ହେଡଲାଇନସ୍:

କ୍ରୁଶବିଦ୍ଧ କୃଷି ସଂସ୍କୃତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାୟାଧର ନାୟକ

କୃଷି ହିଁ କୃଷ୍ଟି । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ ଦ୍ରାବିଡମାନଙ୍କ ସହିତ ସାମିଲ ହୋଇଗଲେ ଏକ ମହାଭାରତୀୟ ଜନସ୍ରୋତରେ । ଚାରଣ କ୍ଷେତ୍ରରୁ କୃଷିକ୍ଷେତ୍ର – ସଭ୍ୟତାରୁ ସଂସ୍କୃତି – ଏଇଠି ଭାରତ ହେଲା ଆଗାମୀ ମାନବସଭ୍ୟତାର ଏନ୍ତୁଡିଶାଳ । ଚୀନ୍ ଓ ଜାପାନ୍ ମଧ୍ୟ ଏଇ କୃଷିକୁ କେନ୍ଦ୍ରବିନ୍ଦୁ କରି କୃଷ୍ଟି ଚରନା କଲେ । ଏସିଆ ମହାଦେଶର ଏଇ ଏନ୍ତୁଡିଶାଳକୁ ଅନ୍ୟ ମହାଦେଶୀୟ, ବିଦେଶୀୟ ବଣିକତନ୍ତ୍ରର ବିତବୁଭୁକ୍ଷୁ ଶିଳ୍ପସଂସ୍ଥାନଗୁଡିକ ଆଜି କିନ୍ତୁ ମଶାଣିପଦା କରିବା ମତଲବରେ ବ୍ୟସ୍ତ । ଆମର ଦେଶୀ ଶିଳ୍ପର ସୌଦାଗରମାନେ ମଧ୍ୟ ସେମାନଙ୍କ ମାୟାରେ ବାୟା – ମଣିଷ ଓ ମୂଲ୍ୟବୋଧ ଉପରୁ ଆଖି ଫେରାଇ ସେମାନେ ମୁନାଫା ଓ ମୂଲ୍ୟ ଉପରେ ଲାଖ ବିନ୍ଧୁଛନ୍ତି ।

ସମୟ ଥିଲା, ଏତେ କଳକାରଖାନା କି ଯନ୍ତ୍ରଶିଳ୍ପ ନ ଥିଲା – ଥିଲା କେବଳ କୌଳିକ କର୍ମଆଧାରିତ କୁଟୀରଶିଳ୍ପ । ଲୋକେ ସେତେବେଳେ ମଣିଷ ଥିଲେ । ମାଟିକୁ ମା’ ମଣି ଚାଷକରି ଖାଦ୍ୟ ଉତ୍ପାଦନ କରି ବଂଚୁଥିଲେ । ଶିଳ୍ପବିପ୍ଲବ ପରେ କୃଷି ଧୀରେ ଧୀରେ କ୍ଷୟିଷ୍ଣୁ ହେବାକୁ ଆରମ୍ଭ କଲା । ଯନ୍ତ୍ର ସାହାଯ୍ୟରେ କୃତ୍ରିମ ଉପାୟରେ ଖାଦ୍ୟ ଉତ୍ପାଦନ ହେଲା । କୃଷିକ୍ଷେତ୍ରରେ ନିଯୁକ୍ତ ଶ୍ରମଜୀବୀମାନେ ବାଧ୍ୟ ହୋଇ ଶିଳ୍ପକ୍ଷେତ୍ରରେ ନିଯୁକ୍ତିପ୍ରାପ୍ତି ପାଇଁ ସହରାଭିମୁଖୀ ହେଲେ । ଗାଁ ହେଲା ଖାଁ ଖାଁ । ହୁଡା, ହିଡ, ହାଡର ହାହାକାର ଆଉ ହା’ ଅନ୍ନର ଆର୍ତନାଦରେ ହଜିଗଲା ସରଳ ସବୁଜ ସ୍ୱପ୍ନ – ସ୍ୱଚ୍ଛନ୍ଦ, ସ୍ୱତଃସ୍ପୂର୍ତ ଜୀବନ ।

