ହେଡଲାଇନସ୍:

କେନ୍ଦୁଝରର ଅବହେଳିତ ଜନଜାତି     

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଶ୍ରୀ ଡମ୍ବରୁଧର ଘଣା

ଜନଜାତି କହିଲେ ଏକ ଭାଷା, ଏକ ପରିଚୟ,ଏକ ସଂସ୍କୃତି , ସମାନ ଧାର୍ମିକ ବିଶ୍ଵାସ, ସମାନ ରୋଜଗାର ପନ୍ଥା , ସମାନ ସାମାଜିକ ନୀତି, ନିଜି ଶିକ୍ଷାପଦ୍ଧତିକୁ ନେଇ ଆଦିମକାଳରୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ବାସକରି ଆସୁଥିବା ଗୋଷ୍ଠୀକୁ ବୁଝାଇଥାଏ । ଭାରତ ବର୍ଷର ପ୍ରାୟ ସବୁ ରାଜ୍ୟରେ ଜନଜାତି ବାସକରୁଥିବାର ଦେଖାଯା’ନ୍ତି । ସାରା ଭାରତ ବର୍ଷରେ ୫୫୦ ପ୍ରଜାତିର  ଜନଜାତି ଅଛନ୍ତି ।  ଏଥିମଧ୍ୟରୁ ୭୫ ପ୍ରକାର ଜନଜାତିକୁ ବିପଦ ସଙ୍କୁଳ ଅବସ୍ଥାରେ ( ପି.ଭି.ଟି.ଜି ) ଥିବାର ଚିହ୍ନଟ କରାଯାଇଛି ।  ୨୦୧୧ ଜନଗଣନା ଅନୁସାରେ ଏମାନଙ୍କ ସଂଖ୍ୟା ଦେଶ ଜନସଂଖ୍ୟାର ୮.୬୧ ଶତକଡା । ଏମାନେ ଦେଶର ପାଖାପାଖି ୧୫ ଶତକଡା ଅଞ୍ଚଳରେ ବାସକରନ୍ତି । ଦେଶ ସ୍ଵାଧୀନ ହେଲାବେଳକୁ ଏମାନଙ୍କ ଜୀବନଧାରଣ ମାନରେ କ୍ରମାନ୍ଵୟରେ ଘଟୁଥିବା ଅବନ୍ନତିକୁ  ଦୃଷ୍ଟିରେ ରଖି,  ଏମାନଙ୍କର ସାମଗ୍ରିକ  ବିକାଶପାଇଁ ସମ୍ବିଧାନର ୪୬ ଧାରାରେ ପ୍ରାବଧାନ ରଖାଗଲା। ଏମାନଙ୍କ ଶିକ୍ଷା , ସାମାଜିକ ଓ ଆର୍ଥିକ ମାନରେ ଯେପରି ଉନ୍ନତିହୁଏ, ସେଥିପ୍ରତି  ରାଜ୍ୟ ସରକାରମାନେ ସମସ୍ତ ଉଦ୍ୟମ କରିବେ ବୋଲି କୁହାଗଲା ।  ସ୍ଵତନ୍ତ୍ର ମନ୍ତ୍ରଳାଳୟ , ବିଭାଗ , ଆୟୋଗ  ଓ ବିଭିନ୍ନ ଯୋଜନା ସାଙ୍ଗକୁ ନିର୍ଯାତନା ଓ ଶୋଷଣରୁ ରକ୍ଷାପାଇଁ ନିୟମ ପ୍ରଣୟନ କରାଗଲା। ଖାଲି ସେତିକିନୁହେଁ, ଓଡିଶା, ଅବିଭକ୍ତ ବିହାର ଏବଂ ଅବିଭକ୍ତ ମଧ୍ୟପ୍ରଦେଶ ପରି ରାଜ୍ୟରେ  ଏମାନଙ୍କ କଲ୍ୟାଣ ପାଇଁ ଜଣେ ସ୍ଵତନ୍ତ୍ର ମନ୍ତ୍ରୀ ରହିବେ ବୋଲି ସମ୍ବିଧାନର ୧୬୪ ଧାରାରେ କୁହାଗଲା ।  ସ୍ଵାଧିନତାର ୭୩ ବର୍ଷ ପରେ ଏମାନଙ୍କର ବାସ୍ତବିକ କି କଲ୍ୟାଣ କରାଯାଇ ପାରିଛି , ତା’ର ଏକ ସମୀକ୍ଷାର ଆବଶ୍ୟକତା ଅଛି।  

