ହେଡଲାଇନସ୍:

"ବିଷ୍ଣୁଭାଇ ଥିଲେ  ଯୁବପିଢିଙ୍କ ପାଇଁ ଆଦର୍ଶ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସ୍ୱର୍ଗତ ବିଷ୍ଣୁ ଦାସଙ୍କର ଦ୍ୱାଦଶାହ ଉପଲକ୍ଷେ

ଜନ୍ମ ହେଲେ ମୃତ୍ୟୁ, ଏହା ହିଁ ଧୃବ ସତ୍ୟ । ଏହି ସତ୍ୟକୁ ଆମେ ସମସ୍ତେ ଜାଣିଥିଲେ ମଧ୍ୟ ଏହାକୁ ଆମେ ସହଜରେ ଗ୍ରହଣ କରିପାରୁନାହିଁ । ନିଜ ପ୍ରିୟ ପରିଜନଙ୍କ ଦେହାନ୍ତ ସହଜରେ ବିଶ୍ୱାସ କରିହୁଏନି । ସଦା ହସ ହସ ମୁହଁ, କର୍ମତପôର, ପ୍ରବୀଣ ରାଜନୈ÷ତିଜ୍ଞ,  ଜଗତସିଂହପୁର ମାଟିର ସୁଯୋଗ୍ୟ ସନ୍ତାନ ବିଷ୍ଣୁ ଦାସ ଯେ ଆଜି ଆମ ଗହଣରେ ନାହାଁନ୍ତି, ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ୍ୟ । ପୂର୍ବତନ  ମନ୍ତ୍ରୀ , ସାଂସଦ, ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା  ଚଳିତ ବିଧାନ ସଭାରେ ତିର୍ତ୍ତୋଲ ବିଧାୟକ ରହିଥିବା ଆମ ସମସ୍ତଙ୍କର ପ୍ରିୟ ନେତା ବିଷ୍ଣୁ ଦାସଙ୍କର ଚଳିତ ଜୁଲାଇ ମାସ ୬ ତାରିଖରେ  ୬୯ ବର୍ଷ ବୟସରେ  ପରଲୋକ ଘଟିଛି । ତାଙ୍କର ପରିବାର, ବନ୍ଧୁ, ସମର୍ଥକ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ସେ ଇହଧାମ ପରିତ୍ୟାଗ କରିଛନ୍ତି । ଦୀର୍ଘବର୍ଷର ରାଜନୈତିକ ଜୀବନ, ଜଗତସିଂହପୁର ଜିଲ୍ଲା ପାଇଁ ତାଙ୍କର ଅକ୍ଳାନ୍ତ ପରିଶ୍ରମ,ଅତୁଳନୀୟ ଅବଦାନ, ତାଙ୍କୁ ସବୁଦିନ ପାଇଁ ଅମର କରି  ରଖିବ । ଜଣେ ଦକ୍ଷତାସଂପନ୍ନ  ଓ ସାଲିସ ବିହୀନ  ନେତୃତ୍ୱ ଭାବେ ସ୍ୱର୍ଗତ ବିଷ୍ଣୁ ଦାସ ଜଗତସିଂହପୁର ଜିଲ୍ଲା, ସମଗ୍ର ରାଜ୍ୟ  ତଥା ଜାତୀୟ ରାଜନୈତିକ ଇତିହାସରେ ତାଙ୍କର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି । 