ଧୀରେ ଧୀରେ ଦେଶୀବିହନ, ଜୈବିକସାର ଲୋପପାଇ ବିଦେଶୀ ବିହନ, ବିଦେଶୀ ସାର ପ୍ରବେଶ କଲା । ସବୁଜ ବିପ୍ଲବର ମେଢ ଦେଖାଇ ଦିଆଗଲା । ଅଧିକ ଅମଳ ପାଇଁ କୀଟନାଶକ, ବିଷାକ୍ତ ସାର ଜମିରେ ପ୍ରୟୋଗ କରାଗଲା – ମାଟି ହରାଇବସିଲା ନିଜର ମହଜୁଦ ଉର୍ବରତା । ଫସଲ ହେଲା ବିଷାକ୍ତ । ଏତେ ରୋଗ ନ ଥିଲା – ବିଷାକ୍ତ ଖାଦ୍ୟ ଖାଇ ଲୋକେ ରୋଗାକ୍ରାନ୍ତ ହେଲେ, ଏଣେ ଲୋକଜୀବନ ଓ ଲୋକସଂସ୍କୃତିର ଲୋକସାନି କରାଇ ତେଣେ ଦେଶୀବିଦେଶୀ କମ୍ପାନୀମାନେ କୋଟି କୋଟି ଟଙ୍କା ଲାଭ କଲେ । କୃଷିଭିତିକ ସଂସ୍କୃତିର ମେରୁହାଡ ଦୋହଲିଗଲା – ମାନସିକତା ଭାଙ୍ଗିଗଲା । କୃଷକ ହେଲା କରାଳ କ୍ଲେଶର କଂଟକରେ କ୍ରୁଶବିଦ୍ଧ ।

ଆଜି ଅସଲ ଚାଷୀ କାନ୍ଦୁଛି ଫୁଙ୍ଗୁଳା ଫଟାଭୂଇଁରେ ଆଉ ଶୁନଶାନ୍ କ୍ଷେତରେ । ଉପରେ ଧୂମଛାୟାଚ୍ଛନ୍ନ ଆକାଶ, ତଳେ ଚୁଲିନାହିଁ କି ଚାଳ ନାହିଁ – ଚାଷୀ ବସିଛି ବାଟ ଚାହିଁ । ନକଲି ଚିନାବାଦାମ, ଧାନ ଓ ଗହମ, ମକା, ସୂର୍ଯ୍ୟମୁଖୀ, ହଳଦୀ, ଅଦା, ସୋରିଷ, ବିରି, ମୁଗ – ବିହନ ଦୁର୍ନୀତିରୁ ଆରମ୍ଭ କରି ଅଭାବୀ ଧାନର ବିକ୍ରି ପର୍ଯ୍ୟନ୍ତ ସରକାରୀ ମହାଦୁର୍ନୀତିର ନାଗଫାଶରେ ଓଡିଶା ଚାଷୀର ଭବିଷ୍ୟତ ନୟାନ୍ତଭାବରେ ଅଣନିଃଶ୍ୱାସୀ । କମଳାରଙ୍ଗର ଗ୍ରହ ଆମର ଏ ପୃଥିବୀରେ ଚାଷୀର ଜୀବନ ଆଜି କାମଳଗ୍ରସ୍ତ । ଶୀତଳ ଭଣ୍ଡାରରେ ଶସ୍ୟ ସଂରକ୍ଷଣ ବେଳେ ବିଚରା ଅରକ୍ଷିତ ଚାଷୀର ଜୀବନ ଗ୍ୟାସ୍ ଚାମ୍ବରରେ ।

ମଣ୍ଡି ଖୋଲୁନି, ବିହନ ଯୋଗାଣରେ ହେରଫେର, ଫସଲବୀମା କ୍ଷତି ପୂରଣ ପାଇବାରୁ ବଂଚିତ, ଜଳସେଚନର ଅଭାବ, ପ୍ରାକୃତିକ ବିପର୍ଯ୍ୟୟ ପ୍ରମୁଖ ବିଷୟବସ୍ତୁ ଉପରେ ବାସ୍ତବ ଜ୍ଞାନ ଅଭାବରୁ ଜନପ୍ରତିନିଧିମାନେ ମୂଳସମସ୍ୟାର ସମାଧାନ ସୂତ୍ର ବାହାର କରିପାରୁନାହାଁନ୍ତି । ଏପର୍ଯ୍ୟନ୍ତ ସରକାର ମଧ୍ୟ ଆଦର୍ଶ କୃଷିନୀତିଟିଏ ପ୍ରଣୟନ କରିପାରିଲେ ନାହିଁ ।