         କେନ୍ଦୁଝର ରାଜ୍ୟର ତୃତୀୟ ବୃହତ୍ତମ ଆଦିବାସୀ ବହୁଳ ଜିଲ୍ଲା । ପ୍ରଥମ ମୟୂରଭଞ୍ଜ ଓ ଦ୍ଵିତୀୟ ସୁନ୍ଦରଗଡ । ରାଜ୍ୟର ୮.୫ ଶତକଡା ଜନଜାତି ଯାହାକି  ଜିଲ୍ଲା ଜନସଂଖ୍ୟାର ୪୫.୪ ଶତକଡା ଏଠାରେ ବାସକରନ୍ତି । ଜିଲ୍ଲାର ୧୩ଟି ଯାକ ବ୍ଲକର  ଏମାନେ ବାସିନ୍ଦା । ବାଂଶପାଳ ବ୍ଲକରେ ସର୍ବାଧିକ ଆଦିବାସୀ ବାସକରୁଥିବା ବେଳେ, ହାଟଡ଼ିହି ବ୍ଲକରେ ସବୁଠାରୁ କମ ସଂଖ୍ୟାରେ  ବାସକରନ୍ତି।  ରାଜ୍ୟରେ ବାସକରୁଥିବା  ୬୨ ପ୍ରକାର ଜନଜାତି ମଧ୍ୟରୁ କେନ୍ଦୁଝରରେ ବଗତା, ବାଇଗ , ବଞ୍ଜାରା, ବାଥୁଡି, ଭୂୟାଁ , ପାଉଡିଭୂୟାଁ,  ଭୂମିଜ ,  ଭୁଞ୍ଜିଆ , ବିଂଝାଲ , ଧାରୁଆ , ଦିଦାଇ , ଗୋଣ୍ଡ , ହୋ , ଜୁଆଙ୍ଗ , କନ୍ଧ, କନୱାର, ଖରିଆ, କିଶାନ, କୋଲ୍ହ , କୋଲି, କୋରା, କୋଟିଆ , କୋୟା, ଲୋଧା, ମଦିଆ, ମାହାଲି, ମାଙ୍କିର୍ଡିଆ , ମାଟିଆ , ମୁଣ୍ଡା, ମୁଣ୍ଡାରୀ , ଓରାଓଁ , ପରେଙ୍ଗା , ପରୋଜା, ସାନ୍ତାଳ , ଶବର , ସାଉନ୍ତି  ପ୍ରଭୃତି ୫୧ ପ୍ରକାର ଜନଜାତି ଦେଖାଯା’ନ୍ତି। ଏଥିମଧ୍ୟରେ  ଜୁଆଙ୍ଗ ଏବଂ ପାଉଡିଭୂୟାଁ ପରି ଦୁଇଟି ପି.ଭି.ଟି.ଜି ଅଛନ୍ତି । ଏମାନଙ୍କ ଭିତରୁ ବାଇଗ , ବଞ୍ଜାରା, ଭୁଞ୍ଜିଆ, ଧାରୁଆ, କୋୟା, ମଦିଆ, ପରୋଜା, ପରେଙ୍ଗା ପ୍ରଭୃତି  କେତେକଙ୍କ ସଂଖ୍ୟା କ୍ରମଶ କମିବାରେ ଲାଗିଛି। ଏମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥାର ଆବଶ୍ୟକତା ଅଛି । କିନ୍ତୁ କରାଯାଉ ନ।ହିଁ ।                  

