ମି୨୬ସମୟରେ କୁମ୍ଭରାଶିରେ ପ୍ରବେଶ କରିବେ ଯାହାକୁ ଜ୍ୟୋତିଷଶାସ୍ତ୍ର ରେ ‘ଅମୃତ କଳସ’ରାଶି କହନ୍ତି । କୁମ୍ଭ ରାଶିରେ ପ୍ରବେଶ କରୁକରୁ ସମଗ୍ର ବିଶ୍ବକୁ କରୋନା ଦାଉରୁ ଆଶ୍ବସ୍ଥି ଦେଇପାରନ୍ତି ତଥା ବିଗିଡି ଯାଇଥିବା ଅର୍ଥନୈତିକ ଅବସ୍ଥାରେ ସୁଧାର ଆସିପାରେ।ବୃଷସ୍ଥ ରାହୁ ଓ ମକରସ୍ଥ ଶନି ସୂଚନା ପ୍ରଯୁକ୍ତି ବିଦ୍ୟା ତଥା କୃଷି କ୍ଷେତ୍ରରେ ନୂତନ ସଂସ୍କାର ଆଣିପାରନ୍ତି।

ଇଂରାଜୀ ନୂତନ ବର୍ଷରେ ମଙ୍ଗଳ ମେଷରେ ଗୋଚର କରୁଛନ୍ତି ଏବଂ ହିନ୍ଦୁ ନବବର୍ଷ ୧୨ ଅପ୍ରେଲ ଚୈତ୍ର ଶୁକ୍ଳ ପ୍ରତିପଦାରେ ଆରମ୍ଭ ହେବ ଯାହାର ସ୍ବାମୀ ହେବେ ମଙ୍ଗଳ।ଭାରତର ପ୍ରସିଦ୍ଧ ଜ୍ୟୋତିଷ ବରାହମିହିରଙ୍କ ବୃହତସଂହିତା ଅନୁସାରେ ମଙ୍ଗଳ ଆଧିପତ୍ୟ ଥିବା ବର୍ଷରେ ଅଗ୍ନିକାଣ୍ଡ,ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସହ ସରକାରୀ ସ୍ତରରେ ଜନତା ପ୍ରତି କଠୋର ମନୋଭାବ ପୋଷଣ କରିବା ଦେଖାଯାଇଥାଏ ଯଦିଓ ଚିକିତ୍ସା କ୍ଷେତ୍ରରେ ଏବର୍ଷ କିଛିଟା ଆଖିଦୃଶିଆ ଆବିଷ୍କାର ସମସ୍ତଙ୍କୁ ଚମତ୍କୃତ କରିଦେଇପାରେ।

ଅତଏବ ଉପରୋକ୍ତ ଗ୍ରହାବସ୍ଥାନ ରୁ ଯାହା ଜଣାଯାଏ ଯଦିଓ ୨୦୨୦ ପରି ଫଳ ମିଳିବନି ତଥାପି ୨୦୨୧ ଆଶାନୁରୂପ ଶୁଭଫଳ ଆଣିନପାରେ ବା କରୋନା ଦାଉରୁ ଉଧୁରି ପାରିନଥିବା ଜନମାନସରେ ସଂପୂର୍ଣ୍ଣ ସନ୍ତୋଷ ଭରିଦେଇ ନପାରେ।

                                                          ସରୋଜିନୀ ମହାପାତ୍ର ଦାଶ

                                                               ଲିଙ୍ଗିପୁର,ଶିଶୁପାଳଗଡ

                                          ଭୁବନେଶ୍ୱର-୨

0
0
0
s2sdefault