ଗରିବମାନଙ୍କ ଗଡଜାତ, ଗାଉଁଲୀମାନଙ୍କ ଗାଆଁ, ମୁର୍ଖମାନଙ୍କ ମଫସଲ, ମୂଢମାନଙ୍କ ମୋଗଲବନ୍ଦି, ଜନଜାତିମାନଙ୍କ ଜଙ୍ଗଲ ଜମିକୁ ନେଇ ସମୁଦ୍ରଠାରୁ ପାହାଡ ପର୍ଯ୍ୟନ୍ତ ପ୍ରସାରିତ ଏକ ପ୍ରବଂଚିତ ପ୍ରକୃତିପ୍ରତିମା ଏ ଓଡିଶାଭୂଇଁ । କେନ୍ଦୁପତ୍ରଠୁ କୁନ୍ଦପୁଷ୍ପଯାଏଁ, ତାଳବଣେଇଠୁ ଶାଳବଣଯାଏଁ, ଘାଟଘେରିଠୁ ଘାଟିମୁଲକଯାଏଁ ବାଟିବାଟି ବିଲବାସ୍ନାର ବିହ୍ୱଳ ଭୂଚିତ୍ରଟିଏ ଏ ଓଡିଶା । ଏଠି ଖଣି ଅଛି, ମଣି ଅଛି, କ୍ଷେତ ଅଛି, ନେତ ଅଛି, ନଦୀ ଅଛି, ବେଦୀ ଅଛି, ମଠ ଅଛି, ପୀଠ ଅଛି, ମୂର୍ତି ଅଛି, କୀର୍ତି ଅଛି - ନାହିଁ କ’ଣ? ନାହିଁ ଖାଲି ମନ । ଓଡିଶାକୁ ଓଡିଆମାନଙ୍କର ବୁକୁଭରି ଭଲପାଇବାର ଭରପୁର ମନ ।

ଓଡିଶାକୁ ମହାଜନମାନେ ଏବେବି ଅଣ୍ଡାଳି ଚାଲିଛନ୍ତି ଖାତକର ଖତଗଦାରେ । ବେଠି-ବେକାରି-ବେରୋଜଗାରିରେ ବେଦମ୍ ଏ ବାଦାମୀ ଭୂଇଁ । ଝଡି-ବଢି-ମରୁଡିରେ ଝୋଲାମେରା ଏ ଖୋଲାମାଟି । ବନ୍ଧ ନାହିଁ, ବାଡ ନାହିଁ - ନଈନାଳର ଏ ନୁଆଣିଆ ନୈରାଜ୍ୟରେ । କେନ୍ଦ୍ରର କବାଟ ସାମ୍ନାରେ କରୁଣ କେନ୍ଦରା ବଜାଉଥିବା ନାଥଯୋଗୀର ଅନାଥ ଅନ୍ତଃସ୍ୱର ପରି ମନେହୁଏ ଆମର ରାଜନୀତିକ ‘ରୁଦାଲି’ ମାନଙ୍କର ବାହୁନାସବୁ । ଆମର ଏ ଅନ୍ନପୂର୍ଣ୍ଣା ମାଆ ଓଡିଶାମାଟି ୧୪୭ ବିଧାୟକଙ୍କ ସୌଖିନ ଡ୍ରଇଂରୁମର କାନ୍ଥରେ କ’ଣ କେବଳ ଫିମ୍ପିମରା ପଟ୍ଟଚିତ୍ର? ମହାପାତ୍ରମାନଙ୍କ ମାର୍ବଲ ମହଲଗୁଡାକରେ ଟଙ୍ଗାହୋଇ ଜଳକା ଜନତାର ଆଖିଆଗେ ଝୁଲିରହିଥିବା ମୌନ ମାନଚିତ୍ର? ଭୋକର ଭୂ-ଚିତ୍ର?