    ଗୋନାସିକାରେ ୧୯୭୯ରୁ ଜୁଆଙ୍ଗ ଉନ୍ନୟନ ସଂସ୍ଥା ଗଠନହେଲା । ଏହାର କାର୍ଯ୍ୟକ୍ଷେତ୍ର ବାଂଶପାଳ ବ୍ଲକର ମାତ୍ର ଛଅଟି ପଞ୍ଚାଯତ ଓ ୩୫ଟି ଗାଁ/ପଡାରେ ସୀମିତ ରହିଲା ।  ଜିଲ୍ଲାର ଅନ୍ୟ ଅଞ୍ଚଳରେ ସମାନ ସାମାଜିକ ଓ ଆର୍ଥିକ ସ୍ଥିତିରେ ଥିବା ଅନ୍ୟୁନ କୋଡିଏ- ବାଇଶି ହଜାର  ଜୁଆଙ୍ଗଙ୍କୁ ନିଜ ଢଙ୍ଗରେ ବଞ୍ଚିବାକୁ ଛାଡିଦିଆଗଲା । କେହି କେବେ ସେମାନଙ୍କ ପାଇଁ ସ୍ଵତନ୍ତ୍ରସୁବିଧା ଦାବିକଲେନ।ହିଁ। ଏବେମଧ୍ୟ ଏମାନଙ୍କ ଜୀବନଶୈଳୀରେ ସେପରିକୌଣସି ପରିବର୍ତ୍ତନ ଆସିନାହିଁ । ସରକାର ଦୀର୍ଘ ଚାଳିଶବର୍ଷ ପରେ ଜିଲ୍ଲାର ବ୍ଲକ, ଅଞ୍ଚଳ ନିର୍ବିଶେଶରେ  ଜୁଆଙ୍ଗ ସମୁଦାୟକୁ ଏବେ ଜୁଆଙ୍ଗ ଉନ୍ନୟନ ସଂସ୍ଥାରେ ସାମିଲ କରିଛନ୍ତି।   

     ଅନ୍ୟଜିଲ୍ଲାର ପାଉଡିଭୂୟାଁର ବିକାଶପାଇଁ ୧୯୭୯-୮୦ରେ ସ୍ଵତନ୍ତ୍ର ଉନ୍ନୟନ ସଂସ୍ଥା ଗଠନ ହୋଇଥିବାବେଳେ, ବାଂଶପାଳବ୍ଲକରେ ପାଉଡିଭୂୟାଁ ରହୁଥିବା ଖବର ସରକାରଙ୍କ ନିକଟରେ ନଥିଲା । ଦୀର୍ଘବର୍ଷ ଧରି କୌଣସି ସାଂସଦ , ଆଦିବାସୀ ବିଧାୟକ ଏ ପ୍ରସଙ୍ଗ ସରକାରଙ୍କ ନିକଟରେ ରଖିନାହାନ୍ତି । ୨୦୧୧ମସିହାରେ ସର୍ବପ୍ରଥମେ ତତ୍କାଳୀନ ସଦର ବିଧାୟକ ଇଂ ସୁବର୍ଣ୍ଣ ନାଏକ ବିଧାନ ସଭାରେ ଏ ପ୍ରସଙ୍ଗ ସରକାରଙ୍କ ଦୃଷ୍ଟିକୁ ଆଣିଲେ । ଚିଠି ଲେଖାଗଲା । ସର୍ବେକ୍ଷଣ ଆରମ୍ଭହେଲା । ଶେଷରେ ଚଳିତବର୍ଷ ସରକାର ଜିଲ୍ଲାର ପାଉଡିଭୂୟାଁକୁ ପି.ଭି.ଟି.ଜିର ମାନ୍ୟତା ଦେଇ, ସେମାନଙ୍କ କଲ୍ୟାଣ ପାଇଁ ଏକ ଉନ୍ନୟନ ସଂସ୍ଥା ଗଠନକଲେ । ଆମ ନେତାଙ୍କ ଉଦାସୀନତା ଓ ଦାୟିତ୍ଵହିନତା ପାଇଁ ଗୋଟିଏ ଜନଜାତି ଚାଳିଶ ବର୍ଷଧରି କିଛି ସ୍ଵତନ୍ତ୍ର ସୁବିଧାରୁ ବଞ୍ଚିତହେଲା । ସେଦିନ ଏ ଦାବି ହୋଇଥିଲେ, ଏ ଜାତିର କିଛିତ ଉନ୍ନତି ହୋଇପାରିଥା’ନ୍ତା । ଦୁଖର କଥା । 