ବିଷ୍ଣୁ ଭାଇ ଥିଲେ ସମସ୍ତଙ୍କ ପାଇଁ ଆଦର୍ଶ । ଜଗତସିଂହପୁରର ଆବାଳବୃଦ୍ଧବନିତା ସମସ୍ତଙ୍କ ପାଇଁ ସେ ବିଷ୍ଣୁ ଭାଇ ନାମରେ ପରିଚିତ ଥିଲେ ।  ବିଷ୍ଣୁ ଭାଇଙ୍କ ସହିତ ମୋର ରହିଥିବା ସ୍ମୃତି ଓ ଅନୁଭୂତି ସବୁଦିନ ପାଇଁ ଅଭୂଲା ହୋଇରହିବ । ତାଙ୍କର ଅସୁସ୍ଥତା ଖବର ପାଇ ସେ ଡାକ୍ତରଖାନାରେ ଥିବା ସମୟରେ ମୁଁ ଆପୋଲୋ ହସ୍ପିଟାଲରେ ତାଙ୍କୁ ଦେଖା କରିଥିଲି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସେତେବେଳେ ଗୁରୁତର ଥିଲା ।  ତାଙ୍କର ଦେହାନ୍ତ ପରେ ଭୁବନେଶ୍ୱରରୁ ଜଗତସିଂହପୁରକୁ ପାର୍ଥିବ ଶରୀର ଆସିବା ଠାରୁ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ସ୍ୱତଃପ୍ରବୃତ୍ତ ଭାବେ ମୁଁ ଯୋଗଦାନ କରିଥିଲି । ଛାତ୍ର ଜୀବନରେ ରାଜନୀତିଠାରୁ ଆରମ୍ଭ କରି ୧୯୯୭ ମସିହାରେ ମୋର  ବିଜୁ ଜନତା ଦଳରେ ଯୋଗଦାନ ଓ ପରେ ପରେ ରାଜନୈ÷ତିକ ଜୀବନର ପ୍ରତିଟି କ୍ଷେତ୍ରରେ ବିଷ୍ଣୁ ଭାଇ ମୋତେ ମାର୍ଗଦର୍ଶନ ଦେଉଥିଲେ  । ଛାତ୍ର ଜୀବନରେ ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟ(ଏସ୍.ଭି.ଏମ୍ କଲେଜ)ରେ ଆମେ ଅଧ୍ୟ୍ୟୟନ କରୁଥିଲୁ । ଆମେ ସବୁ ଅଣ କଂଗ୍ରେସ ରାଜନୀତିରେ ଥିଲୁ ।  ୧୯୯୭ ମସିହାରେ ବିଜୁ ଜନତା ଦଳ  ଗଠିତ ହେଲା । ସେ ସମୟରେ ବିଷ୍ଣୁ ଭାଇଙ୍କ ଆହ୍ୱାନ କ୍ରମେ ମୁଁ ବିଜେଡିରେ ନବୀନବାବୁଙ୍କ ଉପସ୍ଥିତିରେ ଯୋଗଦେଇଥିଲି । ବିଷ୍ଣୁ ଭାଇଙ୍କର ଜଗତସିଂହପୁର ଜିଲ୍ଲା ବାଲିକୁଦା ଏବଂ ନାଉଗାଁ ଅଂଚଳବାସୀଙ୍କ ସହିତ ନିବିଡ ସଂପର୍କ ଥିଲା । ସେହି ସଂପର୍କକୁ ଆଧାର କରି ସେ ଏହି ଅଂଚଳରେ ସଂଗଠନକୁ ସୁଦୃଢ କରିବାରେ ମୋତେ ସହଯୋଗ କରିଥିଲେ । କେବଳ ବାଲିକୁଦା ଓ  ନାଉଗାଁ ଅଂଚଳ ନୁହେଁ, ବିଶେଷକରି ଜିଲ୍ଲାର ଯେଉଁ ଅଂଚଳକୁ ପହଁଚିବାରେ ଯାତାୟତର ଅସୁବିଧା ଥିଲା, ସେହିସବୁ ଅଗମ୍ୟ ଅଂଚଳରେ ନଦୀ.ନାଳ ପାର ହୋଇ ପହଁଚି ମୋ ସହିତ ସାଂଗଠନିକ କାର୍ଯ୍ୟରେ ସେ ବିନା ଦ୍ୱିଧାରେ ସହାୟତା କରିଥିଲେ । କଲେଜ ଜୀବନରେ ସେ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ଛାତ୍ର  ରାଜନୀତି ସମୟରୁ  ସେ ମୋତେ ବରାବର ପରାମର୍ଶ ଓ ସହଯୋଗ ଦେଇଆସୁଥିଲେ ।  ରାଜ୍ୟ ରାଜନୀତିକୁ ଆସିବା ପୂର୍ବରୁ ବିଷ୍ଣୁ ଭାଇ କିଛିଦିନ ଓକିଲାତି କରିଥିଲେ ଓ ସେହି ସମୟରେ ମୁଁ ମଧ୍ୟ କିଛିଦିନ ଓକିଲାତି କରୁଥିଲି । ଏଣୁ ଆମ ଦୁଇଜଣଙ୍କ ସଂପର୍କ ଆହୁରି ଘନିଷ୍ଟ ହୋଇଥିଲା । ୧୯୭୫ ମସିହାରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ସେ ସମସ୍ତଙ୍କୁ ଏକାଠି କରିବାରେ ସମର୍ଥ ହୋଇଥିଲେ । ତାଙ୍କ ସହିତ ମୋର ଅତି ସ୍ମରଣୀୟ ଘଟଣା ହେଉଛି,  ୧୯୮୦ ମସିହାରେ ଛବିରାଣୀ ହତ୍ୟାକାଣ୍ଡ ଭଳି ଏକ ଲୋମହର୍ଷଣକାରୀ ଘଟଣା ସମୟର  । ସେତେବେଳେ  ଏହି ଘଟଣା କେବଳ ଆମ ରାଜ୍ୟ ଏବଂ ଆମ ଦେଶ ନୁହେଁ,ଏହା ବିଶ୍ୱରେ ଚହଳ ପକାଇଥିଲା । ବିଷ୍ଣୁ ଭାଇ ଯେତେବେଳେ ଏଭଳି ଘଟଣାରେ ଦୃଢ ପ୍ରତିବାଦର ସ୍ୱର ଉତ୍ତେୋଳନ କରୁଥା’ନ୍ତି, ସେ ସମୟରେ ମୁଁ ମଧ୍ୟ ସାମିଲ ହୋଇଥିଲି । ଏହି ଘଟଣାରେ  ରବିରାୟ, କୁଲଦୀପ ସିଂ ଏବଂ ମଧୁ ଲିମାଏ  ଭଳି ଦେଶର ବିଶିଷ୍ଟ ରାଜନୈତିକ  ନେତୃବୃନ୍ଦଙ୍କୁ ସାମିଲ କରି ବିଷ୍ଣୁ ଭାଇ ରାଜ୍ୟ ତଥା ଦେଶର ରାଜନୀତିରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହୋଇପାରିଥିଲେ । 

ଜଗତସିଂହପୁରକୁ ନେଇ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ସ୍ୱପ୍ନ ତାଙ୍କର ପିଲାଟି ଦିନରୁ ରହିଥିଲା ।  ଜଗତସିଂହପୁର ଜିଲ୍ଲାର ସାମଗ୍ରିକ ବିକାଶ ନେଇ ସେ ଖୁବ୍ ଆଶାବାଦୀ ଥିଲେ ।  ଏକ ସାଧାରଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ ଓ  ଦାରିଦ୍ର୍ୟର କଷାଘାତ ମଧ୍ୟରେ ସେ ନିଜ ଜୀବନର ଚଳାପଥରେ ଆଗକୁ ବଢିଥିଲେ ।   ବିଜୁବାବୁଙ୍କୁ ନିଜ ଆଦର୍ଶ ମାନୁଥିବା ବିଷ୍ଣୁ ଭାଇ ନିଜେ ଜଣେ ସଫଳ ରାଜନେତା ହୋଇପାରିଥିଲେ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । 

୧୯୭୭ ମସିହାରେ ସ୍ୱର୍ଗତ ବିଷ୍ଣୁ ଦାସ ଜଗତସିଂହପୁର ଏସ୍.ଭି.ଏମ୍ କଲେଜର ଛାତ୍ରସଂସଦର ସଭାପତି ହେଲେ ଓ ପରେ ପରେ ତିନିତିନି ଥର ଛାତ୍ରସଂସଦର ସଭାପତି ହୋଇଥିଲେ ।  ଦୀର୍ଘ ଦିନ ଧରି ରାଜନୀତିରେ ରହି ସେ ସ୍ଥାନୀୟ ମହାବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନଗୁଡିକରେ ଉନ୍ନୟନମୂଳକ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ ।  ଜଗତସିଂହପୁର ଜିଲ୍ଲା ଓ ରାଜ୍ୟର ବିକାଶରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । 

୧୯୯୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଲଗାତାର ୫ ଥର ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ ବିଜୟୀ ହେବା ସହ ୨୦୧୯ ରେ  ତିର୍ତ୍ତୋଲ ଆସନରୁ  ସେ ବିଜୟୀ ହୋଇଥିଲେ । ଏହା ମଧ୍ୟରେ ସେ ରାଜ୍ୟରେ କ୍ୟାବିନେଟ୍ ମନ୍ତ୍ରୀ ଓ ରାଜ୍ୟସଭା ସଦସ୍ୟ ତଥା ଯୋଜନା ବୋର୍ଡର ଉପାଧ୍ୟକ୍ଷହୋଇଥିଲେ । ସେ ଅନେକ ରାଜନେତାଙ୍କର ପ୍ରେରଣାର ଉତ୍ସ ଥିଲେ । ବହୁ ଯୁବବର୍ଗ ତାଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଜଗତସିଂହପୁର ଜିଲ୍ଲା ତଥା ଓଡିଶାର ରାଜନୈତିକ କ୍ଷେତ୍ରରେ ଆଗକୁ ବଢିଛନ୍ତି । ତାଙ୍କର ଅସୁସ୍ଥତା ଜନିତ ଅକାଳ ବିୟୋଗ ଆମ ସମସ୍ତଙ୍କୁ ମର୍ମାହତ କରିଛି । ଦଳମତ ନିର୍ବିଶେଷରେ ସ୍ୱର୍ଗତ ବିଷ୍ଣୁ ଦାସ, ଆମ ସମସ୍ତଙ୍କର ପ୍ରିୟ ବିଷ୍ଣୁ ଭାଇ ଜଣେ ଦରଦୀ, ସ୍ନେହୀ, ନିଷ୍କପଟ ଓ ବିରଳ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ବିୟୋଗ ଜଗତସିଂହପୁର ଜିଲ୍ଲା ତଥା ଆମ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । ବିଷ୍ଣୁଭାଇଙ୍କର ସଂଗ୍ରାମୀ ଜୀବନ ଓ ଆଦର୍ଶ  ଆମ ସମସ୍ତଙ୍କୁ ବିଶେଷକରି ଯୁବପିଢିମାନଙ୍କୁ ଅନୁପ୍ରାଣୀତ କରୁ, ଏହା ମୁଁ କାମନା କରୁଛି । 

 

ରଘୁନନ୍ଦନ ଦାସ

ମନ୍ତ୍ରୀ

ଟେଲିଫୋନ୍- ୯୯୩୭୦୩୮୨୮୧,

୯୯୩୭୭୦୫୩୧୮

 

 

0
0
0
s2sdefault