ଖଣିଜ ସଂପଦକୁ ସଫଳ ପରିଚାଳନା କଲେ ଆମ ଓଡିଶା ଯେଭଳି ଏକନମ୍ବର ଧନୀ ରାଜ୍ୟରେ ପରିଣତ ହୁଅନ୍ତା, ସେଇଭଳି ଆମ ଫଟାଭୂଇଁରେ ପାଣିଢାଳିଲେ, ଚାଷ ଓ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେଲେ - ନିଶ୍ଚିତ ଏକନମ୍ବର ସ୍ୱାବଲମ୍ବୀ ରାଜ୍ୟ ହୋଇପାରନ୍ତା । ଏ ସବୁ କରିନପାରିଲେ, ଚାଷ ଉଜୁଡିଗଲେ, ଚାଷଜମି ଜୋରଜବରଦସ୍ତ ବନ୍ଧୁକମୂନରେ ଦଖଲ କରି ମାଳମାଳ କାରଖାନା ଗଢିତୋଳିଲେ କେବଳ କେଇଖଣ୍ଡି କୁଟୀର ଥିବ; କିନ୍ତୁ ନଥିବ କୁଟୀରଶିଳ୍ପ । ବିସ୍ଥାପିତବର୍ଗ ଥିବେ, ମାତ୍ର ନ ଥିବେ ଶ୍ରମ-ସଂସ୍କୃତିର କର୍ମକୁଶଳୀ ସ୍ଥାପୟିତାବର୍ଗ ।

ଏବେ କଳକାରଖାନାଗୁଡିକରେ ଛଟେଇର ଛାଟମାଡ ସାଙ୍ଗକୁ ଶିଳ୍ପରେ ମାନ୍ଦାବସ୍ଥା ଭୟଙ୍କର ଭାବେ ଦେଖାଦେଇଥିବାରୁ ପୁରା ସହରାଭିମୁଖୀ ଶ୍ରମଜୀବୀ କୃଷିକାର୍ଯ୍ୟକୁ ଆପଣାଇ ନେବା ହଠାତ୍ ସମ୍ଭବ ନୁହେଁ । ତେବେ ବଂଚିବା ପାଇଁ ପରିସ୍ଥିତିକୁ ଆପଣେଇ ନେଇ ସରକାରଙ୍କୁ ବାଧ୍ୟ କରିବାକୁ ହେବ ରାଜକୋଷରୁ ଆଖିବୁଜା ଅର୍ଥ ମୁକୁଳାଇ କୃଷିଜଳସେଚନରେ ଖର୍ଚ୍ଚ କର । ନୂଆ କେନାଲ ଖୋଳ, ପୁରୁଣା କେନାଲ, ପୋତିହୋଇ ଯାଇଥିବା ନଦୀନାଳକୁ ସଜାଡ । ଜଳସେଚନ ହେଲେ ଟାଙ୍ଗରାଭୂଇଁ ସବୁଜ ହୋଇଉଠିବ ପୁରି । ପର୍ଯ୍ୟାପ୍ତ ଖାଦ୍ୟ ଉତ୍ପାଦନ ହୋଇ ଅନ୍ତତଃ ଲୋକେ ଦି’ଓଳି ଦି’ମୁଠା ଖାଇବାକୁ ପାଇବେ ।

ଯଦି ଏକ ସୁସ୍ଥ ସମାଜର କେନ୍ଦ୍ରବିନ୍ଦୁ କୃଷକର କୃତିକୁ ନେଇ ସୃଷ୍ଟି କରାଯାଏ, ତା’ହେଲେ ସଭ୍ୟତା ଓ ସଂସ୍କୃତି ସୁରକ୍ଷିତ ରହିବା ଦିଗରେ କୌଣସି ଶ୍ରେଣୀଶତ୍ରୁର ସଇତାନି ସକ୍ରିୟ ହୋଇପାରିବ ନାହିଁ । କୃଷକମାନେ ମାଟିର ମଣିଷ କେବଳ ନୁହଁନ୍ତି, ସେମାନେ ସ୍ୱାଭାବିକ ଭାବେ ଜନସମାଜର ଜାଗ୍ରର ପ୍ରହରୀ ।