         ଏମାନଙ୍କ ମଧ୍ୟରୁ ଅଳ୍ପ କେତେକ ସରକାରୀ ଚାକିରୀ, ବ୍ୟବସାୟ କରି ଜୀବନ ବଞ୍ଚୁଥିବା ବେଳେ , ଅଧିକାଂଶ ଲୋକ ପୂର୍ବପରି କୌଳିକବୃତ୍ତି ଏବଂ କୃଷିକ୍ଷେତ୍ର,  ଠିକାଦାର , କାରଖାନା , ଖଣିଖାଦାନ, ଦୋକାନ ବଜାରରେ କାମକରି ପେଟ ପୋଷନ୍ତି ।  କେତେକ କାଠ-ପତ୍ର, ଲାଖ, ଝୁଣା , ଶାଳମଞ୍ଜି , କେନ୍ଦୁପତ୍ର , ମହୁଲ , ପ୍ରଭୃତି  ଲଘୁ ଜଙ୍ଗଲଜାତ ଦ୍ରବ୍ୟ ବିକ୍ରିକରି ଗୁଜୁରାଣ ମେଣ୍ଟାନ୍ତି । ପ୍ରାୟଲୋକ  ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ଜିଲ୍ଲା ଓ ରାଜ୍ୟର ହାରାହାରି ସାକ୍ଷରତାହାର ଠାରୁ ଏମାନଙ୍କ ସାକ୍ଷରତା ହାର ସର୍ବଦା କମ ରହୁଥିବାବେଳେ, ଅଧାରୁ ପାଠ ଛାଡୁଥିବା ଛାତ୍ର-ଛାତ୍ରୀଙ୍କ ସଂଖ୍ୟା ଉଦବେଗ ଜନକ।  ଆଜିର ଆଧୁନିକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏମାନଙ୍କୁ  ଏବେବି ସଚେତନ କରାଯାଇ ପାରିଲା ନ।ହିଁ । ଏବେବି ଚେରମୂଳି, ଗୁଣୀ - ଗାରେଡି, ଟୁଟକାରେ ଏମାନେ ବିଶ୍ୱାସ ରଖନ୍ତି । ଶିଶୁ ମୃତ୍ୟୁ ହାର ହେଉ, କିମ୍ବା ମାତୃ ମୃତ୍ୟୁ ହାର ହେଉ , ତାହା ମଧ୍ୟ ଉଦବେଗ ଜନକ।    

        ଜିଲ୍ଲାର ସାଂସଦ ସାଙ୍ଗକୁ ଅର୍ଦ୍ଧାଧିକ ବିଧାୟକ ଆଦିବାସୀ ସମ୍ପ୍ରଦାୟର। ଏ ସମ୍ପ୍ରଦାୟର ବିଧାୟକ ଅତୀତରେ ମନ୍ତ୍ରୀ ଥିଲେ ଓ ଏବେମଧ୍ୟ ଅଛନ୍ତି । ୧୯୯୦ରେ ଜଣେ ଆଦିବସୀନେତାଙ୍କୁ ଆଦିବସୀ କଲ୍ୟାଣ ବିଭାଗ ମିଳିଥିଲା । ୧୩ଟି ବ୍ଲକରୁ ୧୦ଟି ବ୍ଲକକୁ ଟି.ଏସ.ପି.ଘୋଷଣା କରାଯାଇଛି । ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଗଠନ କରାଯାଇଛି । ଖାସକରି ଏମାନଙ୍କ ବିକାଶ ପାଇଁ ଯୋଜନା ପରେ ଯୋଜନା ତିଆରି କରାଗଲା । ଅତ୍ୟାଚାର ଓ ଶୋଷଣରୁ ରକ୍ଷାପାଇଁ ଆଇନ ପ୍ରଣୟନ କରାଗଲା । ତଥାପି ତା’ଙ୍କ ଜୀବନ ଶୈଳିରେ ସେପରି କୌଣସି ଦୃଷ୍ଟାନ୍ତ ମୂଳକ ପରିବର୍ତ୍ତନ ଆସିଥିବା ମନେହୁଏ ନ।ହିଁ । ଏମାନଙ୍କ କଥା ଆସିଲେ, ଏକ ଅବହେଳିତ , ଅନଗ୍ରସରର  ଚିତ୍ର ସାମନାକୁ ଆସେ । ଏମାନଙ୍କ ଜଗତରେ ସବୁ କିଛି ନ।ହିଁ ଏବଂ ନ।ହିଁ । ନିଜ ଭାଷା , କଳା, ସଂସ୍କୃତି , ଲୋକଗୀତ , ଲୋକନାଚରେ ସମୃଦ୍ଧ ଏହି ଜନଜାତି, ତା’ର ସର୍ବନିମ୍ନ ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ  ବାସଗୃହ ଏବଂ ସବୁଦିନିଆ ରାସ୍ତା, ପିଇବାପାଣି, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପଛରେ ପଡିଛନ୍ତି । ଆଦିବାସୀ ରୋଗୀ ବା ଗର୍ଭିଣୀ ମା’ଟିଏ  ଆଜିବି ଭାରରେ ବୁହାହୋଇ ଆସୁଛି  ଡାକ୍ତରଖାନାକୁ। ‘ଚାଉଳ କିଲୋପ୍ରତି ଏକ ଟଙ୍କା’ ର ଯୋଜନା ଏବଂ ‘ମଧୁବାବୁ ପେନ୍ସନ ଯୋଜନା’ ପୂର୍ବରୁ ଏପରି ସମୟଥିଲା, ବଣ ପାହାଡରେ ରହୁଥିବା ଅନେକ ଆଦିବାସୀ ଲୋକ ବର୍ଷସାରା ମୁଠାଏ ଭାତ ଖାଇବାକୁ ପାଉନଥିଲେ । ମକା , ମାଣ୍ଡିଆ, କାଙ୍ଗୁ, ପଣସ, କନ୍ଦା, ଖମ୍ବଆଳୁ, ପିତାଆଳୁ, ସିଝାକୋଳଥ ଖାଇ ଦିନକାଟୁଥିଲେ । ଏମାନଙ୍କ  ଜୀବିକା, ଶିକ୍ଷା , ସ୍ୱାସ୍ଥ୍ୟ ଯେପରି ଥିଲା ସେପରି ରହିଛି । ଆଦିବସୀନେତା ଆଦିବାସୀଙ୍କ ପାଇଁ କାମ ନକରିବା ସବୁଠାରୁ ବଡ ବିଡମ୍ବନା । ସମସ୍ତଙ୍କୁ ଶିକ୍ଷା , ସମସ୍ତଙ୍କୁ ସ୍ୱାସ୍ଥ୍ୟ , ସମସ୍ତଙ୍କୁ ବାସଗୃହ , ସବୁଗାଁକୁ ବିଜୁଳି , ସବୁଗାଁକୁ ପିଇବାପାଣି, ସବୁଗାଁକୁ ସଡକ , ସବୁହାତକୁ କାମ ଏମାନଙ୍କ ପାଇଁ ଏବେମଧ୍ୟ ଅପହଞ୍ଚ । 

       ସମୟତ ଅତିମାତ୍ରାରେ ଗଡିଯାଇଛି । ଏମାନଙ୍କୁ ସ୍ଵାଧିନତାର ସାତଦଶନ୍ଧି ପରେମଧ୍ୟ ସମାଜର ମୁଖ୍ୟସ୍ରୋତକୁ ଅଣାଯାଇପାରିଲା ନ।ହିଁ । ଜିଲ୍ଲା ଜନସଂଖ୍ୟାର ଅର୍ଦ୍ଧେକ ସବୁଦିଗରୁ ପଛରେ ପଡିରହିଲେ । ଏହାକୁ ଅବହେଳା ବଦଳରେ ପାପ କୁହାଯାଇ ପାରିବ । ଆଉ ଅଧିକ ପାପ ନକରି ଏବେ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନିଆଯାଉ ଯେପରି ପ୍ରତ୍ୟେକ ଗାଁ / ପଡାକୁ  ପ୍ରାଥମିକ ଶିକ୍ଷା , ସବୁଦିନିଆ ରାସ୍ତା , ପିଇବାପାଣି, ବିଜୁଳି ,  ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା, ଶୌଚାଳୟ ପହଞ୍ଚିପାରିବ ଏବଂ ଖୋଜି ଖୋଜି ଛାତ୍ର-ଛାତ୍ରୀଙ୍କୁ ଚିହ୍ନଟ କରି ବୈଷୟିକ ଶିକ୍ଷା ଓ  ଉଚ୍ଚ ଶିକ୍ଷା ଦେବାକୁ ପ୍ରୟାସ କରାଯାଉ, ଯେପରି ସେମାନେ ସ୍ଥାୟୀ ରୋଜଗାରର ରାହା ପାଇପାରିବେ । ସବୁ ଟି.ଏସ.ପି ବ୍ଲକରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ଗଠନ କରାଯାଉ ଓ ତା’ର ପରିସୀମାକୁ ନିର୍ମାଣ ଭିତରେ ସୀମିତ ନରଖି , ଆଦିବାସୀମାନେ କିପରି  ସ୍ଥାୟୀ ଜୀବିକା ପାଇପାରିବେ ସେଥିପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଯାଉ । 

                                                                                                                                                                                                 ଭୁବନେଶ୍ୱର

ଫୋ:  ୯୪୩୯୪୯୨୬୭୨

0
0
0
s2sdefault