ଏହି ମହାଭାରତୀୟ ସନ୍ଦେଶରେ ଆମ ପାଇଁ ପ୍ରଚ୍ଛନ୍ନ ରହିଛି ସଂସ୍କୃତି ନିର୍ମାଣର ସୂକ୍ଷ୍ମସୂତ୍ର । କଳକାରଖାନାକୁ ଜମି ଯୋଗାଣ ନାଆଁରେ ଚାଷଜମିକୁ ଚଳୁ କରିନଦେଲେ, ଔଷଧୀୟ ବୃକ୍ଷଲତାର ବିରଳ ଭୂକ୍ଷେତ୍ରଗୁଡିକୁ ବଳି ନ ପକାଇ, ଧାନ-ପାନ-ମୀନର ମହାଧରିତ୍ରୀକୁ କମ୍ପାନୀ – କୁବେରମାନଙ୍କ ହାତକୁ ବଢାଇ ନ ଦେଇ ରାଷ୍ଟ୍ରଶାସକ ଶିଳ୍ପବିସ୍ତାର ନିମନ୍ତେ ଅନ୍ୟୋପାୟ ଅବଲମ୍ବନ କରନ୍ତୁ । ଚାଷ ନାଶ ନ ହେଉ – ଚାଷୀ ଛିନ୍ନବାସୀ ନ ହେଉ – ଦେଶକୁ ବିଦେଶରୁ ଅନ୍ନବସ୍ତ୍ର ଆମଦାନୀ କରିବାର ଲଜ୍ଜା ଓ ଲାଂଛନାର ଦୁର୍ଯୋଗ ଭୋଗିବାକୁ ନ ପଡୁ । ପରିବେଶ ପ୍ରଦୂଷିତ ହୋଇ ଦେଶବାସୀ ବ୍ୟାଧିତ ବିଭୀଷିକାର ବିଷାକ୍ତ ବାତାବରଣରେ ଅକାଳ ବାର୍ଦ୍ଧକ୍ୟଗ୍ରସ୍ତ ହୋଇ ନ ପଡନ୍ତୁ । ବିଦେଶରୁ ଆଗେ ଖାଦ୍ୟ ଆସିବା ସହିତ ପରେ ପଥ୍ୟ ବି ଆସିବ, ଇଏ ବି କଣ କମ୍ ଲାଂଛନା ! ବିଦେଶୀ କମ୍ପାନୀଗୁଡିକର ଔଷଧ କ୍ରୟ ପାଇଁ କଂକାଳସାର ଦେଶବାସୀ ଗରାଖ ଧାଡିରେ ଛିଡାହୋଇ ଅପେକ୍ଷା କରିବାର ଆସନ୍ନ ଅଭିଶାପରୁ ଦୂରରେ ରହନ୍ତୁ ।

ଆମେ କିନ୍ତୁ ଏବେ କେଉଁଠି? ଏ ଦେଶରେ ଦେଶୀ ବିହନ ଖୋଜନ୍ତୁ – କାଁ ଭାଁ କେଉଁଠି କେଉଁ ନାଁ - ନଜଣା ଗାଁ କି ଦୂର ମୁଲକରେ ମିଳିଲେ ମିଳିପାରେ - ନ ହେଲେ ଆଦିବାସୀର କରୁଣ କୁଡିଆଘରେ ! ବିଦେଶୀ ବିହନ, ବିଦେଶୀ ରାସାୟନିକ ସାରର ଚକ୍ରବ୍ୟୂହରେ ଆମ ଦେଶୀ ଚାଷର ଦୁଃସ୍ଥ ଦୁନିଆ ପ୍ରାୟ ଛିନ୍‌ଛତ୍ର, ତଳିତଳାନ୍ତ ! ସୁତରାଂ କୃଷିସଂସ୍କୃତିର ଆଶୁ ପୁନରୁଦ୍ଧାର ହିଁ ଆଜିର ଆହ୍ୱାନ - ଫସଲର ଫଟାଭୂଇଁରେ ଏ ଆହ୍ୱାନ ଅମୃତଧାରା ସିଂଚନ କରିବାରେ ଅସଲ ଅନ୍ତଃସ୍ୱର । କ୍ରୁଶବିଦ୍ଧ କୃଷକଶ୍ରେଣୀ ଯେପରି ରକ୍ତାକ୍ତ ଯୀଶୁର ଯନ୍ତ୍ରଣା ଭିତରେ ବି ଆମପରି ଅପର୍ଯ୍ୟାପ୍ତ ଅପକର୍ମୀବର୍ଗଙ୍କୁ କ୍ଷମା କରିଚାଲିଛି - ଆମର କୃଷିବିମୁଖ ଆଜିର ସମାଜବ୍ୟବସ୍ଥା ମଧ୍ୟରେ ଆମେ କ’ଣ ଏତିକି ସୁଦ୍ଧା ବୁଝିବାରେ ଅପାରଗ ନା ଜାଣିସିଆଣିଆ ଜହ୍ଲାଦବର୍ଗ? କୃଷି ସହିତ କୃଷ୍ଟିର ମହାମଙ୍ଗଳକର ମିଶ୍ରରାଗ ମୂର୍ଚ୍ଛିତ ହେଉ ଏଇ ମୁହୂର୍ତରୁ – ବିଳମ୍ବରେ ବିପର୍ଯ୍ୟୟ!

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

 

0
0
0
s2sdefault